Advertisment

Migrant Labourers: ଖାଇବାକୁ ଦେଉନି ଇଟାଭାଟି ମାଲିକ, ପିଠିକୁ କରୁଛି ପ୍ରହାର

ପେଟ ପୋଷିବାକୁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି । କିନ୍ତୁ ସେଠାରେ ପେଟ ତ ପୂରୁନି । ପିଠିକୁ ହେଉଛି ଲାଠି ପ୍ରହାର । ଏହା ହେଉଛି ଓଡ଼ିଆ ଦାଦନ ଶ୍ରମିକଙ୍କ ଦୁଃଖ ।

author-image
Tapan Kumar Swain
ଅଦ୍ୟତନ ହୋଇଛି
Migrant Labourers Appeal

Migrant Labourers Appeal

ବାହାର ରାଜ୍ୟରେ ଦାଦନ ଶ୍ରମିକଙ୍କୁ ନିର୍ଯାତନା ଥମିବାର ନାଁ ଧରୁନି । ବେଳେ ବେଳେ ଦାଦନ ଶ୍ରମିକଙ୍କ ମୃତ୍ୟୁ ବି ଘଟୁଛି । ଏହା ନୂଆପଡା ଜିଲ୍ଲା ପାଇଁ କୌଣସି ନୂଆ କଥା ନୁହେଁ l ଏବେ ତେଲେଙ୍ଗାନାରୁ ଦାଦନ ନିର୍ଯାତନାର ଏକ ଭିଡିଓ ଆସିଛି । ଉଦ୍ଧାର ପାଇଁ ନିର୍ଯାତିତ ଶ୍ରମିକମାନେ ଅନୁରୋଧ କରିଛନ୍ତି l ପୁଣି ଆନ୍ଧ୍ର ପ୍ରଦେଶରେ ଜଣେ ଦାଦନ ନିଖୋଜ ହୋଇଥିବା ଅଭିଯୋଗ ମଧ୍ୟ ଆସିଛି l ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେବାକୁ ଶ୍ରମ ବିଭାଗକୁ ଅନୁରୋଧ କରିଛନ୍ତି ଦାଦନ ଶ୍ରମିକଙ୍କ ପରିବାର ।

Advertisment

ପରିବାର ସଦସ୍ୟଙ୍କ ପେଟରେ ଦୁଇ ମୁଠା ଦାନା ଦେବା ପାଇଁ ନୂଆପଡା ଜିଲ୍ଲା କୋମନା ବ୍ଲକ ଜଗନ୍ନାଥପାଲି ଗାଁର ଚୈତନ୍ୟ ଶବରଙ୍କ ସହ ଅନ୍ୟ ଦୁଇ ପରିବାର ତେଲେଙ୍ଗାନାକୁ ଦାଦନ ଖଟିବାକୁ ଯାଇଥିଲେ l ୩ ପରିବାରର ୧୧ ଜଣ ସଦସ୍ୟ ସେପ୍ଟେମ୍ବର ମାସରେ ତେଲେଙ୍ଗାନାର ରାମନଗରରେ ଥିବା ଏକ ଇଟା ଭାଟିକୁ ଯାଇଥିଲେ l ସବୁ ଠିକ ଠାକ୍ ଥିଲା । କିନ୍ତୁ ୪ ମାସ ହେଲା ଇଟାଭାଟିର ମାଲିକ ସେମାନଙ୍କୁ ନିର୍ଯାତନା ଦେଉଥିବା ଦାଦନ ଶ୍ରମିକମାନେ ଏକ ଭିଡିଓ ଜରିଆରେ ଜଣାଇଛନ୍ତି l ପାରିଶ୍ରମିକ ନଦେଇ ମାଲିକ ସେଠାରେ ମାଡ ମାରୁଥିବାର ଚୈତନ୍ୟ ଅଭିଯୋଗ କରିଛନ୍ତି । ଏହି ପରିବାର ସହ ଥିବା ଶିଶୁମାନେ ମଧ୍ୟ ଠିକରେ ଖାଇବାକୁ ପାଉନାହାନ୍ତି । ଦାଦନ ଖଟିବାକୁ ଯାଇଥିବା ଏହି ପରିବାରଙ୍କୁ ଉଦ୍ଧାର କରିବା ପାଇଁ ସେମାନେ ଜିଲ୍ଲା ପ୍ରଶାସନକୁ ନିବେଦନ କରିଛନ୍ତି l

ଅଧିକ ପଢ଼ନ୍ତୁ :ଯେତେ ଖୋଳିଲେ ସେତେ ବାହାରୁଛି, ଯେଉଁଠି ହାତ ମାରିବ ସେଠୁ ବାହାରୁଛି ଟଙ୍କା 

Advertisment

ଅନ୍ୟ ଏକ ଘଟଣାରେ ଆନ୍ଧ୍ର ପ୍ରଦେଶରେ ନିଜ ଭାଇ ନିଖୋଜ ହୋଇ ଯାଇଥିବା ନୂଆପଡା ଜିଲ୍ଲା କୋମନା ବ୍ଲକ ଲଖନା ଥାନା ଛିନ୍ଦପାନି ଗାଁର ତହସିଲ ମାଝୀ ଅଭିଯୋଗ କରିଛନ୍ତି l ତହସିଲ ମାଝୀ ଅଭିଯୋଗ କରିଛନ୍ତି ଯେ, ତାଙ୍କ ସାନ ଭାଇ ଛବି ମାଝୀ ଗତ ଅକ୍ଟୋବର ମାସରେ ଆନ୍ଧ୍ର ପ୍ରଦେଶର ନାଇଡୁପେଟାକୁ କାମ କରିବାକୁ ଯାଇଥିଲେ l ଯିବାର ମାସକ ପରେ ତାଙ୍କର ମୋବାଇଲ୍ ଫୋନ୍ ଓ ପର୍ସ ଚୋରି ହୋଇଯାଇଥିଲା । ଏବେ ଆଉ ଛବି ମାଝୀଙ୍କ ସହ ଯୋଗାଯୋଗ ହୋଇପାରୁ ନାହିଁ l

ପରିବାର ସେ ଅଞ୍ଚଳକୁ ଖୋଜିବାକୁ ଯାଇ ନିରାଶ ହୋଇ ଫେରିଛନ୍ତି l ଏ ସଂପର୍କରେ ସେ ପୋଲିସ ଓ ଜିଲ୍ଲା ପ୍ରଶାସନକୁ ଜଣାଇଛନ୍ତି l ହେଲେ ଆଶା ଆଶ୍ଵାସନାରେ ଜୀବନ ବିତୁଛି l ନା ଭାଇ ଫେରୁଛି ନା ଯୋଗାଯୋଗ ହୋଇ ପାରୁଛି l ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେବାପାଇଁ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ମଧ୍ୟ ଜଣାଇଛନ୍ତି । ପଦକ୍ଷେପ ନିଆଯାଉଛି ବୋଲି କହିଛନ୍ତି ଜିଲ୍ଲା ଶ୍ରମ ଅଧିକାରୀ ରବୀନ୍ଦ୍ର ବାର୍ଲା । ନୂଆପଡ଼ା ଗରିବ ସେନାର ସଭାପତି ରବି ମଙ୍ଗରାଜ ମଧ୍ୟ ଦାଦନ ଶ୍ରମିକଙ୍କ ଦୁଃଖ ସଂପର୍କରେ ପ୍ରଶାସନକୁ ଜଣାଇଛନ୍ତି । ଓଡ଼ିଶା ସରକାର ଏହି ଘଟଣାରେ ହସ୍ତକ୍ଷେପ କରିବାକୁ ସେ ନିବେଦନ କରିଛନ୍ତି ।

ଅଧିକ ପଢ଼ନ୍ତୁ : କେବେ ଯିବ ଯନ୍ତ୍ରଣା ? କେତେ ଦିନ ଆଉ ଖଟିଆରେ ବୁହା ହେବେ ମାଆ ?

Migrant Labourers Andhra Pradesh Torture
Advertisment
Advertisment