/odishatv-khabar/media/post_attachments/uploadimage/library/16_9/16_9_0/Big_Action_1751212339.jpg)
Big Action
ଶରଧାବାଲିରେ ଅଘଟଣ। ଠେଲାପେଲାରେ 3 ଶ୍ରଦ୍ଧାଳୁଙ୍କ ଜୀବନ ଯିବା ପରେ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ। ଏକାବେଳେ ବଦଳିଲେ ପୁରୀ ଜିଲ୍ଲାପାଳ ଓ ଏସପି। ସୁରକ୍ଷା ଦାୟିତ୍ବରେ ଥିବା ଦୁଇ ପୋଲିସ୍ ଅଧିକାରୀ ବି ସସପେଣ୍ଡ୍। ରଥଟଣା ବିଭ୍ରାଟ ପରେ ପରେ ସ୍ଥିତିରୁ ଶିଖି ବ୍ୟବସ୍ଥା ସୁଧାରିବା ବଦଳରେ ଭିଡ଼ ପରିଚାଳନାରେ ଏ ମହାବିଭ୍ରାଟକୁ ନେଇ ସରକାର ଯେ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି ପ୍ରଥମେ ସୋସିଆଲ୍ ମିଡିଆରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଏ ପୋଷ୍ଟରୁ ସ୍ପଷ୍ଟ ସଂକେତ ମିଳିସାରିଥିଲା।
ଯେଉଁଥିରେ ଏଭଳି ଅଘଟଣ ପାଇଁ ବ୍ୟକ୍ତିଗତ ଭାବେ ମୁଁ ଓ ମୋ ସରକାର ଜଗନ୍ନାଥପ୍ରେମୀଙ୍କ ପାଖରେ କ୍ଷମା ପ୍ରାର୍ଥନା କରୁଛୁ। ଅବହେଳା ଅକ୍ଷମଣୀୟ ବୋଲି ଦର୍ଶାଇ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଉଲ୍ଲେଖ କରିଥିଲେ। ଆଉ ପରେ ପରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ବସିଥିଲା ।
ରଥଯାତ୍ରା ସମୟରେ ବି ଆସିଲା ତୁରନ୍ତ କଡ଼ା ଆକ୍ସନ୍ ନିର୍ଦ୍ଦେଶ। ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଏସପି ଭିନୀତ ଅଗ୍ରୱାଲଙ୍କ ବଦଳି ସାଙ୍ଗକୁ ଡିସିପି ବିଷ୍ଣୁ ପ୍ରସାଦ ପତି ଓ କମାଣ୍ଡାଣ୍ଟ ଅଜୟ ପାଢୀଙ୍କୁ ନିଲମ୍ବନ ନିର୍ଦ୍ଦେଶ। କେବଳ ସେତିକି ନୁହେଁ ବାରମ୍ବାର ଅଘଟଣକୁ ଦେଖି ପୂର୍ବରୁ ପୁରୀ ଜିଲ୍ଲାପାଳ ଦାୟିତ୍ବ ତୁଲାଇ ସାରିଥିବା ଅଭିଜ୍ଞ ଆଇଏଏସ୍ ଅରବିନ୍ଦ ଅଗ୍ରୱାଲଙ୍କୁ ରଥଯାତ୍ରା ପରିଚାଳନାର ତଦାରଖ ଓ ADG ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ପୋଲିସ୍ ପରିଚାଳନା ଭାର ଦିଆଯାଇଛି।
ସେହିପରି ପୂର୍ବରୁ ପୁରୀ ଏସପି ଦାୟିତ୍ବରେ ଥିବା ଅଭିଜ୍ଞ ଆଇପିଏସ୍ ଅଧିକାରୀ ପିନାକ ମିଶ୍ରଙ୍କୁ ନୂଆ ଏସପି ଏବଂ ଚଞ୍ଚଳ ରାଣାଙ୍କୁ ନୂଆ ଜିଲ୍ଲାପାଳ ଦାୟିତ୍ବ ମିଳିଛି। ଏହାବାଦ୍ ଉନ୍ନୟନ କମିଶନର ଅନୁଗର୍ଗଙ୍କ ଅଧିନରେ ଭିଡ଼ଜନିତ ଅଘଟଣର ପ୍ରଶାସନିକ ତଦନ୍ତ ନିର୍ଦ୍ଦେଶ ବି ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ସେହିପରି ଠେଲାପେଲାରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ 25 ଲକ୍ଷ ଟଙ୍କାର ସହାୟତା ବି ଘୋଷଣା କରାଯାଇଛି।
ଏବେ ନଜର ପକାନ୍ତୁ ଶରଧାବାଲି ଅଘଟଣର ସମ୍ଭାବ୍ୟ କାରଣ ଉପରେ। କୁହାଯାଉଛି ଭିଡ଼ ପରିଚାଳନାରେ ସଂପୃର୍ଣ୍ଣ ଅବ୍ୟବସ୍ଥା ହିଁ ଏଥିପାଇଁ ଦାୟୀ। ରଥାରୁଢ଼ ଠାକୁରଙ୍କୁ ଦର୍ଶନ ପାଇଁ ପ୍ରବଳ ଭିଡ଼ ହେବା ଜାଣି ବି ପର୍ଯ୍ୟାପ୍ତ ସୁରକ୍ଷା ବନ୍ଦୋବସ୍ତ ନଥିଲା। ତା ସହିତ ପହଡ଼ ଖୋଲିବାରେ ବହୁ ବିଳମ୍ବ, କେତେବେଳେ ଖୋଲିବ ସେନେଇ କୌଣସି ସୂଚନା ଦିଆଯାଇନଥିଲା ।
ସେହିପରି ପ୍ରଶାସନିକ ନିଷ୍ପତ୍ତି ନେବାରେ ବ୍ୟର୍ଥତା, ପ୍ରବଳ ଭିଡ଼ ଲହଡ଼ି ଭାଙ୍ଗୁଥିବା ବେଳେ ଚାରମାଳ ବୋଝେଇ ଟ୍ରକକୁ ଛଡ଼ାଯିବା, ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡ୍ ନରହିବା, ଏତେ ଲୋକ ଗହଳି ସତ୍ତ୍ବେ ରଥ ନିକଟକୁ ପ୍ରବେଶ ପ୍ରସ୍ଥାନ ପାଇଁ ଗୋଟିଏ ମାର୍ଗ ରହିବା ବି ମୁଖ୍ୟ କାରଣ
ଅଭିଯୋଗ ଅନୁଯାୟୀ ଅଘଟଣ ସମୟରେ ଘଟଣାସ୍ଥଳରେ ଜଣେ ବି ଉଚ୍ଚପଦସ୍ତ ପୋଲିସ କି ପ୍ରଶାସିନିକ ଅଧିକାରୀ ନ ରହିବା ଏବଂ ଉଦ୍ଧାର କାର୍ଯ୍ୟରେ ମଧ୍ୟ ଚରମ ଅବହେଳା ଭଳି ମାଳ ମାଳ ଅବ୍ୟବସ୍ଥା ଅଘଟଣକୁ ନିମନ୍ତ୍ରଣ କରିଥିଲା ଯେମିତି।
ଘୋଷଯାତ୍ରା ଆରମ୍ଭରୁ ଗୋଟିକ ପରେ ଗୋଟିଏ ଅଘଟଣ ରଥଯାତ୍ରା ପରିଚାଳନାର ନଗ୍ନ ରୂପକୁ ପଦାରେ ପକାଇସାରିଛି। ଏବେ ଅପେକ୍ଷା କାର୍ଯ୍ୟଭାର ନେଇଥିବା ନୂଆ ଅଧିକାରୀ କିଭଳି ଏ ସ୍ଥିତିକୁ ମ୍ୟାନେଜ୍ କରି ବାହୁଡ଼ା, ସୁନାବେଶଠୁ ନେଇ ନୀଳାଦ୍ରି ବିଜେ ଯାଏଁ ଘୋଷଯାତ୍ରାର ବାକିଥିବା ପର୍ବକୁ ଶୃଙ୍ଖଳିତ କରୁଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)