• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ବାତ୍ୟା ଦାନାର ଲ୍ୟାଣ୍ଡଫଲ ପ୍ରକ୍ରିୟା ଶେଷ ହୋଇଛି। ତେବେ ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଆଜି ୩ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି । ବାତ୍ୟା ପରର ସ୍ଥିତି ନେଇ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି, ୪ ଘଣ୍ଟା ଭିତରେ ରାସ୍ତା ସଫା ସରିଗଲାଣି । ଟେଲିକମ୍ୟୁନିକେସନ ବିଭାଗରୁ କୌଣସି ଅଭିଯୋଗ ଆସିନି । ଶକ୍ତି ଓ ସ୍ୱାସ୍ଥ୍ୟ ବିଭାଗ ଭଲ କାମ କରିଛନ୍ତି । କିଛି ଜାଗାରେ ତାର ଛିଣ୍ଡିଯିବା ଯୋଗୁଁ ବିଦ୍ୟୁତ୍‌ ବ୍ୟାଘାତ ହୋଇଛି । ତେବେ ସୂର୍ଯ୍ୟାସ୍ତ ପୂର୍ବରୁ ସବୁ ସ୍ଥାନକୁ ବିଦ୍ୟୁତ୍‌ ଆସି ସାରିଥିବ ବୋଲି ରାଜସ୍ୱ ମନ୍ତ୍ରୀ କହିଛନ୍ତି ।

ସେହିପରି ସେ ଆହୁରି କହିଛନ୍ତି, ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ ହୋଇଥିବା ପ୍ରସବାଙ୍କ ମଧ୍ୟରୁ ୧୬ ଶହ ମାଆ ପ୍ରସବ କରିଛନ୍ତି । ଏମାନଙ୍କ ମଧ୍ୟରେ ୧୩ ମା’ ଯାଆଁଳା ଶିଶୁ ଜନ୍ମ ଦେଇଛନ୍ତି । ବାତ୍ୟାକୁ ଦୃଷ୍ଟିରେ ରଖି ୬ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତରିତ କରିଛୁ । ଏବେ ମଧ୍ୟ ଖାଲୁଆ ସ୍ଥାନରୁ ପାଣି ଛାଡ଼ିନି । ଯେଉଁମାନେ ରିଲିଫ୍‌ ସେଣ୍ଟରରେ ରହିବା ପାଇଁ ଚାହିଁବେ ସେମାନେ ରହିପାରିବେ । ଯେଉଁମାନେ ରିଲିଫ୍‌ ସେଣ୍ଟରରେ ରହିବେ ସେମାନଙ୍କୁ ରନ୍ଧା ଖାଧ୍ୟ ଦିଆଯିବ ବୋଲି ସୁରେଶ ପୂଜାରୀ କହିଛନ୍ତି ।

ସେହିପରି ଆଶା ଦିଦି ଶ୍ରାବଣୀର କାର୍ଯ୍ୟକୁ ମଧ୍ୟ ପ୍ରଶଂସା କରିଛନ୍ତି ରାଜସ୍ବ ମନ୍ତ୍ରୀ । ଶ୍ରାବଣୀ ଦିଦି ୭ ଜଣଙ୍କୁ କାନ୍ଧରେ ବୋହି ଉଦାହରଣ ପାଲଟିଛନ୍ତି । ସେପଟେ ଆସନ୍ତାକାଲି କ୍ଷେତ୍ର ପରିଦର୍ଶନ କରାଯିବ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ । ୨୬ରେ ଫିଲ୍ଡ ଷ୍ଟାଫ୍‌ କ୍ଷୟକ୍ଷତି ଆକଳନ କରିବେ । ଫସଲ ଓ ଘର କ୍ଷୟକ୍ଷତି ଆକଳନ ୭ ଦିନରେ ହେବ । ସେହିପରି ବାତ୍ୟା ‘ଦାନା’ ପ୍ରଭାବରେ ଘର ଭାଙ୍ଗିଥିବା ଲୋକଙ୍କୁ ପକ୍କା ଘର ପାଇଁ ନିଷ୍ପତ୍ତି ହୋଇଛି । କାଲି ଏରିୟଲ ଭାବେ ପ୍ରାଥମିକ ଆକଳନ କରାଯିବ । ତେବେ ବାତ୍ୟା ଦାନା ପ୍ରଭାବରେ ଭଦ୍ରକ ଓ କେନ୍ଦ୍ରାପଡ଼ା ବିଶେଷ ପ୍ରଭାବିତ ହୋଇଛି ବୋଲି ସୁରେଶ ପୂଜାରୀ କହିଛନ୍ତି ।

OTV is now on Whatsapp

Join and get latest news update delivered to you via whatsapp

Join Now