/odishatv-khabar/media/post_attachments/uploadimage/library/16_9/16_9_0/IMAGE_1732291673.jpg)
ରାଜ୍ୟରେ ଭୁଶୁଡ଼ି ପଡ଼ିଛି ଅର୍ଦ୍ଧନ୍ୟାୟିକ ବ୍ୟବସ୍ଥା
ରାଜ୍ୟରେ ଏକ ପ୍ରକାର ଅଚଳ ହୋଇ ପଡିଛି ଅର୍ଦ୍ଧ ନ୍ୟାୟିକ ବ୍ୟବସ୍ଥା । ଦୀର୍ଘ ଦିନ ଧରି ଲୋକାୟୁକ୍ତ, ଓଇଆରସି, ନିର୍ବାଚନ ଆୟୋଗ, ମହିଳା କମିଶନ ଏବଂ ସୂଚନା କମିଶନରେ ଅଧ୍ୟକ୍ଷ ଓ ସଦସ୍ୟଙ୍କ ପଦ ଖାଲି ପଡିଥିବାରୁ ନ୍ୟାୟ ପାଇଁ ନୟାନ୍ତ ହେଉଛନ୍ତି ସାଧାରଣ ଲୋକେ। ରାଜ୍ୟରେ ଭୁଶୁଡି ପଡିଛି କି ଅର୍ଦ୍ଧ ନ୍ୟାୟିକ ବ୍ୟବସ୍ଥା ? ତ୍ୱରିତ ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି କି ସାଧାରଣ ଜନତା ? ରାଜ୍ୟର ପାଞ୍ଚଟି ଗୁରୁତ୍ୱପୂର୍ଣ୍ଣ ଅର୍ଦ୍ଧନ୍ୟାୟିକ ସଂସ୍ଥାରେ ମାସ ମାସ ଧରି ଅଧ୍ୟକ୍ଷ ପଦବୀ ଖାଲି ପଡିବା ପରେ ଏବେ ଦେଖାଦେଇଛି ଏମିତି ଅଚଳାବସ୍ଥା।
ଭୁବନେଶ୍ୱର ସତ୍ୟନଗର ସ୍ଥିତ ତୋଷାଳି ପ୍ଲାଜାରେ ଏକା ସାଙ୍ଗରେ ଲୋକାୟୁକ୍ତ, ସୂଚନା କମିଶନ, ମାନବାଧିକାର କମିଶନ, ମହିଳା କମିଶନ ଓ ରାଜ୍ୟ ନିର୍ବାଚନ ଆୟୋଗ ଭଳି ଗୁରୁତ୍ୱପୂର୍ଣ୍ଣ ସଂସ୍ଥା ଥିବା ବେଳେ ବାହାରେ ଯେମିତି ଖାଁ ଖାଁ ସ୍ଥିତି। କେବଳ ରାଜ୍ୟ ମାନାବାଧିକାର କମିଶନ ଅଧ୍ୟକ୍ଷ ପଦକୁ ଛାଡିଦେଲେ ବାକି ୪ଟି ସଂସ୍ଥାରେ ଖାଲି ପଡ଼ିଛି ଅଧ୍ୟକ୍ଷ ପଦ।
ଅଧିକ ପଢ଼ନ୍ତୁ: କ୍ଷମା ମାଗିଲେ ଅଭିନେତା ମନୋଜ ମିଶ୍ର, କହିଲେ....
ଲୋକାୟୁକ୍ତରେ ଗତ ଅଗଷ୍ଟ ମାସରୁ ଅଧ୍ୟକ୍ଷଙ୍କ କାର୍ଯ୍ୟକାଳ ସରିବା ପରେ ପୂର୍ବ ସରକାରଙ୍କ ସର୍ଚ୍ଚ କମିଟି ଦ୍ୱାରା ସୁପାରିସ କରାଯାଇଥିବା ନାଁକୁ ଏପର୍ଯ୍ୟନ୍ତ ମଞ୍ଜୁରୀ ମିଳିନି। ସେହିପରି ରାଜ୍ୟ ନିର୍ବାଚନ ଆୟୋଗ ଆଦିତ୍ୟ ପାଢୀଙ୍କ କାର୍ଯ୍ୟକାଳ ଗତ ଅଗଷ୍ଟରୁ ସରିଥିବା ବେଳେ ତାଙ୍କ ସ୍ଥାନରେ କେହି ନିଯୁକ୍ତି ପାଇନଥିବାରୁ ସେ ଅସ୍ଥାୟୀ ଭାବେ କାର୍ଯ୍ୟରତ।
ନିକଟରେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରାଙ୍କୁ ସରକାର ବହିସ୍କାର କରିବା ପରଠୁ ସେ ପଦବୀ ବି ଖାଲି। ସେମିତି ରାଜ୍ୟ ବିଦ୍ୟୁତ୍ ନିୟାମକ ଆୟୋଗ ବା ଓଇଆରସିର ଅଧ୍ୟକ୍ଷ ଥିବା ସୁରେଶ ମହାପାତ୍ର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଠା ହେବା ପରଠୁ ସେ ପଦବୀରେ ଶୂନ୍ୟସ୍ଥାନ।
ରାଜ୍ୟରେ ଦୁର୍ନୀତିକୁ ପ୍ରତିହତ କରିବାକୁ ଗଠନ ହୋଇଥିଲା ଲୋକାୟୁକ୍ତ ବ୍ୟବସ୍ଥା। ଲୋକାୟୁକ୍ତରେ ଜଣେ ଅଧ୍ୟକ୍ଷ ଓ ୫ ଜଣ ସଦସ୍ୟ ରହିବା କଥା। କିନ୍ତୁ ଲୋକାୟୁକ୍ତ ଗଠନ ପରଠୁ କେବେବି ପୂର୍ଣ୍ଣ ସଦସ୍ୟରେ ଚାଲିପାରିନି ବ୍ୟବସ୍ଥା। ଗତ ଅଗଷ୍ଟରେ ଲୋକାୟୁକ୍ତ ଅଧ୍ୟକ୍ଷଙ୍କ ଡା. ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ କାର୍ଯ୍ୟକାଳ ସରିବା ପରେ ଏହି ପଦବୀରେ କେହି ନିଯୁକ୍ତି ପାଇ ନାହାନ୍ତି। ଫଳରେ ଠପ୍ ହୋଇଯାଇଛି ଲୋକାୟୁକ୍ତ ଅନୁଷ୍ଠାନ।
ଏପଟେ ସୂଚନା କମିଶନରେ ସିଇସିଙ୍କ ବାଦ୍ ୫ ଜଣ ସ୍ଥାୟୀ ସଦସ୍ୟ ରହିବାର ନିୟମ ରହିଛି। ହେଲେ ଚଳିତ ମାସ ପ୍ରଥମ ସପ୍ତାହରେ ରାଜ୍ୟ ମୁଖ୍ୟ ସୂଚନା କମିଶନରଙ୍କ କାର୍ଯ୍ୟକାଳ ସରିବା ପରେ ନୂଆ ସିଇସିଙ୍କ ପାଇଁ ବିଜ୍ଞାପନ ବାହାରିଛି । ହେଲେ ଖାଲି ରହିଥିବା ୩ ସଦସ୍ୟଙ୍କ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇନି। ହେଲେ ଏସବୁ ସଂସ୍ଥାରେ ନିଯୁକ୍ତ ହୋଇଥିବା ଉଚ୍ଚ ବେତନଧାରୀ ଅଧିକାରୀ ଓ କର୍ମଚାରୀ ବସି ବସି ମୋଟା ଅଙ୍କର ଦରମା ନେଉଥିବା ସତ୍ତ୍ୱେ ନ୍ୟାୟ ଆଶାରେ ଦୂରଦୂରାନ୍ତରୁ ଆସୁଥିବା ଜନତା ନିରାଶ ହେଉଛନ୍ତି। ତେଣେ ଆଇନ ମନ୍ତ୍ରୀ କହିଛନ୍ତି ସବୁ ଆୟୋଗରେ ଅଧ୍ୟକ୍ଷ ନିଯୁକ୍ତି ପାଇଁ ବିଚାର ବିମର୍ଶ ଚାଲିଛି।
ଅଧିକ ପଢ଼ନ୍ତୁ: ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣା: ଆଇନ ମନ୍ତ୍ରୀଙ୍କ କଡ଼ା ପ୍ରତିକ୍ରିୟା; କହିଲେ, ନିଆଯିବ ଭୟଙ୍କର ଆକ୍ସନ
ଏପଟେ ମାସ ମାସ ଧରି ପଦବୀ ଖାଲି ପଡିଥିବାରୁ ଲୋକାୟୁକ୍ତରେ ୭୫୦ରୁ ଅଧିକ ଏବଂ ସୂଚନା ଅଧିକାର କମିଶନରେ ୨୩ ହଜାର ମାମଲା ବିଚାର ନହୋଇ ପଡିରହିଛି। ତେଣୁ ସରକାର ତୁରନ୍ତ ଏସବୁ ପଦବୀ ପୂରଣ ନକଲେ ଲୋକଙ୍କର ନ୍ୟାୟିକ ବ୍ୟବସ୍ଥା ଉପରେ ଆସ୍ଥା ତୁଟିଯିବା ନେଇ ଆଶଙ୍କା ଦେଖାଦେଲାଣି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)