ପୁଣି ହଟ୍ଟଗୋଳ, ପୁଣି ମୁଲତବୀ । ବିଧାନସଭାରେ ଉଠିଛି ‘ବିଜୁ’ ଝଡ଼। ଗୃହ ଆରମ୍ଭରୁ ପ୍ରବଳ ହଟ୍ଟଗୋଳ ଓ ହଙ୍ଗାମା । ପରିସ୍ଥିତି ଏମିତି ହେଲା କି ପ୍ରଥମେ ୧୨ଟା ଓ ପରେ ପୁଣି ୪ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି । ଆଜି ବିଧାନସଭା ଅଧିବେଶନ ଆରମ୍ଭରୁ ବିଜେଡି ବିଧାୟକମାନେ ପଞ୍ଚାୟତ ଦିବସ ତାରିଖ ବଦଳାଇବା ଯୋଗୁଁ ବିଜୁ ବାବୁଙ୍କୁ ଅସମ୍ମାନ ହୋଇଥିବା ଅଭିଯୋଗ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
Also Read
ଅଧିକ ପଢ଼ନ୍ତୁ: ପୀୟୂଷଙ୍କ ମୁଖା ଖୋଲିଲେ ଧଉଳି ଗଣନାଟ୍ୟ ପ୍ରଯୋଜକ; କହିଲେ, ମୋଠୁ ବି ସେ ନେଇଥିଲେ ଲକ୍ଷେ ଟଙ୍କା
ଏପରିକି, ବିଜେଡି ବିଧାୟକମାନେ ଏତେ ଅଧୈର୍ଯ୍ୟ ହୋଇପଡ଼ିଥଲେ ଯେ, ଗୃହ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ହୋ ହଲ୍ଲା କରିଥିଲେ । ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରକେ ବିଜେଡି ବିଧାୟକମାନେ ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢ଼ିବାକୁ ଉଦ୍ୟମ କରିଥିଲେ । ଗୃହକୁ ସ୍ବାଭାବିକ କରିବାକୁ ବହୁ ଚେଷ୍ଟା କରିଥିଲେ ବାଚସ୍ପତ ସୁରମା ପାଢ଼ୀ । ତେବେ ହଟ୍ଟଗୋଳ ଜାରି ରହିବାରୁ ଗୃହକୁ ୪ଟା ଯାଏଁ ମୁଲତବୀ ଘୋଷଣା କରିଥିଲେ । ସେପଟେ ଗୃହ ମୁଲତବୀ ହେବା ପରେ ବାହାରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ତଳେ ବସି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ବିଜେଡି ସଦସ୍ୟ ।
ସେପଟେ ବିଜେଡିର ଅଭିଯୋଗକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପଞ୍ଚାୟତରାଜ ମନ୍ତ୍ରୀ ରବି ନାଏକ । ସେ କହିଛନ୍ତି, ‘ବିଜୁ ବାବୁ’ କେବଳ ବିଜେଡିର ନୁହଁନ୍ତି । ବିଜୁ ବାବୁଙ୍କୁ ବ୍ୟବହାର କରି ବିଜେଡି ରାଜନୀତି କରୁଛି । ବିଜୁଙ୍କୁ ସମ୍ମାନ କଥା କହୁଥିବା ଦଳର ପାର୍ଟି ଅଫିସ୍ରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ଟିଏ ନାହିଁ । ଆଜି କିଛି ଏଭଳି କହି କଡ଼ା ଭାଷାରେ ବିଜେଡିକୁ ସମାଲୋଚନା କରିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ।
ବିଜେଡି ବିଜୁ ବାବୁଙ୍କୁ ବ୍ୟବହାର କରି ରାଜନୀତି କରିଛି । ସମ୍ମାନ କଥା କହି ତାଙ୍କୁ ବାରମ୍ବାର ଅସମ୍ମାନ କରିଛି। ବିଜୁ ବାବୁଙ୍କୁ ମୋହନ ମାଝୀଙ୍କ ସରକାର ସବୁବେଳେ ଆଗ ଧାଡ଼ିରେ ରଖିଛି । ଗଲା ନିର୍ବାଚନରେ ବିଜୁ ବାବୁଙ୍କ ଫଟୋ କାଢ଼ି ଦେଇଥିଲା ବିଜେଡି । ଏବେ ପାଦ ତଳୁ ମାଟି ଖସିଗଲାଣି ବୋଲି ବିଜୁଙ୍କୁ ନେଇ ରାଜନୀତି କରୁଛି ଦଳ ।