/odishatv-khabar/media/post_attachments/uploadimage/library/16_9/16_9_0/IMAGE_1751543335.jpg)
Elderly Couple Ends Life
'ପୁଅରେ... ବୟସ ହେଇଗଲାଣି, ଆଉ କାମଧନ୍ଦା କରିପାରୁନି । ତୋ ପାଖରେ ଆମେ ରହିବୁ । ଯାହା ଶାଗମୁଗ ଦେବୁ ଖାଇ ବଞ୍ଚିବୁ । ନାତି ନାତୁଣୀକୁ ଖେଳାଇବୁ । ତୋ ଆଖିରେ ଦୁନିଆ ଦେଖିବୁ । ତୋ ଖୁସିରେ ଆମେ ଖୁସି ହେବୁ ଆଉ ତୋ ଦୁଃଖରେ ଦୁଃଖୀ । ଘରର ଗୋଟିଏ କୋଣେ ପଡ଼ି ରହିବୁ । ଆମକୁ ଘରୁ ବାହାର କରେନା, ଆମେ କୁଆଡେ ଯିବୁନି ତୋରି ପାଖରେ ରହିବୁ....' ପରିଣତ ବୟସରେ ସାହାରା ଦେବାକୁ ପୁଅ ଆଗରେ ଏମିତି ନେହୁରା ହୋଇଥିଲେ ବାପାମାଆ ।
ଅଧିକ ପଢନ୍ତୁ: ବାପାର ଶବ ସତ୍କାର ପାଇଁ ଯାଉଥିଲେ ପୁଅ-ବୋହୂ, ନିଜେ ଶବ ହୋଇଗଲେ...
ବୟସର ଅପରାହ୍ନରେ ଅନ୍ଧର ଲଉଡି ବୁଝିଲାନି ବାପାମାଆର ଦୁଃଖ । ପୁଅ ପାଇଁ ଅଲୋଡା ହୋଇଗଲେ ବାପାମାଆ । କୋଳେଇ କାଖେଇ ବଡ଼ କରିଥିବା ବାପାମା’ଙ୍କୁ ଘରୁ ବାହାର କରିଦେଲା ପୁଅ । ଶେଷରେ ଧାର କରଜ କରି ପେଟ ପୋଷିଲେ । ଏତେ କରଜ ହୋଇଗଲା ଯେ ସୁଝି ପାରିଲେନି ବୃଦ୍ଧ ଦମ୍ପତି । ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କଲେ । ନୂଆପଡ଼ା ଜିଲ୍ଲାର ସଦର ଥାନା ସିଲଦା ଗାଁରେ ଘଟିଛି ଏହି ଦୁଃଖଦ ଘଟଣା ।
ପୁଅ ଓ ପତ୍ନୀ ଜାମବାଈଙ୍କୁ ନେଇ ସିଲଦା ଗାଁର ଯଦୁରାମ ପାଣ୍ଡେଙ୍କର ଥିଲା ସୁନାର ସଂସାର । ସମୟକ୍ରମେ ପୁଅ ବଡ଼ ହୋଇଗଲା । ଜାମବାଈ ଓ ଯଦୁରାମ ବୃଦ୍ଧ ହୋଇଗଲେ । ଆଉ କାମ ଧନ୍ଦା କରିପାରିଲେନି ଯଦୁରାମ । ପୁଅ ଉପରେ ନିର୍ଭର କରି ଚଳିଲେ। ଭାବିଥିଲେ ବୟସର ଅପରାହ୍ନରେ ପୁଅ ସାହାରା ପାଲଟିବ।
ହେଲେ କୁଳାଙ୍ଗାର ପୁଅ ପଚାରିଲାନି । ତା’ ପାଇଁ ଅଲୋଡା ହୋଇଗଲେ ବୁଢ଼ା ବାପା-ମା’। ବୃଦ୍ଧ ଦମ୍ପତିଙ୍କୁ ଘରୁ ତଡ଼ିଦେଲା ପୁଅ। ଶେଷରେ ବାର ଦୁଆର ଶୁଣ୍ଡି ପିଣ୍ଡା ହୋଇ ଜୀବନ କାଟିଲେ । ଧାର କରଜ କରି ପେଟ ପୋଷିଲେ । ଧୀରେ ଧୀରେ କରଜର ଭାର ଏତେ ହୋଇଗଲା ଯେ, ଶୁଝିବା ମୁସ୍କିଲ ହୋଇପଡ଼ିଲା ।
ଧାର ଦେଇଥିବା ଲୋକ ଟଙ୍କା ମାଗି ମାଗି ବସେଇ ଉଠେଇ ଦେଲେନି । ନାନା ଗାଳିମନ୍ଦ ବି କଲେ । କ’ଣ କରିବେ କିଛି ବୁଝି ପାରୁନଥିଲେ ବୃଦ୍ଧ ଦମ୍ପତି । ଦିନକୁ ଦିନ ସେମାନଙ୍କ ମାନସିକ ଚାପ ବଢ଼ି ଚାଲିଥିଲା । ଶେଷରେ ନେଇଥିଲେ ଚରମ ନିଷ୍ପତ୍ତି । ଜୀବନ ହାରିବାକୁ ଆପଣାଇଥିଲେ ବାଟ । ଉଭୟ ଟ୍ରେନ ଆଗକୁ ଡେଇଁ ପଡ଼ିଲେ। ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପରେ ପରିବାରକୁ ଲୋକଙ୍କୁ ହସ୍ତାନ୍ତର କରିଛି । ପୂରା ଘଟଣାର ତଦନ୍ତ ଜାରି ରଖିଛି । ଦମ୍ପତିଙ୍କ ଆତ୍ମହତ୍ୟାର କାରଣ ଋଣ ବୋଝ ନା ଆଉ କିଛି ସେ ନେଇ ଛାନଭିନ୍ ଜାରି ରଖିଛି ପୋଲିସ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)