ବିଧାନସଭା ମୌସୁମୀ ଅଧିବେଶନ ବିଳମ୍ବକୁ ନେଇ ତେଜିଲା ରାଜନୀତି। ସରକାରଙ୍କୁ ଘେରିଲେ ବିରୋଧୀ। ନାରୀ ନିର୍ଯାତନା ଘଟଣାରେ ସରକାର ବ୍ୟାକଫୁଟରେ ଅଛନ୍ତି । ଆଉ ସେଥିପାଇଁ ମୌସୁମୀ ଅଧିବେଶନ ଡାକୁ ନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ବିରୋଧୀ ବିଜେଡି ଓ କଂଗ୍ରେସ। ପ୍ରମୁଖ ବିରୋଧୀ ବିଜେଡି କହିଛି, ସାଧାରଣତଃ ଅଗଷ୍ଟରେ ଆରମ୍ଭ ହୋଇଥାଏ ବିଧାନସଭାର ମୌସୁମୀ ଅଧିବେଶନ। ବର୍ତ୍ତମାନ ସୁଦ୍ଧା ଅଧିବେଶନ ବସିବା ନେଇ ନୋଟିସ୍ ଆସିବା କଥା। କିନ୍ତୁ ଏ ପର୍ଯ୍ୟନ୍ତ କୌଣସି ନୋଟିସ୍ ଆସିନଥିବାରୁ ଏହା ସ୍ପଷ୍ଟ ଯେ ସରକାର ବିଧାନସଭାକୁ ଭୟ କରୁଛନ୍ତି।
ନାରୀ ନିର୍ଯାତନା ବଢୁଥିବାରୁ ପ୍ରସଙ୍ଗକୁ ସରକାର ସାମନା କରିବାକୁ ଡରୁଛନ୍ତି। କଂଗ୍ରେସ ମଧ୍ୟ ବିଜେଡି ସହ ସ୍ବର ମିଶାଇଛି। ଦଳ କହିଛି, ଗୋଟିଏ ପରେ ଗୋଟିଏ ନାରୀ ନିର୍ଯାତନା ଘଟଣା ଘଟୁଛି। ମୌସୁମୀ ଅଧିବେଶନ ଆରମ୍ଭ ହେଲେ ବିରୋଧୀ ପ୍ରସଙ୍ଗ ଉଠାଇବେ। ଆଉ ଏହାକୁ ଏଡାଇବାକୁ ସରକାର ବିଧାନସଭା ଅଧିବେଶନକୁ ବିଳମ୍ବ କରୁଛନ୍ତି। ସେପଟେ ସରକାରୀ ଦଳ କହିଛି, ସରକାର ଆଦୌ ବ୍ୟାକ୍ ଫୁଟ୍ ରେ ନାହାଁନ୍ତି। ଠିକ୍ ସମୟରେ ବିଧାନସଭାର ମୌସୁମୀ ଅଧିବେଶନ ବସିବ।
Also Read
ନିୟମ ଅନୁସାରେ ବର୍ଷକୁ ବିଧାନସଭାର ତିନିଟି ଅଧିବେଶନ ବସିଥାଏ। ଗୋଟିଏ ବର୍ଷରେ ୬୦ ଦିନ ବିଧାନସଭା ଚାଲିବା କଥା । ମୌସୁମୀ ଅଧିବେଶନ ଅଗଷ୍ଟ ପ୍ରଥମ ସପ୍ତାହରେ ସାଧାରଣତଃ ବସିଥାଏ। ଯାହା ସୂଚନା ରହିଛି ଚଳିତ ଥର ସେପ୍ଟେମ୍ବରର ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ମୌସୁମୀ ଅଧିବେଶନ ଆରମ୍ଭ ହୋଇପାରେ। ବିଧାନସଭା ବସିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସେହି ସମୟରେ ଘଟିଥିବା ଘଟଣା ତଥା ଗୁରୁତ୍ବପୂର୍ଣ୍ଣ ଦିଗ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା। ଯେଉଁଥିପାଇଁ ବିରୋଧୀ ଏବେ ପ୍ରଶ୍ନ ଉଠାଉଛନ୍ତି।
ସରକାର କେବେ ଡାକୁଛନ୍ତି ବିଧାନସଭା ଅଧିବେଶନ। ଆଉ ବିରୋଧୀଙ୍କ ଅନାସ୍ଥା ଅଡୁଆ ଜାଲକୁ କିଭଳି ମୁକାବିଲା କରୁଛନ୍ତି।
- Reported by:
- RASHMIRANJAN DAS , JAGDISH DAS