• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଚିଟ୍‌ଫଣ୍ଡ ଟଙ୍କା ଫେରସ୍ତ ନେଇ ବଡ଼ ବୟାନ ଦେଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ସେ କହିଛନ୍ତି, ଖୁବଶୀଘ୍ର ଚିଟ୍‌ଫଣ୍ଡ ଟଙ୍କା ଫେରସ୍ତ ନେଇ ଚିନ୍ତନ ଚାଲିଛି । ଶୀଘ୍ର ଏ ବାବଦରେ ନୀତିଗତ ନିଷ୍ପତି ନିଆଯାଇ କାର୍ଯ୍ୟକ୍ରମକୁ ଆରମ୍ଭ କରି ସଂପୂର୍ଣ୍ଣ କରାଯିବ । ରିପୋର୍ଟ ସାର୍ବଜନୀନ ବାବଦରେ ସରକାର ଅନୁଧ୍ୟାନ କରୁଛନ୍ତି। ରିପୋର୍ଟ କିପରି ଉପସ୍ଥାପନ ହେବ ସରକାର ଚିନ୍ତା କରୁଛନ୍ତି ବୋଲି ସେ କହିଛନ୍ତି । ସେହିପରି ସେ ଆହୁରି କହିଛନ୍ତି ଟଙ୍କା ଫେରାଇବା ପୂର୍ବ ସରକାରଙ୍କ ଦାୟିତ୍ୱ ଥିଲା, କିନ୍ତୁ ସେମାନେ କଲେ ନାହିଁ । ବର୍ତ୍ତମାନର ସରକାର ଫେରସ୍ତ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରିବ ବୋଲି ସେ କହିଛନ୍ତି ।

ଅପରପକ୍ଷେ ମନମୋହନ ସାମଲଙ୍କ ଏହି ଟିପଣୀକୁ କାଉଣ୍ଟର କରିଛନ୍ତି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ । ସେ କହିଛନ୍ତି ଚିଟ୍‌ଫଣ୍ଡ କଥା ବିଚାର କରୁ କରୁ ସରକାର ସରିଯାଇଥିବ । ସରକାର ବହୁତ କଥା ବିଚାର କରୁଛନ୍ତି, କିନ୍ତୁ ଆକ୍ସନ କାହିଁକି ନେଉନାହାନ୍ତି । ସରକାର ଆଇନର ପ୍ରୟୋଗ କରନ୍ତୁ। କେବଳ ମାଇକ୍ ଲଗେଇ ଭାଷଣ ଦେଲେ ଦାୟିତ୍ଵ ସରିଯାଏ ନାହିଁ ବୋଲି କହିଛନ୍ତି ପ୍ରସନ୍ନ ଆଚାର୍ଯ୍ୟ ।

ଅଧିକ ପଢ଼ନ୍ତୁ: କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂଙ୍କ ବଡ଼ ବୟାନ; କହିଲେ, ନବୀନ ଓ ନୀତିଶଙ୍କୁ ମିଳୁ ଭାରତରତ୍ନ

ସେପଟେ ଗତକାଲି ମୁଖ୍ୟମନ୍ତ୍ରୀ ନିଜେ ଠକେଇ ଶିକାର ହୋଇଥିବା କହିବା ପରେ ତେଜିଲା ଚିଟ୍‌ଫଣ୍ଡ ତାତି । ମଙ୍ଗଳବାର ଜାତୀୟ ଉପଭୋକ୍ତା ଦିବସରେ ଠକେଇର ଉଦାହରଣ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ମୁଁ ବି ଚିଟଫଣ୍ଡ ଠକେଇର ଶିକାର ହୋଇଥିଲି । ଏକ ସରକାରୀ ଏବଂ ବେସରକାରୀ ସଂସ୍ଥା ଠକେଇ କରିଥିଲେ । ୧୯୯୦ ଏବଂ ୨୦୦୨ ରେ ଦୁଇ ଦୁଇ ଥର ଠକେଇର ଶିକାର ହୋଇଥିବା କହିଥିଲେ ମୁଖ୍ୟମନ୍ତ୍ରୀ ।

ପଇସା ଯୋଗାଡ଼ କରି ଦେଲି, ହେଲେ ପରେ ଦେଖିଲା ବେଳେକୁ ସଂସ୍ଥା ଉଭାନ । ୧୯୮୬ ଆଇନରେ ଅପିଲ ବି କରିଥିଲି, କିନ୍ତୁ ରାସ୍ତା ଏତେ ଜଟିଳ ଥିଲା ଯେ ପଇସା ମିଳିଲାନି । ସେଥିପାଇଁ ୧୯୮୬ ଆଇନକୁ ୨୦୧୯ ରେ ସଂଶୋଧନ କରାଯାଇଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଦିଗଦର୍ଶନରେ ଏହି ସବୁ ଗଳା ବାଟ ବନ୍ଦ ହୋଇଛି ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀଙ୍କ ମୁହଁରେ ଚିଟ୍‌ଫଣ୍ଡ କାହାଣୀ ଫେରିବା ପରେ ରାଜ୍ୟରେ ପୁଣି ପ୍ରସଙ୍ଗକୁ ଫେରିଛି ଚିଟ୍‌ଫଣ୍ଡ । କାହିଁକି ନା ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତକୁ ଟଙ୍କା ଫେରସ୍ତ ଥିଲା ବିଜେପିର ନିର୍ବାଚନୀ ପ୍ରତିଶ୍ରୁତି । ୧୮ ମାସ ମଧ୍ୟରେ ଚିଟ୍‌ଫଣ୍ଡ ସ୍କାମରେ ଅଟକି ଥିବା ଟଙ୍କା ଫେରସ୍ତ କରିବୁ ବୋଲି କହିଥିଲା ବିଜେପି ।

ତେଣୁ ଜମାକାରୀଙ୍କୁ ଶୀଘ୍ର ଟଙ୍କା ଫେରାଯାଉ ବୋଲି ଦାବି କରିଛି କ୍ଷତିଗ୍ରସ୍ତ ଜମାକାରୀ ମିଳିତ ମଞ୍ଚ । ସେପଟେ ମନ୍ତ୍ରୀ କହିଛନ୍ତି ସମସ୍ତ ପ୍ରତିଶ୍ରୁତି ପୂରଣ କରିବ ଦଳ । ରାଜ୍ୟରେ ପ୍ରାୟ ୭୦ ଲକ୍ଷ ଚିଟ୍‌ଫଣ୍ଡ ଜମାକାରୀ ରହିଛନ୍ତି । ୨୦୧୩ ମସିହାରେ ଜମାକାରୀଙ୍କୁ ଚିହ୍ନଟ କରି ଟଙ୍କା ଫେରାଇବାକୁ କମିଶନ ବସାଇଥିଲେ ପୂର୍ବ ସରକାର ।

ଏହା ଭିତରେ ଜଷ୍ଟିସ ଏମଏମ ଦାସଙ୍କ କମିଶନ ୭ଟି ଅନ୍ତରୀଣ ରିପୋର୍ଟ ଦେଇଛନ୍ତି । ଯେଉଁଥିରେ ୪୫୦ରୁ ଅଧିକ ଚିଟ୍‌ଫଣ୍ଡ ଦ୍ୱାରା ଠକେଇ ହୋଇଥିବା ପାଖାପାଖି ୮ ଲକ୍ଷ ୮୬ ହଜାର ଆବେଦନ କମିଶନଙ୍କ ନିକଟକୁ ଆସିଥିଲା । ସେଥିରୁ ୪ ଲକ୍ଷ ୯୭ ହଜାର କ୍ଷୁଦ୍ର ଜମାକାରୀ ଚିହ୍ନଟ କରିଥିଲେ କମିଶନ । ହେଲେ ଏଯାଏଁ ମାତ୍ର ୨ ଲକ୍ଷ ୩୮ ହଜାର କ୍ଷୁଦ୍ର ଜମାକାରୀ ଅର୍ଥାତ ୧୦ ହଜାରରୁ କମ ରଖିଥିବା ଜମାକାରୀଙ୍କୁ ତାଙ୍କ ଟଙ୍କା ଫେରାଇଛନ୍ତି ରାଜ୍ୟ ସରକାର । ଏବେ ନଜର ନୂଆ ସରକାର କେବେ ଚିଟ୍‌ଫଣ୍ଡ ପ୍ରତିଶ୍ରୁତିକୁ ପୂରଣ କରୁଛନ୍ତି ।

ଅଧିକ ପଢ଼ନ୍ତୁ: ‘ଓଡ଼ିଶାରେ ସେବା କରିବାର ସୁଯୋଗ ପାଇଥିବାରୁ ଭାଗ୍ୟବାନ, ଓଡ଼ିଆ ଲୋକଙ୍କ ଉତ୍ସାହକୁ ସଲାମ ଜଣାଉଛି’

OTV is now on Whatsapp

Join and get latest news update delivered to you via whatsapp

Join Now