ଯେଉଁଠି ଦିନେ ଜନ୍ମ ହୋଇଥିଲେ, ସେହି ଭିଟାମାଟିରେ ପାଦଦେଲେ ରାଷ୍ଟ୍ରପତି । ଦିନେ ଯେଉଁଠି ଅ, ଆ’ ଶିଖିଥିଲେ ସେଇଠି ପିଲାଙ୍କ ସହ ଭାବବିନିମୟ କଲେ, ନାଚିଲେ, ଭାବବିହ୍ୱଳ ବି ହେଲେ । ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ପାଇଁ ନିଜ ଜନ୍ମମାଟି ତଥା ପୈତୃକ ଗାଁ ଉପରବେଡ଼ା ଯାଇଥିଲେ । ରାଷ୍ଟ୍ରପତି ବନିଥିବା ଗାଁ ଝିଅଙ୍କୁ ପାଖରେ ପାଇ ଉପରବେଡ଼ାବାସୀ ତ କୃତ୍ୟ କୃତ୍ୟ ହେଲେ, ରାଷ୍ଟ୍ରପତିଙ୍କୁ ପ୍ରଥମରୁ ପଞ୍ଚମ ଯାଏଁ ପାଠ ପଢ଼ାଇଥିବା ଗୁରୁ ବି ନିଜକୁ ଧନ୍ୟ ମନେକଲେ ।
କେଉଁଠି ସାନ୍ତାଳୀ ନୃତ୍ୟ ସଂଗୀତରେ ଝଙ୍କୃତ ହେଉଛି ଗାଁ ଦାଣ୍ଡ ତ ଆଉ କେଉଁଠି ଝଟକୁଛି ହାତ ଅଙ୍କା ଝୋଟି । ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁରର ଉପରବେଡ଼ା ଗାଁର ପ୍ରତିଟି ମଣିଷଙ୍କ ଛାତି କୁଣ୍ଢେମୋଟ...ଗର୍ବିତ...ଉତଫୁଲ୍ଲିତ । ରାଷ୍ଟ୍ରପତି ବନିଥିବା ନିଜ ମାଟିର ଝିଅ ଯେତେବେଳେ ଗାଁକୁ ଆସୁଛନ୍ତି କାହିଁକି ବା ନହେବ ଭବ୍ୟ ଆୟୋଜନ ।
ଏହି ଉତ୍କଣ୍ଠା ଆଉ ଉତ୍ସାହ ଭିତରେ ପ୍ରଥମ ଥର ପାଇଁ ନିଜ ଗାଁ ମାଟିରେ ଆଜି ପୂର୍ବାହ୍ନରେ ପାଦ ଥାପିଥିଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପ୍ରଥମେ ଯାଇଥିଲେ ଉପରବେଡ଼ା ଉଚ୍ଚ ପ୍ରାଥମିକ ସ୍କୁଲ । ପହଞ୍ଚିବା କ୍ଷଣି ମହାମହିମଙ୍କ ଆଖି ସାମ୍ନାରେ ନାଚି ଉଠୁଥିଲା ପିଲାବେଳର ସ୍ମୃତି ସବୁ । ଅଭିଭାଷଣ ରଖିବା ବେଳେ ନିଜ ବାଲ୍ୟସ୍ମୃତିକୁ ବଖାଣିଥିଲେ । ଝାଟିମାଟି କ୍ଲାସରୁମକୁ ଗୋବର ଦ୍ୱାରା ଲିପାପୋଛା କରିବା, ଝରି କଲମ ଦ୍ୱାରା ପୋଷାକ ଖରାପ ହେବା, ଅଭାବ ଭିତରେ ବି ପାଠ ପଢ଼ିବାର ନିଶା ଏବଂ ତାଙ୍କ ଗୁରୁ ମାନଙ୍କ ଅବଦାନକୁ ମନେ ପକାଇ ବେଶ୍ ଭାବବିହ୍ୱଳ ହୋଇଥିଲେ ।
Also Read
ଅଧିକ ପଢନ୍ତୁ:କଠୋର ହେଲେ ସରକାର, ବନ୍ଦ ହେବ ଯାତ୍ରାରେ ଅଶ୍ଲୀଳତା
ସ୍କୁଲରେ ଖାଲି ସମ୍ବୋଧିତ କରି କରିନାହାଁନ୍ତି, ପ୍ରୋଟୋକଲ୍ ଭାଙ୍ଗି ଛାତ୍ରଛାତ୍ରୀ ଏବଂ ନିଜର ବାଲ୍ୟ ବାନ୍ଧବୀଙ୍କୁ ଭେଟି ଭାବବିନିମୟ କରିଛନ୍ତି । ସାଙ୍ଗରେ ଆଣିଥିବା ଉପହାର ବି ବାଣ୍ଟିଛନ୍ତି । ତାହାରି ଭିତରେ ଦେଶର ପ୍ରଥମ ନାଗରିକ ବନିଥିବା ଆଜିର ଦ୍ରୌପଦୀ ମୁର୍ମୁଙ୍କୁ ପ୍ରଥମରୁ ପଞ୍ଚମ ଯାଏଁ ପଢ଼ାଇଥିବା ଗୁରୁଙ୍କୁ ବି ସାକ୍ଷାତ କରିବାକୁ ଭୁଲିନାହାଁନ୍ତି ମାଡ଼ାମ୍ ପ୍ରେସିଡେଣ୍ଟ ।
ଯାହାଙ୍କୁ ମଞ୍ଚ ଉପରେ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଛନ୍ତି । ହାତଯୋଡ଼ି କୃତଜ୍ଞତା ଜଣାଇଛନ୍ତି । ଆଉ ରାଷ୍ଟ୍ରପତି ବନିଥିବା ସେଦିନର ଛାତ୍ରୀ ଦ୍ରୌପଦୀ ମୁର୍ମୁଙ୍କ ପାଇଁ ନିଜକୁ ଧନ୍ୟ ମନେ କରିଛନ୍ତି ମଦନ ମୋହନ ସାର, କୃତିବାସ ସାର୍ ଏବଂ ବିଶୁ ସାର୍ । ସ୍କୁଲରୁ ସିଧା ଯାଇଥିଲେ ନିଜ ପୈତୃକ ଘରକୁ । ଯେଉଁଠି ଜନ୍ମ ହୋଇଥିଲେ ମହାମହିମ । ରାଷ୍ଟ୍ରପତି ବନିଥିବା ଝିଅକୁ ଦୁବ ଆଉ ବରକୋଳି ପତ୍ର ସହ ବନ୍ଦାପନା କରି ସ୍ୱାଗତ କରିଥିଲେ ପରିବାର, ଆତ୍ମୀୟ ସ୍ୱଜନ ।
ଘରେ ପହଞ୍ଚିବା ପରେ ପ୍ରୋଟୋକଲ୍ ଭାଙ୍ଗି ମହିଳାଙ୍କ ସହ ସାନ୍ତାଳି ନୃତ୍ୟରେ ସାମିଲ ହୋଇଥିଲେ । ପରେ ଘରକୁ ଯାଇ ନିଜ ପୁତୁରା ଓ ପୁତୁରା ବୋହୂଙ୍କୁ ହାତରୁ ମଣ୍ଡା ପିଠା ଓ ଆରିଷା ପିଠା ସହ ଖାଇଥିଲେ ମଧ୍ୟାହ୍ନ ଭୋଜନ । ଆଉ ସମସ୍ତଙ୍କୁ ଦିଲ୍ଲୀ ଯିବାକୁ ନିମନ୍ତ୍ରଣ ସହ ରାଷ୍ଟ୍ରପତି ଭବନରୁ ଆଣିଥିବା ଶାଢ଼ୀ ଓ ମିଠା ଦେଇଥିଲେ ।
ନିଜ ଘରେ ମଧ୍ୟାହ୍ନ ଭୋଜନ ପରେ ରାଇରଙ୍ଗପୁର ଆସିଥିଲେ ମହାମହିମ । ସେଠାରେ ରାଇରଙ୍ଗପୁର ଡାକ୍ତରଖାନାକୁ LIC ପ୍ରଦତ୍ତ ସ୍ୱର୍ଗରଥ ଆମ୍ବୁଲାନ୍ସ ଏବଂ ରେଡକ୍ରସ ପ୍ରଦତ୍ତ ଆମ୍ବୁଲାନ୍ସକୁ ଲୋକାର୍ପିତ କରିଥିଲେ । ଏହାସହ ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟରେ ଯୋଗଦେଇ ଛାତ୍ରୀଙ୍କୁ ସ୍ୱପ୍ନକୁ ସାକାର କରିବାର ମନ୍ତ୍ର ଦେଇଥିଲେ । ଅପରାହ୍ନରେ ରାଇରଙ୍ଗପୁର ସ୍ଥିତ ପୂର୍ଣ୍ଣେଶ୍ୱର ଶିବ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥିଲେ ମହାମହିମ । ଏହି ମନ୍ଦିରରେ ରାଷ୍ଟ୍ରପତି ହେବା ପାଇଁ ତାଙ୍କ ନାଁ ଘୋଷଣା ହେବା ପରେ ମହାଦେବକୁ ଦର୍ଶନ କରି ଝାଡ଼ୁ ଲଗାଇଥିଲେ । ଆଜି ସେଠାରେ କିଛି ସମୟ ଧରି ପୂଜାର୍ଚ୍ଚନା କରି ନିଜ ମହୁଲଡିହା ଘରକୁ ଯାଇଛନ୍ତି ମହାମହିମ । ଯେଉଁଠି ରାତ୍ରୀ ରହଣୀ କରିବେ ।