/odishatv-khabar/media/post_attachments/uploadimage/library/16_9/16_9_0/IMAGE_1749393312.jpg)
Liquor and Meat-free Puri
ମଦ ଓ ଆମିଷମୁକ୍ତ ହେବ ଆଧ୍ୟାତ୍ମିକ ନଗରୀ ପୁରୀ। ଶ୍ରୀକ୍ଷେତ୍ର ପୁରୀକୁ ତୀର୍ଥାଟନ ସହର ଭାବେ ଗଢିତୋଳିବାର ଉଦ୍ୟମ ସ୍ବରୂପ ଏଭଳି ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି ରାଜ୍ୟ ସରକାର। ଏହି କ୍ରମରେ ଶ୍ରୀମନ୍ଦିରର ଦୁଇ କିଲୋମିଟର ପରିଧି ସହ ପୂରା ବଡ଼ଦାଣ୍ଡରେ ମଦ ଓ ଆମିଷ ବିକ୍ରି ଉପରେ କଟକଣା ଲଗାଯିବ ବୋଲି କହିଛନ୍ତି ଆଇନମନ୍ତ୍ରୀ। ଯାହାକୁ ସବୁ ମହଲରେ ସ୍ବାଗତ କରାଯାଇଥିଲେ ବି ଏହା କେବେଠୁ ଏବଂ କିଭଳି ଲାଗୁ ହେଉଛି ତାକୁ ନେଇ ଚର୍ଚ୍ଚା।
ଆମିଷ ଗନ୍ଧରୁ ମୁକ୍ତ ହେବ ପବିତ୍ର ବଡ଼ଦାଣ୍ଡ । କେବଳ ଘୋଷଯାତ୍ରା ବେଳେ ନୁହେଁ, ସବୁ ସମୟରେ । ଆଧ୍ୟାତ୍ମିକତାରେ ଆହୁରି ମହ ମହ ବାସିବ ଶ୍ରୀଜଗନ୍ନାଥ ଧାମ । ଦୀର୍ଘ ଦିନ ଧରି ବହୁ ଦାବି ପରେ ଶେଷରେ ଶ୍ରୀକ୍ଷେତ୍ର ପୁରୀକୁ ପିଲିଗ୍ରିମ୍ ସିଟି ବା ତୀର୍ଥାଟନ ସହର ଭାବେ ବିକଶିତ କରିବାର ପ୍ରଥମ ପଦକ୍ଷେପ ସ୍ବରୂପ ମଦ ଓ ଆମିଷ ବିକ୍ରି ଉପରେ କଟକଣା ଲଗାଇବାକୁ ଯାଉଛନ୍ତି ରାଜ୍ୟ ସରକାର। ଆଇମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସୂଚନା ଅନୁଯାୟୀ, ବଡ଼ ଦାଣ୍ଡରେ ମଦ ଓ ଆମିଷ ବିକ୍ରିକୁ ସଂପୂର୍ଣ୍ଣ ବନ୍ଦ କରାଯିବ। ଏମିତିକି ଶ୍ରୀମନ୍ଦିରର ଦୁଇ କିଲୋମିଟର ପରିଧି ଭିତରେ ଆମିଷ ବିକ୍ରି ବନ୍ଦ ସହ ମଦ ଦୋକାନ କି ବାର୍ ରହିପାରିବ ନାହିଁ।
ଅଧିକ ପଢ଼ନ୍ତୁ: ସାବିତ୍ରୀ ଓ ଯମରାଜଙ୍କ ଭେଟ କଥା
ଆଇନମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ନିଷ୍ପତ୍ତି ଲାଗୁ ହେଲେ, ଶ୍ରୀମନ୍ଦିରର ଦୁଇ କିଲୋମିଟର ରେଡିୟସ ଭିତରେ ଯେତେସବୁ ହୋଟେଲ୍ କିମ୍ବା ଫାଷ୍ଟ ଫୁଡ୍ ସେଣ୍ଟର ରହିଛି ସେଠି ଆମିଷ ବିକ୍ରି ହୋଇପାରିବନି, କି ଜେଲରୋଡଠୁ ନେଇ ବଳିଆପଣ୍ଡା, ଭିଆଇପି ରୋଡ୍ ସ୍ବର୍ଗଦ୍ବାର ପାଖାପାଖି ଯାଏଁ ମଧ୍ୟ ଯେତେ ମଦ ଦୋକାନ୍ ଓ ବାର ରହିଛି, ସବୁଥିରେ ସଟର୍ ପଡ଼ିବ। ଯାହାକୁ ଭକ୍ତଙ୍କଠୁ ନେଇ ସବୁସ୍ତରରେ ସ୍ବାଗତ ତ କରାଯାଇଛି, ହେଲେ ବାସ୍ତବରେ ଏହାକୁ କିଭଳି ଓ କେତେଦୂର କାର୍ଯ୍ୟକାରୀ କରାଯିବ ତାକୁ ନେଇ ଲୋକଙ୍କ ଭିତରେ ସନ୍ଦେହ ବି ରହିଛି।
ଏଥିସହ ଶ୍ରୀକ୍ଷେତ୍ର ଧାମକୁ ୟୁନିଫର୍ମ ଲୁକ୍ ଦେବାର ପ୍ରୟାସ ବି ଆରମ୍ଭ ହୋଇଛି। ଅର୍ଥାତ୍ ସବୁ କୋଠାବାଡ଼ିର ଗୋଟିଏ ରଙ୍ଗ, ଗୋଟିଏ ଉଚ୍ଚତା, ଏକାଭଳି ନିର୍ମାଣ ଶୈଳୀ। ଏଥିପାଇଁ ଶ୍ରୀଜଗନ୍ନାଥ ମନ୍ଦିର ଓ ଶ୍ରୀଗୁଣ୍ଡିଚା ମନ୍ଦିର ଚତୁଃପାର୍ଶ୍ବରେ ଆଗକୁ ହେବାକୁ ଥିବା କୋଠାବାଡ଼ିକୁ କଳିଙ୍ଗ ସ୍ଥାପତ୍ୟ ଶୈଳୀରେ ନିର୍ମାଣ ଲାଗି ନୀତି ପ୍ରସ୍ତୁତ କରିବାକୁ ରାଜ୍ୟ ନଗର ଉନ୍ନୟନ ବିଭାଗକୁ ଚିଠି ବି ଲେଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଶ୍ରୀକ୍ଷେତ୍ରକୁ ଆଧ୍ୟାତ୍ମିକ ପର୍ଯ୍ୟଟନ କ୍ଷେତ୍ର ଭାବେ ବିକଶିତ କରିବାକୁ ଏ ଉଦ୍ୟମ କେବେଠୁ ଏବଂ କିଭଳି ଫଳପ୍ରଦ ଢଙ୍ଗରେ କାର୍ଯ୍ୟକାରୀ ହେଉଛି ଏବେ ତା ଉପରେ ନଜର।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)