• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tapan Kumar Swain

ଶିମିଳିପାଳ ଅଭୟାରଣ୍ୟ ସୁରକ୍ଷାରେ ନିୟୋଜିତ ଥିବା ପୋଷାହାତୀ ଭବାନୀର ମୃତ୍ୟୁ ଘଟିଛି । ଆଜି ସକାଳ ୬ଟା ବେଳେ ତାର ମୃତ୍ୟୁ ଘଟିଛି ।

ଶିମିଳିପାଳ ଅଭୟାରଣ୍ୟର ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ ହାତୀ ଭବାନୀ ପିଠିରେ ବସି କର୍ମଚାରୀମାନେ ପାଟ୍ରୋଲିଂ କରୁଥିଲେ। ଶିକାରୀ ଓ କାଠ ଚୋରିକୁ ରୋକିବା ଦିଗରେ ଜଣେ ସୁରକ୍ଷାକର୍ମୀ ଭାବେ କାର୍ଯ୍ୟ କରୁଥିଲା ଭବାନୀ । ଏପରିକି ବଣୁଆ ହାତୀଙ୍କ ଉପଦ୍ରବ ସମୟରେ ଭବାନୀର କାର୍ଯ୍ୟ ଅତ୍ୟନ୍ତ ଉଲ୍ଲେଖନୀୟ ରହିଥାଏ । ହାତୀମାନଙ୍କୁ ଜଙ୍ଗଲ ମୁହାଁ କରିବାରେ ମୁଖ୍ୟ ଭୂମିକା ନିର୍ବାହ କରୁଥିଲା । ଯେଉଁଠି ବନ ବିଭାଗ କର୍ମଚାରୀ ବଣୁଆ ହାତୀଙ୍କୁ ଜଙ୍ଗଲ ଭିତରକୁ ନେବାରେ ଅସମର୍ଥ ହେଉଥିଲା, ସେଇଠି ହାତୀଙ୍କୁ ଜଙ୍ଗଲ ଭିତରକୁ ନେଉଥିଲା ଭବାନୀ ।

ଭବାନୀ ପର୍ଯ୍ୟଟକଙ୍କୁ ପିଠିରେ ବସାଇ ଶିମିଳିପାଳ ଅଭୟାରଣ୍ୟ ବୁଲାଉଥିଲା ମଧ୍ୟ । ଭବାନୀ ଅତି ଶାନ୍ତପ୍ରିୟ ପ୍ରାଣୀ ଥିଲା ବୋଲି କହୁଛନ୍ତି ବନ ବିଭାଗ କର୍ମଚାରୀ । ସେ ଓଡ଼ିଶା ଆସିବା ପରେ ମଣିଷର ସେବା ହିଁ କରି ଚାଲିଥିଲା ।

୨୦୧୮ ମସିହାରେ ଭବାନୀକୁ ୬୦ ବର୍ଷ ହୋଇଥିଲା । ତେଣୁ ତାକୁ ସେବାରୁ ଅବ୍ୟାହତି ଦିଆଯଆଇଥିଲା । ଅର୍ଥାତ ସେ ଅବସର ନେଇଥିଲା । ଗତ ଏକ ବର୍ଷ ଧରି ସେ ଅସୁସ୍ଥ ହୋଇପଡିଥିଲା । ସେ ଯାହା ଡାଳପତ୍ର ଖାଉଥିଲା, ହଜମ କରିପାରୁ ନଥିଲା । ତେଣୁ ତାକୁ ସିଝା ଓ ରନ୍ଧା ଖାଦ୍ୟ ଦିଆଯାଉଥିଲା । ଅସୁସ୍ଥତା କାରଣରୁ ଚିକିତ୍ସା କରୁଥିବା ପ୍ରାଣୀ ଡାକ୍ତରମାନେ ତାକୁ ନିୟମିତ ଭାବେ ଭିଟାମିନ୍ ମଧ୍ୟ ଦେଉଥିଲେ । ତେବେ କିଛିଦିନ ଧରି ତା’ର ସ୍ବାସ୍ଥ୍ୟବସ୍ଥା ସାମାନ୍ୟ ଖରାପ ଥିବାବେଳେ ହଠାତ ମୃତ୍ୟୁବରଣ କରିଛି।

ତେବେ ଶିମିଳିପାଳ ପାଇଁ ଭବାନୀର ସେବା ଚିରଦିନ ପର୍ଯ୍ୟନ୍ତ ରହିବ ବୋଲି ପ୍ରାଣୀପ୍ରେମୀମାନେ ପ୍ରକାଶ କରିଛନ୍ତି । ମଙ୍ଗଳବାର ପ୍ରାଣୀ ଡାକ୍ତର ଓ ଅଧିକାରୀଙ୍କ ଉପସ୍ଥିତିରେ ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡିଛି। ଭବାନୀର ମୃତ୍ୟୁ ଖବର ବନକର୍ମଚାରୀ ଓ ପ୍ରାଣୀପ୍ରେମୀଙ୍କ ମଧ୍ୟରେ ଗଭୀର ଆଘାତ ଲାଗିଛି। ସାଢେ ୭ଫୁଟରୁ ଅଧିକ ଉଚ୍ଚ ଭବାନୀର ବୟସ ୬୮ ବର୍ଷ ଥିଲା ।

ଶିମିଳିପାଳର ସୁରକ୍ଷା ଓ ପର୍ଯ୍ୟଟନର ବିକାଶ ପାଇଁ ୨୦୦୧ ମସିହା ନଭେମ୍ୱର ମାସରେ ଭବାନୀକୁ କର୍ଣ୍ଣାଟକରୁ ଅଣାଯାଇଥିଲା । ଭବାନୀ ୨୦୦୨ରେ ରାଜକୁମାର ଓ ୨୦୦୮ରେ ଶିବାନୀକୁ ଜନ୍ମ ଦେଇଥିଲା । ପ୍ରଥମେ ଭବାନୀକୁ ଗୁଡଗୁଡିଆ କ୍ୟାମ୍ପରେ ରଖାଯାଇଥିଲା । ପରେ ଜେନାବିଲର ହାତୀଘର କ୍ୟାମ୍ପକୁ ସ୍ଥାନାନ୍ତର କରାଯାଇଥିଲା ।

  • Reported by:
  • MANIK Lal PANI

OTV is now on Whatsapp

Join and get latest news update delivered to you via whatsapp

Join Now