/odishatv-khabar/media/post_attachments/uploadimage/library/16_9/16_9_0/IMAGE_1752046236.jpg)
Health Tips
ବର୍ଷାଦିନ ଆରମ୍ଭ ହେବା ସହ ଜଳବାୟୁ ପରିବର୍ତ୍ତନ ଜନିତ ବିଭିନ୍ନ ଭୂତାଣୁଜନିତ ସ୍ୱାସ୍ଥ୍ୟ ସମସ୍ୟା ଦେଖିବାକୁ ମିଳେ। ଆପଣଙ୍କ ଘରେ ମଧ୍ୟ କେହି ନା କେହି ଏପରି ଭାଇରାଲ୍ ଫିଭର୍ରେ ପୀଡ଼ିତ ହେବା ସାଧାରଣ କଥା ହୋଇଥିବ। ଘରେ ଯଦି ଛୁଆ ଅଛି ତେବେ ତ ଆପଣଙ୍କୁ ଆହୁରି ଅଧିକ ସାବଧାନ ହୋଇ ବିଭିନ୍ନ ଦିଗରୁ ଧ୍ୟାନ ନେବାକୁ ପଡ଼ିବ। ତେବେ ବର୍ଷାଦିନ ଆରମ୍ଭରେ ଜଳବାୟୁରେ ଆର୍ଦ୍ରତା ବଢ଼ିବା ସହ ତାପମାତ୍ରା ଭୂତାଣୁ ଓ ବ୍ୟାକ୍ଟେରିଆ ବୃଦ୍ଧି ପାଇଁ ଅନୁକୁଳ ହୋଇଥାଏ। ସେଥିପାଇଁ ଆମର ରୋଗ ପ୍ରତିରୋଧକ ଶକ୍ତି କମ୍ ଥିଲେ ଏହି ସମୟରେ ପ୍ରାୟ ଭୂତାଣୁ ଜନିତ ଜ୍ୱର, ଡାଇରିଆ, ଫ୍ଲୁ ପରି ସ୍ୱାସ୍ଥ୍ୟ ସମସ୍ୟା ଦେଖିବାକୁ ମିଳେ। ଆସନ୍ତୁ ଆଜି କିଛି ପୋଷଣଯୁକ୍ତ ଖାଦ୍ୟ ବିଷୟରେ କଥା ହେବା ଯାହା ଆପଣଙ୍କୁ ଏପରି ପାଗରେ ମଧ୍ୟ ନିରୋଗ ଓ ସକ୍ରିୟ ରଖିବ।
ଆପଣ ବର୍ଷା ପାଗରେ କଣ ଖାଇବାକୁ ପସନ୍ଦ କରନ୍ତି? ଉତ୍ତର ନିଶ୍ଚୟ ଆସିବ ମୁଢ଼ି, ପକୁଡ଼ି, ମିକ୍ସର ଆଦି ସହିତ ଗରମ ଗରମ କପେ ଚା’ ବର୍ଷା ପାଗରେ ନିହାତି ଦରକାର। ଅଧିକାଂଶ ଲୋକେ ତ ଏସବୁ ନିତି ଦିନ ଖାଆନ୍ତି। ଏସବୁ କିନ୍ତୁ ସବୁବେଳେ ଖାଇବା ଆମ ପାଇଁ ଅସ୍ୱାସ୍ଥ୍ୟକର। ହେଲେ ଆଜି ଆପଣ କିଛି ସ୍ୱାସ୍ଥ୍ୟକର ସ୍ନାକ୍ସ ବିଷୟରେ ଜାଣିବେ ଯାହା ଆପଣଙ୍କ ପାଟିକୁ ସ୍ୱାଦିଷ୍ଟ ଲାଗିବା ସହ ଆପଣଙ୍କୁ କୌଣସି ଇନଫେକ୍ସନ କିମ୍ୱା ବାହ୍ୟ ରୋଗ ଆକ୍ରମଣ ହେବାକୁ ଦେବ ନାହିଁ।
ବିଭିନ୍ନ ପ୍ରକାର ସୁପ୍
ଆପଣ କୌଣସି ରେଷ୍ଟୁରାଣ୍ଟରେ ଖାଉଥିବା ସ୍ୱାଦିଷ୍ଟ ସୁପ୍ ଘରେ ବନାଇ ପିଇପାରିବେ ଯାହା ଆପଣଙ୍କୁ ସତେଜ ଅନୁଭବ ଦେବା ସହ ଥଣ୍ଡା ଓ ଫ୍ଲୁ ପରି ସମସ୍ୟାରୁ ଆରାମ ଦେବ। ଚିକେନ୍ ସୁପ୍, ଗାଜର, ବିଟ୍. ବିନ୍ସ ଆଦି ପକାଇ ଭେଜିଟେବଲ୍ ସୁପ୍, ମକା ସୁପ୍, ମୁଗ, ବୁଟ ଆଦି ସିଝାଇ ଏଥିରୁ ପ୍ରସ୍ତୁତ ସୁପ୍ ଆଦି ଅନେକ ପ୍ରକାର ବିକଳ୍ପ ରହିଛି। ଏସବୁଥିରେ ପୁଷ୍ଟିସାର ବା ପ୍ରୋଟିନ୍ ଓ ମିନେରାଲ୍ସ ଭରପୂର ଥିବା ବେଳେ ଏହାର କୌଣସି ଖରାପ ସ୍ୱାସ୍ଥ୍ୟ ପ୍ରଭାବ ନଥାଏ।
ବର୍ଷାଦିନିଆ ପନିପରିବା
ବଜାରରେ ବର୍ଷାଦିନେ ଅନେକ ସବୁଜ ପରିବା ସହଜରେ ମିଳେ ଯେପରିକି ପୋଟଳ, ଜହ୍ନି, କାଙ୍କଡ଼, ଇତ୍ୟାଦି। ଏସବୁ ଭିଟାମିନ୍ ଏବଂ ବିଭିନ୍ନ ମିନେରାଲ୍ସରେ ଭରପୂର ଏବଂ ଯେତେ ସମ୍ଭବ ନିଜ ଖାଦ୍ୟରେ ମିଶାଇବା ଉଚିତ୍। ନିଜ ଖାଦ୍ୟ ପ୍ଲେଟ୍ରେ ଭାତର ପରିମାଣ କମ୍ କରି ଏହି ସବୁ ପନିପରିବାରେ ତିଆରି କମ୍ ମସଲାଯୁକ୍ତ ପରିବା ନେବା ଆବଶ୍ୟକ। କାକୁଡ଼ି, ପିଆଜ ପରି କଞ୍ଚା ପରିବା ସାଲାଡ୍ ଭାବେ ନିୟମିତ ନେବାକୁ ଭୁଲନ୍ତୁ ନାହିଁ।
ଖଟା ଫଳ
ଲେମ୍ବୁ, କମଳା, ଅଁଳା, ଜାମୁକୋଳି ଆଦି ଋତୁଭିତ୍ତିକ ଫଳ ବର୍ଷାଦିନେ ଖାଇବା ଆବଶ୍ୟକ। ଏହା ଆପଣଙ୍କ ଇମ୍ୟୁନିଟି ବା ରୋଗ ପ୍ରତିରୋଧକ ବ୍ୟବସ୍ଥାକୁ ଠିକ୍ ରଖିବ ଏବଂ କୌଣସି ଇନ୍ଫେକସନ୍ ହେବାରୁ ବଞ୍ଚାଇବ।
ବିଭିନ୍ନ ଶାଗ
ବର୍ଷାଦିନେ ଆମେ ବାରିପଟେ ବା ଛାତ ଉପରେ ଅନେକ ପ୍ରକାର ଶାଗ ଲଗେଇବା ଆବଶ୍ୟକ। ପାଳଙ୍ଗ, କୋଶଳା, କଖାରୁ, ଖ଼ଡ଼ା ପରି ସହଜରେ ହେଇପାରୁଥିବା ଫସଲ ଆମେ ଲଗାଇପାରିବା। କଖାରୁ ଡଙ୍କ ଓ ଫୁଲରୁ ବିଭିନ୍ନ ପ୍ରକାର ସୁଆଦିଆ ଖାଦ୍ୟ ପ୍ରସ୍ତୁତ ହୋଇପାରିବ। ଶାଗରେ ଭିଟାମିନ୍ ଏ ପ୍ରଚୁର ମାତ୍ରାରେ ଥାଏ ଏବଂ ଆପଣଙ୍କ ରକ୍ତହୀନତା ଥିଲେ ଲୌହ ବା ଆଇରନ୍ ସମୃଦ୍ଧ ପାଳଙ୍ଗ ଶାଗ ଆପଣଙ୍କ ପାଇଁ ଅତ୍ୟନ୍ତ ଦରକାରୀ।
ହଳଦୀ ଓ ଅଦା
ଆମ ରୋଗ ପ୍ରତିରୋଧକ ଶକ୍ତିକୁ ଠିକ୍ ରଖିବାକୁ ଆଣ୍ଟିବାୟୋଟିକ୍ ପରି କାମ କରେ ହଳଦୀ। ବର୍ଷାଦିନେ ନିୟମିତ ସକାଳେ ଆପଣ ଗୋଟିଏ ହଳଦୀ ଗୁଳା ନେବା ଆବଶ୍ୟକ। ଖଣ୍ଡ ହଳଦୀ ବାଟି ନେବା ଭଲ। ଯଦି ଆପଣଙ୍କ ପାଖରେ ଉପଲବ୍ଧ ନାହିଁ ତେବେ ଆପଣ ହଳଦୀ ଗୁଣ୍ଡ ପାଣିରେ ମିଶାଇ ନେଇପାରିବେ। ଏହା ଆଣ୍ଟି ଅକ୍ସିଡାଣ୍ଟର ଏକ ଉତ୍ତମ ଉତ୍ସ।
ଚୁନାମାଛ
ଆମ ଶରୀରକୁ ସୁସ୍ଥ ରଖିବାକୁ ଆଉ ଏକ ଦରକାରୀ ଭିଟାମିନ୍ ହେଲା ଭିଟାମିନ୍ ଡି ଯାହା କ୍ୟାଲସିୟମ୍ର ଏକ ଉତ୍ସ। ଏହା ଶରୀରରେ ଚର୍ବି ବା ସ୍ନେହସାରରେ ଦ୍ରବଣୀୟ ହୋଇ ରହେ। ଚୁନାମାଛ କ୍ୟାଲସିୟମ୍ର ଏକ ଅତ୍ୟାବଶ୍ୟକ ଉତ୍ସ। ବର୍ଷାଦିନରେ ଗାଁ ଅଞ୍ଚଳରେ ବିଲରେ ହଳ କରିବା ସମୟରେ ଚୁନାମାଛ ମରାଯିବା କଥା ଆପଣ ଜାଣିଥିବେ। ଏହି ସମୟରେ ସହଜରେ ମିଳୁଥିବା ଓ ଆମ ନିଜ ବାଡ଼ିରେ ମିଳୁଥିବା ଜିନିଷ ସେବନ କଲେ କୌଣସି ଇନଫେକସନ୍ ହେବା ଡର ନଥାଏ।
ସ୍ୱାସ୍ଥ୍ୟକର ସ୍ନାକ୍ସ ବିକଳ୍ପ
ସଂଧ୍ୟାରେ କିଛି ଚଟପଟା ଖାଇବାକୁ ଇଛା ହେଲେ ବୁଟ ବା ମଟର ସିଝାଇ ଚାଟ୍ ପରି ଖାଇପାରିବେ। ଏହା ପ୍ରୋଟିନ୍ରେ ପରିପୂର୍ଣ୍ଣ ଥିବା ବେଳେ ଫାଇବର ମଧ୍ୟ ଆମକୁ ମିଳେ। ଏଥିସହ ଘରେ ତିଆରି କରି ବାଦାମ ଓ ରାଶି ପରି ଲଡ଼ୁ ମଧ୍ୟ ଖାଇବା ପାଇଁ ରଖିପାରିବେ। ମଖାନା ଭଜା, ଚୁଡ଼ା ଭଜା ଇତ୍ୟାଦି ସଂଧ୍ୟାରେ ନେଇପାରିବେ। ଏଥିସହିତ ଚା ନ ପିଇ ଆପଣ ବିନା କ୍ଷୀର ଓ ଚିନିରେ ବ୍ଲାକ୍ କଫି କିମ୍ୱା ତୁଳସୀ, ଅଦା ଆଦି ଦେଇ ନାଲି ଚା ପିଇପାରିବେ। ଏହା ଆଣ୍ଟିଅକ୍ସିଡାଣ୍ଟ ଭରା ଓ ଚା ଓ କଫିର ସମସ୍ତ ଗୁଣକୁ ଅକ୍ଷତ ରଖେ।
ବର୍ଷାଦିନେ ବାହାରର ଭାଇରାଲ୍ ତଥା ବ୍ୟାକ୍ଟେରିଆ ଜନିତ ଆକ୍ରମଣକୁ ରୋକିବା ପାଇଁ ନିଶ୍ଟିତ ଆମର ଇମ୍ୟୁନିଟି ଠିକ୍ ରଖିବାକୁ ପଡ଼ିବ। ଆମ ରୋଗ ପ୍ରତିରୋଧ ଶକ୍ତି ଠିକ୍ ରଖିଲେ କୌଣସି ପ୍ରକାର ବ୍ୟାଧି ଆମକୁ ସ୍ପର୍ଶ କରିବ ନାହିଁ। ଉପଯୁକ୍ତ ଖାଦ୍ୟ ସହ ନିୟମିତ ବ୍ୟାୟାମ ଜରୁରୀ ହୋଇଥାଏ। ଏଥିସହ ଛୋଟ ପିଲାମାନଙ୍କୁ ଖେଳକୁଦରେ ସଂଶ୍ଲିଷ୍ଟ ରଖିଲେ ଏହି ସମୟରେ ସେମାନେ ଫ୍ଲୁ ଆଦି ଭୋଗିବା କମ୍ ହୋଇଯିବ। ତେଣୁ ସୁସ୍ଥ ରହି ସମସ୍ତଙ୍କୁ ଏହି ସ୍ୱାସ୍ଥ୍ୟକର ଖାଦ୍ୟ ବିକଳ୍ପଗୁଡ଼ିକ କହି ବାହ୍ୟ ଆକ୍ରମଣରୁ ବଞ୍ଚାଇପାରିବେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)