/odishatv-khabar/media/post_attachments/uploadimage/library/16_9/16_9_0/Ev_1746267732.jpg)
Ev
ଗ୍ରୀନ ଏନର୍ଜି ବା ନବୀକରଣ ଯୋଗ୍ୟ ଶକ୍ତିର ବ୍ୟବହାର ବୃଦ୍ଧି କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନୂତନ ବ୍ୟବସ୍ଥା ଗ୍ରହଣ କରାଯିବ। ବୈଦ୍ୟୁତିକ ଯାନ ବା ଇଭିର ବ୍ୟବହାର ବୃଦ୍ଧି କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନୂତନ ପଲିସି ପ୍ରଣୟନ କରାଯିବ ବୋଲି ଉପ ମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ସୂଚନା ଦେଇଛନ୍ତି। ଅଧିକ ପରିମାଣରେ ଇଲେକ୍ଟ୍ରିକ ଯାନ ବ୍ୟବହାର ପାଇଁ ନୂତନ ଇଭି ପଲିସି ଆସିବ ବୋଲି କହିଛନ୍ତି କନକ ବର୍ଦ୍ଧନ।
ଅଧିକ ପଢ଼ନ୍ତୁ: ଏ କେମିତିକା ବନ୍ଧନ, ବିବାହର ୩୫ ଦିନ ପରେ ନେଇଗଲା ଜୀବନ ?
ସରକାରୀ ସ୍ତରରେ ଏହି ବ୍ୟବସ୍ଥାକୁ ଆଗୁଆ କାର୍ଯ୍ୟକାରୀ କରାଯିବ ବୋଲି ଉପ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ସରକାରୀ ବାସଭବନରେ ସୌର ପ୍ୟାନେଲ ବାଧ୍ୟତାମୂଳକ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ସରକାରୀ କର୍ମଚାରୀ ମାନେ ଇଭି ଗାଡ଼ି ବ୍ୟବହାର କରିବା ଉଚିତ୍ ବୋଲି ମଧ୍ୟ ସେ ବୟାନ ଦେଇଛନ୍ତି। ଆସନ୍ତା ୫ ବର୍ଷ ମଧ୍ୟରେ ସମସ୍ତ ସରକାରୀ କାର୍ଯ୍ୟାଳୟରେ ସୌର ପ୍ୟାନେଲ ଲଗାଯିବ ବୋଲି ମଧ୍ୟ କନକ ବର୍ଦ୍ଧନ ସୂଚନା ଦେଇଛନ୍ତି। ବର୍ତ୍ତମାନ ଟ୍ୱିନ୍ ସିଟିର ବିଭିନ୍ନ କାର୍ଯ୍ୟାଳୟରେ ସୌର ପ୍ୟାନେଲ ଲଗାଯାଇଛି। ଆଗାମୀ କିଛି ଦିନ ମଧ୍ୟରେ ସମସ୍ତ ସରକାରୀ ଅଫିସକୁ ସୌରଶକ୍ତିରେ ପରିଚାଳନା କରାଯିବ ବୋଲି ସୂଚନା ଦେଇଛନ୍ତି।
ପୂର୍ବରୁ ଇଲେକ୍ଟ୍ରିକ୍ ଗାଡ଼ି କିଣିବାକୁ ଆଡଭାନ୍ସ ଦେଉଥିଲେ ସରକାର । ସରକାରୀ ଚାକିରିଆଙ୍କୁ ଇଲେକ୍ଟ୍ରିକ୍ ଗାଡ଼ି କିଣିବାକୁ ନେଇ ଆଡଭାନ୍ସ ମଧ୍ୟ ମିଳୁଥିଲା। ଇଲେକ୍ଟ୍ରିକ୍ କାର ବା ଦୁଇ ଚକିଆ ଯାନ କିଣିବାକୁ ଆଡଭାନ୍ସ ଆକାରରେ ସରକାର ଟଙ୍କା ଦେଉଥିଲେ। ଗ୍ରୁପ୍-ଏ ବା ବି’ କର୍ମଚାରୀଙ୍କୁ ଇଲେକ୍ଟ୍ରି କାର୍ ପାଇଁ ଆଡଭାନ୍ସ ମିଳିବ । ସେହିପରି ଗ୍ରୁପ୍ ସି’ ଓ ଡି’ କର୍ମଚାରୀଙ୍କୁ ଦୁଇ ଚକିଆ ଯାନ କିଣିବାକୁ ଅଗ୍ରୀମ ଟଙ୍କା ଦେଉଛନ୍ତି ସରକାର । ଗ୍ରୁପ୍-ଏର କର୍ମଚାରୀ ମାନେ କିଣିବାକୁ ଥିବା କାର୍ ଦାମ୍ର ୭୫% ଆଡଭାନ୍ସ ଆକାରରେ ଦିଅନ୍ତି ସରକାର ।
ଅର୍ଥାତ୍ ସର୍ବାଧିକ ୧୫ଲକ୍ଷ ଟଙ୍କା ଆଡଭାନ୍ସ ବାବଦକୁ କର୍ମଚାରୀମାନଙ୍କୁ ମିଳିବ । ଅନ୍ୟପଟେ ଗ୍ରୁପ୍ ସି’ ଓ ଡି’ କର୍ମଚାରୀଙ୍କୁ ଦୁଇ ଚକିଆ କିଣିବାକୁ ଆଡଭାନ୍ସ ଆକାରରେ ଗାଡି ମୂଲ୍ୟର ୭୫% ବା ସର୍ବାଧିକ ୨ ଲକ୍ଷ ପର୍ଯ୍ୟନ୍ତ ଆଡଭାନ୍ସ ଦିଆଯିବ ବୋଲି କୁହାଯାଇଛି । ତାହାସହ ସରକାର ଦେଇଥିବା ଏହି ଟଙ୍କା ସର୍ବାଧିକ ୧୦୦ଟି ମାସିକିଆ କିସ୍ତିରେ ଦରମାରୁ ଭରଣା କରାଯିବ । ଇଭି ଆଡଭାନ୍ସ ନେଇ ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ନୋଟିସ୍ ଜାରି କରାଯାଇଛି । ପେଟ୍ରୋଲ ଡିଜେଲ ଦର ବୃଦ୍ଧି ପାଉଥିବାରୁ ବୈଦ୍ୟୁତିକ ଯାନର ଚାହିଦା ବଢ଼ିବାରେ ଲାଗିଛି । ବିଭିନ୍ନ କମ୍ପାନୀ ପକ୍ଷରୁ ବଜାରରେ ବୈଦ୍ୟୁତିକ ଯାନ ଉପଲବ୍ଧ ହେଲାଣି । ସାଧାରଣ ଲୋକମାନେ ବର୍ତ୍ତମାନ ବୈଦ୍ୟୁତିକ ଯାନ ପ୍ରତି ଆକୃଷ୍ଟ ହେଉଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)