Advertisment

Basanti Durga Puja: କାହିଁକି ପାଳନ ହୁଏ ବାସନ୍ତୀ ଦୁର୍ଗାପୂଜା, ଦଶହରାଠାରୁ ଏହା କେମିତି ଅଲଗା

ଭାରତରେ ପ୍ରତିବର୍ଷ ଦୁଇଥର ଦେବୀ ଦୁର୍ଗାଙ୍କର ପୂଜା ଅନୁଷ୍ଠିତ ହୁଏ। ଶରତ ଋତୁରେ, ଆଶ୍ୱିନ ମାସ ଶୁକ୍ଳ ପକ୍ଷର ପୂଜାକୁ ‘ଦେବୀ ପୂଜା’ ଏବଂ ବସନ୍ତ ଋତୁରେ ଚୈତ୍ରମାସ ଶୁକ୍ଳ ପକ୍ଷର ପୂଜାକୁ ‘ବାସନ୍ତୀ ପୂଜା’ କୁହାଯାଏ।

author-image
Sarojini Sankhua
ଅଦ୍ୟତନ ହୋଇଛି
significance of basanti durga puja and how it is different from dussehra

significance of basanti durga puja and how it is different from dussehra

ଆଦ୍ୟାଶକ୍ତି ଜଗଜ୍ଜନନୀ ମା’ ଦୁର୍ଗା ଆମ ଭାରତୀୟ ସଂସ୍କୃତିରେ ଓତପ୍ରୋତ ଭାବେ ମିଶି ଯାଇଛନ୍ତି। ଆମେ ଭାରତୀୟମାନେ ଦେବୀ ଦୁର୍ଗାଙ୍କୁ ଆମର ହୃଦୟରେ ନିଜ ନିଜର ମା’ ବା କନ୍ୟା ବିଚିତ୍ର ରୂପରେ ଦେବୀ ଦୁର୍ଗାଙ୍କ ସ୍ଵରୂପ ଉପଲବ୍ଧି କରିବାର ପ୍ରଚେଷ୍ଟା ଜାରି ରଖିଛୁ। ଦେବୀ ଦୁର୍ଗା ମହିଷାସୁର ମର୍ଦ୍ଦିନୀ, ଅସୁର ବିନାଶିନୀ, ଦଶଭୁଜା, କେତେବେଳେ ଅଷ୍ଟଦଶଭୁଜା, କେତେବେଳେ ସହସ୍ରଭୁଜା କେତେବେଳେ ଚଣ୍ଡୀ, କେତେବେଳେ କାଳୀ, କେତେବେଳେ ଅନ୍ନପୂର୍ଣ୍ଣା, କେତେବେଳେ ଶାକମ୍ଭରୀ, କେତେବେଳେ ଜଗଦ୍ଧାତ୍ରୀ, କେତେବେଳେ ସ୍ନେହର ଦୁଲାଳୀ କନ୍ୟା ଉମା।

Advertisment

ଭାରତରେ ପ୍ରତିବର୍ଷ ଦୁଇଥର ଦେବୀ ଦୁର୍ଗାଙ୍କର ପୂଜା ଅନୁଷ୍ଠିତ ହୁଏ। ଶରତ ଋତୁରେ, ଆଶ୍ୱିନ ମାସ ଶୁକ୍ଳ ପକ୍ଷର ପୂଜାକୁ ‘ଦେବୀ ପୂଜା’ ଏବଂ ବସନ୍ତ ଋତୁରେ ଚୈତ୍ରମାସ ଶୁକ୍ଳ ପକ୍ଷର ପୂଜାକୁ ‘ବାସନ୍ତୀ ପୂଜା’ କୁହାଯାଏ। ଯେଉଁ ମା’ର ଶସ୍ୟ ଆହାର କରି ମାନବ ଜୀବିକା ନିର୍ବାହ କରେ, ସେହି ଧରିତ୍ରୀ ରାଣୀର ବୟଃପ୍ରାପ୍ତିରେ ଉତ୍‌ଫୁଲ୍ଲ ହୋଇ ଜନ-ମାନସ ବାସନ୍ତୀ ଦୁର୍ଗାଙ୍କ ପୂଜାର ଆୟୋଜନ କରେ।

ବସନ୍ତ ଋତୁରେ ଦେବୀ ପୂଜାର କଥା

ଯେତେବେଳେ ସବୁ ଦେବଦେବୀ ମହିଷାସୁରର ଅତ୍ୟାଚାରରେ ଅତିଷ୍ଠ ହୋଇ ବ୍ରହ୍ମାଙ୍କ ଶରଣରେ ପଶିଲେ, ସେତେବେଳେ ବ୍ରହ୍ମା, ଶ୍ରୀବିଷ୍ଣୁ ଓ ଶିବଙ୍କ ପରାମର୍ଶରେ ସମସ୍ତ ଦେବତାଙ୍କ ତେଜକୁ ମିଶାଇ, କାତ୍ୟାୟନ ଋଷିଙ୍କ ଆଶ୍ରମରେ ଯଜ୍ଞକୁଣ୍ଡରୁ ମାୟା ବୀଜଦ୍ୱାରା ଦୁର୍ଗାଙ୍କୁ ଆବାହନ କଲେ, ଏବଂ ଦେବୀ ଦୁର୍ଗା ଆବିର୍ଭାବ ହେଲେ।

Advertisment

ସମସ୍ତ ଦେବତା ନିଜ ନିଜ ଅସ୍ତ୍ର ଦୁର୍ଗାଙ୍କୁ ଦାନ କଲେ,ଶେଷରେ ଦେବୀ ‘ସିଂହବାହିନୀ’ ହୋଇ ମହିଷାସୁର ସହ ଯୁଦ୍ଧ କରିଥିଲେ। ଅନେକ ସମୟ ଯୁଦ୍ଧ କଲାପରେ ଦେବୀ ଶୂଳଦ୍ୱାରା ମହିଷାର ହୃଦୟ ବିଦ୍ଧ କଲେ, ଖଡ୍ଗଦ୍ୱାରା ଶିରଚ୍ଛେଦ କଲେ। ସେହି ସମୟ ଥିଲା ଚୈତ୍ର ଶୁକ୍ଳ ପକ୍ଷ ଅଷ୍ଟମୀ ଓ ନବମୀର ସନ୍ଧିକ୍ଷଣ, ତେଣୁ ଏହି ସମୟରେ ଦେବୀଙ୍କୁ ମହାଶକ୍ତି ରୂପେ ପୂଜା କରାଯାଏ।

ଯୁଗେ ଯୁଗେ ଦେବୀ ଆରାଧନା

ସୃଷ୍ଟିର ପ୍ରଥମ ଅବସ୍ଥାରେ ଶ୍ରୀକୃଷ୍ଣ ରାସମଣ୍ଡଳ ଗୋଲକ ଓ ବୃନ୍ଦାବନରେ ପ୍ରଥମେ ଦେବୀଙ୍କ ପୂଜା କରିଥିଲେ। ଦ୍ଵିତୀୟରେ, ମଧୁ କୈଟଭ ଭୟରେ ବ୍ରହ୍ମା, ତୃତୀୟରେ ତ୍ରିପୁରାସୁର ଭୟରେ ତ୍ରିପୁରାରି ମହାଦେବ, ଚତୁର୍ଥରେ ପ୍ରାଚୀନ କାଳରେ ଦୁର୍ବାସାଙ୍କର ଶାପରେ ଭ୍ରଷ୍ଟଶ୍ରୀ ଦେବେନ୍ଦ୍ର ଭକ୍ତି ପୂର୍ବକ ଚିନ୍ମୟୀ ଭଗବତୀ ଦେବୀଙ୍କର ଆରାଧନା କରିଥିଲେ, ସେଇ ସମୟରେ ମୁନୀନ୍ଦ୍ର, ସିଦ୍ଧେନ୍ଦ୍ର, ଦେବ ଓ ମୁନିପୁଙ୍ଗବଗଣ ଦୁର୍ଗାପୂଜା କରିଥିଲେ।

ସେଇ ସମୟରୁ ଦେବୀ ଦୁର୍ଗାଙ୍କ ପୂଜା ପ୍ରଚାରିତ ହୋଇଥିଲା। ପ୍ରାଚୀନ କାଳରେ ଦେବୀଦୁର୍ଗା ସମସ୍ତ ଦେବଗଣଙ୍କ ମିଳିତ ତେଜରୁ ଆବିର୍ଭୁତ ହୋଇଥିବାରୁ, ସବୁ ଦେବଗଣ ଦେବୀଙ୍କୁ ଅସ୍ତ୍ରଶସ୍ତ୍ର ଓ ଭୂଷଣ ଅଳଙ୍କାର ଆଦି ପ୍ରଦାନ କରିଥିଲେ। ସେଇ ଦେବୀ ଦୁର୍ଗା ଶତ୍ରୁ ମାନଙ୍କୁ ଓ ଅସୁରଗଣଙ୍କୁ ବିନାଶ କରି, ଦେବତା ମାନଙ୍କୁ ତାଙ୍କ ସ୍ଵରାଜ୍ୟ ଫେରାଇ ଦେଇଥିଲେ।

ମହାତ୍ମା ସୁରଥ ନଦୀ କୂଳରେ ଦୁର୍ଗାଙ୍କର ମାଟିର ମୂର୍ତ୍ତି ତିଆରି କରି ପୂଜା କରିଥିଲେ, ତାଙ୍କ ମନୋବାଞ୍ଛା ପୂରଣ ତଥା ନିଜ ରାଜ୍ୟ ଫେରି ପାଇବା ଉଦ୍ଦେଶ୍ୟରେ। ପୃଥିବୀର ଭିନ୍ନ ସ୍ଥାନରେ ଦେବୀଙ୍କର ଅନ୍ୟାନ୍ୟ ପୂଜା ପ୍ରଚଳନ ହୋଇଥିଲା, କିନ୍ତୁ ପୁଣ୍ୟକ୍ଷେତ୍ର ଏଇ ଭାରତରେ ପ୍ରଥମେ ସୁରଥ ଦୁର୍ଗତିନାଶିନୀ ଦେବୀ ଦୁର୍ଗାଙ୍କର ପୂଜା ଆରମ୍ଭ କରିଥିଲେ। ପୁଣି ଶ୍ରୀରାମଚନ୍ଦ୍ର ରାବଣର ବିନାଶ ପାଇଁ ଦେବୀ ଦୁର୍ଗାଙ୍କର ଅର୍ଚ୍ଚନା କରିଥିଲେ। ତା ପରେ ତିନି ଭୁବନରେ ଆଦ୍ୟାଶକ୍ତି ଜଗତମାତା ଦୁର୍ଗାଙ୍କ ପୂଜାର ପ୍ରଚାର ପ୍ରସାର ହୋଇଥିଲା।

ଘଟପୂଜା

ଶରତକାଳୀନ ଦୁର୍ଗା ହେଉ ଅଥବା ବାସନ୍ତୀ ଦୁର୍ଗାପୂଜା, ଏଥିରେ ମୂର୍ତ୍ତି ସ୍ଥାପନ କରାଯାଇ ଜୀବନ୍ୟାସ କର୍ମ ସହ ପୂଜା ନିୟମ ପ୍ରଣୟନ ହେଉଥିଲେ ମଧ୍ୟ ଘଟସ୍ଥାପନ ଜନିତ ପୂଜା, ଆବହମାନ କାଳରୁ ପ୍ରଚଳିତ। ବିଭିନ୍ନ ଭାବରେ ମୂର୍ତ୍ତି ପୂଜାର ଆଦର ବଢ଼ିଥିଲେ ମଧ୍ୟ, ମୂଳ ତତ୍ତ୍ୱକୁ ବାଦ୍ ଦେବା ସମ୍ଭବ ହୋଇନାହିଁ। ବାସନ୍ତୀ ଦୁର୍ଗାପୂଜା ବିଶେଷ ଭାବେ ପାଳିତ ହୋଇ ନଥାଏ। ଅନ୍ୟପକ୍ଷରେ ଶରତକାଳୀନ ଦୁର୍ଗାପୂଜା ଏବେ ସାର୍ବଜନୀନ ପୂଜାର ସ୍ୱୀକୃତି ପାଇଛି, କିନ୍ତୁ ଉଭୟ ପୂଜା ଏବଂ ତା’ର ବିଧାନ ପ୍ରାୟତଃ ସମାନ।

ଶରତକାଳୀନ ପୂଜା ଏବଂ ବାସନ୍ତୀପୂଜା ବ୍ୟତୀତ ଦକ୍ଷିଣ ଓଡ଼ିଶାରେ ଅନ୍ୟ ଦିନରେ ମା’ଙ୍କର ସ୍ୱପ୍ନାଦେଶ ଅଥବା ଆଜ୍ଞାମାଳ ପରିପ୍ରେକ୍ଷୀରେ ବିଧିବ୍ୟବସ୍ଥା ଅନୁଯାୟୀ ମଧ୍ୟ ମା’ଙ୍କର ପୂଜା ଅର୍ଚ୍ଚନା କରାଯାଏ। ଏଠାରେ ମଧ୍ୟ ଘଟ ସ୍ଥାପନ ଏବଂ ଘଟପୂଜା ଦେଖିବାକୁ ମିଳେI ଏପରିକି ଘଟକୁ ମୁଣ୍ଡରେ ଧରି ପରିକ୍ରମା କରାଯିବାର ବିଧି ରହିଛି।

ପୂଜା ବିଧି

ଷଷ୍ଠୀ: ଅଧିବାସ, ବିଲ୍ୱବରଣ, ମା’ଙ୍କୁ ସ୍ୱାଗତ କରିବାକୁ ଯାଇ ଷଷ୍ଠୀ ପୂଜାରେ ବେଲବରଣୀ କରାଯାଏ। ବେଲଗଛ ପାଖରେ ଏହି ପୂଜା ସମ୍ପନ୍ନ କରାଯାଏ। ଶେଷରେ ରାତ୍ରୀ କାଳରେ ଦେବୀ ପ୍ରତିମାର ଚକ୍ଷୁରେ ରଙ୍ଗ ଦେଇ ଚକ୍ଷୁଦାନ ସମ୍ପନ୍ନ ହୁଏ ଓ ମନ୍ତ୍ରଦ୍ୱାରା ପ୍ରାଣ ପ୍ରତିଷ୍ଠା କରାଯାଏ।

ସପ୍ତମୀ: ସପ୍ତମୀରେ ନବପତ୍ରିକା ପୂଜା କରାଯାଏ, ଯେଉଁଥିରେ କଦଳୀ, ସାରୁ, ମାଣସାରୁ, ହଳଦୀ, ଅଶୋକ, ଡାଳିମ୍ବ, ବେଲ, ଜୟନ୍ତି ଓ ଧାନ ଏହି ୯ ଜାତି ପତ୍ରଦ୍ୱାରା ଦୁର୍ଗାଙ୍କର ଗୋଟିଏ ମୁର୍ତ୍ତି ଗଢ଼ି, ପୂଜା କରିବାର ବିଧି। ଏହା ପରେ ମହାସ୍ନାନ ବିଧି ସମ୍ପନ୍ନ ହୁଏ। ଏହାପରେ ଦେବୀମାହାତ୍ମ୍ୟ ଗ୍ରନ୍ଥର ଆବୃତ୍ତି ସହ ହୋମ ଓ ପୁଷ୍ପାଞ୍ଜଳି ପ୍ରଦାନ କରାଯାଏ।

ଅଷ୍ଟମୀ: ଅଷ୍ଟମୀରେ ହୁଏ ମା’ଙ୍କ ମୂଖ୍ୟ ସନ୍ଧିପୂଜା। ମହାଷ୍ଟମୀର ଶେଷ ଦଣ୍ଡ ଓ ମହାନବମୀର ଆଦ୍ୟ ଦଣ୍ଡର ମଧ୍ୟକାଳୀନ ସମୟକୁ ସନ୍ଧି ସମୟ କୁହାଯାଏ। ଶାସ୍ତ୍ର ବିଧି ଅନୁସାରେ ଶାରଦୀୟ ଓ ବାସନ୍ତୀ ଦୁର୍ଗାପୂଜାରେ ଏହି ସନ୍ଧି କାଳ ହିଁ ଦେବୀଙ୍କୁ ବଳି ଦେବାର ପ୍ରଶସ୍ତ ସମୟ। ଏହି ସମୟରେ ମା’ଙ୍କ ପାଖରେ ବଳି ଦିଆଯାଏ। ପୂର୍ବରୁ ଜୀବମାନଙ୍କୁ ବଳି ଦିଆଯାଉଥିଲା, ଆଜିକାଲି ଲାଉ, ପାଣିକଖାରୁ ଓ ବୋଇତି କଖାରୁ ବଳି ଦିଆଯାଉଛି। ଓଡ଼ିଶାରେ ଏହିଦିନ ମହିଳାମାନେ ଶାଢ଼ୀ, ଫେଣୀ ଇତ୍ୟାଦି ଆଣି ମା’ଙ୍କ ପାଖରେ ଭୋଗ କରିସାରିବା ପରେ ନୂଆବସ୍ତ୍ର ପରିଧାନ କରିଥାନ୍ତି।

ନବମୀ: ନବମୀ ପୂଜାରେ ମା’ଙ୍କ ପୀଠରେ ମାଛ ଭୋଗ ହେଇଥାଏ। କଟକର ଅଲିଶାବଜାର, ଚାନ୍ଦିନୀଚୌକ ପ୍ରଭୃତି କେତେକ ପୂଜା କମିଟି ନବମୀ ପୂଜାରେ ବଡ଼ ଧରଣର ମାଛଭୋଗ କରିଥାନ୍ତି।

ଦଶମୀ: ଘଟ ବିସର୍ଜନ ଓ ଭସାଣି। ଦଶମୀ ପୂଜା ମା’ଙ୍କ ଅନ୍ତିମ ପୂଜାର୍ଚ୍ଚନା ‘ଅପରାଜିତା ପୂଜା’ ଏହି ଦିବସର ସ୍ୱାତନ୍ତ୍ର। ଓଡ଼ିଶାର କେତେକ ଅଞ୍ଚଳରେ ଅପରାଜିତା ଫୁଲରେ ମା’ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦେବାକୁ ଯାଇ ସାହିର ମହିଳାମାନେ ଝିଅ ବିଦାକଲା ଭଳି କାନ୍ଦବୋବାଳି କରିଥାନ୍ତି। ଏହାସହିତ ମହିଳାମାନେ ସିନ୍ଦୂର ଖେଳ କରିଥାନ୍ତି। ଅନେକ ସ୍ଥାନରେ ସିନ୍ଦୂର ଖେଳ ପ୍ରତିଯୋଗିତା ହୁଏ। ଏହି ଦିବସର ପ୍ରମୁଖ ଭୋଗ ଦହି ପଖାଳ।

ସ୍ଥାନ କାଳ ଭେଦରେ ସେ ଦୁର୍ଗତିନାଶିନୀ ଦୁର୍ଗା, ଐଶ୍ୱର୍ଯ୍ୟ ପ୍ରଦାୟିନୀ ଲକ୍ଷ୍ମୀ, ପ୍ରଜ୍ଞା ପ୍ରଦାୟିନୀ ସରସ୍ଵତୀ, ମଙ୍ଗଳ ଦାୟିନୀ ମଙ୍ଗଳା ପ୍ରଭୃତି ବହୁ ରୂପରେ ଉପାସିତ।

Odisha News Durga Puja Odia Parba Parbani
Advertisment
Advertisment