New Block in Odisha: ଘର ଦୁଆରେ ପ୍ରଶାସନକୁ ପହଞ୍ଚାଇବାକୁ ବଡ଼ ଯୋଜନା; ରାଜ୍ୟରେ ବିଭାଜନ ହେବ ବ୍ଲକ୍, ବଢିବ ପଞ୍ଚାୟତ

ବ୍ଲକ୍ ବଢାଇବାକୁ ଯୋଜନା, କିନ୍ତୁ କେମିତି କରିବେ ବିଭାଜନ ? କ‘ଣ ରହିବ ଆଧାର ? କାରଣ ଶେଷ ହୋଇନି ଜନ ଗଣନା । ତେଣୁ କେଉଁ ଆଧାରରେ ସରକାର ନୂଆ ବ୍ଲକ ଘୋଷଣା କରିବେ ତାକୁ ନେଇ ବଢିଛି ଦ୍ୱନ୍ଦ୍ବ ।

ବ୍ଲକ୍‌ ପୁନର୍ଗଠନ: ପାରାମିଟର ଦ୍ୱନ୍ଦ !

ଘରେ ଘରେ ସୁଶାସନ ପହଞ୍ଚାଇବା ପାଇଁ ମୋହନ ସରକାରଙ୍କ ବଡ଼ ଯୋଜନା । ବିଭାଜନ ହେବ ବ୍ଲକ୍, ବଢିବ ପଞ୍ଚାୟତ ସଂଖ୍ୟା । କିନ୍ତୁ ନୂଆ ବ୍ଲକ୍ ପାଇଁ ପାରାମିଟର କଣ ହେବ, ତାକୁ ନେଇ ତିଆରି ହୋଇଛି ଦ୍ୱନ୍ଦ୍ବ । ନୂଆ ଜନ ଗଣନା ହୋଇନଥିବାରୁ ସରକାର କେଉଁ ଆଧାରରେ ବ୍ଲକ ବିଭାଜନ କରିବେ। ତାକୁ ନେଇ ପ୍ରଶ୍ନ ବି କରିଛନ୍ତି ବିରୋଧୀ ଦଳ ।

ବ୍ଲକ୍ ବଢାଇବାକୁ ଯୋଜନା, କିନ୍ତୁ କେମିତି କରିବେ ବିଭାଜନ ? କ‘ଣ ରହିବ ଆଧାର ? କାରଣ ଶେଷ ହୋଇନି ଜନ ଗଣନା । ତେଣୁ କେଉଁ ଆଧାରରେ ସରକାର ନୂଆ ବ୍ଲକ ଘୋଷଣା କରିବେ ତାକୁ ନେଇ ବଢିଛି ଦ୍ୱନ୍ଦ୍ବ । ରାଜ୍ୟରେ ବ୍ଲକ୍‌ ଏବଂ ତହସିଲ ସଂଖ୍ୟା ବଢାଇବାକୁ ସରକାର ଅନୁଧ୍ୟାନ କରୁଥିବା ନେଇ ଗତକାଲି ସୂଚନା ଦେଇଥିଲେ ରାଜସ୍ୱ ମନ୍ତ୍ରୀ । କହିଥିଲେ, ବିକାଶକୁ ତଳସ୍ତରରେ ପହଞ୍ଚାଇବା ସହ ସୁଶାସନ ଦେବାରେ ଏହା ସହାୟକ ହେବ । ଯଦିଓ ଅନେକ ସ୍ଥାନରେ ବ୍ଲକ ବିଭାଜନ ପାଇଁ ଦାବି ଉଠିଛି, କିନ୍ତୁ ବଡ଼ କଥା ହେଲା ଏଥିପାଇଁ କ’ଣ ହେବ ପାରାମିଟର ? ଜନସଂଖ୍ୟା ଏକ ବଡ଼ ଆଧାର, କିନ୍ତୁ ଏଯାଏଁ ଜନଗଣନା ହୋଇନଥିବାରୁ ସରକାର ତାକୁ ଆଧାର ଭାବେ କେମିତି ନେବେ ? ତେଣୁ ଅଂଚଳ ଏବଂ ଦୂରତା ଏକ ଆଧାର ହୋଇପାରେ । କିମ୍ବା ବ୍ଲକ୍ ଅଧିନରେ ପଞ୍ଚାୟତ ସଂଖ୍ୟାକୁ ସୀମିତ ରଖିବା । ଏଥିପାଇଁ ବ୍ଲକ ବିଭାଜନ କମିଶନ ବସାଇ ପାରନ୍ତି ସରକାର ।

ଅଧିକ ପଢ଼ନ୍ତୁ: ମିଳେଇଗଲା ନୂଆବର୍ଷ ଖୁସି; ଘାଟିରେ ୧୦ ଫୁଟ୍ ତଳକୁ ଖସିଲା ବସ୍, ଚାଲିଗଲା ୩ ଜୀବନ,୨୫ ଆହତ...

ଦୀର୍ଘ ୫୦ ବର୍ଷ ହେବ ବ୍ଲକ୍ ପୁନର୍ଗଠନ ହୋଇନାହିଁ । ଯଦିଓ ସମୟ ସମୟରେ ଅନେକ ସ୍ଥାନରେ ନୂଆ ବ୍ଲକ ପାଇଁ ଦାବି ହୋଇ ଆସିଛି । ଏଇ ଯେମିତି ବାଲେଶ୍ୱରର ଖଇରା ବ୍ଲକ। ଏଠି ରହିଛି ୩୭ଟି ପଞ୍ଚାୟତ । ବ୍ଲକ ମୁଖ୍ୟାଳୟରୁ ଗୋଟିଏ ଗୋଟିଏ ଗାଁର ଦୂରତା ପ୍ରାୟ ୩୦ କିଲୋମିଟର ରହୁଛି । ବ୍ଲକ ଅଫିସକୁ ଆସିବାକୁ ସମୟ ଲାଗୁଛି, ଆଉ କେତେବେଳେ ଯଦି କେଉଁ ବାବୁ ନଥିବେ କଥା ସରିଲା। ତେଣୁ ଖଇରା ଠାରୁ ୨୦ କିଲୋମିଟର ଦୂରରେ ଥିବା ଅଡା ଠାରେ ନୂଆ ବ୍ଲକ ପାଇଁ ଦାବି ହୋଇଛି ।

ବଲାଙ୍ଗିର ସଦର ବ୍ଲକର କିଛି ପଞ୍ଚାୟତବାସୀଙ୍କର ବି ସମାନ ଅଭିଯୋଗ । ମୁଖ୍ୟାଳୟଠାରୁ ୨୦ କିଲୋମିଟର ଦୂରରେ ଥିବା ପଞ୍ଚାୟତଗୁଡିକୁ ନେଇ ଚୂଡ଼ାପାଲିଠାରେ ନୂଆ ବ୍ଲକ ପାଇଁ ଦାବି ଉଠିଛି । ରାଜସ୍ବ ମନ୍ତ୍ରୀଙ୍କ ଗତକାଲିର ବୟାନ ପରେ ଆଶା ସଞ୍ଚରିଛି । ନୂଆପଡ଼ା କୋମନା ବ୍ଲକକୁ ଭାଙ୍ଗି ତରବୋଡ ଏବଂ କୋମନା ପଞ୍ଚାୟତକୁ ମଧ୍ୟ ବ୍ଲକ ମାନ୍ୟତା ଦେବାକୁ ଦାବି ଉଠିଛି ।

ସେପଟେ ଏହି ପ୍ରସଙ୍ଗକୁ ନେଇ ରାଜନୀତି ବି ତେଜିଛି । ବିରୋଧୀ ଦଳ ବିଜେଡି ଏବଂ କଂଗ୍ରେସ ଏହାକୁ ମିଛ ଘୋଷଣା କହିଥିବା ବେଳେ ରାଜସ୍ୱ ମନ୍ତ୍ରୀ କହିଛନ୍ତି ସରକାର ନିଷ୍ପତ୍ତି ନେଇଛନ୍ତି ମାନେ କରିବେ । ଖାଲି ବ୍ଲକ ନୁହେଁ R.I. ଅଫିସ ସଂଖ୍ୟା ବଢାଇବାକୁ ସରକାର ଚିନ୍ତା କରୁଥିବା କହିଛନ୍ତି ରାଜସ୍ୱ ମନ୍ତ୍ରୀ ।

ସୂଚନା ଅନୁସାରେ ୧୯୫୮ ମସିହାରେ ରାଜ୍ୟରେ ୧୨୪ଟି ବ୍ଳକ୍ ଥିବା ବେଳେ ୧୯୬୧ରେ ଏହା ୨୧୪କୁ ବୃଦ୍ଧି ପାଇଥିଲା । ସେହିପରି ୧୯୬୩ରେ ବ୍ଳକ୍ ସଂଖ୍ୟା ୩୦୪କୁ ବଢ଼ିଥିଲା। ୧୯୮୪ରେ ଏଥିରେ ଆଉ ୧୦ଟି ବ୍ଳକ୍ ଯୋଡ଼ା ଯିବା ପରେ ସଂଖ୍ୟା ୩୧୪ରେ ପହଞ୍ଚିଥିଲା, ଯାହାକି ଏବେ ବି ଅପରିବର୍ତ୍ତିତ ରହିଛି ।

ଅଧିକ ପଢ଼ନ୍ତୁ: ଉଜୁଡ଼ା କ୍ଷେତ ବୁଲିଲେ, ଚାଷୀଙ୍କ ଦୁଃଖ ଶୁଣିଲେ ମୁଖ୍ୟମନ୍ତ୍ରୀ; କ୍ଷତି ଭରଣା ପ୍ରତିଶ୍ରୁତି ଦେଲେ CM...