ବିପଦ ବଢ଼ାଇଛି ବୈତରଣୀ, ସୁବର୍ଣ୍ଣରେଖା ଆଣିଛି ସାଂଘାତିକ ଦଶା। ଧାମନଗର ବ୍ଲକ ହସନାବାଦର। ଆଖୁଆପଦାରେ ବୈତରଣୀ ଜଳସ୍ତର କମୁଛି ସତ, କିନ୍ତୁ ଖସୁନି ଘର ଭିତରେ ପଶିଥିବା ପାଣି। ଚୁଲି ଜଳିବା ତ ଦୂରର କଥା, ଫ୍ରିଜଠୁ ଆରମ୍ଭ କରି ନାନା ଆସବାବପତ୍ରକୁ ନେଇ କେଉଁଠି ଥୋଇବେ ଥଳକୂଳ ପାଉନାହାଁନ୍ତି ଏମାନେ। ଯାହା ଫଳରେ ଜିନିଷ ଗୁଡିକ ଭାସିଯାଉଛି।
Also Read
ଅର୍ଜୁନପୁର ଓ ପଧାନି ଇଲାକାରେ ମଧ୍ୟ ଘରେ ଘରେ ବଢ଼ିପାଣି। ଜଳବନ୍ଦୀ ଅବସ୍ଥାରେ ଜୀବନ କାଟୁଛନ୍ତି। କାହାର ଜୀବିକା ବୁଡ଼ିଲାଣି ତ ଆଉ କିଏ ଜୀବନ ବିକଳରେ ଛାତକୁ ଯାଇ ଭୋକ ଉପାସରେ କାଳ କାଟୁଛନ୍ତି।
ଚାନ୍ଦବାଲି ବ୍ଲକରେ ବି ବୈତରଣୀର ବେଦନା। ବନ୍ୟାଜଳ ବଢ଼ୁଥିବାରୁ ବୋଡ଼କ ନିକଟରେ କୁଆଖିଆ-ଆଖଣ୍ଡଳମଣି ୨୦ ନମ୍ବର NH ବୁଡ଼ିଯାଇଛି। ପ୍ରବାହିତ ହେଉଛି ୨ ଫୁଟ ଉଚ୍ଚର ବନ୍ୟାଜଳ। ଫଳରେ ଗମନାଗମନ ପ୍ରଭାବିତ ହୋଇଛି। ଯୁଆଡ଼େ ଚାହିଁବେ ଖାଲି ପାଣି ଆଉ ପାଣି। ତାହାରି ଭିତରେ ବୁଡ଼ିଯାଇଛି ଚାଷବାସ। ବଢ଼ିପାଣି ଯୋଗୁ କୁମ୍ଭୀରକୁ ନେଇ ଛନକା ପଶୁଛି।
ଯାଜପୁର ବ୍ଲକ ପଣସା, ସିମୁଳିଆ, ବିଚିତ୍ରପୁର ଆଦି ପଞ୍ଚାୟତ ବି ସାଂଘାତିକ ପ୍ରଭାବିତ ହୋଇଛି। ଆଙ୍କୁଲା ଆଦିବାସୀ ସାହିରେ ତ ଘରେ ଘରେ ପାଣି ପଶିବାରୁ ୩୦ରୁ ଅଧିକ ପରିବାର ସ୍କୁଲରେ ଆଶ୍ରୟ ନେଇଛନ୍ତି। ବୈତରଣୀର ଶାଖାନଦୀ କାଣିର ବନ୍ୟା ପାଣି ମାଡ଼ିଯାଇ ପାଟଣା ସାହି ଓ ପଛ ପଦାରେ ପ୍ରାୟ ୧୫ ଫୁଟର ଘଳିଆ ସୃଷ୍ଟି ହୋଇଛି। ଧାମନଗର ବ୍ଲକର ୯ଟି ପଞ୍ଚାୟତ ବନ୍ୟାଦ୍ବାରା ପ୍ରଭାବିତ ହୋଇଛି।
ବାଲେଶ୍ବର ଜିଲ୍ଲାରେ ବି ଦାଉ ସାଧୁଛି ସୁବର୍ଣ୍ଣରେଖାର ବନ୍ୟାଜଳ। ବିଶେଷ କରି ବାଲିଆପାଳ, ଭୋଗରାଇ ଏବଂ ବସ୍ତା ବ୍ଲକରେ ବିପଦ ବଢ଼ାଇଛି ବଢ଼ିପାଣି। ଭୋଗରାଇ ବ୍ଲକ କୀର୍ତ୍ତିନିୟା ଅଞ୍ଚଳର ଦୁର୍ଦ୍ଦଶା କହିଲେ ନସରେ। କାରଣ ଜଳସ୍ତର ବଢୁଥିବାରୁ ସମସ୍ତ ମତ୍ସ୍ୟଜୀବୀ ଏବଂ ଡଙ୍ଗା ମାଲିକଙ୍କୁ ସତର୍କ କରିଦିଆଯାଉଛି। ଡଙ୍ଗା ଏବଂ ମାଛଧରା ଉପକରଣ ଗୁଡ଼ିକୁ ସୁରକ୍ଷିତ ସ୍ଥାନରେ ରଖିବାକୁ ଚେତାଇ ଦିଆଯାଉଛି।
ଜିଲ୍ଲାପାଳଙ୍କ କହିବା କଥା, ଆଜି ରାତିରେ ବାଲିଆପାଳ, ବସ୍ତା, ଭୋଗରାଇ ସହ ତଳି ଅଞ୍ଚଳରେ ବନ୍ୟାପାଣି ପଶିପାରେ। କାରଣ ରାଜଘାଟରେ ବିପଦ ସଂକେତ ଟପିଛି ସୁବର୍ଣ୍ଣରେଖା। ତେଣୁ ସମ୍ଭାବ୍ୟ ସ୍ଥିତିର ମୁକାବିଲା ପାଇଁ ୨ଟି ଅତିରିକ୍ତ ଓଡ୍ରାଫ ଟିମ୍, ୧୩ଟି ଫାୟାର ଟିମକୁ ସଜାଗ ରଖାଯାଇଛି। ଏଥି ସହିତ ଶୁଖିଲା ଖାଦ୍ୟ ଏବଂ ଔଷଧ ବି ମହୁଜୁଦ ରଖାଯାଇଛି।
ହୀରାକୁଦର ମହାନଦୀ ପାଣି କଟକ ଜିଲ୍ଲାରେ ପ୍ରବେଶ କରିବା ପରେ ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକାଙ୍କ ମନ୍ଦିର ବେଢାକୁ ଛୁଇଁଛି ପାଣି। ପାଣି ବଢ଼ିଲେ ମା’ଙ୍କୁ ରୋଷ ଘରକୁ ସ୍ଥାନାନ୍ତର ପାଇଁ ନିଷ୍ପତ୍ତି ନିଆଯାଇଛି। SRCଙ୍କ ସୂଚନା ଅନୁଯାୟୀ, ମୟୂରଭଞ୍ଜ, ସୁନ୍ଦରଗଡ଼, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦୁଝର ଆଦି ୬ ଜିଲ୍ଲା ପ୍ରଭାବିତ ହୋଇଛି। ସୁବର୍ଣ୍ଣରେଖାରେ ଜଳସ୍ତର ବଢୁଥିବାରୁ ବାଲେଶ୍ବର ଜିଲ୍ଲାକୁ ପ୍ରାଥମିକତା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।
ସମ୍ବଲପୁରରୁ ଭର୍ଚୁଆଲରେ ସମୀକ୍ଷା କରି ରାଜସ୍ବ ମନ୍ତ୍ରୀ କହିଛନ୍ତି, ବନ୍ୟା ସ୍ଥିତିରେ ସୁଧାର ଆସୁଛି। ପାଣି ଛାଡ଼ିବା ପରେ କ୍ଷୟକ୍ଷତି ଆକଳନ କରାଯିବ।