• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ମୋ ଝିଅ ସହ ଯାହା ହେଲା, ତାହା 'ଅନ୍ୟ କାହା ସହ ନହେଉ । ଅନ୍ୟ ନେପାଳୀ ଛାତ୍ରଛାତ୍ରୀଙ୍କ ପ୍ରତି ଏମିତି କରାନଯାଉ । କିଟ୍‌ ବିଶ୍ବ ବିଦ୍ୟାଳୟରେ ପ୍ରାଣ ହରାଇଥିବା ନେପାଳୀ ଛାତ୍ରୀଙ୍କ ବାପା, ଝିଅ ମୃତ୍ୟୁରେ ମର୍ମାହତ ହୋଇ, ଏଭଳି ଭାବବିହ୍ବଳ ସ୍ବରରେ କହିଛନ୍ତି । ଆଜି ଏମ୍ସରେ ମୃତ ଛାତ୍ରୀଙ୍କ ଶବ ବ୍ୟବଚ୍ଛେଦ ଲାଗି ଛାତ୍ରୀଙ୍କ ବାପା ଓ ପରିବାର ଲୋକେ ଉପସ୍ଥିତ ଥିବା ବେଳେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, 'ଉଚ୍ଚ ଶିକ୍ଷା ପାଇଁ ଝିଅକୁ ଏତେ ଦୂର ପଠାଇଥିଲୁ । ହେଲେ ମୋ ଝିଅ ସହ ଯାହା ହେଲା ତାହା ଆଉ କାହା ସହ ନ ହେଉ ବୋଲି ମୃତ ଛାତ୍ରୀଙ୍କ ବାପା କହିଛନ୍ତି ।

ସେହିପରି ସେ ଆହୁରି କହିଛନ୍ତି ଓଡ଼ିଶା ସରକାର, ପୋଲିସ ଉପରେ ଭରସା ଅଛି, ନ୍ୟାୟ ମିଳିବ । ନେପାଳ ଯାଇ ଆମ କଲେଜରେ ପାଠ ପଢ଼ାଅ ବୋଲି ଡାକି ଆଣିଥିଲେ ହେଲେ, ନେପାଳରୁ ପିଲା ଆସି ପଢ଼ିବା ପରେ ତାଙ୍କୁ କଲେଜ ଦୁର୍ବ୍ୟବହାର କରୁଛି ବୋଲି ଅଭିଯୋଗ କରିଛନ୍ତି ମୃତ ଛାତ୍ରୀଙ୍କ ବାପା । ସେ କହିଛନ୍ତି, 'KIIT ପକ୍ଷରୁ ଅନେକ ଥର ନେପାଳରେ କାର୍ଯ୍ୟକ୍ରମ ହୋଇଛି । କାର୍ଯ୍ୟକ୍ରମରେ KIITରେ ପାଠ ପଢ଼ାଅ, ଭଲ ସ୍କୋପ୍ ଅଛି ବୋଲି କହୁଥିଲେ । ପ୍ରତି ସେମିଷ୍ଟର ବାବଦକୁ ଟଙ୍କା ନେଉଥିଲେ, ସୁରକ୍ଷା ବ୍ୟବସ୍ଥା ଭଲ ବୋଲି କହୁଥିଲେ। କିନ୍ତୁ ନେପାଳରୁ ପିଲା ଆସି ଏଠାରେ ପଢ଼ିବା ପରେ ତାଙ୍କୁ କଲେଜ ଦୁର୍ବ୍ୟବହାର କରୁଛି’ ବୋଲି ସେ କହିଛନ୍ତି ।

ଅଧିକ ପଢ଼ନ୍ତୁ: KIITରେ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣା; ବନ୍ଧା ହେଲା ବୟଫ୍ରେଣ୍ଡ୍

ସେପଟେ KIITରେ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣାରେ ଆଜି ମୃତ ଛାତ୍ରୀଙ୍କ ଶବ ବ୍ୟବଚ୍ଛେଦ ହେବ । ଭୁବନେଶ୍ୱରର ଏମ୍ସରେ ଶବ ବ୍ୟବଚ୍ଛେଦ କରାଯିବ । ସେପଟେ ମୃତ ଛାତ୍ରୀଙ୍କ ପରିବାର ଲୋକେ ଭୁବନେଶ୍ୱରରେ ପହଞ୍ଚି ସାରିଛନ୍ତି । ସୂଚନା ଅନୁସାରେ ରବିବାର ଅପରାହ୍ମରେ କିଟ୍ ହଷ୍ଟେଲରେ ନେପାଳୀ ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କରିଥିଲେ । ଏକ ରୁମରୁ ତାଙ୍କର ମୃତଦେହ ଉଦ୍ଧାର ହୋଇଥିଲା । ଏହାପରେ କ୍ୟାମ୍ପସରେ ହଙ୍ଗାମା ଲାଗି ରହିଥିଲା । ଏବେ ବି କିଟ୍ କ୍ୟାମ୍ପସରେ ପୋଲିସ ମୁତୟନ ଅଛନ୍ତି ।

ଅନ୍ୟପଟେ କିଟ୍ ଛାତ୍ରୀ ଆତ୍ମହତ୍ୟା ଘଟଣାରେ ଗିରଫ ହୋଇଥିବା ପୁରୁଷ ବନ୍ଧୁ ଆଦ୍ବିକ୍ ଶ୍ରୀବାସ୍ତବ ଜେଲ୍ ଯାଇଛନ୍ତି । ଅଭିଯୁକ୍ତକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି କୋର୍ଟ । ଆବଶ୍ୟକ ପଡ଼ିଲେ ତାଙ୍କୁ ରିମାଣ୍ଡର ଆଣିବା ପାଇଁ କୋର୍ଟରେ ଆବେଦନ କରାଯିବ ବୋଲି ପୋଲିସ କମିଶନର ଏସ୍. ଦେବଦତ୍ତ ସିଂ କହିଛନ୍ତି । ଗତକାଲି ଇନଫୋସିଟି ଥାନା ପୋଲିସ ଆଦ୍ବିକ୍ ଶ୍ରୀବାସ୍ତବକୁ ଗିରଫ ପରେ କୋର୍ଟ ଚାଲାଣ କରିଥିଲା ।

ରାଜ୍ୟ ବାହାରକୁ ଖସି ପଳାଇବା ପାଇଁ ଉଦ୍ୟମ କରୁଥିବାବେଳେ ଭୁବନେଶ୍ବର ଏୟାରପୋର୍ଟ ନିକଟରୁ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । ଅଭିଯୁକ୍ତଙ୍କ ନିକଟରୁ ଏକ ମୋବାଇଲ୍ ଫୋନ୍ ଏବଂ ଲ୍ୟାପଟପକୁ ଜବତ କରିଛି ପୋଲିସ । ପଚରାଉଚରା ବେଳେ ନିଜ ଅପରାଧକୁ ସ୍ବୀକାର କରିଛନ୍ତି ଅଭିଯୁକ୍ତ ଆଦ୍ବିକ୍ ଶ୍ରୀବାସ୍ତବ । ଅଭିଯୁକ୍ତଙ୍କ ବିରୋଧରେ ଆତ୍ମହତ୍ୟା ପାଇଁ ଉସୁକାଇବା ଅଭିଯୋଗରେ BNS ଧାରା ୧୦୮ ମାମଲା ରୁଜୁ ହୋଇଛି ।

ପୋଲିସର କହିବା କଥା, ଦୁଇ ବର୍ଷ ପୂର୍ବେ ମୃତ ଛାତ୍ରୀଙ୍କ ସହ ଆଦ୍ବିକ୍ ଶ୍ରୀବାସ୍ତବର ଚିହ୍ନା ପରିଚୟ ହୋଇଥିଲା । ତାହାରି ଭିତରେ ଛାତ୍ରୀଙ୍କ ଅଗୋଚରରେ ଆଦ୍ବିକ୍ ନିଜ ମୋବାଇଲରେ ଫଟୋ ଏବଂ ଭିଡିଓ ବି ଉଠାଇ ରଖିଥିଲା । କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ଉପୁଜିଥିଲା । ଏହି ମାମଲାକୁ ନେଇ କିଟ୍ ଅଧିନରେ ଥିବା IRO ବିଭାଗ ଦୁଇ ଦୁଇ ଥର ଆପୋଷ ସମାଧାନ ବି କରିଥିଲା । ତଥାପି ଅଭିଯୁକ୍ତ ସଂପୃକ୍ତ ଛାତ୍ରୀଙ୍କୁ ମାନସିକ ନିର୍ଯାତନା ଦେଇଚାଲିଥିଲା । ଶେଷରେ ଉଭୟଙ୍କ ମଧ୍ୟରେ ପୁଣି ଝଗଡ଼ା ହେବାରୁ ନିର୍ଯାତନା ସହିନପାରି ଶେଷରେ ନିଜ ରୁମରେ ଛାତ୍ରୀ ଜଣକ ଆତ୍ମହତ୍ୟା କରିଥିବା ପୋଲିସ କହିଛି ।

ଅଧିକ ପଢ଼ନ୍ତୁ: ଆଜି ମୃତ ଛାତ୍ରୀଙ୍କ ଶବ ବ୍ୟବଚ୍ଛେଦ, ଭୁବନେଶ୍ୱରରେ ପହଞ୍ଚିଲେ ପରିବାର ଲୋକେ

OTV is now on Whatsapp

Join and get latest news update delivered to you via whatsapp

Join Now