/odishatv-khabar/media/post_attachments/uploadimage/library/16_9/16_9_0/IMAGE_1747750462.jpg)
ଏବେ ମନ୍ତ୍ରୀ ପାୱାର ଫୁଲ୍
କମିଲାଙ୍କ ସଚିବଙ୍କ କ୍ଷମତା । ଏଣିକି କ୍ୟାବିନେଟ୍ ବୈଠକରେ ରହିବେନି ସଚିବ । ନିଜ ବିଭାଗର ପ୍ରସ୍ତାବ ନିଜେ ଉପସ୍ଥାପନ କରିବେ ମନ୍ତ୍ରୀ । କ୍ୟାବିନେଟର ଢାଞ୍ଚା ପରିବର୍ତ୍ତନ ସହ ରାଜ୍ୟ ସରକାର ନେଇଛନ୍ତି କିଛି ଏଭଳି ନିଷ୍ପତ୍ତି । ୩ ଦିନ ପୂର୍ବରୁ କ୍ୟାବିନେଟ୍ ଏଜେଣ୍ଡା ଫାଇନାଲ୍ ସହ ୨ ଦିନ ପୂର୍ବରୁ ମନ୍ତ୍ରୀଙ୍କ ପାଖରେ ପହଞ୍ଚିବ ଫାଇଲ୍ । ପୂର୍ବ ବିଜେଡି ସରକାର ଅମଳରେ କିନ୍ତୁ ମନ୍ତ୍ରୀ ଜାଣି ପାରୁନଥିଲେ କ୍ୟାବିନେଟ୍ ଏଜେଣ୍ଡା ଆଉ ପ୍ରସ୍ତାବ । ସବୁ କରୁଥିଲେ ସଚିବ ।
ଅଧିକ ପଢ଼ନ୍ତୁ: ଓଟିଭିରେ ଖବର ପ୍ରସାରଣ ପରେ ବଡ଼ ଆକ୍ସନ୍, ୨୨୨ ସରକାରୀ କ୍ବାର୍ଟର୍ସରୁ ଜବରଦଖଲ ଉଚ୍ଛେଦ
କ୍ୟାବିନେଟ୍ ବୈଠକରେ ସଚିବଙ୍କ କ୍ଷମତା ସଂକୁଚିତ । ମନ୍ତ୍ରୀଙ୍କ ପାୱାର୍ ବ୍ୟାକ୍ । ପରିବର୍ତ୍ତନ ହେଲା ରାଜ୍ୟ କ୍ୟାବିନେଟର ଢାଞ୍ଚା । ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ଜାରି ହେଲା ନିର୍ଦ୍ଦେଶନାମା । ସବୁ ବିଭାଗକୁ ଚିଠି ଲେଖିଲେ ସଂସଦୀୟ ବ୍ୟାପାର ସଚିବ । ୫ ଦିନ ପୂର୍ବରୁ ସ୍ଥିର ହେବ କ୍ୟାବିନେଟ୍ ବସିବାର ତାରିଖ । ୩ ଦିନ ପୂର୍ବରୁ ଚୂଡ଼ାନ୍ତ ହେବ କ୍ୟାବିନେଟର ସମସ୍ତ ପ୍ରସ୍ତାବ । ୨ ଦିନ ପୂର୍ବରୁ ମନ୍ତ୍ରୀଙ୍କ ପାଖକୁ ଯିବ କ୍ୟାବିନେଟ୍ ପ୍ରସ୍ତାବ ଫାଇଲ୍ । ମୁଖ୍ୟମନ୍ତ୍ରୀଙ୍କ ବିନା ଅନୁମତିରେ କୌଣସି ବି ପ୍ରସ୍ତାବ କ୍ୟାବିନେଟକୁ ଆସି ପାରିବ ନାହିଁ । ବଡ଼କଥା ହେଉଛି ଏଣିକି କ୍ୟାବିନେଟ୍ ବୈଠକରେ ଆଉ ସଚିବ ନୁହନ୍ତି, ପ୍ରସ୍ତାବ ଉପସ୍ଥାପନ କରିବେ ଖୋଦ୍ ମନ୍ତ୍ରୀ । କ୍ୟାବିନେଟ୍ ଏଜେଣ୍ଡାରେ ଥିବା ପ୍ରସ୍ତାବ, ସଂପର୍କିତ ବିଭାଗୀୟ ସଚିବମାନେ କ୍ୟାବିନେଟ ରୁମ୍ରେ ନ ବସି ପାଖ ରୁମରେ ବସିବେ । ଆବଶ୍ୟକ ସ୍ଥଳେ ବିଭାଗୀୟ ସଚିବମାନେ କ୍ୟାବିନେଟ ବୈଠକ ରୁମ୍କୁ ଯାଇପାରିବେ। ପ୍ରସ୍ତାବଗୁଡ଼ିକ ଉପରେ ମୋହର ବାଜିବା ପରେ ତାକୁ ତୁରନ୍ତ କାର୍ଯ୍ୟକାରୀ କରାଇବା ମନ୍ତ୍ରୀମାନଙ୍କ ଦାୟିତ୍ୱ ବୋଲି କୁହାଯାଇଛି ।
ତେବେ କାହିଁକି ହଠାତ୍ ଏଭଳି କ୍ୟାବିନେଟର ଢାଞ୍ଚାଗତ ପରିବର୍ତ୍ତନ ହେଲା ? ତାକୁ ଲାଗି ରହିଛି ଚର୍ଚ୍ଚା । ପୂର୍ବ ବିଜେଡି ସରକାରରେ ସଚିବଙ୍କୁ ଦିଆଯାଇ ଥିଲା ଅଖଣ୍ଡ କ୍ଷମତା । କ୍ୟାବିନେଟ୍ ବୈଠକ ଏଜେଣ୍ଡା ଏବଂ ପ୍ରସ୍ତାବ ବିଷୟରେ ଜାଣିପାରୁ ନଥିଲେ ମନ୍ତ୍ରୀ । ମନ୍ତ୍ରୀ କହୁଥିଲେ କ୍ୟାବିନେଟରେ ପାରିତ ପ୍ରସ୍ତାବ ବିଷୟରେ ସଚିବଙ୍କୁ ପଚାର । ତେବେ ଢାଞ୍ଚା ପରିବର୍ତ୍ତନ କ୍ୟାବିନେଟ୍ ବ୍ୟବସ୍ଥାର ପୁନଃ ସ୍ଥାପନ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ। ଏହା ସହ କହିଛନ୍ତି ଆଗରୁ କ୍ୟାବିନେଟରେ ବ୍ୟବସ୍ଥାର ଉଲ୍ଲଂଘନ ହେଉଥିଲା। ପୂର୍ବ ସରକାରରେ ରାଜନୈତିକ ନେତୃତ୍ୱର ଭୂମିକାକୁ ଗୌଣ କରାଯାଇଥିଲା। ଯାହାର ଜବାବ ରଖି ବିଜେଡି କହିଛି ଏହା କେବଳ ସରକାରଙ୍କ ମାର୍କେଟିଂ ।
ଗତ ୮ ତାରିଖର ଏହି ନିର୍ଦ୍ଦେଶନାମା ଜାରି ହୋଇଥିବା ବେଳେ ୧୪ରେ ବସିଥିବା କ୍ୟାବିନେଟ୍ ନୂଆ ଢାଞ୍ଚାରେ ହୋଇଛି । ଯେଉଁଠି ମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରିମଣ୍ଡଳର ସମସ୍ତ ସଦସ୍ୟଙ୍କ ସହ ଉପସ୍ଥିତ ଥିଲେ କେବଳ ମୁଖ୍ୟ ଶାସନ ସଚିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)