Advertisment

OTV Foresight 2025: ନିଜର ଜୀବନଚର୍ଯ୍ୟାଠୁ ନ୍ୟାୟପାଳିକାର ସଂସ୍କାର ଯାଏ...ସବୁ ବଖାଣିଲେ ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼

ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ସକାଳ ସାଢେ ୩ଟାରେ ଉଠନ୍ତି । ତା ପରେ କ'ଣ କ'ଣ କରନ୍ତି । କେଉଁ ମନ୍ତ୍ର ଥାଏ ତାଙ୍କ ମନରେ । ଦେଶର ନ୍ୟାୟପାଳିକାରେ କାହିଁକି ଲାଗୁ ହେବା ଦରକାର ଇଣ୍ଡିଆନ ଜୁଡିସିଆଲ ସର୍ଭିସ ବା IJS । ବିଚାରପତିମାନେ ଚାପରେ ରୁହନ୍ତି ନା ନାହିଁ, ସବୁ କଥା କହିଛନ୍ତି ଏହି କାର୍ଯ୍ୟକ୍ରମରେ ।

author-image
Tapan Kumar Swain
ଅଦ୍ୟତନ ହୋଇଛି
Former CJI Justice DY Chandrachud at OTV Foresight 2025

Former CJI Justice DY Chandrachud

ସିଭିଲ୍ ସର୍ଭିସ୍ ଢାଞ୍ଚାରେ ଇଣ୍ଡିଆନ ଜୁଡିସିଆଲ ସର୍ଭିସ ବା IJS ଲାଗୁ ହେବା ଉଚିତ । ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ଏହା କହିଛନ୍ତି । ଜଜ୍ ନିଯୁକ୍ତି କ୍ଷେତ୍ରରେ ସାରା ଦେଶରେ ଏକ ସାଧାରଣ ପରୀକ୍ଷା ହେବା ଉଚିତ ବୋଲି ସେ ମତ ଦେଇଛନ୍ତି । ଏହାଦ୍ୱାରା ଜିଲ୍ଲାସ୍ତରର ଜଜମାନେ ଅନ୍ୟ ରାଜ୍ୟରେ ମଧ୍ୟ ନିଯୁକ୍ତି ପାଇପାରିବେ ବୋଲି ସେ କହିଛନ୍ତି । OTVର ସ୍ୱତନ୍ତ୍ର ଫୋରସାଇଟ୍ କାର୍ଯ୍ୟକ୍ରମରେ ଭାଗ ନେଇ ଏହା କହିଛନ୍ତି ଜଷ୍ଟିସ ଚନ୍ଦ୍ରଚୂଡ଼ । ଏହା ନୂଆ ପିଢିଙ୍କ ଦେଶ । ବୟସ ବା ଅଭିଜ୍ଞତା ନୁହେଁ ଯୋଗ୍ୟତା ଅନୁସାରେ ନିଯୁକ୍ତି ମିଳିବା କଥା । କୋର୍ଟରେ ମାମଲାର ତାରିଖ ପରେ ତାରିଖ ପଡୁଥିବା ସଂପର୍କରେ ହେଉଥିବା ଅଭିଯୋଗ ଉପରେ ସେ କହିଛନ୍ତି, ଜଜମାନେ କେବେ ତାରିଖ ମାଗନ୍ତିନି । ସମନ୍ ପୋଲିସ୍ ଦ୍ୱାରା ଦିଆଯାଇଥାଏ । ତାରିଖ ଗଡିବାର ବହୁ କାରଣ ରହିଛି । ତେବେ ବିଚାର ବ୍ୟବସ୍ଥାରେ ସଂସ୍କାର ଆସିବା ଜରୁରୀ ବୋଲି ସେ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଓଟିଭିର କାର୍ଯ୍ୟନିର୍ବାହୀ ସଂପାଦକ ରାଧାମାଧବ ମିଶ୍ରଙ୍କ ସହ ବାର୍ତ୍ତାଳାପରେ ସେ ଏହା କହିଛନ୍ତି । ଗଣମାଧ୍ୟମ ସମାଜର ସୁରକ୍ଷା ପାଚେରୀ ବୋଲି ସେ ମତ ଦେବା ସହ ଫେକ୍ ନ୍ୟୁଜ୍ ଆଜିର ଦିନରେ ଚିନ୍ତାଜନକ ବିଷୟ ବୋଲି ସେ କହିଛନ୍ତି ।

Advertisment

OTV Foresight 2025 Live Updates: ଓଟିଭି ଫୋରସାଇଟ୍: ବଡ଼ ମଞ୍ଚରେ ବିଚାରର ମହାମନ୍ଥନ

ଜଷ୍ଟିସ ଚନ୍ଦ୍ରଚୂଡ଼ କହିଛନ୍ତି, ସେ ଦୀର୍ଘ ବର୍ଷ ଧରି କୋର୍ଟ ରୁମରେ କାମ କରିଛନ୍ତି । ଏବେ ଅବସର ନେବା ପରେ ସମାଜ କେତେ ବ୍ୟାପକ ତାହା ସେ ଉପଲବ୍ଧି କରୁଛନ୍ତି । ସେ କହିଛନ୍ତି, ତାଙ୍କ ବାପା ୱାଇଭି ଚନ୍ଦ୍ରଚୂଡ଼ ମଧ୍ୟ ସୁପ୍ରିମକୋର୍ଟରେ ପ୍ରଦାନ ବିଚାରପତି ଓ ଦୀର୍ଘ ବର୍ଷ ଧରି ଜଜ୍ ଥିଲେ । ତେବେ ତାଙ୍କ ବାପା କହିଥିଲେ ସେ ଅବସର ନେବା ପରେ ହିଁ ପୁଅ କୋର୍ଟକୁ ଯାଇ ପ୍ରାକ୍ଟିସ କରିବ । ତାହା ହିଁ ହୋଇଥିଲା ।

Advertisment

ଅଯୋଧ୍ୟା ମାମଲାର ଶୁଣାଣି ନେଇ ସେ କହିଛନ୍ତି ଯେ, ଏହା ଏକ କଠିନ ଓ ଜଟିଳ ମାମଲା ଥିଲା । ବହୁତ ପୁରୁଣା ମାମଲା ମଧ୍ୟ ଥିଲା । ପ୍ରାୟ ୩୦ ହଜାର ଫାଇଲ୍ ଥିଲା । ବିଭିନ୍ନ ଭାଷାରେ ବି ଫାଇଲ୍ ଥିଲା । ସବୁ ଦେଖି ରାୟ ଦିଆଯାଇଥିଲା । ଏଥିରେ ଥିବା ଚାଲେଞ୍ଜ କଥା ସେ ଖୋଲାଖୋଲି କହିଛନ୍ତି ।

 

ସେ କହିଛନ୍ତି, ସମସ୍ତଙ୍କ ଜୀବନରେ ସଂଘର୍ଷ ଆସେ, ତାଙ୍କ ଜୀବନରେ ମଧ୍ୟ ଆସିଛି । ସେ ଥରେ ତାଙ୍କ ଗାଁକୁ ( ମହାରାଷ୍ଟ୍ରର ପୁଣେ ନିକଟରେ) ଯାଇଥିଲେ । ତାଙ୍କୁ ଜଣେ ପ୍ରଶ୍ନ କରିଥିଲେ, ଏତେ କନଫ୍ଲିକ୍ଟ ଭିତରେ ଶାନ୍ତି କେମିତି ରଖୁଛନ୍ତି । ସେ କହିଲେ, ମୁଁ ସବୁବେଳେ ଶାନ୍ତ ଥାଏ । କେବେ ବି ଚିଲାଏନି । ନିଜର ଜୀବନଚର୍ଯ୍ୟାକୁ ନେଇ ସେ କହିଛନ୍ତି, ସେ ସବୁବେଳେ ସକାଳ ସାଢେ ୩ଟାରେ ଉଠନ୍ତି । ତା’ ପରେ ଘଣ୍ଟାଏ ପର୍ଯ୍ୟନ୍ତ ଧ୍ୟାନ ଓ ପୂଜା କରନ୍ତି । ତେବେ ସେ କୌଣସି ନିର୍ଦ୍ଦିଷ୍ଟ ଦେବାଦେବୀଙ୍କୁ ପୂଜା କରୁନଥିବା କହିଛନ୍ତି । 

ଗତ ୩୮ ବର୍ଷ ଧରି ଭାରତୀୟ ନ୍ୟାୟପାଳିକା ସହ ଯୋଡ଼ି ହୋଇ ରହିଛନ୍ତି । ବିଚାରପତି ଚୌକିରେ ବସିଲା ବେଳେ ସେ ସବୁବେଳେ ଭାବନ୍ତି କାହା ପ୍ରତି ଅନ୍ୟାୟ ନ ହେଉ । ମୋ ଦ୍ୱାରା କେହି ନିର୍ଦ୍ଦୋଷ ଦଣ୍ଡ ନପାଆନ୍ତୁ ବୋଲି ମୁଁ ଭାବିଥାଏ ବୋଲି ସେ କହିଛନ୍ତି । କେହି କୋର୍ଟରୁମକୁ ଯିବା ବେଳେ ଜୈନ ଧର୍ମର ଏକ ମନ୍ତ୍ର ତାଙ୍କ ମନ ଭିତରେ ଥାଏ ବୋଲି ସେ କହିଛନ୍ତି ।

ବିଚାରପତି ଭାବେ ନର୍ଭସ ହେବାର ଅନୁଭୂତି ରହିଛି କି ପ୍ରଶ୍ନରେ ମଧ୍ୟ ସେ ତାଙ୍କର ମତ ରଖିଛନ୍ତି । ସେ ସ୍ୱୀକାର କରିଛନ୍ତି, ଜଜମାନେ ମଧ୍ୟ ନର୍ଭସ ହୁଅନ୍ତି । ଜଜଙ୍କ ଉପରେ ଦାୟିତ୍ୱ ଅଧିକ ଥାଏ । କିଛି ଭୁଲ ହେଲେ ଜଣେ ଉପର କୋର୍ଟକୁ ଯାଇପାରିବ । ଜିଲ୍ଲା କୋର୍ଟରେ ଜଣେ ଅସନ୍ତୁଷ୍ଟ ହୋଇ ହାଇକୋର୍ଟକୁ ଯାଇପାରିବେ । ସେହି ପରି ଜଣେ ହାଇକୋର୍ଟ ରାୟ ବିରୋଧରେ ସୁପ୍ରିମକୋର୍ଟ ଯାଇପାରିବେ । କିଛି ଭୁଲ୍ ହୋଇଥିଲେ ସୁଧାରି ହେବ । କିନ୍ତୁ ସୁପ୍ରିମକୋର୍ଟରେ ଭୁଲ୍ ହେଲେ କିଏ ସୁଧାରିବ ?

ଅଧିକ ପଢ଼ନ୍ତୁ :‘ଆମେ କୌଣସି ସରକାରଙ୍କ ସମର୍ଥନରେ କିମ୍ବା ବିପକ୍ଷରେ ନାହୁଁ’

ଜିଲ୍ଲା ଜଜ୍‌ କୋର୍ଟରେ ବେଲ୍‌ ନ ମିଳିବା ନେଇ ସେ ଉଦ୍‌ବେଗ ପ୍ରକାଶ କରିଛନ୍ତି । ଯଦି ଜିଲ୍ଲା କୋର୍ଟରେ ବେଲ୍‌ ମିଳିବାର ଅଛି, ଦିଆଯିବା ଦରକାର । ନଚେତ ଆବେଦନକାରୀଙ୍କୁ ହାଇକୋର୍ଟ ଯିବାକୁ ପଡ଼େ । ମୁଦାଲାଙ୍କୁ ଅଧିକ ଖର୍ଚ୍ଚାନ୍ତ ପଡ଼େ । ଠିକ୍‌ ସେହିପରି ହାଇକୋର୍ଟ ବେଲ୍‌ ନ ଦେଲେ, ସୁପ୍ରିମକୋର୍ଟରେ ମାମଲା ବଢ଼େ । ତଳକୋର୍ଟରେ ଯେଉଁ ମାମଲାରେ ଜାମିନ ମିଳିପାରିବ, ସେ କେସରେ ଜାମିନ ଦେଇଦେବା କଥା ବୋଲି ସେ କହିଛନ୍ତି । ତେବେ ସବୁ କେଶରେ ଜାମିନ ନଦେଇ ଜଜମାନେ ସମାଜ ପାଇଁ କାମ କରୁଛନ୍ତି ବୋଲି ମଧ୍ୟ ଧ୍ୟାନ ଦେବାକୁ ସେ ପରାମର୍ଶ ଦେଇଛନ୍ତି ।  

 କୋର୍ଟ ରୁମ୍‌ରେ ଲାଇଭ ଷ୍ଟ୍ରିମିଂ ଆରମ୍ଭ ହୋଇଥିବା ନେଇ ମଧ୍ୟ ସେ ମତ ରଖିଛନ୍ତି । କୋଭିଡ୍ ସମୟରେ ଏହା ଆରମ୍ଭ କରାଯାଇଥିଲା । ଏଥିରୁ ସୁଫଳ ମିଳିବାରୁ ଏହାକୁ ବ୍ୟାପକ କରାଯାଇଥିଲା । ଏପରି ବ୍ୟବସ୍ଥା ହୋଇଛି ଯେ, ଜଣେ ଓକିଲ ତଳକୋର୍ଟର ଏକ ରୁମରେ ବସି ସୁପ୍ରିମକୋର୍ଟ ଓ ହାଇକୋର୍ଟରେ ମାମଲା ଲଢିପାରିବେ । ବର୍ତ୍ତମାନ ସମୟରେ ଟେକ୍ନୋଲୋଜିକୁ ଅଧିକ ଗୁରୁତ୍ୱ ଦିଆଯିବା ଉଚିତ ବୋଲି ସେ କହିଛନ୍ତି ।

ବିଚାର ବ୍ୟବସ୍ଥାରେ ସଂସ୍କାର ଜରୁରୀ ବୋଲି ମତ ଦେଇ ଅଧିକ ଜଜ୍ ପଦବୀ ସୃଷ୍ଟି ସହ ଆନୁଷଙ୍ଗୀକ ଭିତ୍ତିଭୂମିର ବିକାଶ ହେଉ ବୋଲି ସେ କହିଛନ୍ତି । ବିଚାରପତିମାନଙ୍କ ଉପରେ ରାଜନୈତିକ ଚାପ ପଡେ କି ପଚାରାଯିବାରୁ ସେ କହିଛନ୍ତି, ଆଦୌ ଚାପ ପଡେନି । ବିଚାରପତିମାନେ ସ୍ୱାଧୀନ ଭାବେ ସେମାନଙ୍କ କାମ କରନ୍ତି । କୌଣସି ପ୍ରକାରର ରାଜନୈତିକ ଚାପକୁ ସେ ଦୃଢ଼ ଭାବେ ଖଣ୍ଡନ କରିଛନ୍ତି । ସୁପ୍ରିମକୋର୍ଟର ପ୍ରାୟ ୩୭ ହଜାର ରାୟ ବିଭିନ୍ନ ଭାଷାରେ ଅନୁବାଦିତ ହେବା ଏକ ଉଲ୍ଲେଖନୀୟ କଥା ବୋଲି ସେ କହିଛନ୍ତି । 

ଅଧିକ ପଢ଼ନ୍ତୁ :  ଓଟିଭି ଫୋରସାଇଟ୍‌-୨୦୨୫: ଚାଲିଛି ବିଭିନ୍ନ ପ୍ରସଙ୍ଗ ଉପରେ ମାନସମନ୍ଥନ 

OTV News OTV Khabar OTV Foresight Foresight Changing Times Dy Chandrachud OTV Foresight 2025 Otv Odisha
Advertisment
Advertisment