ମୁଁ ବି ଚିଟଫଣ୍ଡ୍ ଠକେଇର ଶିକାର ହୋଇଥିଲି । ଜାତୀୟ ଉପଭୋକ୍ତା ଦିବସ କାର୍ଯ୍ୟକ୍ରମରେ ଆଜି ଏକଥା ସ୍ପଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କହିଛନ୍ତି, ସେ ୧୯୯୦ ଓ ୨୦୦୨ରେ ଦୁଇଥର ଠକେଇର ଶିକାର ହୋଇଥିଲେ । ଗୋଟିଏ ସରକାରୀ ଓ ଗୋଟିଏ ବେସରକାରୀ ସଂସ୍ଥା ତାଙ୍କୁ ଠକିଥିଲେ ।
ଟଙ୍କା ଯୋଗାଡ଼ କରି ସେ ଦେଇଥିଲେ, କିନ୍ତୁ ପରେ ସଂସ୍ଥା ହିଁ ଉଭାନ ହୋଇଯାଇଥିଲା । ୧୯୮୬ ଆଇନ ଅନୁସାରେ ଅପିଲ୍ ବି କରିଥିଲି, ମାତ୍ର ଟଙ୍କା ମିଳିଲାନି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେପଟେ ନିଜ ବକ୍ତବ୍ୟରେ ସାଇବର ଅପରାଧ ନେଇ ଓଟିଭିର ଏକ ଭିନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମ ‘ସାଇବର କ୍ରାଇମ’ର ମଧ୍ୟ ଉଦାହରଣ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ମୁଖ୍ୟମନ୍ତ୍ରୀ କହିଥିଲେ, ଓଟିଭିର ଏହି କାର୍ଯ୍ୟକ୍ରମରେ ସାଇବର ଅପରାଧର ଅନେକ ଘଟଣା ପ୍ରସାରିତ ହେଉଛି । ଲୋକେ କିଭଳି OTP ଜରିଆରେ ଏବଂ ବିଭିନ୍ନ ମାଧ୍ୟମରେ କିଭଳି ସାଇବର ଠକଙ୍କ ଜାଲରେ ଫସୁଛନ୍ତି, ପ୍ରତ୍ୟେକଟି କାହାଣୀରେ ନାଟ୍ୟ ରୂପାନ୍ତର ମାଧ୍ୟମରେ ଘଟଣାବଳୀ ସବୁ ଦେଖାଉଛି ଓଟିଭି ।
Also Read
ଅଧିକ ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ୨ ଲାଞ୍ଚୁଆ ଅଫିସର୍; ଛାଡିଦେବାକୁ କହି କାନ୍ଦି ପକାଇଲେ
ସେପଟେ କଟକ ବେଲଭ୍ୟୁ ଛକରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବ୍ରୋଞ୍ଜ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି । ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ସମୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ ପ୍ରମୁଖ ଉପସ୍ଥିତ ଥିଲେ ।
ଉନ୍ମୋଚନ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶା ଓ କଟକ ପାଇଁ ସୌଭାଗ୍ୟର ଦିନ । ସହରରେ ପ୍ରଥମ ଥର ପାଇଁ ବାଜପେୟୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି । ୧୦ ଫୁଟ ଉଚ୍ଚ ଏବଂ ୧୦ କୁଇଣ୍ଟାଲ ଓଜନର ହୋଇଛି ଏହି ମୂର୍ତ୍ତି । ରାଜ୍ୟ ସରକାରଙ୍କ ସହଯୋଗରେ ଶିଳ୍ପୀ ସଞ୍ଜିବ ବିଶ୍ୱାଳଙ୍କ ତତ୍ତ୍ୱାବଧାନରେ ପ୍ରସିଦ୍ଧ ଭାସ୍କର୍ଯ୍ୟ ଶିଳ୍ପୀ ଲକ୍ଷ୍ମୀଧର ରଣାଙ୍କ ସହ ୨୦ ଜଣ କାରିଗରଙ୍କ ଦ୍ୱାରା ନିର୍ମିତ ହୋଇଛି ଏହି ବ୍ରୋଞ୍ଜ ମୂର୍ତ୍ତି । ୮ ଫୁଟ ଉଚ୍ଚ ଏକ ପଦ୍ମଫୁଲ ଆକୃତିର ଢାଞ୍ଚା ଉପରେ ବ୍ରୋଞ୍ଜ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି ।