ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରେ ଶ୍ରୀଗୁଣ୍ଡିଚା ବା ରଥଯାତ୍ରା ସର୍ବଶ୍ରେଷ୍ଠ। ସ୍ନାନଯାତ୍ରା ଓ ରଥଯାତ୍ରା ଭଳି ଅନ୍ୟ ଯାତ୍ରା ମାନଙ୍କରେ ଠାକୁରଙ୍କ ସହିତ ମଣିଷର ସେପରି ସାକ୍ଷାତ ସାନ୍ନିଧ୍ୟ ଓ ଗୁଢ଼ ସୁଯୋଗର ସୁବିଧା ଘଟି ନଥାଏ। ଆଷାଢ଼ ଶୁକ୍ଳ ଦ୍ୱିତୀୟାର ପୁଣ୍ୟ ତିଥିରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ମହୋତ୍ସବ ଅନୁଷ୍ଠିତ ହୁଏ। ସେଦିନ ଶ୍ରୀମନ୍ଦିରରୁ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା ରଥରେ ବସି ଗୁଣ୍ଡିଚା ମନ୍ଦିର ଯାତ୍ରା କରନ୍ତି। ଆଷାଢ଼ ଶୁକ୍ଳପକ୍ଷ ଦଶମୀ ବା ବାହୁଡ଼ା ଦଶମୀ ଦିନ ଶ୍ରୀଜଗନ୍ନାଥ ମହାପ୍ରଭୁ ରଥରେ ଗୁଣ୍ଡିଚା ଘରୁ ବଡ଼ ଦେଉଳକୁ ଫେରନ୍ତି, ଏହି ଫେରନ୍ତା ଯାତ୍ରାକୁ ବାହୁଡ଼ା ଯାତ୍ରା କୁହାଯାଏ।
ଆଡ଼ପ ମଣ୍ଡପରେ ତିନି ଠାକୁର
ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିର ପ୍ରାୟ ଦେଢ଼ ମାଇଲ ଦୂର। ରଥଯାତ୍ରା ଦିନ ସନ୍ଧ୍ୟା ସୁଦ୍ଧା ରଥଗୁଡ଼ିକ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିବା ପରେ ପ୍ରଚଳିତ ବିଧିବିଧାନ ଅନୁସାରେ ବିଗ୍ରହମାନଙ୍କୁ ରଥରୁ ଓହ୍ଲାଇ ତହିଁ ପରଦନ ଗୁଣ୍ଡିଚା ମନ୍ଦିରକୁ ନିଆଯାଏ। ରଥଯାତ୍ରା ଦିନ ଦିଅଁମାନେ ଗୁଣ୍ଡିଚା ମଣ୍ଡପକୁ ବିଜେ କରିବା ଶାସ୍ତ୍ର ସମ୍ମତ। ଗୁଣ୍ଡିଚା ମନ୍ଦିରର ଯେଉଁ ସିଂହାସନରେ ତିନି ଠାକୁର ବିଜେ କରନ୍ତି ତାକୁ ‘ଆଡ଼ପ ମଣ୍ଡପ’ କୁହାଯାଏ। ଠାକୁରମାନେ ଏଠାରେ ସାତଦିନ ଅବସ୍ଥାନ କରନ୍ତି। ତିନିରଥ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିବା ପରେ ଆଡ଼ପ ମଣ୍ଡପକୁ ଠାକୁରମାନଙ୍କର ପହଣ୍ଡି ବିଜେ ହୁଏ। ଏହାପରେ ସେଠାରେ ମାଘସ୍ନାନ ଓ ହୋମ କରଯାଏ।
ଆଡ଼ପ ଅଭଡ଼ା
ଗୁଣ୍ଡିଚା ମନ୍ଦିର ମଧ୍ୟରେ ଠାକୁରମାନଙ୍କର ସାତଦିନର ରହଣି କାଳର ସେବାପୂଜା ଆଦି ସମସ୍ତ କର୍ମ ଶ୍ରୀମନ୍ଦିରର ବିଧିବିଧାନ ଅନୁସାରେ କରାଯାଇଥାଏ। ଗୁଣ୍ଡିଚା ମନ୍ଦିର ପ୍ରବେଶଠାରୁ ପ୍ରତ୍ୟାବର୍ତ୍ତନ ପର୍ଯ୍ୟନ୍ତ ମନ୍ଦିରରେ ଯେଉଁ ପ୍ରସାଦ ହୁଏ, ତାକୁ ‘ଆଡ଼ପ ଅଭଡ଼ା’ କୁହାଯାଏ। ଭୋରରୁ ଠାକୁରମାନଙ୍କର ମଙ୍ଗଳ ଆରତି, ମାଘସ୍ନାନ, ବାଳଭୋଗ, କୋଠଭୋଗ, ଖେଚେଡ଼ି ଭୋଗ, ତିନିଧୂପ, ବଡ଼ସିଂହାର, ଦେଉଳ ଶୋଧ ଆଦି କର୍ମ ସମ୍ପାଦିତ ହୋଇଥାଏ। ରଥଯାତ୍ରା ଦିନଠାରୁ ଠାକୁରମାନେ ଗୁଣ୍ଡିଚା ଘରେ ଥିବା ପର୍ଯ୍ୟନ୍ତ ତିନି ରଥରେ ଧ୍ୱଜ ପୂଜା ହୁଏ। ଦ୍ଵିତୀୟାଠାରୁ ଦଶମୀ ପର୍ଯ୍ୟନ୍ତ ନବଦିନ ଜଗନ୍ନାଥ ଦର୍ଶନକୁ ‘ଆଡ଼ପ ଦର୍ଶନ’ କୁହାଯାଏ। ଏହି ଦର୍ଶନ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ।
ତିନି ରଥର ଦକ୍ଷିଣମୋଡ଼
ଶ୍ରୀବିଗ୍ରହମାନଙ୍କର ଫେରନ୍ତା ରଥଯାତ୍ରାକୁ ବାହୁଡ଼ା ବା ଦକ୍ଷିଣାଭିମୁଖୀ ଯାତ୍ରା ମଧ୍ୟ କୁହାଯାଏ। ରଥଯାତ୍ରାର ନବମ ଦିବସରେ ଦେବତାମାନଙ୍କୁ ରଥରେ ଅଧିଷ୍ଠିତ କରାଯାଏ। ବାହୁଡ଼ାଯାତ୍ରା ଶ୍ରୀଜଗନ୍ନାଥଙ୍କ ନବଦିନ ବ୍ୟାପୀ ରଥଯାତ୍ରାର ଏକ ପ୍ରଧାନ ଅଂଶ। ବାହୁଡ଼ା ଅର୍ଥ ବାହୁଡ଼ିବା ବା ପ୍ରତ୍ୟାବର୍ତ୍ତନ କରିବା। ଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିରକୁ ତିନି ଠାକୁରଙ୍କ ଏହି ଫେରନ୍ତା ଯାତ୍ରା, ଆଷାଢ଼ ଶୁକ୍ଳ ଦଶମୀ ତିଥିରେ ଅନୁଷ୍ଠିତ ହୋଇଥାଏ। ବାହୁଡ଼ା ଯାତ୍ରା ପୂର୍ବରୁ ଅଷ୍ଟମୀ ଦିନ ଶରଧାବାଲିଠାରେ ରଖାଯାଇଥିବା ତିନୋଟି ଯାକ ରଥକୁ ଦକ୍ଷିଣମୋଡ଼ କରାଯାଇ ଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାର ସମ୍ମୁଖରେ ରଖାଯାଇଥାଏ। ନନ୍ଦିଘୋଷ ରଥ ଶ୍ରୀନଅର ସମ୍ମୁଖରେ ପହଞ୍ଚିବା ପରେ ସେଠାରେ ପାରମ୍ପରିକ ରୀତିମତେ ଲକ୍ଷ୍ମୀ-ନାରାୟଣ ଭେଟ କରାଯାଇଥାଏ।
ଗୁଣ୍ଡିଚା ମନ୍ଦିରରେ ଭୂତ !!
ନବମୀ ଦିନ ଆଡ଼ପ ମଣ୍ଡପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ଓ ମହାପ୍ରସାଦ ସେବନ, ଦୁର୍ଲ୍ଲଭ ପୁଣ୍ୟ କର୍ମ ବୋଲି ହିନ୍ଦୁ ମାନଙ୍କର ବଶ୍ଵାସ ରହିଛି। ବିଶ୍ୱାସ ଅଛି ଯେ, ଏହିଦିନ ଦେଉଳ ଶୋଧ ପରେ ନିସ୍ତବ୍ଧ ରାତିରେ ରୋଷ ଘରେ ଥିବା ସବୁ କୁଡ଼ୁଆ ଆପେ ଆପେ ଭଙ୍ଗିଯାଏ। କୁହାଯାଏ, ସାରା ବର୍ଷ ଗୁଣ୍ଡିଚା ମନ୍ଦିର ଶୂନ୍ୟ ପଡ଼ୁଥିବାରୁ ସେଠାରେ ଏକ ବାବନାଭୁତ ରହିଥାଏ ଏବଂ ନବମୀ ଦିନ ରାତିରେ ଆସି ରାଗରେ ସବୁ କୁଡ଼ୁଆ ଭାଙ୍ଗି ପକାଏ।
ବାହୁଡ଼ା ନୀତି
ଦଶମୀ ତିଥିରେ ‘ପ୍ରତ୍ୟାବର୍ତ୍ତନ ଗୁଣ୍ଡିଚା’ ବା ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୁଏ। ଏହି ଯାତ୍ରାର ସମସ୍ତ ବିଧିବିଧାନ ଓ ଠାକୁରମାନଙ୍କର ପୂଜା ଅର୍ଚ୍ଚନା ଗୁଣ୍ଡିଚା ଯାତ୍ରା ଭଳି କରାଯାଇଥାଏ। ସେଦିନ ଭୋରରୁ ଠାକୁରମାନଙ୍କ ପାଖରେ ପାରମ୍ପରିକ ରୀତିରେ ଖେଚଡ଼ି ଭୋଗ ହୁଏ। ତିନି ଠାକୁରଙ୍କୁ ପହଣ୍ଡି କରି ରଥକୁ ନିଆ ଯାଇଥାଏ। ପୂର୍ବରୁ ରାଜାଙ୍କ ହାତୀ ସାହାଯ୍ୟରେ ରଥଗୁଡିକୁ ଦକ୍ଷିଣ ମୋଡ଼ କରି ରଖାଯାଉଥିଲା। ଏବେ ପୋଲିସ୍ ଓ ଭକ୍ତଙ୍କ ଦ୍ୱାରା ତିନି ରଥକୁ ଦକ୍ଷିଣ ମୋଡ଼ କରାଯାଉଛି। ପହଣ୍ଡି ବିଜେ ପରେ ଗଜପତି ମହାରାଜା ଆସି ରଥରେ ଛେରାପହଁରା କରନ୍ତି। ତାଙ୍କ ଅନୁପସ୍ଥିତିରେ ମୁଦିରଥ ଆସି ସେ କାର୍ଯ୍ୟ ସମ୍ପାଦନ କରିପାରିବେ। ଏହାପରେ ରଥରୁ ଚାରମାଳ ଖୋଲାଯାଏ। ଘୋଡ଼ା ଯୋଚାଯାଇ ଡାହୁକ ବସନ୍ତି। ଶେଷକୁ ରଥଟଣା ଆରମ୍ଭ ହୁଏ। ପ୍ରଥମେ ବଡ଼ ଠାକୁର ବଳଭଦ୍ରଙ୍କ ରଥ ବଡ଼ଶଂଖ ଯାଏ ଆସିବା ପରେ ଦେବୀ ସୁଭଦ୍ରାଙ୍କ ରଥ ଟଣାଯାଏ। ଏହାପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ଟଣା ଆରମ୍ଭ ହୁଏ। ବାଟରେ ଦିଅଁମାନଙ୍କ ପାଇଁ ପନ୍ତି ଭୋଗର ବ୍ୟବସ୍ଥା କରାଯାଇଥାଏ।
ମାଉସୀ ମାଆଙ୍କ ପୋଡ଼ପିଠା
ବଡ଼ଠାକୁର ଶ୍ରୀ ବଳଭଦ୍ର ଓ ଭଉଣୀ ଦେବୀ ସୁଭଦ୍ରାଙ୍କ ରଥ ସିଂହଦ୍ଵାରଠାରୁ ଅଳ୍ପଦୂରରେ ରହିଥିବା ସମୟରେ ବାଟରେ ମାଉସୀ ମାଆ ଅର୍ଦ୍ଧାସିନୀ ଦେବୀଙ୍କ ମନ୍ଦିର ଆଗରେ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଅଟକି ରହେ। ସେଠାରେ ମନ୍ଦିରରେ ତିଆରି ପୋଡ଼ପିଠା ତିନୋଟି କୁଡୁଆରେ ତିନି ଠାକୁରଙ୍କୁ ଅଲଗା ଅଲଗା ସମର୍ପଣ କରାଯାଏ। ଛେନା, ଅଟା, ଚିନି, ପେସ୍ତା, ବାଦାମ, ଅଳେଇଚ, ଲବଙ୍ଗ ଓ ଦେଶୀଘିଅ ଆଦିରେ ପୋଡ଼ପିଠା ପ୍ରସ୍ତୁତ ହୋଇଥାଏ। ଏହି ସ୍ଥାନ ମାଉସୀ ବେଦୀ ନାମରେ କଥିତ। କିମ୍ବଦନ୍ତୀ ଅନୁସାରେ ପ୍ରଳୟ ସମୟରେ ଶ୍ରୀକ୍ଷେତ୍ର ଯେତେବେଳେ ପ୍ଲାବିତ ହେଲା, ଭୁବନେଶ୍ଵରୀ ଜଗଦମ୍ବା ମାଆ ସୁଭଦ୍ରାଙ୍କ ଅଙ୍ଗରୁ ଉତ୍ପନ୍ନ ହୋଇ ମାଆ ଅର୍ଦ୍ଧାସିନୀ ଜଳର ଅର୍ଦ୍ଧେକ ଶୋଷି ନେଇଥିଲେ। ତା ପରେ ସେ ମାଉସୀ ମାଆ ଭାବରେ ପରିଚିତ ହେଲେ ବୋଲି କୁହାଯାଏ। ସେ ସୁଭଦ୍ରାଙ୍କ ଶକ୍ତିରୁ ଉତ୍ପନ୍ନ, ତେଣୁ ସୁଭଦ୍ରାଙ୍କ ଭଳି ଦେଖାଯାଆନ୍ତି। ସେ ଖମ୍ବାକୃତି। ଉଭୟ ପାର୍ଶ୍ଵରେ ଛାୟା ଓ ମାୟାଦେବୀ ବିଦ୍ୟମାନ। ଗୁଣ୍ଡିଚା ଘର ଓ ବଡ଼ ଦେଉଳ ମଝିରେ ବଳଗଣ୍ଠି ନିକଟରେ ବଡ଼ଦାଣ୍ଡର ପୂର୍ବଦିଗରେ ମାଉସୀ ମାଆ ଦେଉଳ ଅବସ୍ଥିତ।
ଲକ୍ଷ୍ମୀନାରାୟଣ ଭେଟ
ମାଉସୀ ମାଆ ମନ୍ଦିରରୁ ପୋଡ଼ପିଠା ଭୋଗ ଖାଇସାରି ଜଗନ୍ନାଥ ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରନ୍ତି। ବଡ଼ଠାକୁର ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ରଥ ବଡ଼ଦେଉଳର ସିଂହଦ୍ୱାର ନିକଟରେ ପହଞ୍ଚିବା ବେଳକୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ଗଜପତି ନଅର ସାମ୍ନାରେ ରଖାଯାଇଥାଏ। ଏହି ସମୟରେ ବଡ଼ଦେଉଳରୁ ମାଆ ମହାଲକ୍ଷ୍ମୀ ପାଲିଙ୍କିରେ ବିଜେ ହେଇ, ସ୍ନାନବେଦି ନିକଟସ୍ଥ ଚାହାଣୀ ମଣ୍ଡପକୁ ଆସନ୍ତି। ଚାହାଣି ମଣ୍ଡପଠାରେ ମାଆ ଲକ୍ଷ୍ମୀ, ରାଜନଅର ଆଗରେ ଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥକୁ ଚାହିଁ ରହନ୍ତି। ଏହାପରେ ସେ ବିମାନରେ ବସି, ପଣ୍ଡା ଓ ଦଇତାପତିମାନଙ୍କ କୁଳବଧୂମାନଙ୍କ ଗହଣରେ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ପାଖକୁ ଆସନ୍ତି। ସେଠାରେ ପୂଜା, ଆରତି, ବନ୍ଦାପନା କରଯାଏ। ଏହି ବନ୍ଦାପନା କାର୍ଯ୍ୟରେ ଗଜପତି ମହାରଜା ମୁଖ୍ୟ ଭୂମିକା ଗ୍ରହଣ କରନ୍ତି। ଠାକୁରଙ୍କ ପାଖରେ ଦହିପଟ ଭୋଗହୁଏ। ଏହି ଭୋଗ ସମୟକୁ ରାଜା ବିଜେ ହୋଇଥାନ୍ତି। ମାଆ ଲକ୍ଷ୍ମୀ ନିଜ ବିମାନରେ ବସି ଜଗନ୍ନାଥଙ୍କ ରଥ ଚାରିପଟ ପରିକ୍ରମା କରନ୍ତି। ଲକ୍ଷ୍ମୀ-ଜଗନ୍ନାଥଙ୍କ ଏହି ସାକ୍ଷାତକୁ ‘ଲକ୍ଷ୍ମୀ–ନାରାୟଣ ଭେଟ” କୁହାଯାଏ। ଜଗନ୍ନାଥଙ୍କ ଅଙ୍ଗରୁ ଦଇତାପତିମାନେ ଆଜ୍ଞାମାଳ ନେବା ପରେ ଲକ୍ଷ୍ମୀ ପୁଣି ନିଜ ସ୍ଥାନକୁ ଫେରି ଆସନ୍ତି।
ରଥ ଉପରେ ସୁନାବେଶ
ବାହୁଡ଼ା ଯାତ୍ରାରେ ଆସି ତିନି ରଥ ସିଂହଦ୍ଵାରରେ ପହଞ୍ଚିବା ପରେ ଦିଅଁମାନେ ସେଦିନ ରଥରେ ରୁହନ୍ତି। ସେଦିନ ଦିଅଁମାନଙ୍କ ପାଖରେ ମଧ୍ୟାହ୍ନ ଧୂପଠାରୁ ଶୁଖିଲା ଭୋଗ ହୋଇଥାଏ। ତା ପରଦିନ ମଧ୍ୟ ତିନିଠାକୁର ରଥ ଉପରେ ବିରାଜମାନ କରିଥାନ୍ତି। ସେଦିନ ଦିଅଁମାନଙ୍କର ସୁନାବେଶ ଅନୁଷ୍ଠିତ ହୋଇଥାଏ। ମହଣ ମହଣ ସୁନାରେ ସଜ୍ଜିତ ହୋଇ ଦିଅଁମାନେ ରଥ ଉପରୁ ଭକ୍ତଙ୍କୁ ଦର୍ଶନ ଦିଅନ୍ତି।
ରଥ ଉପରେ ଅଧରପଣା ନୀତି
ସୁନାବେଶ ପରଦିନ ମଧ୍ୟ ଦିଅଁମାନେ ରଥରେ ରୁହନ୍ତି। ସେଦିନ ସଂଧ୍ୟାରେ ତିନି ଦିଅଁଙ୍କ ପାଖରେ ଆଷାଢ଼ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥିରେ ଅଧରପଣା ଭୋଗ କରାଯାଇଥାଏ । ମଧ୍ୟାହ୍ନ ଧୂପ ଶେଷ ହେବାପରେ ଓ ସନ୍ଧ୍ୟା ଆଳତି ପୂର୍ବରୁ ଏହି ନୀତି ଅନୁଷ୍ଠିତ ହୋଇଥାଏ । ଶ୍ରୀବିଗ୍ରହମାନଙ୍କର ଶ୍ରୀଅଧର ଉଚ୍ଚତା ବିଶିଷ୍ଟ ଲାଉତୁମ୍ବ ଭଳି ସ୍ୱତନ୍ତ୍ର ଶୈଳୀରେ ନିର୍ମିତ ମାଟିହାଣ୍ଡିରେ ପଣା ସବୁକୁ ରଥ ଉପରେ ରଖାଯାଇଥାଏ। ପ୍ରତି ରଥରେ ୩ହାଣ୍ଡି ହିସାବରେ ମୋଟ ୯ହାଣ୍ଡି ଅଧର ପଣା ଭୋଗ କରାଯାଇଥାଏ। ଏହି ୯ହାଣ୍ଡି ପଣାକୁ ପୂଜାପଣ୍ଡା ସେବକମାନେ ପଞ୍ଚୋପଚାର ପଦ୍ଧତିରେ ଶ୍ରୀବିଗ୍ରହମାନଙ୍କୁ ଅର୍ପଣ କରିଥାନ୍ତି। ଭୋଗ ହେବା ପରେ ପଣା ଥିବା ହାଣ୍ଡିଗୁଡ଼ିକୁ ରଥ ଉପରେ ଭାଙ୍ଗି ଦିଆଯାଏ। ରଥଗୁଡ଼ିକରେ ଥିବା ପାର୍ଶ୍ୱଦେବଦେବୀ, ଚଣ୍ଡିଚାମୁଣ୍ଡା ତଥା ଅଶରୀରୀମାନଙ୍କ ଉଦ୍ଧାର ନିମନ୍ତେ ପଣା ହାଣ୍ଡି ସବୁକୁ ଭୋଗ ହେବା ପରେ ଭାଙ୍ଗି ଦିଆଯିବାର ବିଧି ରହିଆସିଛି।
ନୀଳାଦ୍ରିବିଜେ
ଦ୍ୱାଦଶ ଦିନ ଠାକୁରମାନଙ୍କୁ ରଥରୁ ଓହ୍ଲାଇ ରତ୍ନବେଦୀକୁ ନଆଯାଏ। ଏହା ନୀଳାଦ୍ରି ବିଜେ ନାମରେ ଖ୍ୟାତ। ସେଦନ ସନ୍ଧ୍ୟା ଧୂପ ସରିବା ପରେ ବିଜେ କାହାଳୀ ବାଜି ପହଣ୍ଡି ଆରମ୍ଭ ହୁଏ। ଗୁଣ୍ଡିଚା ଯାତ୍ରାର ସମସ୍ତ ବିଧିବିଧାନ ଅନୁସାରେ ଏହି ପହଣ୍ଡି ଆରମ୍ଭ ଆରମ୍ଭ ହୁଏ। ବଡ଼ଠାକୁର ଓ ସୁଭଦ୍ରା ପହଣ୍ଡି ପରେ ରତ୍ନବେଦିରେ ବିଜେ ହେବାପରେ ଶ୍ରୀଜଗନ୍ନାଥଙ୍କ ପହଣ୍ଡି କରଯାଏ। ମହାପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କ ରଥର ଚାର ଉପରକୁ ଓହ୍ଲାଇ ଆସିବା ପରେ ଳକ୍ଷ୍ମୀ ଠାକୁରାଣୀ ଦେବଦାସୀମାନଙ୍କ ଗହଣରେ ଭେଟମଣ୍ଡପରେ ବିଜେ କରନ୍ତି। ଜଗନ୍ନାଥ ସିଂହଦ୍ଵାରକୁ ଆସିବା ଆଗରୁ ଦେବଦାସୀ ଯାଇ କବାଟ କିଳି ଦିଅନ୍ତି।
ଜୟ-ବିଜୟ ଦ୍ଵାର ବନ୍ଦ ଥିବାରୁ ଜଗନ୍ନାଥ ସେଇଠି ଅଟକି ରହନ୍ତି। ଶ୍ରୀମନ୍ଦିର ଭିତର ପଟେ ଲକ୍ଷ୍ମୀଙ୍କ ପକ୍ଷରୁ ସେବକ ଓ ଦଇତାପତି ମାନଙ୍କ ପତ୍ନୀ ବା ଦେବଦାସୀମାନେ ଏବଂ ବାହର ପଟେ ଜଗନ୍ନାଥଙ୍କ ପକ୍ଷରୁ ଦଇତାପତିମାନେ ରହି ନାନା ବଚନିକା ଓ ପଦ୍ୟାବୃତି କରନ୍ତି। ଏହାକୁ ଲକ୍ଷ୍ମୀ ନାରାୟଣ କଳି କହନ୍ତି। ଶେଷରେ କଳି ସମାଧାନ ହୁଏ ଓ ଦୁଆର ଖୋଲଯାଏ। ଜଗନ୍ନାଥ ଭଣ୍ଡାର ଘରକୁ ମୁହଁ କରି ବିଜେ ହୁଅନ୍ତି। ପୂର୍ବରୁ ସେଠାରେ ଲକ୍ଷ୍ମୀ ବିଜେ ହୋଇଥାନ୍ତି। ଏହାପରେ ମାଘ ସ୍ନାନ, ମଙ୍ଗଳ ଆରତି, ବନ୍ଦାପନା ହୋମଯଜ୍ଞ, ଭୋଗ ଆଦି ବିଧିବିଧାନ ପରେ ଠାକୁରେ ରତ୍ନସିଂହାସନରେ ଉପବେଶନ କରନ୍ତି। ତାଙ୍କ ଆଗରେ ଲକ୍ଷ୍ମୀଙ୍କୁ ସ୍ଥାପନା କରାଯାଏ। ଏହି ପାରମ୍ପରିକ ରୀତିନୀତି ମଧ୍ୟରେ ତିନି ଠାକୁରଙ୍କର ନବଦିନ ବ୍ୟାପୀ ଯାତ୍ରା ସମାପ୍ତ ହୁଏ।