President Droupadi Murmu: ମହାମହିମଙ୍କ ଓଡ଼ିଶା ଗସ୍ତର ଶେଷ ଦିନ, ଅପରାହ୍ଣରେ ଫେରିଯିବେ ଦିଲ୍ଲୀ

ଓଡ଼ିଶା ଗସ୍ତର ଆଜି ଶେଷ ଦିନରେ ମୟୂରଭଞ୍ଜ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ମହାମହିମ ।

President Droupadi Murmu

ଆଜି ଅପରାହ୍ଣରେ ଦିଲ୍ଲୀ ଫେରିଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଓଡ଼ିଶା ଗସ୍ତର ଆଜି ଶେଷ ଦିନରେ ମୟୂରଭଞ୍ଜ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ମହାମହିମ । ବାଙ୍ଗିରିପୋଷି ରେଳ ଷ୍ଟେସନରେ ୩ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ବାଙ୍ଗରିପୋଷୀ-ଗୋରୁମହିଷାଣି, ବୁଡାମରା-ନ୍ୟୁ ଜାମଶୋଳା ନୂତନ ରେଳ ଲାଇନ୍, ବାଦାମପାହାଡ-କେନ୍ଦୁଝରଗଡ଼ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ରାଷ୍ଟ୍ରପତି ।

ଏହି ଲାଇନ୍ ଆଦିବାସୀ ବହୁଳ ମୟୂରଭଞ୍ଜ ଓ କେନ୍ଦୁଝର ଜିଲାକୁ ସଂଯୋଗ କରିବ । ଯାହା ଖଣିବହୁଳ ଅନୁନ୍ନତ ଅଞ୍ଚଳରେ ଶିଳ୍ପ, ପର୍ଯ୍ୟଟନର ଅଭିବୃଦ୍ଧି ଘଟାଇବ । ଏଥିସହ ଆଭାସି ଜରିଆରେ ରାଇରଙ୍ଗପୁର ସହରରେ ତିନୋଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ରାଷ୍ଟ୍ରପତି । ଜନଜାତି ଅନୁସନ୍ଧାନ ଓ ବିକାଶ କେନ୍ଦ୍ର, ରାଇରଙ୍ଗପୁର ଦାଣ୍ଡବୋଷ ବିମାନବନ୍ଦର ଉନ୍ନତୀକରଣ ନିର୍ମାଣ ପାଇଁ ଶିଳାନ୍ୟାସ କରିବେ । ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ପାଇଁ ନିଜ ଜନ୍ମମାଟି ତଥା ପୈତୃକ ଗାଁ ଉପରବେଡ଼ାକୁ ଗତକାଲି ଯାଇଥିଲେ ରାଷ୍ଟ୍ରପତି ।

ମହୁଲଡିହା ଘରେ ଗତକାଲି ରାତିରେ ରହିଥିଲେ ମାଡାମ ପ୍ରେସିଡେଣ୍ଟ । ନିଜ ଲୋକଙ୍କୁ ପାଖରେ ପାଇଁ ବେଶ ଖୁସି ପ୍ରକାଶ କରିଛନ୍ତି ରାଷ୍ଟ୍ରପତି । ଗାଁ ଝିଅଙ୍କୁ ପାଖରେ ପାଇ ଉପରବେଡ଼ାବାସୀ ବି କୃତ୍ୟ କୃତ୍ୟ ହୋଇଛନ୍ତି । ରାଷ୍ଟ୍ରପତିଙ୍କୁ ପ୍ରଥମରୁ ପଞ୍ଚମ ଯାଏଁ ପାଠ ପଢ଼ାଇଥିବା ଗୁରୁ ବି ନିଜକୁ ଧନ୍ୟ ମନେକରିଛନ୍ତି ।

ଅଧିକ ପଢନ୍ତୁ:କେନ୍ଦ୍ରୀୟ ଡେପୁଟେସନରେ ଗଲେ ବିବାଦୀୟ ଆଇପିଏସ ଆଶିଷ ସିଂ

ସୂଚନାଯୋଗ୍ୟ, ପ୍ରଥମ ଥର ପାଇଁ ନିଜ ଗାଁ ମାଟିରେ ଗତକାଲି ପୂର୍ବାହ୍ନରେ ପାଦ ଥାପିଥିଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପ୍ରଥମେ ଯାଇଥିଲେ ଉପରବେଡ଼ା ଉଚ୍ଚ ପ୍ରାଥମିକ ସ୍କୁଲ । ପହଞ୍ଚିବା କ୍ଷଣି ମହାମହିମଙ୍କ ଆଖି ସାମ୍ନାରେ ନାଚି ଉଠୁଥିଲା ପିଲାବେଳର ସ୍ମୃତି ସବୁ । ଅଭିଭାଷଣ ରଖିବା ବେଳେ ନିଜ ବାଲ୍ୟସ୍ମୃତିକୁ ବଖାଣିଥିଲେ । ଝାଟିମାଟି କ୍ଲାସରୁମକୁ ଗୋବର ଦ୍ୱାରା ଲିପାପୋଛା କରିବା, ଝରି କଲମ ଦ୍ୱାରା ପୋଷାକ ଖରାପ ହେବା, ଅଭାବ ଭିତରେ ବି ପାଠ ପଢ଼ିବାର ନିଶା ଏବଂ ତାଙ୍କ ଗୁରୁ ମାନଙ୍କ ଅବଦାନକୁ ମନେ ପକାଇ ବେଶ୍ ଭାବବିହ୍ୱଳ ହୋଇଥିଲେ ।

ସ୍କୁଲରେ ଖାଲି ସମ୍ବୋଧିତ କରି ନଥିଲେ, ପ୍ରୋଟୋକଲ୍ ଭାଙ୍ଗି ଛାତ୍ରଛାତ୍ରୀ ଏବଂ ନିଜର ବାଲ୍ୟ ବାନ୍ଧବୀଙ୍କୁ ଭେଟି ଭାବବିନିମୟ ମଧ୍ୟ କରିଥିଲେ । ସାଙ୍ଗରେ ଆଣିଥିବା ଉପହାର ବି ବାଣ୍ଟିଥିଲେ । ତାହାରି ଭିତରେ ଦେଶର ପ୍ରଥମ ନାଗରିକ ବନିଥିବା ଆଜିର ଦ୍ରୌପଦୀ ମୁର୍ମୁଙ୍କୁ ପ୍ରଥମରୁ ପଞ୍ଚମ ଯାଏଁ ପଢ଼ାଇଥିବା ଗୁରୁଙ୍କୁ ବି ସାକ୍ଷାତ କରିବାକୁ ଭୁଲିନଥିଲେ ମାଡାମ୍ ପ୍ରେସିଡେଣ୍ଟ

ସ୍କୁଲରୁ ସିଧା ଯାଇଥିଲେ ନିଜ ପୈତୃକ ଘରକୁ । ଯେଉଁଠି ଜନ୍ମ ହୋଇଥିଲେ ମହାମହିମ । ରାଷ୍ଟ୍ରପତି ବନିଥିବା ଝିଅକୁ ଦୁବ ଆଉ ବରକୋଳି ପତ୍ର ସହ ବନ୍ଦାପନା କରି ସ୍ୱାଗତ କରିଥିଲେ ପରିବାର, ଆତ୍ମୀୟ ସ୍ୱଜନ । ଘରେ ପହଞ୍ଚିବା ପରେ ପ୍ରୋଟୋକଲ୍ ଭାଙ୍ଗି ମହିଳାଙ୍କ ସହ ସାନ୍ତାଳି ନୃତ୍ୟରେ ସାମିଲ ହୋଇଥିଲେ । ପରେ ଘରକୁ ଯାଇ ନିଜ ପୁତୁରା ଓ ପୁତୁରା ବୋହୂଙ୍କୁ ହାତରୁ ମଣ୍ଡା ପିଠା ଓ ଆରିଷା ପିଠା ସହ ଖାଇଥିଲେ ମଧ୍ୟାହ୍ନ ଭୋଜନ । ଆଉ ସମସ୍ତଙ୍କୁ ଦିଲ୍ଲୀ ଯିବାକୁ ନିମନ୍ତ୍ରଣ ସହ ରାଷ୍ଟ୍ରପତି ଭବନରୁ ଆଣିଥିବା ଶାଢ଼ୀ ଓ ମିଠା ଦେଇଥିଲେ ।

ଅଧିକ ପଢନ୍ତୁ:ମଥାରୁ ହଟୁନି ଦାଦନ କଳଙ୍କ, ଚାରି ଦିନରେ ଶବ ହୋଇ ଫେରିଲେଣି ଦୁଇ ଭେଣ୍ଡିଆ