• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବର୍ତ୍ତମାନ ବେଶ୍ ଚର୍ଚ୍ଚାରେ । ଚର୍ଚ୍ଚାର କାରଣ ହେଲା ଯେ ଭୁବନେଶ୍ୱର ଠାରେ ଜିଲ୍ଲାସ୍ତରର ମୁଖ୍ୟ ଉନ୍ନୟନ ଅଧିକାରୀ ଓ ବ୍ଲକ୍‌ସ୍ତରର ଗୋଷ୍ଠୀ ଉନ୍ନୟନ ଅଧିକାରୀମାନଙ୍କୁ ତାଗିଦ୍ କରିଛନ୍ତି । ତାଗିଦ୍‌ଟି ହେଲା ଯେ ‘ଆପଣମାନେ କେବଳ ଅଫିସ୍ ମଧ୍ୟରେ ନିଜକୁ ଆବଦ୍ଧ ନରଖି କ୍ଷେତ୍ର ପରିଦର୍ଶନରେ ଯାଆନ୍ତୁ । ଏହାଛଡ଼ା ଜନପ୍ରତିନିଧି ଓ କାର୍ଯ୍ୟାଳୟକୁ ବିଭିନ୍ନ ସରକାରୀ ସେବା ପାଇଁ ଆସୁଥିବା ଜନସାଧାରଣଙ୍କୁ ଯଥା ସମ୍ମାନ ପ୍ରଦର୍ଶନ କରନ୍ତୁ ।’

ମୁଖ୍ୟମନ୍ତ୍ରୀଙ୍କର ଏହି ତାଗିଦକୁ ନେଇ ବର୍ତ୍ତମାନ ରାଜ୍ୟ ରାଜନୀତି ଉଠୁଛି ଓ ପଡ଼ୁଛି । ଏହିଭଳି ଏକ ପ୍ରତିକ୍ରିୟା ବି ବେଶ୍ ସ୍ୱାଭାବିକ । ମୁଖ୍ୟମନ୍ତ୍ରୀଙ୍କ ତାଗିଦ୍ ପଛର ଉଦ୍ଦେଶ୍ୟ ହେଲା ଯେ, ଅମଲାମାନେ ସେମାନଙ୍କର କ୍ଷେତ୍ର ପରିଦର୍ଶନ କର୍ତ୍ତବ୍ୟ ସମ୍ପାଦନ ନକରି ଅଧିକାଂଶ ସମୟରେ ନିଜର କାର୍ଯ୍ୟାଳୟରେ ବୈଠକ ଓ ଅନ୍ୟାନ୍ୟ କାର୍ଯ୍ୟରେ ବସି ରହୁଛନ୍ତି । କେବଳ ସେତିକି ନୁହେଁ, ସେମାନେ ରାଜନୈତିକ ନେତା, ଠିକାଦାର ଓ ଅନ୍ୟାନ୍ୟ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହିତ ବାର୍ତ୍ତାଳାପ କରି ବହୁ ସମୟରେ ସମୟ ନଷ୍ଟ କରିଥାନ୍ତି ।

Also Read

ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ବ୍ୟୁରୋକ୍ରାସୀ ବା ଅମଲାତନ୍ତ୍ର ପ୍ରଶାସନିକ ବ୍ୟବସ୍ଥାର ଏକ ଅଭିନ୍ନ ଅଂଶ । ଏହାକୁ କେବେ ଶାସନ ବ୍ୟବସ୍ଥାରୁ ପୃଥକ କରାଯାଇପାରିବ ନାହିଁ । ବ୍ୟୁରୋକ୍ରାସୀର ମୁଖ୍ୟ ଉପଦେୟତା ହେଲା ଯେ, ଶାସନ ବ୍ୟବସ୍ଥାରେ ଥିବା ରାଜନୈତିକ ବ୍ୟକ୍ତି ବିଶେଷମାନଙ୍କୁ ଲୋକମାନଙ୍କର ଆଶା ଓ ଆବଶ୍ୟକତା ପୂରଣ କରିବା ପାଇଁ ଉପଯୁକ୍ତ ଭାବରେ ସେମାନଙ୍କୁ ମାର୍ଗଦର୍ଶନ କରିବା । ରାଜନୈତିକ ବ୍ୟକ୍ତିମାନେ କେବେ କାହାକୁ ନାହିଁ କରିପାରନ୍ତି ନାହିଁ କି କହିବାର ସମ୍ଭାବନା କମ୍ ଥାଏ । କିନ୍ତୁ ସବୁ ଦାବି ବା ଆବଶ୍ୟକତା ପୂରଣ କରିହେବ ନାହିଁ । ସରକାରୀ ନୀତିନିୟମ ଭିତରେ କେତେ ପର୍ଯ୍ୟନ୍ତ ସାହାଯ୍ୟ କରିହେବ ସେ ନେଇ ଅମଲାମାନେ ସେମାନଙ୍କର ରାଜନୈତିକ ବସ୍ ବା ଲୋକପ୍ରତିନିଧିମାନଙ୍କୁ ଅବଗତ କରାଇଥାନ୍ତି ।

ଗଣତନ୍ତ୍ରରେ ଶାସନ ବ୍ୟବସ୍ଥାରେ ଥିବା ନିର୍ବାଚିତ ଜନପ୍ରତିନିଧି ହୋଇଥିବା ରାଜନୈତିକ ନେତାମାନେ ମାନ୍ୟତା ବା ପ୍ରୋଟକଲରେ ସବୁଠାରୁ ଉପରେ । ଅମଲାମାନେ ସେମାନଙ୍କ ଅଧିନସ୍ଥ ଅଧସ୍ତନ କର୍ମଚାରୀ । ଅପରପକ୍ଷରେ ସରକାରଙ୍କ ସବୁ ସଫଳତା ଓ ବିଫଳତା ପାଇଁ ନେତାମାନେ ଜନସାଧାରଣଙ୍କ ପାଖରେ ଉତ୍ତରଦାୟୀ ହେଲାବେଳେ ଅଧିକାରୀମାନଙ୍କର ସେମିତି କିଛି ଉତ୍ତର ଦାୟୀ ହେବା ଭଳି ଅବକାଶ ନାହିଁ ।

ଅଧିକ ପଢ଼ନ୍ତୁ: ଆଗ ଭଳି ପାୱାରଫୁଲ ରହିବେନି ସଚିବ, ମନ୍ତ୍ରୀ ନେବେ କ୍ୟାବିନେଟ୍ ନିଷ୍ପତ୍ତି

ଗତ ବିଜୁ ଜନତା ଦଳ ସରକାରଙ୍କ ସମୟରେ ଚିତ୍ର ଥିଲା ଭିନ୍ନ । ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅମଲାମାନଙ୍କ ଉପରେ ଅତ୍ୟଧିକ ନିର୍ଭରଶୀଳତା ଯୋଗୁ ସେମାନେ ଅଧିକ ଶକ୍ତିଶାଳୀ ହୋଇଯାଇଥିଲେ । ରାଜନୈତିକ ନେତାମାନଙ୍କୁ ନିଜର ଅଧିନସ୍ଥ ଅଧସ୍ତନ କର୍ମଚାରୀ ଭଳି ବ୍ୟବହାର କରୁଥିଲେ । କାର୍ଯ୍ୟାଳୟ ମଧ୍ୟରେ ଅଧିକାଂଶ ରହିବାକୁ ଶ୍ରେୟ ମଣୁଥିଲେ । ଅନେକ ମନ୍ତ୍ରୀ ସେମାନଙ୍କର ଅସହାୟତା ଜନସାଧାରଣଙ୍କ ନିକଟରେ ପ୍ରକାଶ କରୁଥିଲେ ମଧ୍ୟ ପ୍ରକାଶ୍ୟରେ କିଛି ପ୍ରତିକ୍ରିୟା ଦେଖାଇବା ସେମାନଙ୍କ ପାଇଁ ଅସମ୍ଭବ ଥିଲା । ଭୈରବ କାର୍ତ୍ତିକେୟନ ପାଣ୍ଡିଆନ୍ 5T ସଚିବ ହେଲା ପରେ କିଛି ଅମଲା ପିମ୍ପୁଡ଼ି ରୂଖାକୁ ଚଢ଼ିଲା ପରି ଉପରମୁହାଁ ହୋଇଯାଇଥିଲେ । ତାଙ୍କର ଅନୁଗତ ଅଧିକାରୀମାନେ ନିର୍ବାଚିତ ନେତାମାନଙ୍କୁ ସମ୍ମାନ ଦେବା ଦୂରର କଥା, ଅଧିକାଂଶ ସମୟରେ ସେମାନଙ୍କ ପ୍ରତି ଅସୌଜନ୍ୟ ବ୍ୟବହାର ଦେଖାଉଥିଲେ । କେବଳ ଅମଲା କାହିଁକି, ପୋଲିସ୍ ଅଧିକାରୀ ଏବଂ ଅନ୍ୟମାନେ ମଧ୍ୟ ଏହି ଭଳି ବ୍ୟବହାର ଦେଖାଇବାକୁ ପଛାଉନଥିଲେ । ଏହାର ଖୋଦ୍ ଭୁକ୍ତଭୋଗୀ ହୋଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଅନେକ ସଭାରେ ପ୍ରକାଶ କରିଛନ୍ତି ।

ରାଜନୈତିକ ମହଲରେ ଗୋଟିଏ କଥା କୁହାଯାଏ, ତାହା ହେଲା ଯେ ‘ବ୍ୟୁରୋକ୍ରାସୀ ହାଜ୍ ଏ ଥିକ୍ ସ୍କିନ୍‌’ । ଏହାର ଅର୍ଥ ହେଲା ବ୍ୟୁରୋକ୍ରାସୀ ବା ଅମଲାମାନଙ୍କର ଚର୍ମ ବେଶ୍ ମୋଟା । ସେମାନଙ୍କୁ ସହଜରେ ଛାଟର କାଟ ଲାଗେ ନାହିଁ । ସେମାନେ ସହଜ ଓ ସୁରୁଖୁରୁରେ କୌଣସି କାମ କରନ୍ତି ନାହିଁ । ଅଧିକାଂଶ ସମୟରେ ଅଯଥା ବିଳମ୍ବ କରନ୍ତି । ବେଳେବେଳେ ସେମାନେ ଏକାଠି ହୋଇ ନିର୍ବାଚିତ ସରକାରଙ୍କୁ ଅକଳରେ ପକାଇଦିଅନ୍ତି । ସେମାନେ ଯଦି ଚାହିଁବେ ସରକାରଙ୍କ ଯୋଜନାଗୁଡ଼ିକର ସଫଳ ରୂପାୟନ ହୋଇପାରିବ । ସେମାନେ ଚାହିଁଲେ ସରକାରୀ କାର୍ଯ୍ୟକ୍ରମ ରୂପାୟନକୁ ମଧ୍ୟ ବାଟବଣା କରି ସରକାରଙ୍କ ଛବି ଖରାପ କରିଦେବେ ।

ଗତ ନବୀନ ପଟ୍ଟନାୟକ ସରକାରଙ୍କ ସମୟରେ ଅଭିଯୋଗ ଉଠିଲା ଯେ ସରକାରଙ୍କ ଅନେକ ଯୋଜନାର ସୁଫଳ ରୂପାୟନ ହୋଇପାରୁନାହିଁ କିମ୍ବା ତାହା ତୃଣମୂଳସ୍ତରରେ ଲୋକମାନଙ୍କ ନିକଟରେ ପହଞ୍ଚି ପାରୁନାହିଁ । ଏ ନେଇ ବିଧାନସଭାରେ ତମ୍ବିତୋଫାନ ହୋଇଥିଲା । ଏହାପରେ ନବୀନ ପଟ୍ଟନାୟକ ଏକ ନିର୍ଦ୍ଦେଶନାମା ଜାରି କରି କହିଲେ ଯେ ରାଜ୍ୟର ସଚିବସ୍ତରରେ ସବୁ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ବା ଆଇଏଏସ୍ ପ୍ରତିମାସରେ ଅନ୍ତତଃ ଗୋଟିଏ ଜିଲ୍ଲା ଗସ୍ତ କରି ସେଠାରେ ରାତ୍ରି ଯାପନ କରିବେ । ମାତ୍ର ଯାହା ଦେଖାଗଲା ତାରା ଦତ୍ତଙ୍କ ଭଳି ଜଣେ ଦୁଇଜଣ ଅଧିକାରୀଙ୍କୁ ଛାଡ଼ିଲେ, ଆଉ କେହି ଜିଲ୍ଲା ଗସ୍ତ କଲେ ନାହିଁ । ଏହିଭଳି ନିର୍ଦ୍ଦେଶନାମାର ଖୋଲା ଅବମାନନା ନେଇ କୌଣସି ତଦାରଖ କରାଗଲା ନାହିଁ କି କାହାକୁ ଦଣ୍ଡିତ କରାଗଲା ନାହିଁ ।

ବର୍ତ୍ତମାନ କଥା ହେଉଛି ଯେ, ମୋହନ ମାଝି ଯେଉଁ ତାଗିଦ୍ କରିଛନ୍ତି, ତାହାର କାର୍ଯ୍ୟକାରିତାକୁ ସେ ନିୟମିତ ଭାବରେ ତଦାରଖ କରୁଛନ୍ତି କି ନାହିଁ । ତଦାରଖ କଲେ, ଠାପୁଆ ଓ ଅପରିଣାମଦର୍ଶୀ ଅଧିକାରୀମାନଙ୍କ ଚେହେରା ସାମ୍ନାକୁ ଆସିବ ଏବଂ ସେମାନକୁ ଦଣ୍ଡ ଦିଆଯାଇପାରିବ । ଅନ୍ତତଃ ପକ୍ଷେ ପ୍ରତିମାସରେ ଯଦି ଏହି ତଦାରଖ କାର୍ଯ୍ୟ ସମ୍ପାଦିତ ହୋଇପାରିବ, ଏହାର ଏକ ସୁଦୂରପ୍ରସାରୀ ପ୍ରଭାବ ଖୁବ୍ ଶୀଘ୍ର ଦେଖିବାକୁ ମିଳିବ ।

କେବଳ ତାଗିଦରେ କୌଣସି ବହୁଦିନର ଅମଲାମାନଙ୍କର ଯେଉଁ ଟାଣପଣ ରହିଛି ତାହାକୁ ଭାଙ୍ଗି ହେବ ନାହିଁ, ଭଲ ଅଧିକାରୀମାନଙ୍କୁ ପ୍ରଶଂସା କରାଯିବା ମଧ୍ୟ ଆବଶ୍ୟକ । ଏହାଦ୍ୱାରା ସେମାନଙ୍କ ଠାରୁ ଅଧିକ କାର୍ଯ୍ୟ ହାସଲ କରାଯାଇପାରିବ । ଉତ୍କର୍ଷତା ପ୍ରଦର୍ଶନ କରୁଥିବା ଅଧିକାରୀଙ୍କୁ ପୁରସ୍କୃତ କରିପାରିଲେ, ସେମାନଙ୍କ ବ୍ୟକ୍ତିତ୍ୱର ପ୍ରଭାବ ଅନ୍ୟ ଅଧିକାରୀଙ୍କ ଉପରେ ପଡ଼ିବା ସହିତ ଜନସାଧାରଣ ସରକାରୀ ସେବା ଓ ଯୋଜନାଗୁଡ଼ିକରୁ ଅଧିକ ଲାଭ ଉଠାଇପାରିବେ ।

ଅଧିକ ପଢ଼ନ୍ତୁ: ବିଜେଡିରେ ଅବହେଳିତ ବରିଷ୍ଠ, ଶଶୀଭୂଷଣ ଆଣିଲେ ସଙ୍ଗୀନ ଅଭିଯୋଗ

ଓଟିଭି ବିଜ୍ଞାପନ