• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ହଠାତ୍ ବଦଳିଲେ ଖାଦ୍ୟ ଯୋଗାଣ ସଚିବ । ହେଲେ କାହିଁକି? କନ୍ଧମାଳ ଆମ୍ବ ଟାକୁଆ ମୃତ୍ୟୁ ଏହା ପଛର କାରଣ କି? ବିଜେଡିର ସିଧାସଳଖ ଅଭିଯୋଗ ହେଲା ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କୁ ସୁରକ୍ଷା ଦେବାକୁ ସଚିବଙ୍କୁ ବଦଳା ଯାଇଛି । ଜବାବରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କହିଛନ୍ତି ତାଙ୍କ ସମୟରେ ଅଫିସର ରାଜୁତିର ବିରାମ ଲାଗିଛି । ଦକ୍ଷ ଅଧିକାରୀଙ୍କୁ ନେଇ କାମ ହେବ । ବଦଳିଲେ ଯୋଗାଣ ସଚିବ । ବଢିଲା ରାଜନୈତିକ ଉଷ୍ମତା ।

ବିଜେଡି ଟାର୍ଗେଟରେ ସରକାରୀ ଦଳ । ଆମ୍ବ ଟାକୁଆ ମୃତ୍ୟୁ ଘଟଣାରେ ସରକାର ଖସିବା ଲାଗି ସଚିବଙ୍କୁ ବଳି ପକାଇଥିବା ଅଭିଯୋଗ ଆଣିଲା ବିଜେଡି । ଗତକାଲି ରାଜ୍ୟ ସରକାର ଯୋଗାଣ ବିଭାଗର ସଚିବ ବୀର ବିକ୍ରମ ଯାଦବଙ୍କୁ ହଟାଇ ଦେଇଛନ୍ତି । ତାଙ୍କ ବଦଳରେ ନିଯୁକ୍ତ ହୋଇଛନ୍ତି ସଞ୍ଜୟ ସିଂ । ତେବେ ଚର୍ଚ୍ଚା ହେଉଛି କନ୍ଧମାଳ ମାଣ୍ଡିପଙ୍କା ଗାଁରେ ଆମ୍ବ ଟାକୁଆ ଜାଉ ଖାଇ ଦୁଇ ଜଣଙ୍କ ମୃତ୍ୟୁ ଘଟଣାରେ ବିରୋଧୀ ଯେଉଁଭଳି ସରକାରଙ୍କୁ ଆକ୍ରମଣ କଲେ ଏ ତାର ପ୍ରତିଫଳନ ।

ମାଣ୍ଡିପଙ୍କାରେ ଠିକ୍ ସମୟରେ ରାସନ ଚାଉଳ ନମିଳିବାରୁ ଆମ୍ବ ଟାକୁଆ ଜାଉ ଖାଇ ମୃତ୍ୟୁ ମୁଖରେ ପଡିଲେ ବୋଲି ବିରୋଧୀ ଘଟଣାକୁ ନାଟକୀୟ ମୋଡ଼ ଦେଲେ । ଏପଟେ ବିଜେଡି ଆଜି ସାମ୍ବାଦିକ ସମ୍ମିଳନୀ କରି ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି । ଜବାବରେ ଖୋଦ୍ ମନ୍ତ୍ରୀ କହିଛନ୍ତି, ବିଜେଡି ସମୟରେ ଗୋଟିଏ ଗୋଟିଏ ବିଭାଗରେ ଗାଦି ମାଡି ବସିଥିଲେ ବାବୁ । କିନ୍ତୁ ଆମ ସରକାର ଯେଉଁମାନେ ଦକ୍ଷ ଅଫିସର ସେମାନଙ୍କୁ ନେଇ କାମ କରୁଛନ୍ତି ।

ଖାଲି ଯୋଗାଣ ସଚିବ ନୁହଁ, ଶକ୍ତି ସଚିବ ହେମନ୍ତ ଶର୍ମାଙ୍କୁ ବି ହଟାଇଛନ୍ତି ସରକାର । ତାଙ୍କ ସ୍ଥାନରେ ନିଯୁକ୍ତ ହୋଇଛନ୍ତି ବିଶାଲ ଦେବ । କିଛି ଦିନ ତଳେ ମୋହନ ସରକାର ସଚିବ ସ୍ତରରେ ବଡ ଧରଣର ଅଦଳ ବଦଳ କରିଥିଲେ । କିନ୍ତୁ ପୁଣିଥରେ ଗତକାଲି ଯୋଗାଣ ଓ ଶକ୍ତି ସଚିବଙ୍କୁ ବଦଳାଇବା ପରେ ଚର୍ଚ୍ଚା ଜୋର ଧରିଛି । କିନ୍ତୁ ପୂର୍ବତନ ପ୍ରଶାସନିକ ଅଧିକାରୀଙ୍କ ମତ ହେଲା, କେଉଁ ବିଭାଗ କାହାକୁ ଦିଆଯିବ ତାହା ସରକାରଙ୍କ ଇଚ୍ଛାଧୀନ ବ୍ୟାପାର ।

ମାତ୍ର ନିରନ୍ତର ବ୍ୟବଧାନରେ ସଚିବଙ୍କୁ ବଦଳାଗଲେ କୌଣସି ଲାଭ ମିଳିନପାରେ । ଏବେ ଦେଖିବାର କଥା ହେଉଛି ଆକ୍ସନ ମୋଡ୍‌ରେ ଥିବା ମୋହନ ସରକାର, ଖରାପ ପ୍ରଦର୍ଶନ ରଖୁଥିବା ବାବୁମାନଙ୍କ ଉପରେ ଆଗକୁ ଆଉ କି ପଦକ୍ଷେପ ନେଉଛନ୍ତି ।

OTV is now on Whatsapp

Join and get latest news update delivered to you via whatsapp

Join Now