ଆରପାରିରେ ଦେବେନ୍ଦ୍ର ପ୍ରଧାନ
ରାଷ୍ଟ୍ରପତିଙ୍କଠୁ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ, ଏଣେ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଏବଂ ଉପାଧ୍ୟକ୍ଷ, ସମସ୍ତେ ଦେବେନ୍ଦ୍ରଙ୍କ ପରଲୋକରେ ଜଣାଇଛନ୍ତି ଗଭୀର ଶ୍ରଦ୍ଧାଞ୍ଜଳି । ଦେଶ ଓ ରାଜ୍ୟ ଜଣେ ଲୋକପ୍ରିୟ ଜନନେତା ଓ ଦକ୍ଷ ପାର୍ଲାମେଣ୍ଟାରିଆନଙ୍କୁ ହରାଇଲା ବୋଲି ସମସ୍ତେ ଶୋକବାର୍ତ୍ତାରେ ଦର୍ଶାଇଛନ୍ତି ।
ଅଧିକ ପଢ଼ନ୍ତୁ: ୨୪ ଓ ୨୫ରେ ବ୍ୟାଙ୍କ୍ ଧର୍ମଘଟ; ଲଗାତାର ୪ ଦିନ ବନ୍ଦ ରହିବ ବ୍ୟାଙ୍କ୍
ତିନି ତିନି ଥର ହୋଇଥିଲେ ରାଜ୍ୟ ବିଜେପି ସଭାପତି । ତତ୍କାଳୀନ ବାଜପେୟୀ ସରକାରରେ ଥିଲେ ଟାଣୁଆ ମନ୍ତ୍ରୀ । ବୃତ୍ତି ଥିଲା ଡାକ୍ତରୀ, ହେଲେ ପାଲଟି ଯାଇଥିଲେ ଜଣେ ପୋଖତ ରାଜନେତା । ଆଜି ପରଲୋକରେ ରାଜନୀତିର ସେହି ଜଣାଶୁଣା ଚେହେରା ଡାକ୍ତର ଦେବେନ୍ଦ୍ର ପ୍ରଧାନ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାପା । ଦିଲ୍ଲୀରେ ୮୩ ବର୍ଷ ବୟସରେ ହୋଇଛି ନିଧନ । ଦେବେନ୍ଦ୍ରଙ୍କ ପରଲୋକ ଖବର ପାଇବା ମାତ୍ରେ ଶେଷ ଦର୍ଶନ ପାଇଁ ଲାଗିଥିଲା ଭିଡ଼ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଦିବଂଗତ ନେତାଙ୍କୁ ଅନ୍ତିମ ଦର୍ଶନ କରିବା ସହ ଦେବେନ୍ଦ୍ରଙ୍କ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କୁ ସାନ୍ତ୍ୱନା ଜଣାଇଥିଲେ । ମୋଦି ଲେଖିଛନ୍ତି- ଡାକ୍ତର ଦେବେନ୍ଦ୍ର ପ୍ରଧାନ ଜଣେ ପରିଶ୍ରମୀ ଏବଂ ନମ୍ର ନେତା ଭାବେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ଓଡ଼ିଶାରେ ବିଜେପିକୁ ମଜଭୁତ କରିବାକୁ ଅନେକ ପ୍ରୟାସ କରିଥିଲେ ।
ସେହିପରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ନିଜ ଶୋକବାର୍ତ୍ତାରେ ଦର୍ଶାଇଛନ୍ତି- ଦେଶ ଓ ରାଜ୍ୟର ବିକାଶ ପାଇଁ ତାଙ୍କ ଅବଦାନ ସ୍ମରଣୀୟ । ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଦେବେନ୍ଦ୍ର ପ୍ରଧାନଙ୍କୁ ଶେଷ ଦର୍ଶନ କରି ଲେଖିଛନ୍ତି ତାଙ୍କ ସାରା ଜୀବନ ରାଷ୍ଟ୍ରସେବା ପାଇଁ ସମର୍ପିତ ଥିଲା। ବାଜପେୟୀ ସରକାରରେ ମନ୍ତ୍ରୀ ଭାବେ ଦେଶରେ ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ହେଉ ବା ଓଡ଼ିଶାରେ ବିଜେପିର ରାଜ୍ୟ ସଭାପତି ଭାବେ ସଙ୍ଗଠନକୁ ସୁଦୃଢ କରିବା ହେଉ, ସେ ସର୍ବଦା ନିଜର କର୍ତ୍ତବ୍ୟ ପ୍ରତିବଦ୍ଧତାର ସହ ସୂଚାରୁରୂପେ ନିର୍ବାହ କରି ଉଦାହରଣ ସୃଷ୍ଟି କରିଥିଲେ।
ସେହିପରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଓ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମଧ୍ୟ ସ୍ବର୍ଗତ ଦେବେନ୍ଦ୍ର ପ୍ରଧାନଙ୍କୁ ଶେଷ ଦର୍ଶନ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଗଭୀର ଶୋକବ୍ୟକ୍ତ କରିଛନ୍ତି। ଏଥିସହ ବହୁ କେନ୍ଦ୍ରମନ୍ତ୍ରୀ, ଓଡ଼ିଆ ସାଂସଦ ଏବଂ ରାଜନେତା ମଧ୍ୟ ଦିବଂଗତ ନେତାଙ୍କୁ ଶେଷ ଦର୍ଶନ କରିଥିଲେ। ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଶୋକ ବାର୍ତ୍ତାରେ ଦର୍ଶାଇଛନ୍ତି, ବିଜେପିର ଏହି ବରିଷ୍ଠ ନେତା, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ରାଜ୍ୟ ବିଜେପିର ପୂର୍ବତନ ଅଧ୍ୟକ୍ଷ ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗରେ ସେ ଦୁଃଖିତ ଓ ମର୍ମାହତ। ତାଙ୍କ ସହ ମୋର ବ୍ୟକ୍ତିଗତ ତଥା ରାଜନୈତିକ ପରିଚୟ ଥିଲା।
ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗରେ ଓଡ଼ିଶାରେ ବି ଦଳମତ ନିର୍ବିଶେଷରେ ଶୋକର ଛାୟା । ରାଜ୍ୟପାଳ ହରିବାବୁ କମ୍ଭମପାଟି ତାଙ୍କ ଶୋକବାର୍ତ୍ତାରେ ଲେଖିଛନ୍ତି ସେବା ଓ ସଂକଳ୍ପ ମନୋଭାବରେ ରାଜ୍ୟର ବିକାଶ ପାଇଁ ସେ ସାରା ଜୀବନ ଉତ୍ସର୍ଗ କରିଥିଲେ । ସେହିପରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକବ୍ୟକ୍ତ କରି କହିଛନ୍ତି ସ୍ୱର୍ଗତ ପ୍ରଧାନ ଜଣେ ଲୋକପ୍ରିୟ ଜନନେତା ଓ ଦକ୍ଷ ପାର୍ଲାମେଣ୍ଟାରିଆନ୍ ଥିଲେ । ଜଣେ ଜନ ପ୍ରତିନିଧି ଏବଂ ସାଂସଦ ଭାବେ ଅନେକ ଜନକଲ୍ୟାଣ ମୂଳକ କାର୍ଯ୍ୟ କରି ସାଧାରଣ ଲୋକଙ୍କ ଶ୍ରଦ୍ଧାଭାଜନ ହୋଇ ପାରିଥିଲେ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ ଦେବେନ୍ଦ୍ର ପ୍ରଧାନଙ୍କ ଦେହାନ୍ତରେ ଶୋକବ୍ୟକ୍ତ କରିଛନ୍ତି।
ରାଜନୀତି ସହ ବୃତ୍ତିଗତ ଜୀବନରେ ବି ସ୍ବତନ୍ତ୍ର ଛାପ ଛାଡ଼ି ଯାଇଛନ୍ତି ସ୍ବର୍ଗତ ଡାକ୍ତର ଦେବେନ୍ଦ୍ର ପ୍ରଧାନ । ୧୯୪୧, ଜୁଲାଇ ୧୬ରେ ଜନ୍ମିତ ଦେବେନ୍ଦ୍ର ପ୍ରଧାନ ପେଷାରେ ଥିଲେ ଜଣେ ଡାକ୍ତର । ୧୯୬୬ରେ MBBS ଡିଗ୍ରୀ ହାସଲ ପରେ ୧୯୬୭ରେ ତାଳଚେର ଡେରା ମେଡିକାଲରେ ଆସିଷ୍ଟାଣ୍ଟ ମେଡିକାଲ୍ ଅଫିସର ଭାବରେ ଚାକିରି ଆରମ୍ଭ କରିଥିଲେ । ହେଲେ ରୋଗୀ ସେବା କରୁ କରୁ ଜନସେବା ପ୍ରତି ଆଗ୍ରହ ବଳାଇ ୧୯୭୩ରେ ଚାକିରିରୁ ନେଇଥିଲେ VRS । ୧୯୮୦ରେ ବିଜେପିରେ ଯୋଗ ଦେଇ ରାଜନୀତିରେ ଏଣ୍ଟ୍ରି କଲେ । ୧୯୮୮ରୁ ୧୯୯୦ ଯାଏଁ ହୋଇଥିଲେ ରାଜ୍ୟ ବିଜେପି ସଭାପତି । ତାପରେ ୧୯୯୦-୧୯୯୩ ଯାଏଁ ଦ୍ବିତୀୟ ଥର ଓ ୧୯୯୫-୧୯୯୭ ଯାଏଁ ତୃତୀୟ ଥର ବି ରାଜ୍ୟ ବିଜେପିର ମଙ୍ଗ ସମ୍ଭାଳିଥିଲେ ଦେବେନ୍ଦ୍ର । ଏଥିସହ ବିଜେପି ରାଷ୍ଟ୍ରୀୟ ଉପସଭାପତି ବି ରହିଥିଲେ ବିଜେପିର ଏ ଟାଣୁଆ ନେତା । ଦେବଗଡ଼ ଲୋକସଭାରୁ ୨ ଥର ସାଂସଦ ହୋଇଥିଲେ । ୧୯୯୮ରେ ବାଜପେୟୀ ସରକାରରେ ଥିଲେ ଭୂପୃଷ୍ଠ ପରିବହନ
ରାଷ୍ଟ୍ରମନ୍ତ୍ରୀ । ୧୯୯୯ରେ ପୁଣି ଦ୍ବିତୀୟ ବାର ଲୋକସଭାକୁ ନିର୍ବାଚିତ ହୋଇ ୨୦୦୧ ଯାଏଁ ସେହି ବାଜପେୟୀଙ୍କ ମନ୍ତ୍ରିମଣ୍ଡଳରେ ଭୂପୃଷ୍ଠ ପରିବହନ ସହ କୃଷି ରାଷ୍ଟ୍ରମନ୍ତ୍ରୀ ଦାୟିତ୍ବ ମଧ୍ୟ ସଫଳତାର ସହ ତୁଲାଇଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1742226617.jpg)