ଓଟିଭିର ବାର୍ଷିକ ଚିନ୍ତନ ଅଧିବେଶନ 'ଫୋରସାଇଟ୍-୨୦୨୫'ରେ ଆଞ୍ଚଳିକ ରାଜନୀତି ଉପରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଛି । ଏଥିରେ ସାମିଲ ହୋଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ବରିଷ୍ଠ ବିଜେଡି ବିଧାୟକ ଅରୁଣ ସାହୁ ଓ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ । ଏହି ଅବସରରେ ରାଜ୍ୟରେ ଡବଲ ଇଞ୍ଜିନ ସରକାରର ଉପଲବ୍ଧି ଓ ବିକାଶ ସମ୍ପର୍କରେ ଆଲୋଚନା କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।
ଅଧିକ ପଢ଼ନ୍ତୁ: ନିଜର ଜୀବନଚର୍ଯ୍ୟାଠୁ ନ୍ୟାୟପାଳିକାର ସଂସ୍କାର ଯାଏ...ସବୁ ବଖାଣିଲେ ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼
କାର୍ଯ୍ୟକ୍ରମରେ ଡବଲ ଇଞ୍ଜିନ ସରକାରର ସଂଜ୍ଞା ବୁଝାଇଛନ୍ତି ଆଇନ ମନ୍ତ୍ରୀ । ସେ କହିଛନ୍ତି, ରାଜ୍ୟର ବିକାଶ ପାଇଁ ଗ୍ରାମାଞ୍ଚଳ ଅର୍ଥନୀତି ସୁଦୃଢ଼ ହେବା ଦରକାର । ଏଥିପାଇଁ କୃଷି, ଜଳସେଚନ, ଉଦ୍ୟାନ କୃଷିକୁ ଗୁରୁତ୍ବ ଦେଉଛୁ । ଏନେଇ ବଜେଟ୍ରେ ବ୍ୟବସ୍ଥା ଓ ଯୋଜନା ହୋଇଛି । ରାଜ୍ୟ ସରକାରଙ୍କ 'ଉତ୍କର୍ଷ ଓଡ଼ିଶା' କାର୍ଯ୍ୟକ୍ରମ ଜରିଆରେ ଶିଳ୍ପାୟନ ପାଇଁ ୧୩ ଲକ୍ଷ କୋଟି ଟଙ୍କାର ଏମ୍ଓୟୁ ସ୍ୱାକ୍ଷରିତ ହୋଇଛି ଏବଂ ରାଜ୍ୟରେ ୧୬ ଲକ୍ଷ କୋଟିର ପୁଞ୍ଜି ନିବେଶ ପ୍ରତିଶ୍ରୁତି ମିଳିଛି । ଏହା ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତି ଯୋଗୁଁ ସମ୍ଭବପର ହୋଇପାରିଛି ବୋଲି କହିଛନ୍ତି ହରିଚନ୍ଦନ ।
ଆଇନ ମନ୍ତ୍ରୀଙ୍କ ଏହି ଡବଲ ଇଞ୍ଜିନ ବିକାଶ ସମ୍ପର୍କିତ ବୟାନକୁ କାଉଣ୍ଟର କରିଛନ୍ତି ବିଧାୟକ ଅରୁଣ ସାହୁ ଓ ବିଧାୟିକା ସୋଫିଆ ଫିର୍ଦ୍ଦୋସ । ଡବଲ ଇଞ୍ଜିନକୁ ଗିମିକ୍ କହି ସମାଲୋଚନା କରିଛନ୍ତି ଅରୁଣ । କେନ୍ଦ୍ରରୁ ଡବଲ ଇଞ୍ଜିନ ସରକାରରୁ ଅଧିକ କ’ଣ ମିଳିଛି ବୋଲି ବିଜେଡି ବିଧାୟକ ପ୍ରଶ୍ନ କରିଛନ୍ତି ।
ସୋଫିଆ ଫିର୍ଦ୍ଦୋସ ମଧ୍ୟ ୯ ମାସରେ ଡବଲ ଇଞ୍ଜିନରୁ ଓଡ଼ିଶାକୁ କ’ଣ ମିଳିଛି ପଚାରିଛନ୍ତି । କଂଗ୍ରେସ ବିଧାୟିକା କହିଛନ୍ତି, ''ପ୍ରଥମ ବଜେଟ୍ରେ ଆନ୍ଧ୍ର ଓ ଦ୍ୱିତୀୟ ବଜେଟ୍ରେ ବିହାରକୁ ଅଜାଡ଼ି ଦେଲେ । ଓଡ଼ିଶାକୁ ଅଣଦେଖା କରାଗଲା ।''
୨୦୧୦ ମସିହାରୁ ଆରମ୍ଭ ହୋଇଥିବା ବାର୍ଷିକ ଚିନ୍ତନ ସମାବେଶର ଏହା ପଞ୍ଚଦଶ ସଂସ୍କରଣ । ସବୁଥର ଭଳି ଆଜି ମଧ୍ୟ ରାଜ୍ୟ ଓ ଜାତୀୟ ସ୍ତରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ଆଲୋଚନା ଓ ପର୍ଯ୍ୟାଲୋଚନା ହୋଇଛି । ଦେଶ ଓ ରାଜ୍ୟର ବିକାଶ, ରାଜନୀତି, ଷ୍ଟାର୍ଟଅପ୍, ସିନେମା ଆଦି ପ୍ରସଙ୍ଗରେ ଆଲୋଚନା କରାଯାଇଛି ।