/odishatv-khabar/media/post_attachments/uploadimage/library/16_9/16_9_0/IMAGE_1734944165.jpg)
ଏନକାଉଣ୍ଟରରେ ନିହତ ଆତଙ୍କବାଦୀ
ପଞ୍ଜାବରେ ପୋଲିସ ପୋଷ୍ଟ ଉପରେ ଆକ୍ରମଣ କରିଥିଲେ ଖଲିସ୍ତାନୀ ଆତଙ୍କବାଦୀ । ଉତ୍ତର ପ୍ରଦେଶରେ 3 ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରି ହତ୍ୟା କଲା ପୋଲିସ୍ । ଏହି 3 ଆତଙ୍କବାଦୀ ଖଲିସ୍ତାନୀ କମାଣ୍ଡୋ ଫୋର୍ସର ସଦସ୍ୟ । ସେମାନଙ୍କଠାରୁ ଦୁଇଟି AK-47 ରାଇଫଲ୍ ଓ ଦୁଇଟି ପିସ୍ତଲ ଜବତ କରାଯାଇଛି । ପଞ୍ଜାବର ଗୁରୁଦାସପୁରରେ ପୋଲିସ ପୋଷ୍ଟ ଉପରେ ଆକ୍ରମଣ ଘଟଣାରେ ଏମାନେ ୱାଣ୍ଟେଡ୍ ଥିଲେ । ପୋଲିସ ଏମାନଙ୍କୁ ଖୋଜୁଥିଲା ।
ବେଆଇନ ଘୋଷିତ ଖଲିସ୍ତାନ କମାଣ୍ଡୋ ଫୋର୍ସର ଏହି ତିନି ଅଭିଯୁକ୍ତ ଗୁରବିନ୍ଦର ସିଂ (25), ବୀରେନ୍ଦର ସିଂ ଓରଫ ରବି (23) ଓ ଯଶପ୍ରୀତ ସିଂ ଓରଫ ପ୍ରତାପ ସିଂ (18) ଗୁରଦାସପୁରରେ ପୋଲିସ ପୋଷ୍ଟ ଉପରକୁ ଗ୍ରେନେଡ୍ ମାଡ଼ କରିଥିଲେ । ଆକ୍ରମଣ କରିବା ପରେ ଅଭିଯୁକ୍ତମାନେ ପିଲିଭିଟ ଅଞ୍ଚଳକୁ ଚାଲିଯାଇଥିବାର ପଞ୍ଜାବ ପୋଲିସ ଉତ୍ତର ପ୍ରଦେଶ ପୋଲିସକୁ ଖବର ଦେଇଥିଲା । ଏହା ପରେ ଉତ୍ତର ପ୍ରଦେଶ ପୋଲିସ୍ ପୁରନପୁର ଥାନା ଅଧୀନରେ ଆସୁଥିବା ଏହି ଅଞ୍ଚଳ ଉପରେ ନଜର ରଖିଥିଲା ।
ନିର୍ଦ୍ଦିଷ୍ଟ ସୂଚନା ମିଳିବା ପରେ ଅଧିକ ଫୋର୍ସ ନିଆଯାଇ ସେହି ସ୍ଥାନକୁ ଘେରାଉ କରାଯାଇଥିଲା । ତା ପରେ ଆରମ୍ଭ ହୋଇଥିଲା ଅପରେସନ୍ । ପୋଲିସକୁ ଦେଖି ଗୁଳିମାଡ କରିଥିଲେ ଆତଙ୍କବାଦୀ । ପୋଲିସ୍ ଦେଇଥିଲା କଡା ଜବାବ । ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ 3 ଆତଙ୍କବାଦୀ । ଏହି ଏନକାଉଣ୍ଟର ସମୟରେ ପଞ୍ଜାବ ପୋଲିସର ଏକ ଟିମ୍ ମଧ୍ୟ ଥିଲା । ଏହି ଆତଙ୍କବାଦୀଙ୍କର ବିଦେଶୀ ସଂସ୍ଥା ସହ ଲିଙ୍କ୍ ଥିବାର ପୋଲିସ୍ ସୂଚନା ଦେଇଥିଲା । ଏହା ଉପରେ ଅଧିକ ତଦନ୍ତ କରିଛି ପଞ୍ଜାବ ପୋଲିସ୍ ।
ଅଧିକ ପଢନ୍ତୁ: ଉଡ଼ାଣର କିଛି ସମୟ ପରେ କ୍ରାସ୍ ହୋଇଗଲା ବିମାନ, ଗୋଟିଏ ପରିବାରର ୧୦ ମୃତ
ଏ ସଂପର୍କରେ ପଞ୍ଜାବ ପୋଲିସ ମହାନିର୍ଦ୍ଦେଶକ ଗୌରବ ଯାଦବ କହିଛନ୍ତି ଯେ, ISI ପ୍ରାୟୋଜିତ ଖଲିସ୍ତାନ ଜିନ୍ଦାବାଦ ଫୋର୍ସ ପାଇଁ ଏମାନେ କାମ କରୁଥିଲେ । ପାକିସ୍ତାନର ରଣଜିତ ସିଂ ନୀତା ଏହି ଆକ୍ରମଣର ମାଷ୍ଟରମାଇଣ୍ଡ । ଗ୍ରୀସର ଯଶବିନ୍ଦର ସିଂ ମନୁ ଜରିଆରେ ଏହି ଆକ୍ରମଣ କରାଯାଇଛି । ରବି ନେତୃତ୍ୱରେ ହିଁ ଏହି ଆକ୍ରମଣ କରାଯାଇଛି । ଜଣେ ବ୍ରିଟିଶ ସେନା କର୍ମଚାରୀ ଏହି ଘଟଣାରେ ଜଡିତ ଥିବାର ସନ୍ଦେହ କରିଛନ୍ତି ପଞ୍ଜାବ ପୋଲିସ ମହାନିର୍ଦ୍ଦେଶକ ।
ଦୁଇ ରାଜ୍ୟର ପୋଲିସଙ୍କ ମିଳିତ ଅପରେସନରେ ଏହା ସଫଳ ହୋଇଛି । ସମନ୍ୱୟର ଏହା ଏକ ଉତ୍କୃଷ୍ଟ ଉଦାହରଣ ବୋଲି କହିଛନ୍ତି ଯାଦବ ।
ଉତ୍ତର ପ୍ରଦେଶ ପୋଲିସ ମହାନିର୍ଦ୍ଦେଶକ ପ୍ରଶାନ୍ତ କୁମାର ପାକିସ୍ତାନ ଦ୍ୱାରା ପ୍ରାୟୋଜିତ ଏହି ଆତଙ୍କବାଦୀଙ୍କ ନିହତ ଘଟଣାର ପ୍ରଶଂସା କରିଛନ୍ତି । ତୁରନ୍ତ ପଦକ୍ଷେପ ଯୋଗୁ ଏହା ସମ୍ଭବ ହୋଇପାରିଲା ବୋଲି ସେ ସୋସିଆଲ ମିଡିଆ ଏକ୍ସରେ ଉଲ୍ଲେଖ କରିଛନ୍ତି । ଭାରତରେ ଆତଙ୍କବାଦୀଙ୍କ ସ୍ଥାନ ନାହିଁ ବୋଲି ସେ କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)