ଏଥର ନିର୍ବାଚନରେ ଚାଷ ଓ ଚାଷୀ ଥିଲା ପ୍ରମୁଖ ମୁଦ୍ଦା । ବିଜେପିର ସଂକଳ୍ପ ପତ୍ରରେ ଧାନ କ୍ବିଣ୍ଟାଲ ପିଛା ୩୧୦୦ କୁ ଦେଖି, ବିଜେପି ସପକ୍ଷରେ ଯାଇଥିଲା ଚାଷୀଙ୍କ ଭୋଟ । ଆଉ ପ୍ରତିଶୃତି ମୁତାବକ, ସରକାର ବି କ୍ବିଣ୍ଟାଲ ପିଛା ଆଠ ଶହ ବୋନସ ଦେଇ, ଚାଷୀଙ୍କ ପାଖରୁ ୩୧୦୦ ଟଙ୍କାରେ ଧାନ କିଣୁଛନ୍ତି । ମଣ୍ଡିରୁ ମଣ୍ଡି ମନ୍ତ୍ରୀମାନେ ବୁଲୁଥିବାର ବି ଦେଖାଯାଉଛି । କିନ୍ତୁ ମଣ୍ଡିର ବାସ୍ତବ ଚିତ୍ର ଓ ଚରିତ୍ର ପୂରା ଅଲଗା । ଧାନ କିଣାବିକାରେ ପ୍ରତିବନ୍ଧକ ଏଫ.ଏ.କ୍ୟୁ । ଅଧିକାଂଶ ଧାନକୁ ଏଫ.ଏ.କ୍ୟୁ ନୁହେଁ ବୋଲି ଧାନ କିଣୁନି ପେକ୍ସ । ଏପରିକି ଏଫ.ଏ.କ୍ୟୁ ମାନ ନିର୍ଦ୍ଧାରଣର ପରୀକ୍ଷାକୁ ନେଇ ବି ପେକ୍ସ କର୍ମଚାରୀଙ୍କ ଅଭିଯୋଗ । ହଇରାଣ ଚାଷୀ ....! ଘରେ ବାହାରେ , ଧାନବସ୍ତା ! ୩୧୦୦ ପାଇବାକୁ ଆଶା ରଖିଥିବା ଚାଷୀ, ଏବେ ଧାନବିକ୍ରୀ ପାଇଁ ଦଲାଲ ଖୋଜୁଛି । ବଲାଙ୍ଗିର ଓ ବରଗଡ଼ ଜିଲ୍ଳାରୁ ଆମର ଗ୍ରାଉଣ୍ଡ ରିପୋର୍ଟ...
ଅଧିକ ପଢ଼ନ୍ତୁ:'ସେଠି ଆଳୁ ଗୋଟା ୨ ରୁ ୩ କେଜି, ଏଠି ଚାଷ ହେଲେ ଭଲ ହୁଅନ୍ତା'
Also Read
ଗତ ନଭେମ୍ବର ୨୦ ତାରିଖ, ରାଜ୍ୟର ଭାତହାଣ୍ଡି ବରଗଡ ଜିଲ୍ଳା କଳାପାଣି ମଣ୍ଡିରେ ପହଞ୍ଚିଥିଲେ ଖୋଦ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସ୍ଥାନୀୟ ବିଧାୟକ ଓ ବିଭାଗୀୟ ଅଧିକାରୀଙ୍କ ସହିତ ବାଜା ରୋଷଣୀ ସହ ମଣ୍ଡିରେ ପହଞ୍ଚିଥିଲେ ମନ୍ତ୍ରୀ । ନଡିଆ ଭାଙ୍ଗି ଆରମ୍ଭ କରିଥିଲେ ଧାନ କିଣାବିକାର କାରବାର । କିନ୍ତୁ ମନ୍ତ୍ରୀ ଗଲା ପରେ ସ୍ଥିତି ‘‘ ଯଥା ପୁର୍ବଂ ତଥା ପରଂ ’’ । ଆରମ୍ଭ ହେଲା ଧାନ କିଣାବିକାରେ ମିଲର୍ସଙ୍କ ମନମାନୀ । ଏଫ.ଏ.କ୍ୟୁ ନାଁରେ କଟନୀ ଛଟନୀ । ମିଲର୍ସଙ୍କ କଥା ମାନି କଟନୀ ଛଟନୀରେ ସହମତି ଦେଲେ, ଧାନ ଉଠୁଛି । କିନ୍ତୁ କଟନୀ ଛଟନୀକୁ ବିରୋଧ କଲେ, ଏଫ.ଏ.କ୍ୟୁ ବାହାନା ଦେଖାଇ, ପେଡି ଆନାଲାଇଜର ମେସିନ ଆଣି, ମାନ ନିର୍ଦ୍ଧାରଣ କରି ନନ ଏଫ.ଏ.କ୍ୟୁ ଧାନ ବୋଳି କହି ଫେରେଇ ଦେଉଛନ୍ତି ପେକ୍ସ ଅଧିକାରୀ ।
ମଣ୍ଡିରେ ପଡିରହିଛି ହଜାର ହଜାର ବସ୍ତା ଧାନ । ତୁଟୁନି ଏଫ.ଏ.କ୍ୟୁ ବିବାଦ । ବଢୁଛି ଚାଷୀ ଅସନ୍ତୋଷ । ଗତ ତିନିଦିନ ତଳେ, ବରଗଡ ଜିଲ୍ଳା ମୁଖ୍ୟ ଯୋଗାଣ ଅଧିକାରୀଙ୍କ କାଯ୍ୟାଳୟକୁ ଆସି ଅଭିଯୋଗ କରିଥିଲେ ଚାଷୀ । ସମସ୍ୟାର ସମାଧାନ ନହେବାରୁ, ପାଖାପାଖି ଦୁଇ ଘଣ୍ଟା ଧରି ମୁଖ୍ୟ ଯୋଗାଣ ଅଧିକାରୀ କାର୍ଯ୍ୟାଳୟ ଭିତରେ ଥିବା ବେଳେ, ବାହାରୁ ତାଲା ଦେଇ ଧାରଣା ଦେଇଥିଲେ ଚାଷୀ । ହେଲେ ଆଜିଯାଏ ବରଗଡ ଜିଲ୍ଳାରେ ସୁରୁଖୁରୁରେ ଧାନ କିଣାବିକା ହେଉନଥିବା ଚାଷୀ ନେତା ଅଭିଯୋଗ କରିଛନ୍ତି । କିନ୍ତୁ ସି.ଏସ.ଓ କହୁଛନ୍ତି, କଟନୀ ଛଟନୀ ବନ୍ଦ କରିବା ପାଇଁ ଆଲୋଚନା ଚାଲିଛି । ଧାନ ଉଠିବା ପ୍ରକ୍ରିୟାକୁ ଆଉ ଟିକିଏ ତ୍ବରାନ୍ବିତ କରାଯିବ ।
ଅଧିକ ପଢ଼ନ୍ତୁ:ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ୍ .. ମଣ୍ଡିରୁ ଧାନ କିଣିପାରିବେନି ମିଲର
ଏବେ ଆସନ୍ତୁ ନଜର ପକାଇବା ବଲାଙ୍ଗିର ଜିଲ୍ଳାର ମଣ୍ଡି ହାଲଚାଲ ଉପରେ । ଗତ ଡିସେମ୍ବର ୨ ତାରିଖ, ନଡିଆ ଭାଙ୍ଗି ଦାଦନ ପ୍ରବଣ ବେଳପଡା ବ୍ଳକ ମଣ୍ଡଳ ମଣ୍ଡିରେ ଧାନ କିଣାବିକା ଆରମ୍ଭ କରିଥିଲେ ଜିଲ୍ଳାପାଳ । ତାପରେ ଧିରେ ଧିରେ ଜିଲ୍ଳାରେ ଖୋଲୁଛି ମଣ୍ଡି । ଜାଗା ଜାଗାରେ ମଣ୍ଡି ବୁଲୁଛନ୍ତି ମନ୍ତ୍ରୀ । ଗତ ତିନିଦିନ ତଳେ ଚୁଡାପାଲି ଓ ଯୋଗୀମୁଣ୍ଡା ମଣ୍ଡି ଯାଇ ବୁଲି ଦେଖିଥିଲେ ସ୍ଥାନୀୟ ବିଧାୟକ ତଥା ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ । ଉପ-ମୁଖ୍ୟମନ୍ତ୍ରୀଙ୍କ ସହିତ ଜିଲ୍ଳାପାଳ ଓ ଏସ୍.ପି ବି ମଣ୍ଡି ବୁଲିଥିଲେ । ସୂଚନାଯୋଗ୍ୟଯେ, ବଲାଙ୍ଗିର ସଦର ମହକୁମା ଉପକଣ୍ଠରେ ଥିବା ପୁଇଁନ୍ତଳା ମଣ୍ଡିର ଦୃଶ୍ୟ କହିଲେ ନସରେ । ମଣ୍ଡି କହିଲେ, ଘରଟିଏ ବି ନାହିଁ । ମଣ୍ଡି ଉପରେ ଜରିପାଲ ଟଣା ହୋଇଛି । ଧାନ ରଖିବା ପାଇଁ କୌଣସି ଗୋଦାମର ସୁବିଧା ନାହିଁ । ଅସ୍ଥାୟୀ ଗୋଦାମ ତିଆରି କରାଯାଇନାହିଁ ।
ଆଉ ମଣ୍ଡିରେ ଗଦା ହୋଇଥିବା ଶହ ଶହ ବସ୍ତା ଧାନ ବିକ୍ରୀ ପାଇଁ ଆସିଥିଲା । କିନ୍ତୁ ବିକ୍ରୀ ହୋଇପାରିଲା ନାହିଁ । କାରଣ ମଣ୍ଡିରେ ଥିବା ମେସିନ କହିଲା, ଏ ସବୁ ନନ ଏଫ.ଏ.କ୍ୟୁ ଧାନ । ଅଧିକାଂଶ ଚାଷୀଙ୍କ ଧାନ ଏଫ.ଏ.କ୍ୟୁର ମାନ ପୁରଣ କରୁନଥିବାରୁ, ପୁଇଁନ୍ତଳା ମଣ୍ଡିରେ ଆରମ୍ଭ ହୋଇପାରିନାହିଁ ଧାନ କିଣାବିକା । ମଲମୁଣ୍ଡା ମଣ୍ତିରେ ବି ସମାନ ସ୍ଥିତି । ମେସିନ ଭୟରେ ମଣ୍ଡିକୁ ଧାନ ଆଣୁନି ଚାଷୀ । ଚାଷୀ ଘରେ ଧାନଭର୍ତ୍ତି ହୋଇ ରହିଥିବା ବେଳେ ମଣ୍ଡିକୁ ଯାଇ ନିରାଶ ହେଉଛି ଚାଷୀ। ବାଧ୍ୟ ହୋଇ ଏବେ ଧାନ ବିକ୍ରୀ ପାଇଁ ଦଲାଲ ଖୋଜୁଛି ବଲାଙ୍ଗିର ଚାଷୀ । ଚାଷୀଙ୍କ ହାଲ ଦେଖି, ପେକ୍ସ ସଭାପତି ବି କହୁଛନ୍ତି, ବର୍ତ୍ତମାନର ଚାଷ ପ୍ରଣାଳୀ ଓ ମେସିନର ମାନ ନିର୍ଦ୍ଧାରଣ ମ୍ୟାଚ କରୁନାହିଁ । ତେଣୁ ଆଗକୁ ଧାନର ଅଭାବୀ ବିକ୍ରୀ ଯୋଗୁଁ, ରାଜରାସ୍ତାକୁ ଆସିପାରନ୍ତି ଚାଷୀ । ସେପଟେ ସବୁ ଠିକଠାକ ଚାଲିଥିବା କହିଛନ୍ତି ଉପ-ମୁଖ୍ୟମନ୍ତ୍ରୀ ।
- Reported by:
- MANARANJAN JOSHI