/odishatv-khabar/media/post_attachments/uploadimage/library/16_9/16_9_0/IMAGE_1751558387.jpg)
Kangaroo Court
ଅଣ୍ଟା ନଇଁ ଗଲାଣି, ଆଖିକୁ ବି ଦିଶୁନି। କଥା କହିବାକୁ ଜୁ ନାହିଁ, କି ପ୍ରତିବାଦ କରିବାକୁ ବଳ। ହେଲେ ଅନ୍ୟାୟ ଓ ଅତ୍ୟାଚାରକୁ ସହି ହେଉ ନଥିବାରୁ ଥର ଥର କଣ୍ଠରେ ଖୋଲିବାକୁ ପଡ଼ୁଛି ପାଟି। ଗାଁରେ ବସିଥିବା କଙ୍ଗାରୁ କୋର୍ଟର ରାୟ ପରେ ଘର ଦ୍ବାର ଛାଡ଼ି ଚାଲି ଆସିବା ପରେ ଇଏ ବୃଦ୍ଧ ବାପା ମାଙ୍କ ଲୁହ ଭିଜା କରୁଣ ବିନୀତି।
ଘଟଣା କିଛି ଏମିତି। କେନ୍ଦ୍ରାପଡ଼ା ପଟ୍ଟମୁଣ୍ଡାଇ ବ୍ଲକ ବାଲିଆ ଗାଁର ଅଲେଖ ନାଥ। ଘର ଆଗରେ ଥିବା ସରକାରୀ ଜାଗାରେ ଏକ କ୍ୟାବିନ୍ ପକାଇ ଛୋଟିଆ ବ୍ୟବସାୟ କରି ପୋଷୁଥିଲେ ୯ ପ୍ରାଣୀ କୁଟୁମ୍ବ। କିନ୍ତୁ କିଛି ଦିନ ତଳେ ଗାଁ ଲୋକେ, ସେହି କ୍ୟାବିନ୍ ପଡ଼ିଥିବା ସ୍ଥାନରେ ଠାକୁରାଣୀ ଘର କରିବାକୁ ଦାବି କଲେ। ଅଲେଖ ପ୍ରତିବାଦ କରିବାରୁ ଗାଁରେ ବସିଲା କଙ୍ଗାରୁ କୋର୍ଟ।
ନିଷ୍ପତ୍ତି ହେଲା କ୍ୟାବିନ ହଟାଯିବ, ଆଉ ଅଲେଖଙ୍କୁ ଗାଁରୁ ବିତାଡ଼ିତ କରାଯିବ। କିଛି ଦିନ ପରେ କାର୍ଯ୍ୟକାରୀ ହେଲା କଙ୍ଗାରୁ କୋର୍ଟର ନିଷ୍ପତ୍ତି। ଅଲେଖଙ୍କ ବୃଦ୍ଧ ବାପା-ମାଆ, ୫ ଝିଅ ଯେତେ ନେହୁରା ହେଲେ ବି ଶୁଣିଲେନି ଗାଁ ଲୋକେ।କ୍ୟାବିନକୁ ଉଠାଇ ପୋଖରୀକୁ ଫିଙ୍ଗିଦେବା ସହ ଅସହ୍ୟ ନିର୍ଯାତନା ଦେବାରୁ ବାଧ୍ୟ ହୋଇ ଗାଁ ଛାଡ଼ିଲେ ଅଲେଖଙ୍କ ପରିବାର।
ଏପଟେ ଗାଁ ଲୋକଙ୍କ ଏ ଜବରଦସ୍ତି, ଅକଥନୀୟ ଅତ୍ୟାଚାର ଏବଂ ଅସହ୍ୟ ନିର୍ଯାତନା ସମ୍ପର୍କରେ ସ୍ଥାନୀୟ ପୋଲିସ ଓ ପ୍ରଶାସନକୁ ଜଣାଇଥିଲେ ବି କିଛି ଲାଭ ହେଲାନି। ପରେ ବାଧ୍ୟ ହୋଇ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଆଗରେ ଧାରଣା ବି ଦେଲେ ଅଲେଖଙ୍କ ପରିବାର। କିନ୍ତୁ କିଛି ସୁଫଳ ମିଳିଲାନି ।
ଗୋଟେପଟେ ବେଉଷାକୁ ଉଜାଡ଼ିଦେବା ଏବଂ ଅନ୍ୟପଟେ ଗାଁରୁ ବିତାଡ଼ିତ କରିବା ପରେ ବୃଦ୍ଧ ବାପା ମା ଓ ୫ ଝିଅଙ୍କୁ ଧରି ଅତି ଦୁଃଖ ଆଉ ଯନ୍ତ୍ରଣା ଭିତରେ ବାର ଦୁଆର ବୁଲି ଏକପ୍ରକାର ଭିକ୍ଷା ବୃତ୍ତି କରି ଚଳୁଛନ୍ତି ପୂରା ପରିବାର। ସେପଟେ ସ୍ଥାନୀୟ ଜନପ୍ରତିନିଧି, ପୋଲିସ ଓ ପ୍ରଶାସନର ଉଦାସୀନତା, ସେମାନଙ୍କ କଟା ଘାରେ ଚୂନ ଭଳି ହୋଇଛି।
୨୦୨୫ ମସିହାରେ ବି କଙ୍ଗାରୁ କୋର୍ଟର ଏ ନିଷ୍ପତ୍ତି ପରେ ସଭ୍ୟ ସମାଜରେ ନ୍ୟାୟ ବ୍ୟବସ୍ଥାକୁ ଉଠିଛି ପ୍ରଶ୍ନ। ଏଠି ଭୁଲ କଲା କିଏ ଆଉ ଶାସ୍ତି ଭୋଗୁଛି କିଏ। ଅଲେଖଙ୍କୁ ଦଣ୍ଡିତ କରିବାକୁ ଯାଇ ଗାଁ ଲୋକେ କଠୋର ନିଷ୍ପତ୍ତି ନେଇଛନ୍ତି। ହେଲେ ଅଲେଖଙ୍କ ବୃଦ୍ଧ- ବାପା ମାଆ ଓ ଛୁଆଙ୍କର କଣ ଦୋଷ ?
ଘର ଦ୍ବାରା ଥାଇ ବି ସେମାନେ କାହିଁକି ଯାଯାବର ଭଳି ବାର ଦୁଆର ବୁଲିବେ? ତେବେ ଅଭିଯୋଗ ନେଇ ସ୍ଥାନୀୟ ପ୍ରଶାସନ ମୁହଁ ଖୋଲୁ ନଥିଲା ବେଳେ ପ୍ରତିକ୍ରିୟାରେ କେନ୍ଦ୍ରାପଡ଼ା ଏସପି କହିଛନ୍ତି ଅଭିଯୋଗର ସତ୍ୟାସତ୍ୟ ଯାଞ୍ଚ ପାଇଁ ଆଇଆଇସିଙ୍କୁ ନିର୍ଦେଶ ଦିଆଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)