/odishatv-khabar/media/post_attachments/uploadimage/library/16_9/16_9_0/IMAGE_1750260839.jpg)
Diarrhea Crisis
ରାଜ୍ୟରେ ଏବେ ଡାଇରିଆକୁ ନେଇ ସବୁଠି ଆତଙ୍କ । ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ହାଇ ଆଲର୍ଟ ଜାରି ହେବା ପରେ ଟ୍ବିନସିଟିରେ ଜୋରଦାର ଚଢାଉ କରାଯାଉଛି । ଆଜି ସିଏମସି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପାଣି କମ୍ପାନୀ ଉପରେ ରେଡ୍ କରି ସିଲ୍ କରାଯାଇଛି । ସେହିଭଳି ରାଜଧାନୀରେ ଯେଉଁଭଳି ପରିବେଶରେ ଗୁପଚୁପ୍ ବନା ଯାଉଛି ତାହା ଦେଖିଲେ ଆପଣ ଖାଇବା ମଧ୍ୟ ଭୁଲିଯିବେ । ସଚେତନତା ପୂର୍ବକ ରାଜଧାନୀରେ ବିଭିନ୍ନ ହୋଟେଲ ଓ ଷ୍ଟ୍ରିଟ୍ ଫୁଡ୍ ଉପରେ ଚଢାଉ କରୁଛନ୍ତି ଖାଦ୍ୟ ସୁରକ୍ଷା ଅଧିକାରୀ ।
ଖଟା ପାଣିକୁ ଗୋଲ ଗୋଲ ଗୁପଚୁପ୍ । ପାଟିକୁ ଭାରି ସୁଆଦିଆ, ହେଲେ ସ୍ବାସ୍ଥ୍ୟ ପ୍ରତି କେତେ ସୁରକ୍ଷିତ ! ଅତ୍ୟନ୍ତ ଅସ୍ୱାସ୍ଥ୍ୟକର ପରିବେଶରେ ତିଆରି ହେଉଛି ଆପଣଙ୍କ ଅତି ପ୍ରିୟର ଗୁପଚୁପ୍ । ଭୁବନେଶ୍ବର ଶ୍ରୀୟା ଛକକୁ ଲାଗି ରହିଥିବା ପ୍ରେସ କଲୋନି ବସ୍ତି । ଏଠାରେ ପ୍ରାୟତଃ ୪୦ରୁ ଅଧିକ ପରିବାର ଗୁପଚୁପ୍ ବ୍ୟବସାୟ କରିଥାନ୍ତି । ବିହାରରୁ ଆସି ଏଠି ରହୁଥିବା ବ୍ୟବସାୟୀ ଅତି ଖରାପ ପରିବେଶ ଭିତରେ ରହୁଛନ୍ତି । ପ୍ରତିଦିନ ଏଇଠୁ ରାଜଧାନୀର ବିଭିନ୍ନ ସ୍ଥାନକୁ ଯାଉଛି ଗୁପଚୁପ୍ ଠେଲା । ଏମିତିକି ଶୁଖିଲା ଚୁଗଚୁପରେ ପଡୁଥିୁବା ନାଲି ରଙ୍ଗର ସସ୍ ପ୍ରସ୍ତୁତି ଦେଖି ଆପଣଙ୍କ ମୁଣ୍ଡ ବି ଖରାପ ହୋଇଯିବ ।
ଅଧିକ ପଢନ୍ତୁ: ଝାଡ଼ାବାନ୍ତି ରୋଗୀଙ୍କୁ ଚୁଡା ସାଙ୍ଗେ ଦେଲେ କଞ୍ଚା କଦଳୀ
ଆଳୁ, କନଫ୍ଲୋରରେ ନାଲି ରଙ୍ଗ ମିଶାଇ ତିଆରି ହେଉଛି ଟମାଟୋ ସସ୍ । କେବଳ ଏହି ଗୋଟିଏ ସ୍ଥାନ ନୁହେଁ, ଉତ୍କଳ ବିଶ୍ବବିଦ୍ୟାଳୟ ପାଚେରୀକୁ ଲାଗି ରହିଥିବା ବସ୍ତିଗୁଡିକରେ ବି ଚାଲିଛି ସ୍ବାଦିଷ୍ଟ ଗୁପଚୁପ୍ ପ୍ରସ୍ତୁତି । ରାଜ୍ୟରେ ବ୍ୟାପୁଥିବା ଝାଡାବାନ୍ତିର ମୁଖ୍ୟ କାରଣ ଦୂଷିତ ପାଣି ବୋଲି କୁହାଯାଉଛି । ସେଥିପାଇଁ ସଚେତନତା ପୂର୍ବକ ରାଜଧାନୀରେ ବିଭିନ୍ନ ହୋଟେଲ ଓ ଷ୍ଟ୍ରିଟ୍ ଫୁଡ୍ ଉପରେ ଚଢାଉ କରୁଛନ୍ତି ଖାଦ୍ୟ ସୁରକ୍ଷା ଅଧିକାରୀ । କିନ୍ତୁ ସରକାରଙ୍କ ପକ୍ଷରୁ ଏହି ଷ୍ଟ୍ରିଟ୍ ଫୁଡ୍ ଭେଣ୍ଡରଙ୍କୁ କେତେ ସଚେତନ କରାଯାଉଛି । କାରଣ ବର୍ଷ ବର୍ଷ ଧରି ଏମାନେ ଏମିତି ଅସ୍ବାସ୍ଥ୍ୟକର ପରିବେଶରେ ଗୁପଚୁପ୍ ତିଆରି କରି ବିକ୍ରି କରୁଛନ୍ତି । ଏପରି ଖାଦ୍ୟ ସାମଗ୍ରୀ ବିକ୍ରି କରିବାରେ ଏମାନଙ୍କ ଉପରେ କୌଣସି କଟକଣା ବି ସରକାରଙ୍କ ପକ୍ଷରୁ ନାହିଁ ।
ଏପଟେ ବିଶୁଦ୍ଧ ପାଣି ନାଁରେ ବିକ୍ରି ହେଉଛି ଜହର । ଟ୍ୟାପ ପାଣିକୁ ଥଣ୍ଡା କରି ଲୋକଙ୍କୁ ବିଷ ବାଣ୍ଟୁଛନ୍ତୁ ମୁନାଫାଖୋର ବ୍ୟବସାୟୀ । ଆଜି କଟକ ବାଦାମବାଡ଼ିରେ ସିଏମସି ସ୍ବାସ୍ଥ୍ୟ ବିଭାଗ ଏବଂ ଖାଦ୍ୟ ସୁରକ୍ଷା ବିଭାଗର ଟିମ୍ ଚଢାଉ କରି ଅସାଧୁ କମ୍ପାନୀକୁ ସିଲ୍ କରିଛି । ଶଙ୍କରପୁର ଅଞ୍ଚଳର ଦାସ ସାହି ଏବଂ ଉପର ସାହିରେ ଚଢାଉ କରି ଦୁଇଟି କମ୍ପାନୀକୁ ସିଲ୍ କରାଯାଇଛି । ଅପରିଷ୍କାର ପରିବେଶରେ ବିନା ଫିଲଟରରେ ଟ୍ୟାପ ପାଣିକୁ ଭର୍ତ୍ତି କରି ବଜାରରେ ବିକ୍ରି କରୁଛନ୍ତି । ଅନ୍ୟପଟେ ଦୀର୍ଘ ବର୍ଷ ଧରି ବିଶୁଦ୍ଧ ପାଣି ଯୋଗାଇ ଆସୁଥିବା ବ୍ୟବସାୟୀ ଏଭଳି ଘଟଣାକୁ ନିନ୍ଦା କରିଛନ୍ତି ।
କେବଳ ଟ୍ବିନସିଟି ନୁହେଁ, ରାଜ୍ୟର ପ୍ରାୟତଃ ବ୍ୟବସାୟୀ ଏମିତି କିଛି ଅପରିସ୍କାର ପାଣି ଓ ଅସ୍ବାସ୍ଥ୍ୟକର ପରିବେଶରେ ଗୁପଚୁପ ପ୍ରସ୍ତୁତ କରୁଥିବା ଅଭିଯୋଗ ହେଉଛି। ସେହିଭଳି ପାଣିକୁ ଫିଲଟର ନକରି ବିକ୍ରି କରୁଥିବା ବ୍ୟବସାୟାଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)