• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଚଳିତ ଆର୍ଥିକ ବର୍ଷରେ ଦିଆଯିବ 40 ହଜାର ସରକାରୀ ପଦବିରେ ନିଯୁକ୍ତି। ଆସନ୍ତା ବର୍ଷ ସୁଦ୍ଧା 90 ପ୍ରତିଶତ ଘରେ ପହଞ୍ଚିବ ପିଇବା ପାଣି। ବୈଷୟିକ ଆଉ ମେଡିକାଲ ଶିକ୍ଷାରେ ବି ପଛୁଆ ବର୍ଗକୁ ସଂରକ୍ଷଣ ନେଇ ଖୁବ୍ ଶୀଘ୍ର ନିଆଯିବ ନିଷ୍ପତ୍ତି। ଆଜି ସାମ୍ବାଦିକ ସମ୍ମିଳନୀ କରି ନିଜ ସରକାରର ବର୍ଷ ପୂର୍ତ୍ତି ରିପୋର୍ଟ କାର୍ଡ ରଖିବା ବେଳେ ଏସବୁ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କହିଛନ୍ତି, ନିର୍ବାଚନ ସଙ୍କଳ୍ପ ପତ୍ରରେ ଦିଆଯାଇଥିବା ସମସ୍ତ ପ୍ରତିଶ୍ରୁତି ପୂରଣ ପାଇଁ ମୋ ସରକାର ପ୍ରତିଶ୍ରୁତିବଦ୍ଧ। ଭିଜନ୍ ଡକ୍ୟୁମେଣ୍ଟ ୨୦୩୬କୁ ସଫଳ କରି ଦେଶର ଶ୍ରେଷ୍ଠ ୫ ରାଜ୍ୟ ଭିତରେ ଓଡ଼ିଶାକୁ ରଖାଯିବ।

ଦେଶରେ ଶ୍ରେଷ୍ଠ ୫ ରାଜ୍ୟ ଭିତରେ ରହିବ ଓଡ଼ିଶା। ୨୦୨୬ ସୁଦ୍ଧା ୯୦ ପ୍ରତିଶତ ଘରକୁ ପହଞ୍ଚିବ ପିଇବା ପାଣି। 2025-26 ବର୍ଷରେ ୪୦ ହଜାର ସରକାରୀ ନିଯୁକ୍ତି। ଶିଳ୍ପର ହବ୍ ହେବ ଓଡ଼ିଶା। ଦୁର୍ନୀତି ବିରୋଧରେ ନିଆଯାଇଛି କଡ଼ା କାର୍ଯ୍ୟାନୁଷ୍ଠାନ। ରାଜ୍ୟରେ ବିଜେପି ସରକାରର ପ୍ରଥମ ବର୍ଷ ପୂର୍ତ୍ତି ଦିନକ ପୂର୍ବରୁ ରିପୋର୍ଟ କାର୍ଡ ରଖିବା ସହ ଏମିତି ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟବାସୀଙ୍କ ଆଗରେ ପ୍ରଥମ ବର୍ଷର ବିବରଣୀ ରଖିଛନ୍ତି। କହିଛନ୍ତି ପ୍ରଥମ ବର୍ଷରେ ମିଳିଛି ଅନେକ ସଫଳତା। ସଂଙ୍କଳ୍ପ ପତ୍ରର ସମସ୍ତ ପ୍ରତିଶ୍ରୁତିକୁ ସୁନିଶ୍ଚିତ କରାଯାଇଛି। ସରକାରଙ୍କ ଅନେକ ଉପଲବ୍ଧି ଭିତରେ ପ୍ରମୁଖ ହେଉଛି, ସୁଭଦ୍ରା ଯୋଜନାରୁ କୋଟିଏ ମହିଳାଙ୍କୁ ବାର୍ଷିକ ୧୦ ହଜାର, ଚାଷୀଙ୍କୁ ୮୦୦ ଟଙ୍କାର ଇନପୁଟ ସବ୍ସିଡି,  ଶ୍ରୀମନ୍ଦିର ପାଇଁ ୫୦୦ କୋଟି ଟଙ୍କାର କର୍ପସ ଫଣ୍ଡ।, ୧୭ ଲକ୍ଷ ଲକ୍ଷପତି ଦିଦି ତିଆରି କରିବା। ସେହିପରି ପ୍ରଥମ ବର୍ଷରେ ୯ଟି ନିଯୁକ୍ତି ମେଳାରେ ୨୮ ହଜାର ଖାଲି ଥିବା ସରକାରୀ ପଦବି ପୂରଣ। ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡିଶା କାର୍ଯ୍ୟକ୍ରମରେ ୧୭ ଲକ୍ଷ କୋଟି ନିବେଶ ପାଇଁ ଆଗ୍ରହ, ଆଉ ସେଥିରୁ ୧୩ ଲକ୍ଷ କୋଟି ନିବେଶ ପାଇଁ MOU ସରକାରଙ୍କ ବଡ଼ ସଫଳତା। ଉଚ୍ଚଶିକ୍ଷା ଭଳି ବୈଷୟିକ ଶିକ୍ଷା ଆଉ ମେଡିକାଲ ଶିକ୍ଷାରେ ବି ପଛୁଆ ବର୍ଗକୁ ସଂରକ୍ଷଣ ନେଇ ଖୁବ ଶୀଘ୍ର ନିଆଯିବ ନିଷ୍ପତ୍ତି। ଏହା ସହ ପୂର୍ବ ସରକାରଙ୍କୁ ଟାର୍ଗେଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ବିକାଶ ପାଇଁ ୨୪ ବର୍ଷ ଦରକାର ନାହିଁ ୨୪ ମିନିଟରେ ନିଷ୍ପତ୍ତି ହେବ। ଏଥିପାଇଁ ଦୃଢ ଇଚ୍ଛା ଶକ୍ତିର ଆବଶ୍ୟକତା ରହିଛି।

ଅଧିକ ପଢନ୍ତୁ : ଲାଞ୍ଚ ନେବା ପଡିଲା ମହଙ୍ଗା, ଭିଜିଲାନ୍ସ ଜାଲରେ ଉପଜିଲ୍ଲାପାଳ

ଏହା ସହ ମୋହନ ସରକାର ପ୍ରସ୍ତୁତ କରିଥିବା ବିକଶିତ ଓଡ଼ିଶା ଭିଜନ୍ ଡକ୍ୟୁମେଣ୍ଟ ୨୦୩୬କୁ ସଫଳ କରିବାକୁ ବି ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଯାହାକୁ ଆସନ୍ତା ୨୦ ତାରିଖରେ ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ। ୨୦୩୬ ବେଳକୁ ଓଡ଼ିଶାର ଅର୍ଥନୀତି ୫୦୦ ବିଲିୟନ ଡଲାର ଛୁଇଁବାର ସମ୍ଭାବନା ରହିଛି। ତାସହ ପୁଷ୍ଟି ହୀନତା, ଗୁଣାତ୍ମକ ଶିକ୍ଷା, ସ୍ବାସ୍ଥ୍ୟ ସେବା ସୁନିଶ୍ଚିତ, ଯୁବ ଓ ମହିଳାଙ୍କୁ ସଶକ୍ତ କରିବା, ଓଡ଼ିଆ ଅସ୍ମିତାକୁ ସୁରକ୍ଷା କଥା ବି ରହିଛି ସରକାରଙ୍କ ଭିଜନ ଡକ୍ୟୁମେଣ୍ଟରେ। ସେହିଭଳି ଓଡ଼ିଶା ବିକାଶରେ କେନ୍ଦ୍ର ସରକାରଙ୍କ ସହଯୋଗିତା ଏବଂ ସହଭାଗିତା ପାଇଁ ବି ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। 

ମୋହନ ସରକାରରେ ସୁଶାସନକୁ ଅଧିକ ଗୁରୁତ୍ୱ ଦିଆଯାଉଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ। ଏବେ ଲୋକଙ୍କ ଦୁଆର ମୁହଁକୁ ଯାଉଛି CMO। ଭୁବନେଶ୍ୱରରୁ ଗ୍ରାଉଣ୍ଡକୁ ଯାଇ ଅଭିଯୋଗ ଶୁଣୁଛନ୍ତି ମୁଖ୍ୟମନ୍ତ୍ରୀ। ୩୦ ଜିଲ୍ଲା ଗସ୍ତ କରି ଲୋକଙ୍କ ଫିଡବ୍ୟାକ ନେଇଛି, ସେହି ଅନୁସାରେ ଆଗାମୀ କାର୍ଯ୍ୟପନ୍ଥା ସ୍ଥିର କରାଯାଉଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ।