ରକ୍ତ ରଞ୍ଜିତ ହେଲା ହୋଲି । ବିଭିନ୍ନ ସ୍ଥାନରେ ୬ଟି ହତ୍ୟାକାଣ୍ଡ ଘଟିବା ପରେ ଆଇନ ଶୃଂଖଳା ସ୍ଥିତି ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପ୍ରସଙ୍ଗ ବିଧାନସଭାରେ ଉଠାଯିବ ବୋଲି ବିଜେଡି କହିଥିବା ବେଳେ କଂଗ୍ରେସ ବି ପୋଲିସକୁ କଡ଼ା ସମାଲୋଚନା କରିଛି ।
ଭୁବନେଶ୍ବର, କଟକ, ସମ୍ବଲପୁର, ବ୍ରହ୍ମପୁର ଓ ଅନୁଗୁଳରେ ଲାଗିଛି ରକ୍ତର ଛିଟା । ଭୁବନେଶ୍ବରରେ ଗତ କାଲି ଦୁଇଟି ହତ୍ୟାକାଣ୍ଡ ଘଟିଥିବା ବେଳେ କଟକ, ସମ୍ବଲପୁର, ବ୍ରହ୍ମପୁର ଓ ଅନୁଗୁଳରେ ବି ହୋଇଛି ମର୍ଡର । କିଛି ସ୍ଥାନରେ ହୋଲିକୁ ନେଇ ହିଂସା ହୋଇଥିବା ନଜରକୁ ଆସିଛି । ତେବେ ଭୁବନେଶ୍ବର ଡବଲ୍ ମର୍ଡର ମାମଲାରେ ୬ ଜଣଙ୍କୁ ଗିରଫ କରିଛି ।
Also Read
ବିରୋଧୀ ଏହାକୁ ମୁଖ୍ୟ ପ୍ରସଙ୍ଗ କରି ସରକାରକୁ ଘେରିଛନ୍ତି । ବିଜେଡ଼ି କହିଛି ରାଜ୍ୟର ମହାନଗର ଗୁଡିକରେ ହୋଲିରେ ମହା ମର୍ଡର ହେବା ସରକାରଙ୍କ ଅପାରଗତାକୁ ଦର୍ଶାଉଛି । ଲଗାତାର ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହେଉଥିବାରୁ ଏହି ପ୍ରସଙ୍ଗ ବିଧାନସଭାରେ ଉଠାଯିବ ।
କଂଗ୍ରେସ ଅଭିଯୋଗ କରିଛି, ହୋଲିରେ ରକ୍ତ ଗଡୁଥିବା ବେଳେ ପୋଲିସ ଅଧିକାରୀ ରଙ୍ଗ ଖେଳରେ ମାତିଥିଲେ । ସରକାର ଏହାର ଉତ୍ତରରଖି କହିଛନ୍ତି ପୂର୍ବ ସରକାରର ବିପର୍ଯ୍ୟସ୍ତ ନୀତି ପାଇଁ ଆଜି ନୂଆ ସରକାର ଅସୁବିଧାରେ । ପୋଲିସ ବିଭାଗରେ ପଦବି ଖାଲି ରହିଥିବାରୁ ଅପରାଧ ନିୟନ୍ତ୍ରଣ କଷ୍ଟକର ହେଉଛି । ମୋହନ ସରକାର ଅପରାଧ ଦୂର ପାଇଁ ଅଧିକ ନିଯୁକ୍ତି କରି ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି ।
ବିଧାନସଭା ତଥ୍ୟ ଅନୁଯାୟୀ ୨୦୨୪-୨୫ ଆର୍ଥିକ ବର୍ଷରେ ଗତ ଜାନୁଆରୀ ମାସ ସୁଦ୍ଧା ଅର୍ଥାତ ୧୦ ମାସ ଭିତରେ ୧୧୧ଟି ହତ୍ୟା, ୨୦ ଡକାୟତି, ୧୫୦୯ଟି ଚୋରି, ୧୦୧ଟି ଦଙ୍ଗା, ୬୫୫ଟି ଅସଦାଚରଣ ଓ ୭୯ଟି ଯୌନ ନିର୍ଯାତନା ମାମଲା ରୁଜୁ ହୋଇଛି । ବଢୁଥିବା ଅପରାଧ ନିୟନ୍ତ୍ରଣ ଏବେ ପୋଲିସ୍ ପାଇଁ ପାଲଟିଛି ବଡ଼ ଚ୍ୟାଲେଞ୍ଜ ।
ହୋଲି ପୂର୍ବରୁ ଭଦ୍ରକ ଜିଲ୍ଲାପାଳ ଆଇନ ଶୃଂଖଳା ବିଗିଡ଼ିବା ଆଶଙ୍କା କରି ସରକାରୀ ଅଧିକାରୀଙ୍କ ଛୁଟି ବାତିଲ କରିଦେଇଥିଲେ । ବଢୁଥିବା ଅପରାଧକୁ ନିୟନ୍ତ୍ରଣ ପାଇଁ ମୋହନ ସରକାର ଆଗକୁ କି ସଂସ୍କାରମୂଳକ ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା।