• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Namita Biswal

ବିବାହ କରି ସୁନାର ସଂସାର କରିବାକୁ ସୁନେଲି ସ୍ବପ୍ନ ଦେଖିଥିଲେ । ସେଥିପାଇଁ ମନଲାଖି ବରପାତ୍ର ସହ ବିବାହ କରିଥିଲେ ଅଙ୍କିତା । ବିବାହ ହୋଇଥିଲା ୟୁପିର ପ୍ରତାପଗଡ଼ରେ । ବିବାହ ପରେ ହନିମୁନ ପାଇଁ ଯାଇଥିଲେ ସିକ୍କିମ। କିନ୍ତୁ ମେ ୨୯ ରାତି ସାଜିଲା କାଳ ରାତି । ହଠାତ ସବୁକିଛି ଓଲଟପାଲଟ ହୋଇଗଲା । ସଂସାର କରିବା ପୂର୍ବରୁ ସବୁକିଛି ଭସାଇନେଲା ତିସ୍ତା ନଦୀ । ଖୁବ ଧୁମଧାମରେ ରୀତିନୀତିରେ ବିବାହ କରିଥିଲେ କୌଶଳେନ୍ଦ୍ର ଓ ଅଙ୍କିତା । ପରେ ହନିମୁନ ପାଇଁ ବାଛିଥିଲେ ସିକ୍କିମକୁ । ବିବାହଠୁ ହନିମୁନ ପର୍ଯ୍ୟନ୍ତ କିଛି ଦିନ ଖୁବ ଭଲରେ କଟିଥିଲା ।

ମେ ୨୯ ରାତି । ଏହି ତାରିଖ ଓ ସମୟକୁ ଭୁଲିପାରିବେନି ଉଭୟଙ୍କ ପରିବାର ଲୋକ । ହଠାତ ନିଖୋଜ ହୋଇଗଲେ କୌଶଳେନ୍ଦ୍ର ଓ ଅଙ୍କିତା । ୧୨ ଦିନ ପରେ ବି ସେମାନଙ୍କ ସନ୍ଧାନ ଜାରି ରହିଛି । ଆଖିରୁ ଲୁହ ଶୁଖୁନି କି କୋହ ସମ୍ଭାଳି ହେଉନି। ତଥାପି ପରିବାର ଲୋକ ଆଶା ରଖିଛନ୍ତି ସେମାନେ ଫେରିବେ । ଏନଡିଆରଏଫ୍ ଟିମ ରେସକ୍ୟୁ ଅଭିଯାନରେ ଏବେବି ଲାଗିଛନ୍ତି ।

ଅଧିକ ପଢ଼ନ୍ତୁ: ପୁଣି ଚାଲିବ 'ଆନାକୋଣ୍ଡା 2.0', ମୂଳପୋଛ ହେବେ ନକ୍ସଲ !

ଗତ ୨୯ ତାରିଖ ରାତିରେ ସିକ୍କିମରେ ଘଟିଥିଲା ଛାତିଥରା ଦୁର୍ଘଟଣା । ଲାଚେନରୁ ଲାଚୁଙ୍ଗ ଫେରୁଥିବାବେଳେ ତୀସ୍ତା ନଦୀକୁ ଖସିପଡ଼ିଥିଲା ଟୁରିଷ୍ଟ ବସ। ଏହି ଦୁର୍ଘଟଣାରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଛି, ୨ଜଣ ଆହତ ହୋଇଛନ୍ତି । ତେବେ ଏଥିରେ ଆଠ ଜଣ ନିଖୋଜ ହୋଇଯାଇଛନ୍ତି । ନିଖୋଜଙ୍କ ଭିତରେ ୟୁପିର ଏହି ନବ ବିବାହିତ ଦମ୍ପତ୍ତି ଅଛନ୍ତି ।

କୌଶଳେନ୍ଦ୍ର ଓ ଅଙ୍କିତାଙ୍କ ବିବାହ ମେ ୫ରେ ହୋଇଥିଲା । ମେ ୯ରେ ଅଙ୍କିତାଙ୍କ ବିଦାଇ ହୋଇଥିଲା ଶାଶୁ ଘରକୁ । ୨୪ ମେରେ ଅଙ୍କିତା କୌଶଳେନ୍ଦ୍ରଙ୍କ ସହ ସିକ୍କିମ ଯାଇଥିଲେ ହନିମୁନରେ । କିନ୍ତୁ ସେଠାରେ ଦୁଇଜଣ ଏତେ ବଡ଼ ଅଘଟଣର ଶିକାର ହେଲେ । କୌଶଳେନ୍ଦ୍ର ପ୍ରତାପ ସିଂଙ୍କ ବୟସ ୨୯ ଓ ଅଙ୍କିତାଙ୍କ ବୟସ ମାତ୍ର୨୬ ବର୍ଷ । ସ୍ଥାନୀୟ ପୋଲିସ ଦ୍ବାରା ଅନେକ ଦିନ ହେବ ସର୍ଚ୍ଚ ଅପରେସନ ଜାରି ରହିଛି । କିନ୍ତୁ ତାଙ୍କର ସନ୍ଧାନ ମିଳିପାରିନାହିଁ । ଏବେ କୌଶଳେନ୍ଦ୍ରଙ୍କ ବାପା ଓ ଅଙ୍କିତାଙ୍କ ଭାଇ ଓ ଦାଦା ରେସକ୍ୟୁ ଟିମ ସହ ସିକ୍କିମର ମଙ୍ଗନ ଜିଲ୍ଲାରେ ଅଛନ୍ତି । କୌଶଳେନ୍ଦ୍ର ନିଜ ପିତାମାତାଙ୍କ ଏକମାତ୍ର ପୁଅ । ସେ ପ୍ରତାପଗଡ଼ ଜିଲ୍ଲାର ରାହା ଟିକର ସାଙ୍ଗିପୁରର ବାସିନ୍ଦା । ତାଙ୍କ ପିତାଙ୍କ ନାମ ସେର ବାହାଦୂର । ଖରାପ ପାଗ ଯୋଗୁଁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହେଉଛି । ତଥାପି ବନ୍ଦ ହୋଇନି ରେସକ୍ୟୁ କାମ । ଦମ୍ପତ୍ତିଙ୍କ ଉଦ୍ଧାର ପାଇଁ ପରିବାର ଲୋକ ସିକ୍କିମ ଓ ଉତ୍ତରପ୍ରଦେଶ ସରକାରଙ୍କ ନିକଟରେ ଦାବି ରଖିଛନ୍ତି ।

ଅଧିକ ପଢ଼ନ୍ତୁ: ବିଧବା ଗାଁ... ଏଠି ୩୦ ଛୁଇଁଲେ ବଞ୍ଚୁନାହାନ୍ତି ପୁରୁଷ !