• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Deviprasad Jena

ବ୍ରଜରାଜନଗର ଗାନ୍ଧି ଛକରେ ଦିନ ପ୍ରାୟ ୧୧ଟା ସମୟରେ ପୂର୍ବତନ ମନ୍ତ୍ରୀ ନବ ଦାସଙ୍କୁ ହୋଇଥିଲା ଗୁଳି ମାଡ଼ । ତେଣୁ ସେଇଠି ପ୍ରଥମେ ଛାନବିନ୍ କରିଛି କ୍ରାଇମବ୍ରାଞ୍ଚ୍ । ଗୁଳି କେଉଁ ପଟୁ ନବଙ୍କ ଶରୀରକୁ ବିଦ୍ଧ କରିଥିଲା? ଅଭିଯୁକ୍ତ ଗୋପାଳ କେଉଁଠୁ ଥାଇ ଗୁଳି ମାରିଥିଲା? ଏସବୁକୁ ପୁଣି ଥରେ ଯାଞ୍ଚ କରିଛି କ୍ରାଇମବ୍ରାଞ୍ଚର ନୂଆ ଟିମ୍ । ଏସବୁ ଛାନବିନ୍ କରିବା ସହ ଟିମ୍ ସେତେବେଳେ ଗୋପାଳ ଚାକିରି କରୁଥିବା ଗାନ୍ଧି ଛକ ଫାଣ୍ଡି ଯାଇ ପଚରାଉଚରା କରିଛି । ସେଠିକାର କିଛି କର୍ମଚାରୀଙ୍କୁ ଗୋପାଳ ସମ୍ପର୍କରେ ପଚରାଉଚରା କରିଛି କ୍ରାଇମବ୍ରାଞ୍ଚର ନୂଆ ଟିମ୍ ।

ଗାନ୍ଧି ଛକ ପାଖରେ ଥିବା ଗୋପାଳର ଭାଇ କରିଥିବା ହୋଟେଲକୁ ବି ଯାଇଥିଲା ତଦନ୍ତକାରୀ ଦଳ । ହୋଟେଲର ଘର ମାଲିକକୁ ଡାକି ପଚରାଉଚରା ବି କରିଥିଲା । ବ୍ରଜରାଜନଗରରେ ଖୋଳତାଡ଼ ପରେ ଟିମ୍ ବାହାରିଥିଲା ଝାରସୁଗୁଡ଼ା ସଦର ହସ୍ପିଟାଲ । ଗୁଳି ମାଡ଼ ପରେ କେଉଁ ସ୍ଥିତିରେ ନବ ଦାସ ମେଡିକାଲ ଆସିଥିଲେ? ସେତେବେଳେ ମନ୍ତ୍ରୀଙ୍କ ଅବସ୍ଥା କେତେ ସିରିଏସ୍ ଥିଲା ? ଭୁବନେଶ୍ବରକୁ ଏୟାରଲିଫ୍ଟିଂ ପାଇଁ କେଉଁଠୁ ନିର୍ଦ୍ଦେଶ ଆସିଲା ? ନବଙ୍କ ସହ କିଏ କିଏ ଯାଇଥିଲେ? ଏସବୁ ପ୍ରଶ୍ନ ଗୋଟି ଗୋଟି କରି ସେତେବେଳର ସିଡିଏମ୍ଓ ଥିବା ଡୋଳାମଣି ପଟେଲଙ୍କୁ ପଚାରିଛି ଟିମ୍ ।

ଅଧିକ ପଢ଼ନ୍ତୁ: ପାରାଦୀପ ବିଜେଡିରେ ବିସ୍ଫୋରଣ, ବାପି ତମେ ଏ କ’ଣ କଲ ?

ନବ ଦାସଙ୍କୁ ଚିକିତ୍ସା କରିଥିବା ଅନ୍ୟ ଦୁଇ ଜଣ ଡାକ୍ତର, ମେଡିସିନ୍ ସ୍ପେଶାଲିଷ୍ଟ ରଞ୍ଜନ ପଟେଲ ଓ ସର୍ଜରୀ ସ୍ପେଶାଲିଷ୍ଟ ଜିତେନ ପଟେଲଙ୍କଠାରୁ ବି BNSS ଧାରା ୧୬୧ରେ ରେକର୍ଡ କରିଛି ବୟାନ । ଏଥିସହିତ ଏୟାରଲିଫ୍ଟିଂ ବେଳେ ସାଥିରେ ଯାଇଥିବା ନର୍ସଙ୍କୁ ମଧ୍ୟ ପଚରା ଉଚରା କରାଯାଇଛି । ଯଦିଓ ତତ୍କାଳୀନ ସିଡିଏମ୍ଓ କ୍ରାଇମବ୍ରାଞ୍ଚ୍ ତନାଘନା ସମ୍ପର୍କରେ ପଦୁଟିଏ ବି ମୁହଁ ଖୋଲୁନାହାନ୍ତି, ହେଲେ ଡାକ୍ତର ଜିତେନ ପଟେଲ କହିଛନ୍ତି ଏଏୟାରଲିଫ୍ଟିଂ ବେଳେ ନବଙ୍କ ଅବସ୍ଥା କ୍ରିଟିକାଲ ଥିଲା । ଯେହେତୁ ଗୋପାଳ ମାରିଥିବା ଗୁଳିଟି ଏଯାଏଁ ମିଳୁନାହିଁ, ତେଣୁ ସେ ରହସ୍ୟ ଭେଦିବାକୁ ପ୍ରାଣପଣେ ଲାଗିପଡ଼ିଛି କ୍ରାଇମବ୍ରାଞ୍ଚର ନୂଆ ତଦନ୍ତକାରୀ ଟିମ୍ ।

ପୂର୍ବ ଟିମ୍ ଇନଭେଷ୍ଟିଗେସନ୍ ଯେଉଁଠି ଶେଷ କରିଥିଲା ନୂଆ ଟିମ୍ ସେଇଠୁ ଖିଅ ଧରୁଛି । ଗୋଟିଏ ପଟେ ମୁଖ୍ୟମନ୍ତ୍ରୀଙ୍କୁ ନବ ଦାସଙ୍କ ପରିବାର ସଦସ୍ୟଙ୍କ ସାକ୍ଷାତ, ଅନ୍ୟପଟେ ନବ ହତ୍ୟା ରହସ୍ୟ ଭେଦିବାକୁ କ୍ରାଇମବ୍ରାଞ୍ଚର ତନାଘନା । ଏସବୁ ଭିତରେ ଜାରି ରହିଛି ପଲଟିକାଲ ବୟାନବାଜି । କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି, ଏବେ ବି ଓଡ଼ିଶା ପୋଲିସ ତଦନ୍ତ ଉପରେ ନବଙ୍କ ପରିବାରର ଭରସା ନାହିଁ । ତେଣୁ ସିବିଆଇ ତଦନ୍ତ ହିଁ କରାଯାଉ । ଯେହେତୁ ମୁଖ୍ୟମନ୍ତ୍ରୀ କହିଛନ୍ତି ପ୍ରକୃତ ଦୋଷୀକୁ ଧରାଯିବ, ତେଣୁ ଗୋପାଳ ଅସଲ ଦୋଷୀ ନୁହେଁ, ସେଥିପାଇଁ ତାକୁ ଆଗେ ଜାମିନରେ ଛଡ଼ାଯାଉ ।

ଅପରପକ୍ଷେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି ନବ ହତ୍ୟା ମାମଲାର ତଦନ୍ତ ସିବିଆଇ ଦ୍ବାରା କରାଇବାକୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଚାପ ପ୍ରୟୋଗ କରିବେ । ହତ୍ୟାର ଦୁଇ ବର୍ଷ ପରେ ସିବିଆଇ ତଦନ୍ତ ପାଇଁ ନବଙ୍କ ପରିବାର ସଦସ୍ୟଙ୍କ ଜ୍ଞାନ କେମିତି ଉଦୟ ହେଲା ବୋଲି ପ୍ରଶ୍ନ କରିଛନ୍ତି । ଏବେ ଦେଖିବାର କଥା କ୍ରାଇମବ୍ରାଞ୍ଚ ନବ ହତ୍ୟା ରହସ୍ୟକୁ ଭେଦ କରୁଛି ନା ସିବିଆଇ ହାତକୁ ତଦନ୍ତ ଭାର ଯାଉଛି ।

ଅଧିକ ପଢ଼ନ୍ତୁ: ପୁଣି ପଦାରେ ବିଜେଡି କନ୍ଦଳ, ଧର୍ମପଦ ଉପାଖ୍ୟାନ ଶୁଣାଇ ଟାର୍ଗେଟ୍ କଲେ ଅଶୋକ ପଣ୍ଡା

OTV is now on Whatsapp

ପ୍ରତି ମୁହୂର୍ତ୍ତରେ ଖବରର ଅପଡେଟ୍ ପାଇଁ ଫଲୋ କରନ୍ତୁ ଓଟିଭିର ହ୍ଵାଟ୍ସଅପ ଚ୍ୟାନେଲ୍ କୁ

Join Now