• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Deviprasad Jena

ତିନି ଦିନ ଭିତରେ ଦୁଇ ଜଣ ମାଟ୍ରିକ୍ ଛାତ୍ରୀ ମାଆ ବନିଛନ୍ତି । ଏଭଳି ଦୁଇଟି ସମ୍ବେଦନଶୀଳ ଘଟଣା ଘଟିଛି ମାଲକାନଗିରିର ଚିତ୍ରକୋଣ୍ଡା ଓ ଯାଜପୁର ବରୀ ଅଂଚଳରେ । ଚିତ୍ରକୋଣ୍ଡା ଅଂଚଳର ଜଣେ ଛାତ୍ରୀ ଏକ ଆବାସିକ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ହୋଇଥିବାରୁ ଏହାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ଘଟଣାରେ ପୋଲିସ୍ ଜଣଙ୍କୁ ଗିରଫ କରିଥିବା ବେଳେ ପ୍ରଧାନ ଶିକ୍ଷକ ଓ ଏଏନ୍ଏମ୍ ସସପେଣ୍ଡ ହୋଇଛନ୍ତି । ଅନ୍ୟପଟେ ଚାକିରିରୁ ବିଦା ହୋଇଛନ୍ତି ହଷ୍ଟେଲ୍ ମାଟ୍ରନ୍ । କିନ୍ତୁ କେଉଁ ପରିସ୍ଥିତିରେ ଉଭୟ ଛାତ୍ରୀ ମାଆ ବନିଲେ ? ବାରମ୍ବାର ସାମ୍ନାକୁ ଆସୁଥିବା ଏଭଳି ଘଟଣାକୁ ରୋକାଯାଇପାରୁନି କାହିଁକି ? ସେନେଇ ଉଠିଛି ନାନା ପ୍ରଶ୍ନ ।

ଟେନସନ୍ ବଢ଼ାଉଛି ଆବାସିକ ସ୍କୁଲରେ କୁଆଁରୀ ମାତୃତ୍ବ । ପାଠପଢ଼ା, ଖେଳକୁଦ ବୟସରେ ମା’ ବନିଯାଉଛନ୍ତି ମାଟ୍ରିକ୍ ଛାତ୍ରୀ । ପରୀକ୍ଷା ହଲରେ ବସି ବୋର୍ଡ ପରୀକ୍ଷା ଦେବା ବଦଳରେ ମେଡ଼ିକାଲର ଲେବର୍ ରୁମରେ ପ୍ରସବ କରୁଛନ୍ତି ସନ୍ତାନ । ମାଲକାନଗିରି ଚିତ୍ରକୋଣ୍ଡା ଅନୁସୂଚିତ ଜାତି ଓ ଜନଜାତି ବିଭାଗର ସେବାଶ୍ରମ ହାଇସ୍କୁଲରେ ଅବାଞ୍ଛିତ ଗର୍ଭଧାରଣ କରି ଜଣେ ଦଶମ ଛାତ୍ରୀ ମା’ ବନିଯାଇଛନ୍ତି । ଏହି ସେବାଶ୍ରମରେ ଅନ୍ତେବାସିନୀଙ୍କ ଦେଖାରେଖା ପାଇଁ ମାଟ୍ରୋନ୍ ଏବଂ ୱାର୍ଡେନ୍ ଅଛନ୍ତି, ANMଙ୍କର ବି ଦାୟିତ୍ବ ରହିଛି । କିନ୍ତୁ କଅଁଳ ବୟସର ଛାତ୍ରୀଟିଏ ଗର୍ଭଧାରଣ କରି ପିଲାଟିକୁ ଜନ୍ମଦେବା ଯାଏଁ କଥା ଗଲା କେମିତି ? କେହି ଜାଣିପାରିଲେନି, ନା ଜାଣି ଜାଣି ଅଜଣା ରହିଲେ? ସେହି ପ୍ରଶ୍ନ ପଚାରି ବିଚରା ବାପ ଆଜି କ୍ଷୁବ୍ଧ ଏବଂ ଅସନ୍ତୁଷ୍ଟ ।

ଅଧିକ ପଢ଼ନ୍ତୁ :  ପରିଚୟ ଦେଇଛି ମଧୁର କଣ୍ଠସ୍ୱର ; ଗାଁ ଶିବ ମନ୍ଦିରରେ ଭଜନ ଗାଇ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ଯୁବ କଣ୍ଠଶିଳ୍ପୀ

ଏଭଳି ସମ୍ବେଦନଶୀଳ ମାମଲାକୁ ନେଇ ହଟଚମଟ ପରେ ଆକ୍ସନ ମୋଡକୁ ଆସିଛି ପ୍ରଶାସନ । ସୁଶାନ୍ତ ଖିଲ ନାମକ ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଏହି ଯୁବକର ଘର ଚିତ୍ରକୋଣ୍ଡା ଥାନା ଦିଶାରୀଗୁଡ଼ାରେ । କୁହାଯାଉଛି ଅଭିଯୁକ୍ତ ଜଣକ ପୀଡ଼ିତା ଛାତ୍ରୀଙ୍କ ସଂପର୍କୀୟ । କେବଳ ଏତିକି ନୁହେଁ, ସଂପୃକ୍ତ ସେବାଶ୍ରମ ସ୍କୁଲରେ RDC ପହଞ୍ଚି ତଦନ୍ତ କରିବା ସହ ପ୍ରଧାନ ଶିକ୍ଷକ ଅଜିତ କୁମାର ମାଡ଼କାମୀ ଏବଂ ANM କବିତା କୁମାରୀ ପାତ୍ରଙ୍କୁ ନିଲମ୍ବିନ କରାଯାଇଛି । ସେହିପରି ହଷ୍ଟେଲ ମାଟ୍ରନ ସୁଚିତ୍ରା ଚର୍ଚ୍ଚିଙ୍କୁ ଚାକିରିରୁ ଅବ୍ୟାହତି ଦିଆଯାଇଛି ।

ଆଦିବାସୀ ଅଞ୍ଚଳର ସେବାଶ୍ରମଗୁଡ଼ିକରେ ଏଭଳି ଅବାଞ୍ଛିତ ଗର୍ଭଧାରଣ ନୂଆ ନୁହେଁ । ୨୦୨୨ ଅଗଷ୍ଟରେ ମାଲକାନଗିରି ଜିଲ୍ଲାରେ ଥିବା ଏକଲବ୍ୟ ମଡେଲ୍ ଆବାସିକ ସ୍କୁଲର ଜଣେ ଛାତ୍ରୀ ଗର୍ଭବତୀ ହୋଇଥିଲେ । ୨୦୨୧ ଡିସେମ୍ବରରେ ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା ବେଳେ କନ୍ଧମାଳର ଜଣେ ଷଷ୍ଠ ଶ୍ରେଣୀର ଛାତ୍ରୀ ମାସକର ଗର୍ଭବତୀ ଥିବା ଜଣାପଡ଼ିଥିଲା । ସେହିପରି ୨୦୨୨ ଅକ୍ଟୋବରରେ କନ୍ଧମାଳରେ ଏକ ଆବାସିକ ସ୍କୁଲର ଜଣେ ସପ୍ତମ ଛାତ୍ରୀ ମୃତ ସନ୍ତାନକୁ ଜନ୍ମଦେଇ ପ୍ରାଣ ହରାଇଥିଲେ ।

ତେବେ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ବାରା ପରିଚାଳିତ ଆବାସିକ ସ୍କୁଲ ଗୁଡ଼ିକରୁ ଏଭଳି ସମ୍ବେଦନଶୀଳ ମାମଲା କାହିଁକି ସାମ୍ନାକୁ ଆସୁଛି ? ଏଭଳି ସ୍କୁଲଗୁଡ଼ିକରେ ଅନ୍ତେବାସିନୀଙ୍କ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ସରକାର ୩ ଶହରୁ ଅଧିକ ANMଙ୍କୁ ନିଯୁକ୍ତ କରିଛନ୍ତି । ଅଥଚ ଛାତ୍ରୀଟିଏ ମା’ ହେବା ଯାଏଁ କଥା ଯାଉଛି କାହିଁକି ? ସେପଟେ ମାଟ୍ରିକ ପରୀକ୍ଷାବେଳେ ଯାଜପୁର ବରୀରେ ଜଣେ ଦଶମ ଛାତ୍ରୀଙ୍କ ସନ୍ତାନ ପ୍ରସବ ଘଟଣା ଚିନ୍ତା ବଢ଼ାଇଛି । ଏହି ଘଟଣାରେ ଜଣେ ଯୁବକଙ୍କୁ ଧରି ତନାଘନା ଜାରି ରଖିଛି ପ୍ରଶାସନ ।

ଅଧିକ ପଢ଼ନ୍ତୁ : କେଉଁ କାରଣରୁ ମହାଦୀପ ଧରି ଚଢ଼ିବା ବେଳେ ଖସିପଡ଼ିଲେ ସମର୍ଥା ସେବାୟତ ? ଜାଣନ୍ତୁ...

OTV is now on Whatsapp

Join and get latest news update delivered to you via whatsapp

Join Now