ରାଜ୍ୟରେ ବଢୁଛି ମଦ ବିକ୍ରି । ବିଧାନସଭାରେ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏ ନେଇ ରଖିଛନ୍ତି ତଥ୍ୟ । ୨୦୨୩-୨୪ ବର୍ଷରେ ଅବକାରୀ ରାଜସ୍ୱ ୭ ହଜାର ୨୧୬ କୋଟି ୯୯ ଲକ୍ଷ ଟଙ୍କାରେ ପହଞ୍ଚିଛି । ୨୦୨୩-୨୪ ବର୍ଷରେ ୫ କୋଟି ୮୮ ଲକ୍ଷ ୮୫ ହଜାର ଲିଟର ବିଦେଶୀ ମଦ ବିକ୍ରି ହୋଇଛି । ତା’ ପୂର୍ବ ବର୍ଷ ୨୦୨୨-୨୩ ବର୍ଷରେ ୫ କୋଟି ୮୩ ଲକ୍ଷ ୪୪ ହଜାର ଲିଟର ମଦ ବିକ୍ରି ହୋଇଛି ।
ସେହିପରି ୨୦୨୨-୨୩ ବର୍ଷରେ ୧୨ କୋଟି ୯ ଲକ୍ଷ ୬୭ ହଜାର ବଲକ ଲିଟର ବିକ୍ରି ହୋଇଥିବା ବେଳେ ୨୦୨୩-୨୪ ରେ ଏହା ବଢି ୧୫ କୋଟି ୩୫ ଲକ୍ଷ ୭୨ ହଜାର ବଲକ ଲିଟର ବିକ୍ରି ହୋଇଛି । ରାଜ୍ୟରେ ଦେଶୀ ମଦର ମଧ୍ୟ ବଢିଛି ଚାହିଦା । ୨୦୨୨-୨୩ ରେ ୮୪ ଲକ୍ଷ ୩୭ ହଜାର ଲିଟର ଦେଶୀ ମଦ ବିକ୍ରି ହୋଇଥିବା ବେଳେ ୨୦୨୩-୨୪ ରେ ୯୮ ଲକ୍ଷ ୪୩ ହଜାର ଲିଟର ମଦ ବିକ୍ରି ହୋଇଛି ।
Also Read
ଅବକାରୀ ରାଜସ୍ୱ ୭ ହଜାର କୋଟି ପାର୍ କରିଥିବା ବେଳେ ବରଗଡ଼ ଜିଲ୍ଲାରୁ ଆସିଛି ସର୍ବାଧିକ ୧୨୪ କୋଟି ୯୯ ଲକ୍ଷର ଅବକାରୀ ରାଜସ୍ୱ । ଦ୍ୱିତୀୟ ସ୍ଥାନରେ ରହିଛି ଗଞ୍ଜାମ ଜିଲ୍ଲା । ଗଞ୍ଜାମରେ ୯୬ କୋଟି ୧୦ ଲକ୍ଷ ଟଙ୍କାର ଅବକାରୀ ରାଜସ୍ୱ ଆଦାୟ ହୋଇଛି । ବିଧାନସଭାରେ ଲିଖିତ ଉତ୍ତର ରଖିଲେ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗତ ୧୦ ବର୍ଷରେ ଅବକାରୀ ରାଜସ୍ୱ ତିନି ଗୁଣରୁ ଅଧିକ ବଢିଛି । ୨୦୧୪-୧୫ରେ ରାଜ୍ୟର ଅବକାରୀ ରାଜସ୍ୱ ୨୦୩୮.୭୯ କୋଟି ଟଙ୍କା ଥିଲା ବେଳେ ୨୦୧୫-୧୬ରେ ୨୫୬୮.୬୮ କୋଟି ଟଙ୍କା ଥିଲା । ୨୦୧୬-୧୭ରେ ୨୭୮୬.୮୬ , ୨୦୧୭-୧୮ରେ ୩୨୨୧.୦୩ , ୨୦୧୮-୧୯ରେ ୩୯୨୫.୪୧ , ୨୦୧୯-୨୦ରେ ୪୪୯୫.୫୨ କୋଟି ଟଙ୍କା ଥିଲା ।
ଅଧିକ ପଢନ୍ତୁ:ASO ଚାକିରି ବିକ୍ରି ନେଇ ରୁଲିଂ ଦାବି କଲେ ପ୍ରମିଳା, କାଉଣ୍ଟର୍ କଲେ ସନ୍ତୋଷ
ଗତ ୧୦ ବର୍ଷ ଭିତରେ କେବଳ ୨୦୨୦-୨୧ରେ ରାଜ୍ୟରେ ଅବକାରୀ ରାଜସ୍ୱ କମିଥିଲା । ସେହି ବର୍ଷ ଏହା ଥିଲା ୪୦୫୩.୫୧ କୋଟି ଟଙ୍କା । ତେବେ ୨୦୨୧-୨୨ରେ ଏହି ରାଜସ୍ୱ ଆଶାତୀତ ଭାବେ ବଢିଥିଲା । ସେହି ବର୍ଷ ୫୫୨୮.୪୧ କୋଟି ଟଙ୍କା ଥିଲା ଅବକାରୀ ରାଜସ୍ୱ ଆଦାୟ । ୨୦୨୨-୨୩ରେ ଥିଲା ୬୪୫୫.୦୬ କୋଟି ଟଙ୍କା ଓ ୨୦୨୩-୨୪ରେ ଏହା ପହଞ୍ଚିଛି ୭୨୧୬.୯୯ କୋଟି ଟଙ୍କାରେ ।
ରାଜ୍ୟରେ ଏବେ ୧୦୭୩ଟି ଠିପିବନ୍ଦ ମଦ ଦୋକାନ ଥିଲା ବେଳେ ୭୬୨ଟି ଠିପିଖୋଲା ମଦ ଦୋକାନ ରହିଛି । ଓଡିଶା ବିଭରେଜ୍ କର୍ପୋରେସନ ଲିମିଟେଡରୁ ୫୯୨୭.୫୯ କୋଟିର ରାଜସ୍ୱ ମିଳିଥିବା ବେଳେ ବରଗଡ ଅବକାରୀ ଜିଲ୍ଲାରେ ସର୍ବାଧିକ ୧୨୪.୯୯ କୋଟି ଟଙ୍କାର ରାଜସ୍ୱ ଆଦାୟ ହୋଇଛି । ଗଞ୍ଜାମ ଅବକାରୀ ଜିଲ୍ଲାରୁ ୯୬ କୋଟି ୧୦ ଲକ୍ଷ ଓ ବ୍ରହ୍ମପୁର ଅବକାରୀ ଜିଲ୍ଲାରୁ ୭୭.୬୭ କୋଟି ଟଙ୍କାର ଅବକାରୀ ରାଜସ୍ୱ ମିଳିଥିବାର ମନ୍ତ୍ରୀ କହିଛନ୍ତି ।