Advertisment

ଫୋନରେ ପରାମର୍ଶ ଦେଲେ ଡାକ୍ତର, ପ୍ରସବ କରାଇଲେ ଷ୍ଟାଫ୍ ନର୍ସ

କେମିତି ପ୍ରସବ ହେବେ ୩ ସନ୍ତାନ, ଫୋନରେ ବତାଉଥିଲେ ଡାକ୍ତର। କାନେ କାନେ ଶୁଣି ୩ ସନ୍ତାନଙ୍କୁ ସୁରକ୍ଷିତ ପ୍ରସବ କରାଇଲେ ଷ୍ଟାଫ୍ ନର୍ସ

author-image
Kausik Mohapatra
ଅଦ୍ୟତନ ହୋଇଛି
Health

Health

ମୋବାଇଲରେ ପରାମର୍ଶ ଦେଉଥିଲେ ଡାକ୍ତର। ଆଉ ଡାକ୍ତରଙ୍କ ପ୍ରତିଟି କଥାକୁ କାନେ କାନେ ଶୁଣୁଥିଲେ ନର୍ସ। ୩ ଘଣ୍ଟାର ପରିଶ୍ରମ ପରେ ଶେଷରେ ସୁରକ୍ଷିତ ଭାବେ ୩ଟି ସନ୍ତାନକୁ ସୁରକ୍ଷିତ ଭାବେ ପ୍ରସବ କରାଇବାରେ ସକ୍ଷମ ହୋଇଥିଲେ ଷ୍ଟାଫ୍ ନର୍ସ। ଶୁଣିଲେ ବଲିଉଡ୍ ଫିଲ୍ମ ଥ୍ରୀ ଇଡଅଟ୍ସର ଦୃଶ୍ୟ ଭଳି ଲାଗୁଥିବା ଏ କାହାଣୀ କନ୍ଧମାଳ ବେଳଘରର। ତେବେ କେମିତି ଆଉ କେଉଁ ପରିସ୍ଥିତିରେ ଉଭୟ ଡାକ୍ତର ଓ ନର୍ସ ମୋବାଇଲ ଜରିଆରେ ସଫଳତାର ସହ ଏହି ପ୍ରସବ କରାଇଲେ?

Advertisment

ଫୋନ୍ ଲାଇନରେ ଥିଲେ ଡାକ୍ତର...ପ୍ରସବ କରାଇଲେ ନର୍ସ। ସୁରକ୍ଷିତ ଭାବରେ ଜନ୍ମ ନେଲେ ୩ ସନ୍ତାନ। ଦେବଦୂତ ସାଜିଲେ ନର୍ସ ଓ ଡାକ୍ତର। ବରଦାନ ହେଲା ଉପାନ୍ତ ଅଂଚଳରେ ମୋବାଇଲ୍ ନେଟୱର୍କ। ଡାକ୍ତର ଦେଲେ ଦମ୍ଭ, ସାହସ ଜୁଟାଇଲେ ନର୍ସ। ଯେଉଁଥିପାଇଁ ଏକ ବଡ଼ ଚାଲେଞ୍ଜକୁ ଅତି ସହଜରେ ହାସଲ କରି ନେଲେ ନର୍ସ ସିନ୍ଧୁଲତା ଜାନୀ।

ଚାହିଁଥିଲେ ଡାକ୍ତର ୧୦୮ ଆମ୍ବୁଲାନ୍ସରେ ପାଖ ହସ୍ପିଟାଲକୁ ରେଫର କରିପାରି ଥାଆନ୍ତେ। ହେଲେ ତା ନକରି ଅତି ସହଜ ଭାବରେ ପ୍ରସବ କରାଇ ଦେଲେ ଡାକ୍ତର ଓ ନର୍ସ। ଗୋଟିଏ କି ଦୁଇଟି ନୁହଁ, ଏକାଥରକେ ୩-୩ଟି ଶିଶୁ ପୁତ୍ରକୁ ପ୍ରସବ କରାଇ ଚର୍ଚ୍ଚାକୁ ଆସିଛନ୍ତି ଷ୍ଟାଫ ନର୍ସ ସିନ୍ଧୁଲତା ଓ ତାଙ୍କୁ ମୋବଇଲରେ ପରାମର୍ଶ ଦେଉଥିବା ଡାକ୍ତର ଦିବ୍ୟଜ୍ୟୋତି କର। ଗତ ୬ ତାରିଖ ଦିନ କନ୍ଧମାଳ ବେଲଘର ଅଂଚଳର କୁଟିଆ ଜନଜାତି ସଂପ୍ରଦାୟର ରଂଜିତା ମାଝୀଙ୍କର ପ୍ରସବ ଯନ୍ତ୍ରଣା ପରେ ତାଙ୍କୁ ବେଲଘର ଡାକ୍ତରଖାନାକୁ ଅଣାଯାଇଥିଲା। ସେଠାରେ କାର୍ଯ୍ୟରତ ଥିବା ନର୍ସ ସିନ୍ଧୁଲତା ଦିନ ୧୦ଟାରେ ପ୍ରଥମେ ଏକ ପୁତ୍ର ସନ୍ତାନକୁ ପ୍ରସବ କରାଇଥିଲେ। ହେଲେ ଏହାପରେ ଗର୍ଭରେ ଆହୁରି ଦୁଇଟି ଛୁଆ ଥିବା ସେ ଜାଣିବାକୁ ପାଇଥିଲେ। ଆଉ ବିଳମ୍ବ ନ କରି ଏ ସମ୍ପର୍କରେ ନର୍ସ ଜଣକ ୨୬ କିଲୋମିଟର ଦୂରରେ ଥିବା ତୁମୁଡିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଇନଚାର୍ଜ ଡାକ୍ତର ଦିବ୍ୟଜ୍ୟୋତି କରଙ୍କୁ ଜଣାଇଥିଲେ। ଯଦିଓ ବେଲଘର ମେଡିକାଲରେ ଡାକ୍ତର ଥିଲେ ତେବେ ଏହା ଏକ ଜଟିଳ ମାମଲା ଥିବାରୁ ଅଭିଜ୍ଞ ଡାକ୍ତର ଦିବ୍ୟଜ୍ୟୋତିଙ୍କ ପରାମର୍ଶ ନିଆଯାଇଥିଲା। ପାଖ ଡାକ୍ତରଖାନାକୁ ରେଫର କଲେ ଆମ୍ବୁଲାନ୍ସରେ ପ୍ରସବ ହେବା ଭୟ ଥିବାରୁ ସେଠାରେ ହିଁ ପ୍ରସବ କରାଇବାକୁ ନର୍ସଙ୍କୁ ଡାକ୍ତର ଦିବ୍ୟଜ୍ୟୋତି କହିଥିଲେ।

Advertisment

ଏହା ପରେ ମୋବାଇଲ ଫୋନ ଯୋଗେ ଆରମ୍ଭ ହୋଇଥିଲା ସମସ୍ତ ଚେଷ୍ଟା। ଡାକ୍ତର ଫୋନରେ ଯାହା ସବୁ ପରାମର୍ଶ ଦେଉଥିଲେ, ଠିକ ସେହିଭଳି ନର୍ସ ସୁରକ୍ଷିତ ପ୍ରସବ ପାଇଁ ଉଦ୍ୟମ କରିଥିଲେ। ପାଖାପାଖି ଅଢ଼େଇ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ରଞ୍ଜିତା ଆଉ ଦୁଇ ପୁତ୍ର ସନ୍ତାନ ପ୍ରସବ କରିଥିଲେ।

୩ ପୁତ୍ର ସନ୍ତାନର ବାପା ହେଉଛନ୍ତି କଂସ ମାଝୀ । ପୂର୍ବରୁ ତାଙ୍କର ଗୋଟିଏ ପୁଅ ଓ ଝିଅ ବି ରହିଛନ୍ତି। ଦିନ ମଜୁରିଆ ଭାବେ କାମ କରୁଥିବା କଂସ ଏବେ ଆଉ ତିନି ପୁତ୍ର ସନ୍ତାନ ପାଇ ବେଶ ଖୁସି ବି ଅଛନ୍ତି। ଅନ୍ୟପଟେ ବେଲଘର ମେଡ଼ିକାଲରେ ଜନ୍ମ ଗ୍ରହଣ କରିଥିବା ୩ ପୁତ୍ର ସନ୍ତାନଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ରହିଛି। ୨ ଶିଶୁଙ୍କ ଓଜନ ୧ କିଲୋ ୪୦୦ ଲେଖାଏଁ ଥିବା ବେଳେ ଅନ୍ୟ ଏକ ଶିଶୁର ଓଜନ ପ୍ରାୟ ଦେଢ଼ କିଲୋ ରହିଛି। ମାଆ ରଞ୍ଜିତା ମାଝୀ ବି ବେଶ ସୁସ୍ଥ ଅଛନ୍ତି। ନବଜାତଙ୍କ ଓଜନ କମ୍ ଥିବା କାରଣରୁ ସେମାନଙ୍କୁ ଏବେ ବାଲିଗୁଡା ଡାକ୍ତରଖାନାରେ ଥିବା ସ୍ୱତନ୍ତ୍ର ନବଜାତ ଶିଶୁ ଚିକିତ୍ସା କେନ୍ଦ୍ରରେ ରଖାଯାଇ ଅଧିକ ଚିକିତ୍ସା କରାଯାଉଛି। 

Kandhamal Medical Team Health Department New Born Baby
Advertisment
Related Articles
Advertisment