• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସ୍ନାନ ଗୁଣ୍ଡିଚା ଏ ବେନି ସ୍ୱୟଂ ଲୀଳା ଯା’ର,
ପତିତ ପାବନ ଅର୍ଥେ ପ୍ରାସାର୍ଦୁ ବାହାର।

(କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ - ଉପେନ୍ଦ୍ର ଭଞ୍ଜ)

କଥାରେ ଅଛି, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ବାର ମାସରେ ତେର ଯାତ। ଜୈମିନୀ ମହର୍ଷି କହିଛନ୍ତି, ପୁରୁଷୋତ୍ତମ ଶ୍ରୀଜଗନ୍ନାଥ ବ୍ୟକ୍ତି ସମୂହଙ୍କ ହିତ ପାଇଁ, ନାନା ପ୍ରକାରର ଲୀଳାଖେଳା ଚଳାଇଥାନ୍ତି। ସେଥିପାଇଁ ତାଙ୍କୁ ନାନା ରୂପରେ ବିହାର କରିବାକୁ ପଡ଼ିଥାଏ। ଶ୍ରୀଜଗନ୍ନାଥ ତାଙ୍କର ଲୀଳାଗୁଡ଼ିକ ମୁଖ୍ୟତଃ ଦ୍ଵାଦଶ ଯାତ୍ରା ମାଧ୍ୟମରେ ପ୍ରଦର୍ଶନ କରିଥାନ୍ତି। ତା ମଧ୍ୟରୁ ସ୍ନାନଯାତ୍ରା ଏକ ଅନନ୍ୟ ଲୀଳାର ଯାତ୍ରା।

'ନୀଳାଦ୍ରି ମହୋଦୟ' ନାମକ ଜଗନ୍ନାଥ ମନ୍ଦିରର ନୀତି ସମ୍ବନ୍ଧୀୟ ଧର୍ମ ପୁସ୍ତକରେ ଉଲ୍ଲେଖ ଅଛି ଯେ, ଶ୍ରୀଜଗନ୍ନାଥ ଜ୍ୟେଷ୍ଠ ପୂର୍ଣ୍ଣିମାରେ ଜନ୍ମଗ୍ରହଣ କରିଥିଲେ। 'ନୈଷଧ' କାବ୍ୟରେ ମଧ୍ୟ କବି ଶ୍ରୀହର୍ଷ ଏହି ସ୍ନାନୋତ୍ସବ ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ଦାରୁବ୍ରହ୍ମଙ୍କ ଲୀଳାକ୍ଷେତ୍ର ପୁରୁଷୋତ୍ତମ କ୍ଷେତ୍ରରେ ମହାପ୍ରଭୁଙ୍କର ସ୍ନାନ ଉତ୍ସବ ବା ମଞ୍ଚସ୍ନାନ ଏକ ଶାସ୍ତ୍ରୀୟ ଭିତ୍ତିଭୂମିର ଲୀଳା। ମହାପ୍ରଭୁଙ୍କ ଆବିର୍ଭାବ ବେଳେ ପ୍ରଥମେ ଏହି ସ୍ନାନ ହୋଇଥିବରୁ, ଶ୍ରୀଦାରୁବ୍ରହ୍ମଙ୍କ ଆଦ୍ୟଲୀଳା ବୋଲି କୁହାଯାଏ। ମହାପ୍ରଭୁ ଦାରୁବ୍ରହ୍ମ ରୂପ ଧାରଣ କରିବା ପରେ, ପ୍ରଥମ ମଙ୍ଗଳମୟ ମୁହୂର୍ତ୍ତରେ ଏହି ସ୍ନାନଲୀଳା କରାଇଥିଲେ ମହାରାଜା ଇନ୍ଦ୍ରଦ୍ୟୁମ୍ନ। ସେତେବେଳେ ସ୍ନାନମଣ୍ଡପ ନଥିବାରୁ ଏକ କାଠର ମଞ୍ଚ ନିର୍ମାଣ କରାଯାଇ ତାହା ଉପରେ ସ୍ନାନବିଧି ସମାପନ ହୋଇଥିଲା।

ସ୍ନାନ ପୂର୍ଣ୍ଣିମାର ପୂର୍ବ ବିଧି

ସ୍ନାନ ପୂର୍ଣ୍ଣିମା ପୂର୍ବରୁ ଅର୍ଥାତ୍ ଜ୍ୟେଷ୍ଠ ଶୁକ୍ଳ ତ୍ରୟୋଦଶୀ ଦିନ ଦଇତା ସେବକମାନେ ଶ୍ରୀମନ୍ଦିରରେ ଦୀର୍ଘ ଏକମାସ କାଳ ବିଶେଷ ନୀତି ଗୋଷ୍ଠୀଗତ ଭାବରେ ସମ୍ପନ୍ନ କରନ୍ତି। ତ୍ରୟୋଦଶୀ ରାତ୍ରରେ ବଡ଼ସିଂହାର ଭୋଗ ପରେ ପହୁଡ଼ ଆଳତି ହୋଇ ଶ୍ରୀମୁଖ ଖଣ୍ଡୁଆ (ଶ୍ରୀଜୀଉମାନଙ୍କ ମୁଖ ବସ୍ତ୍ରାଚ୍ଛାଦିତ) ହେବା ପରେ ଦଇତାମାନେ ଭିତରକୁ ଯାଇ ବାହୁଟ କଣ୍ଟ କରନ୍ତି। ତତ୍‌ପରେ କୋଠସୁଆଁସିଆ ମାନେ ଚାରମାଳ ବନ୍ଧା କାର୍ଯ୍ୟ ଆରମ୍ଭ କରନ୍ତି। ଚାରମାଳ ବନ୍ଧା କାର୍ଯ୍ୟ ସାରିବା ପରେ ଚତୁର୍ଦ୍ଦଶୀ ଦିନ ଦଇତାପତିମାନେ ଦିଅଁଙ୍କୁ ସେନାପଟା ଲାଗି କରାନ୍ତି। ସେଦିନର ଦୈନନ୍ଦିନ ଅବକାଶ ନୀତି, ସକାଳ ଧୂପଠାରୁ ବଡ଼ ସିଂହାର ଧୂପ ଯାଏଁ ଧୂପ ଅଣସର ପିଣ୍ଡିରେ ବଢ଼ାହୁଏ ଓ ପୂଜା ହୁଏ। ଅବଶିଷ୍ଟ ନୀତି ହୋଇ ପହୁଡ଼ ଆଳତି ହୁଏ। ପହୁଡ଼ ଆଳତି ପରେ ମଦନମୋହନ ଓ ଲକ୍ଷ୍ମୀ ଦକ୍ଷିଣୀ ଘରକୁ, ଭୂଦେବୀ ଓ ମାଧବ ଖଟଶେଯ ଘରକୁ ବିଜେ କରନ୍ତି।

ସ୍ନାନ ଉପଚାର

ଏହି ଯାତ୍ରାର ବିଧି ହେଉଛି, ପୂର୍ଣ୍ଣମୀ ଦିନ ଭୋର୍‌ରେ ପୂଜାପଣ୍ଡା, ମୁଦିରସ୍ତ ଓ ପତି ମହାପାତ୍ର ତିନିବାଡ଼ରେ ମଙ୍ଗଳାର୍ପଣ କରିବେ। ତା’ପରେ ଦିଅଁଙ୍କର ଡୋରଲାଗି ହେବ। ଘଣ୍ଟ କାହାଳୀ ବାଜିବ ଓ ଛତାର ଛତା ଧରିଥିବେ। ପ୍ରଥମେ ଶ୍ରୀସୁଦର୍ଶନ, ତାଙ୍କ ପରେ ଶ୍ରୀବଳଭଦ୍ର, ତାଙ୍କ ପରେ ମା' ସୁଭଦ୍ରା ଓ ଶେଷରେ ଶ୍ରୀଜଗନ୍ନାଥ ସ୍ନାନମଣ୍ଡପକୁ ବିଜେ କରିବେ। ଏହାଙ୍କ ପରେ ମଦନମୋହନ ବିଜେ ହେବେ ମହାଜନମାନଙ୍କ ଦ୍ଵାରା। ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦଇତାପତିମାନେ ବିଜେ କରାଇବେ। ମଦନମୋହନଙ୍କ ବ୍ୟତୀତ ଅନ୍ୟ ଚତୁର୍ଦ୍ଧାମୂର୍ତିଙ୍କ ବିଜେକୁ ‘ପହଣ୍ଡି ବିଜେ’ କୁହାଯାଏ।

ସ୍ନାନବେଦିକୁ ଶ୍ରୀଜିଉମାନଙ୍କର ‘ଧାଡ଼ି ପହଣ୍ଡି’ ହୁଏ। (ଠାକୁରମାନେ ଜଣକ ପରେ ଜଣେ ଏକକାଳୀନ ବିଜେ କଲେ ଧାଡ଼ି ପହଣ୍ଡି କୁହାଯାଏ। ଯେଉଁ ପହଣ୍ଡିରେ ଏକ ମୂର୍ତ୍ତି ଠାକୁର ବିଜେ ହୋଇ ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିଲା ପରେ ଅନ୍ୟ ମୂର୍ତ୍ତି ଠାକୁର ତାଙ୍କ ଆସନ ଛାଡ଼ି ବିଜେ ହୁଅନ୍ତି, ତାକୁ ‘ଗୋଟି ପହଣ୍ଡି’ କୁହାଯାଏ)। ବିଜେ କରିବା ସମୟରେ ସାତ ପାହାଚଠାରେ ଠାକୁରମାନଙ୍କୁ ଟାହିଆ ଓ ଚୂଳ ଲାଗି କରାଯାଏ। ଏହି ଦ୍ରବ୍ୟ ରାଘବ ଦାସ ମଠ ଯୋଗାଏ। ଦିଅଁମାନେ ସ୍ନାନ ବେଦୀରେ ବିଜେ ହେବା ପରେ ଘଣ୍ଟାର, ଛତାର, କାହାଳିଆ, ସୁନାଗୋସାଇଁଙ୍କ ନିକଟକୁ ଯାଆନ୍ତି।

ସୁନା ଗୋସାଇଁ ଓ ମୁଦିରସ୍ତ ସୁନାକୂଅ (ଶୀତଳାଙ୍କ କୂଅ)ରୁ ୧୦୮ ଗରା ଜଳ ଆଣି ଅଧିବାସ ଗୃହରେ ରଖନ୍ତି। ଏହି କୂଅର ପବିତ୍ର ଜଳ କେବଳ ଦେବସ୍ନାନ ପାଇଁ ଉଦ୍ଦିଷ୍ଟ, ତେଣୁ ଏ କୂଅର ମାହାତ୍ମ୍ୟ ରହିଛି। ଏହି ୧୦୮ ଜଳ କଳସୀ ମଧ୍ୟରୁ ଶ୍ରୀଜଗନ୍ନାଥଙ୍କ ପାଇଁ ୩୫ କୁମ୍ଭ, ଶ୍ରୀବଳଭଦ୍ରଙ୍କ ପାଇଁ ୩୩ କୁମ୍ଭ, ଦେବୀ ସୁଭଦ୍ରାଙ୍କ ପାଇଁ ୨୨ କୁମ୍ଭ ଓ ସୁଦର୍ଶନଙ୍କ ପାଇଁ ୧୮ କୁମ୍ଭ ଜଳ ରଖାଯାଏ। ପୃଥକ ଭାବରେ ଚନ୍ଦନ, କର୍ପୂର ଓ କେଶର ଆଦି ଉପରୋକ୍ତ କୁମ୍ଭ ପାଣିରେ ସମାନ ଭାଗ ହୋଇ ମିଶାଯାଏ। ଗରାବଡୁମାନେ ୧୦୮ ଜଳକୁମ୍ଭ ଉପରେ ଗୋଟିଏ ଗୋଟିଏ ନଡ଼ିଆ ଓ ଖଣ୍ଡେ ଖଣ୍ଡେ କରିଆ ରଖନ୍ତି। ଏହିପରି ଭାବରେ ଜଳ ଅଧିବାସ ହେଉଥିବା ସମୟରେ ସ୍ନାନ ମଣ୍ଡପରେ ଦିଅଁମାନଙ୍କର ରୁନ୍ଧା ବଢ଼େ।

ତା'ପରେ ଦୈନନ୍ଦିନ ନୀତି ଓ ମଙ୍ଗଳ ଆଳତି ହୁଏ। ମଇଲମ ହୋଇ ତଡ଼ପଲାଗି ହୁଏ। ଏହାପରେ ଅବକାଶ ପୂଜା ହୁଏ। ଦତ୍ତ ମହାପାତ୍ର ରୁପା ପିଙ୍ଗଣରେ କର୍ପୂର ଜଳ ନେଇ ତିନି ବାଡ଼ରେ ଶ୍ରୀମୁଖ ଧୋପଖାଳ କରନ୍ତି। ପରେ ଅବକାଶ ନୀତି ହୁଏ। ଦିଅଁମାନଙ୍କର ଅବକାଶ ଓ ବେଶ ହେବା ସମୟରେ ରୋଷ ଧୋପଖାଳ, ସୂର୍ଯ୍ୟପୂଜା, ଦ୍ଵାରପାଳ ପୂଜା ହୁଏ। ବେଶ ଶେଷ ହେବା ପରେ ପାଳିଆ ପ୍ରତିହାରୀ ସ୍ନାନମଣ୍ଡପର ଚାରିପଟେ ଥିବା ଖମ୍ବମାନଙ୍କରେ ଟେରା ବାନ୍ଧନ୍ତି। ଏହା ପରେ ସୁଆରବଡୁ ପାଣି ପକାଇ ଧୋପଖାଳ କଲା ପରେ ପତ୍ରିବଡୁ ଜଳ ଛେକ ସକାଶେ ପୂଜା ଠା' କରନ୍ତି । ତା' ପରେ ପାଳିଆ ପଢ଼ିଆରୀ ଜଳ ଛେକ ଆସିବା ସକାଶେ ଡାକି ଯାଆନ୍ତି।

ଶ୍ରୀ ବିଗ୍ରହରେ ଜଳଲାଗି

ଏହା ପରେ ଗରାବଡୁ ସେବକମାନେ ମୁହଁରେ ମୁହା ବାନ୍ଧି ଜଳ କଳସୀ ହାତରେ ଧରି ଚାଲିବେ। ସେମାନଙ୍କ ଆଗରେ ତଳିଚ୍ଛ ଓ ପ୍ରଧାନୀ ହାତ ପୈଠ ହୋଇ ଚାଲୁଥିବେ। ଘଣ୍ଟ କାହାଳୀ ବାଜୁଥିବ ଓ ଛତାର ଛତ୍ର ଧରିଥିବେ। ଚାରିବାଡ଼ରେ ଜଳ ଛେକ ବିଜେ ହୋଇ ଆସି ସଜ୍ଜିତ ରହେ। ତିନିଜଣ ପୂଜାପଣ୍ଡା ପୂଜାରେ ବସନ୍ତି। ଷୋଡ଼ଶ ଉପଚାରରେ ପୂଜା ହୋଇସାରିଲା ପରେ ଗରାବଡୁମାନେ ଜଳକଳସୀମାନ ହାତରେ ଧରି ତିନିଜଣ ମେକାପ ଧରିଥିବା ରୁପା ପିଙ୍ଗଣରେ ଜଳ ଦିଅନ୍ତି। ପୂଜାପଣ୍ଡାମାନେ ମେକାପମାନଙ୍କଠାରୁ ଉକ୍ତ ପିଙ୍ଗଣମାନ ନେଇ ତିନି ବାଡ଼ରେ ଜଳଲାଗି କରନ୍ତି।

ଏହିପରି ରୀତିରେ ସମସ୍ତ କଳସୀର ଜଳ ଲାଗି କରାଯାଏ। ଜଳଲାଗି ସମୟରେ ଘଣ୍ଟ କାହାଳୀ ଓ ବାଜା ବାଜୁଥାଏ। ଜଳଲାଗି ଶେଷ ପରେ ହାତୀ ବେଶର ଉପକରଣମାନ ଗୋପାଳତୀର୍ଥ ମଠ ଓ ରାଘବ ଦାସ ମଠରୁ ଆଣିବାକୁ ସଂପୃକ୍ତ ସେବକମାନେ ଯାଆନ୍ତି। ଇତି ମଧ୍ୟରେ ମୁଦିରସ୍ତ ‘ରାଜନୀତି’ କରନ୍ତି। ଗଜପତି ମହାରାଜା ସ୍ନାନ ବେଦୀରେ ଛେରାପହଁରା କରନ୍ତି। ତାଙ୍କର ଅନୁପସ୍ଥିତିରେ ମୁଦିରସ୍ତ ଏ କାର୍ଯ୍ୟ କରନ୍ତି। ଛେରାପହଁରା ସମାପନ ପରେ ସୁଆରବଡ଼ୁ ବେଦୀରେ ପାଣି ପକାନ୍ତି। ତା'ପରେ ପୁଷ୍ପାଳକ ଓ ଦଇତାପତିମାନେ ତିନିଦିଅଁଙ୍କୁ ହାତୀବେଶ କରନ୍ତି।

ଗଜାନନ ବେଶ ପଛର କାହାଣୀ କିମ୍ବଦନ୍ତୀ

ହିନ୍ଦୁ ଧର୍ମରେ ଯେଉଁ ଶୁଭକାର୍ଯ୍ୟ କଲେ ପ୍ରଥମେ ଅଗ୍ରବନ୍ଦ୍ୟ ଗଜାନନଙ୍କର ଆରାଧନା ହୁଏ। ଗଣଦେବତା ଜଗନ୍ନାଥଙ୍କର ଏହି ‘ଗଜାନନ ବେଶ’ ସମ୍ପର୍କରେ ପ୍ରଚଳିତ କିମ୍ବଦନ୍ତୀ କୁହେ, ମହାରାଷ୍ଟ୍ରର ‘ଗଣପତି ଭଟ୍ଟ’ ଯିଏକି ଗଣେଶଙ୍କର ପରମ ଭକ୍ତ ଥିଲେ, ସେ ଦିନେ ପୁରୀ ଆସିଥିଲେ। ନିଜର ପାଣ୍ଡିତ୍ୟ ଓ ବାଗ୍ମିତା ପାଇଁ ସେ ରାଜାଙ୍କ ଦ୍ୱାରା ସମ୍ମାନୀତ ହେଲେ। ରାଜା ତାଙ୍କୁ ଶ୍ରୀଜଗନ୍ନାଥ ଦର୍ଶନ ପାଇଁ ଅନୁରୋଧ କଲେ। ଯୋଗକୁ ସେଦିନ ସ୍ନାନପୂର୍ଣ୍ଣିମା ଥିଲା। ଭଟ୍ଟ ମହାଶୟ ସ୍ନାନ ବେଦିରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ଗଣେଶଙ୍କ ରୂପ ଲାବଣ୍ୟ ଦୃଶ୍ୟରୁ ବଞ୍ଚିତ ହୋଇ ନିରାଶ ହୋଇ କ୍ଷୋଭରେ ଫେରିଗଲେ। କିନ୍ତୁ ବାଟରେ ଶୂନ୍ୟବାଣୀ ଶୁଣି ସେ ଫେରି ଆସି ଦେଖନ୍ତି ଯେ, ସ୍ନାନବେଦି ଉପରେ ବିରାଜିତ ଥିବା ବିଗ୍ରହମାନେ ଆଉ କେହି ନୁହନ୍ତି, ତାଙ୍କର ଚିର ଆରାଧ୍ୟ ଦେବତା ସେହି ଗଜାନନ। ପ୍ରିୟମ୍ବଦ ନାମକ ଆଉ ଜଣେ ଗାଣପତ୍ୟ ଭକ୍ତଙ୍କୁ ମଧ୍ୟ ଜଗନ୍ନାଥ ସ୍ନାନ ପୂର୍ଣ୍ଣିମା ଦିନ ଗଣେଶ ବେଶରେ ଦର୍ଶନ ଦେଇ ଦେବସ୍ନାନ ପୂର୍ଣ୍ଣିମାରେ ସବୁ ବର୍ଷ 'ହାତୀବେଶ' ହେବେ ବୋଲି ବଡପଣ୍ଡାଙ୍କୁ ସ୍ୱପ୍ନାଦେଶ ଦେଇଥିବା ପ୍ରବାଦ ରହିଛି।