ବିଏମସି ବାବୁଙ୍କୁ ଆକ୍ରମଣ ନେଇ ରାଜଧାନୀରେ ଲମ୍ବା ହାଇଡ୍ରାମା। ରାଜ୍ୟବ୍ୟାପୀ ଅମଲାଙ୍କ ଧର୍ମଘଟ ଓ ଜିଦ୍ ଆଗରେ 4 ଦିନ ଧରି ଘାଣ୍ଟି ହୋଇ ଶେଷରେ ଏକରକମ୍ ଆଣ୍ଠେଇବାକୁ ବାଧ୍ୟ ହେଲେ ସରକାର। ସରକାରରେ ଥାଇ ବି ଦଳ ପାଇଁ ଅମଲା ଓ ବିରୋଧୀଙ୍କ ଚକ୍ରବ୍ୟୁହ ଅଡୁଆ ପରିସ୍ଥିତି ସୃଷ୍ଟି କଲା। ଆଉ ଶେଷରେ ଗିରଫ ହେଲେ ଦଳର ଆଗଧାଡି ନେତା ଜଗନ୍ନାଥ ପ୍ରଧାନ।
ଗତକାଲି ସେ ଭୁବନେଶ୍ବର ଡିସିପିଙ୍କ ନିକଟରେ ଆତ୍ମସମର୍ପଣ କରିବା ପରେ ଏବେ ଜେଲ୍ ହାଜତରେ। ହେଲେ ଗିରଫଦାରି ପରେ ବି ଥମୁନି ରାଜନୀତି। ବିଜେଡି କହିଛି ହାଇଡ୍ରାମା କରି ଅଭିଯୁକ୍ତ ନିଜ ଇଚ୍ଛାରେ ଗିରଫ ହେବା ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତିକୁ ଦର୍ଶାଉଛି। ଏପରିକି ପ୍ରତିକ୍ରିୟାଶୀଳ ହୋଇ ଆଗକୁ ସରକାର ଅଫିସରଙ୍କ ଉପରେ କଡ଼ା ଆକସନ ନେଇ ପାରନ୍ତି ବୋଲି ବି ଆଶଙ୍କା କରିଛି ବିଜେଡି।
କଂଗ୍ରେସ କହିଛି, ଓଏଏସ୍ ଆନ୍ଦୋଳନ ପାଇଁ ସରକାରୀ କାର୍ଯ୍ୟ ବାଧାପ୍ରାପ୍ତ ହେଲା। ଗିରଫଦାରି ଆଗରୁ ହେବାର ଥିଲା। ତେବେ ସରକାରଙ୍କ ଯୁକ୍ତି ଆଇନ୍ ସବୁବେଳେ ତା ବାଟରେ ଯିବ।
Also Read
ସେପଟେ ବିଏମସି ଅତିରିକ୍ତ କମିଶନର ରତ୍ନାକରଣ ସାହୁଙ୍କୁ ଆକ୍ରମଣ ମାମଲାରେ ଜଗନ୍ନାଥଙ୍କ ନାଁରେ ବିଏନଏସ୍ ର ଧାରା 61-(2) ଅପରାଧ ଷଡ଼ଯନ୍ତ୍ର ଓ 62 ଅପରାଧ କରିବା ପାଇଁ ଉସୁକାଇବା ଭଳି ଲାଗିଛି ସଂଗୀନ ଦଫା। ଯେଉଁଥିପାଇଁ ଏସଡିଜେଏମ୍ କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ 14 ଦିନିଆ ବିଚାର ବିଭାଗୀୟ ହାଜତରେ ଅଛନ୍ତି ଜଗା।
ଏନେଇ ଜଗାଙ୍କ ପକ୍ଷରୁ ଆଜି ଜିଲ୍ଲା ଜଜ୍ କୋର୍ଟରେ ଜାମିନ୍ ଆବେଦନ କରାଯାଇଥିଲା ବେଳେ କୋର୍ଟ ଏହାର ଶୁଣାଣିକୁ ଆସନ୍ତା 9 ତାରିଖ ଧାର୍ଯ୍ୟ କରିଛନ୍ତି। ତେବେ ସବୁଠୁ ବଡ଼ କଥା ହେଉଛି ଏପର୍ଯ୍ୟନ୍ତ ପାର୍ଟି ପକ୍ଷରୁ ଜଗାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ।
ଏଥିରୁ ସ୍ପଷ୍ଟ ଯେ ଚାପରେ ଚେପା ହୋଇ ନିଆଯାଇଛି ଏଭଳି ନିଷ୍ପତ୍ତି। ଯାହା ସୃଷ୍ଟି କରିଛି ବଡ଼ ବିତର୍କ। କାରଣ OAS ସଂଘର ଲଗାତର ଆନ୍ଦୋଳନ ଚାପ ଫଳରେ ଯଦି ଏଭଳି ସ୍ଥିତି ସୃଷ୍ଟି ହେଲା, ସରକାର ଅକଳରେ ପଡ଼ିଲେ, ଆଗକୁ ଏଭଳି ଚାପର ପୁନରାବୃତ୍ତି ହେବନି ତ ? ନିଜ ଦାବି ପୂରଣ ପାଇଁ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ବାରମ୍ବାର ଅସ୍ତ୍ର କରାଯିବନି ତ ?
ସରକାରୀ ଅଧିକାରୀ ନିଜ ଦାବି ପୂରଣ ପାଇଁ ଜରୁରୀକାଳୀନ ପରିସ୍ଥିତିରେ କାର୍ଯ୍ୟବନ୍ଦ କରିବା service conduct ରୁଲ ର ଉଲ୍ଲଂଘନ ନୁହେଁ କି ? ଏବେ ଦେଖିବାର କଥା ଆଗକୁ ଏଭଳି ସ୍ଥିତି ଉପୁଜିଲେ ଅମଲାଙ୍କ ବିଷ କାଟିବାକୁ ସରକାର କି ଗଦ ପ୍ରସ୍ତୁତ କରୁଛନ୍ତି।