/odishatv-khabar/media/post_attachments/uploadimage/library/16_9/16_9_0/Savitri_1749386680.jpg)
Savitri
ସତ୍ୟବାନଙ୍କ ପ୍ରାଣକୁ ଯମରାଜ ପାଶରେ ଧରି ନେଇଯିବାରୁ ସାବିତ୍ରୀ ତାଙ୍କୁ ଅନୁସରଣ କଲେ । ସାବିତ୍ରୀଙ୍କ ଜ୍ଞାନ ଓ ମଧୁର ବ୍ୟବହାରରେ ସନ୍ତୁଷ୍ଟ ହୋଇ ଯମ ତାଙ୍କୁ ବର ମାଗିବାରୁ ସାବିତ୍ରୀ ତାଙ୍କ ନିଜ ପିତାଙ୍କ ପାଇଁ ଶହେ ପୁତ୍ର ପ୍ରାପ୍ତି, ଅନ୍ଧ ଶ୍ୱଶୁର ଦ୍ୟୁମତସେନଙ୍କ ପାଇଁ ଦୃଷ୍ଟିଶକ୍ତି, ଓ ଶତ୍ରୁକବଳିତ ରାଜ୍ୟ ଫେରିପାଇବାର ବର ମାଗିନେଲେ । ଯମଙ୍କର ଧାରଣା ଥିଲା ସାବିତ୍ରୀ ଫେରିଯିବେ କିନ୍ତୁ ସାବିତ୍ରୀ ତଥାପି ତାଙ୍କ ପଛରେ ଚାଲିଲେ ।
ଯମ ସାବିତ୍ରୀଙ୍କୁ ଫେରିଯିବାକୁ କହିବାରୁ ସାବିତ୍ରୀ କହିଲେ, ସ୍ୱାମୀ ପାଖରେ ଥିବାରୁ ମୋତେ କିଛିବି ଶାରୀରିକ ବାଧା ହେଉନି । ହେ ଯମରାଜ ଆପଣ ସୂର୍ଯ୍ୟଦେବଙ୍କ ପୁତ୍ର । ସେଥିପାଇଁ ପଣ୍ଡିତମାନେ ଆପଣଙ୍କୁ ବୌବସ୍ୱତ କହନ୍ତି । ଆପଣ ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖନ୍ତି । ଆପଣଙ୍କର କେହି ଶତ୍ରୁ ନାହିଁ କି କେହି ମିତ୍ର ନାହିଁ । ଆପଣଙ୍କ ନିରପେକ୍ଷ ଶାସନ ପାଇଁ ସଂସାରରେ ଆପଣଙ୍କ ପ୍ରଜାମାନେ ନିଜ ନିଜ ମର୍ଯ୍ୟାଦାରେ ରହି ଧର୍ମ ଆଚରଣ କରୁଛନ୍ତି । ଆପଣଙ୍କ ହାତରେ ଧର୍ମଦଣ୍ଡ ରହିଛି । ସେଥିପାଇଁ ଆପଣଙ୍କୁ ଧର୍ମରାଜ କୁହାଯାଏ । ସତ୍ ପୁରୁଷଙ୍କ ପ୍ରତି ମଣିଷର ଯେତେ ବିଶ୍ୱାସ ଥାଏ ନିଜ ପ୍ରତି ସେତିକି ନଥାଏ । ତେଣୁ ସତ୍ ପୁରୁଷଙ୍କ ସହ ମିତ୍ରତା କରିବାକୁ ସମସ୍ତଙ୍କର ଇଚ୍ଛା ଥାଏ । ସେଇ ମିତ୍ରପଣରୁ ସବୁ ଜୀବ ପ୍ରତି ବିଶ୍ୱାସ ଜନ୍ମେ । ଆପଣ ସଜ୍ଜନ ତେଣୁ ବିଶ୍ୱାସର ପାତ୍ର । ମିତ୍ରତା , ଧର୍ମ ଓ ସଜ୍ଜନତା ଆଦି ଅନେକ ଗୁଣାବଳୀରେ ଆପଣ ମୋତେ ବାନ୍ଧି ରଖିଛନ୍ତି ।
ସାବିତ୍ରୀଙ୍କ ମଧୁର କଥା ଶୁଣି ଯମ କହିଲେ, ଭଦ୍ରେ ତୁମ କଥା ପରି ମଧୁର କଥା ମୁଁ ଅନ୍ୟ କେଉଁଠୁ ଶୁଣିନି । ମୁଁ ତୁମ ଜ୍ଞାନ ଓ ଭକ୍ତିରେ ସନ୍ତୁଷ୍ଟ । ସତ୍ୟବାନଙ୍କ ଜୀବନକୁ ଛାଡି ଆଉ ଯାହାବି ମାଗିପାର । ତୁମର ସବୁ ଇଚ୍ଛା ମୁଁ ଅବଶ୍ୟ ପୂରଣ କରିବି । ଶୀଘ୍ର ତୁମର ଚତୁର୍ଥ ବର ମାଗ ଓ ଆଉ ବିଳମ୍ବ ନକରି ଆଶ୍ରମକୁ ଫେରିଯାଅ ।
ସାବିତ୍ରୀ କହିଲେ, ହେ ଧର୍ମରାଜ ମୋର କୌଣସି ସନ୍ତାନ ସନ୍ତତି ନାହାନ୍ତି । ଦୟାକରି ଆଶୀର୍ବାଦ କରନ୍ତୁ ସତ୍ୟବାନଙ୍କ ଔରସରୁ ମୋ ଗର୍ଭରୁ ଆମର ବଳବୀର୍ଯ୍ୟବାନ ଶହେ ପୁତ୍ର ଜନ୍ମ ହେବେ । ସେମାନେ ଆମର ବଂଶ ରକ୍ଷା କରିବେ ।
ଅଧିକ ପଢ଼ନ୍ତୁ: ସାବିତ୍ରୀ ଓ ଯମରାଜଙ୍କ ଭେଟ କଥା
ଯମରାଜ ତଥାସ୍ତୁ କହିଲେ । ତାପରେ ସାବିତ୍ରୀଙ୍କୁ କହିଲେ, ମାଆ ତୁମେ ମୋ ପଛେ ପଛେ ବହୁ ଦୂରକୁ ଆସିଗଲଣି । ତୁମର ସବୁ ଇଚ୍ଛା ପୂରଣ ସରିଛି । ଏବେ ମୋ ଜାଣିବାରେ ସତ୍ ପୁରୁଷମାନେ ଯାହା କୁହନ୍ତି ତାହା ନିଶ୍ଚୟ ପୂରଣ କରନ୍ତି । ସେମାନେ ସେମାନଙ୍କ କହିଥିବା କଥାରୁ କେବେବି ବିଚ୍ୟୁତ ହୁଅନ୍ତିନି । ସତ୍ ମାର୍ଗରେ ସେମାନେ ଚଳପ୍ରଚଳ ହେଉଛନ୍ତି ବୋଲି ତ ଆକାଶରେ ସୂର୍ଯ୍ୟ ଚନ୍ଦ୍ର ଆତଯାତ ହେଉଛନ୍ତି । ପୃଥିବୀ ସୁରକ୍ଷିତ ଅଛି । ପଣ୍ଡିତ ଓ ଜ୍ଞାନୀମାନେ କୁହନ୍ତି ସତ୍ ପୁରୁଷଙ୍କ ଅନୁଗ୍ରହରେ ଜଣେ ଧନ, ମାନ ଓ ଯଶ ଲାଭ କରିପାରିବ । ସତ୍ ପୁରୁଷଙ୍କ ସେବା ବ୍ୟର୍ଥରେ ଯାଏନି ।
ସାବିତ୍ରୀଙ୍କର ଅର୍ଥପୂର୍ଣ୍ଣ, ଧର୍ମସଙ୍ଗତ ଓ ଯୁକ୍ତିଯୁକ୍ତ କଥା ଶୁଣି ଅତ୍ୟନ୍ତ ଆନନ୍ଦିତ ହୋଇ ଯମ କହିଲେ, "ହେ କଲ୍ୟାଣୀ! ତୁମକୁ ମୁଁ ପଞ୍ଚମ ବର ବି ଦେବାକୁ ଚାହୁଁଛି । କ'ଣ ଚାହୁଁଛ କୁହ । ଯମରାଜ ସାବିତ୍ରୀଙ୍କ କଥାରେ ଏମିତି ମୁଗ୍ଧ ହୋଇଥିଲେ ଯେ ପଞ୍ଚମ ବର ଯାଚିଲା ବେଳେ ପୂର୍ବଥରମାନଙ୍କ ପରି ସତ୍ୟବାନଙ୍କ ଜୀବନ ବ୍ୟତିରେକ ଯାହା ମାଗୁଛ ମାଗ କହିବାକୁ ଭୁଲି ଯାଇଥିଲେ । ସାବିତ୍ରୀ ସେକଥା ଜାଣିପାରି ଆଉ ବିଳମ୍ବ ନକରି କହିଲେ, "ପ୍ରଭୁ ଦୟାକରି ମୋ ସ୍ୱାମୀଙ୍କ ଜୀବନ ଫେରାଇଦିଅ । ସେ ପୁର୍ନଜୀବନ ଲାଭ କରନ୍ତୁ । ସେ ପୁର୍ନଜୀବନ ଲାଭ ନକଲେ ଆପଣଙ୍କ ପ୍ରଦତ୍ତ ବର ଅର୍ଥହୀନ ହେଇଯିବ । ଆପଣ ମୋତେ ପୂର୍ବରୁ ଆଶୀର୍ବାଦ କରି କହିଛନ୍ତି ମୁଁ ସତ୍ୟବାନଙ୍କ ଔରସରୁ ଶତପୁତ୍ରର ଜନନୀ ହେବି । ମୁଁ ସତୀ ନାରୀ । ମୋ ପତିଙ୍କ ବିନା ସହଯୋଗରେ ମୁଁ ଶତପୁତ୍ରର ଜନନୀ ହେବି କେମିତି? ମୋ ସ୍ୱାମୀଙ୍କ ବିନା ମୁଁ ଗୋଟେ ମୁହୂର୍ତ୍ତ ଏକା ରହିପାରିବିନି । ପତି ବିନା ଜଣେ ସତୀ ନାରୀ ପାଖରେ ଏ ଧନ, ମାନ ଏପରିକି ସ୍ୱର୍ଗବାସ ବି ଅର୍ଥହୀନ ।
ଏବେ ଯମଙ୍କ ପାଖରେ କହିବାକୁ କିଛି ନଥିଲା । ସେ ସାବିତ୍ରୀଙ୍କୁ କହିଲେ, ବୁଦ୍ଧି ଓ ପୂଣ୍ୟ ବଳରେ ତୁମେ ତୁମ ପତିଙ୍କୁ ଫେରିପାଇବାରେ ସମର୍ଥ ହେଲ । ମୁଁ ତୁମ ପତିଙ୍କୁ ଫେରାଇଦେଉଛି। ସେ ଦୀର୍ଘ ଓ ନୀରୋଗ ଜୀବନ ଲାଭ କରନ୍ତୁ । ତୁମେ ଦୁହେଁ ଆନନ୍ଦରେ ଶତ ପୁତ୍ରଙ୍କୁ ଧରି ଘର ସଂସାର କରି ସୁଖରେ ରୁହ । ତାପରେ ଯମରାଜ ସତ୍ୟବାନଙ୍କ ପ୍ରାଣକୁ ପାଶ ମୁକ୍ତ କଲେ ଓ ଯମାଳୟକୁ ଫେରିଗଲେ ।
ସାବିତ୍ରୀ ଯଥାଶୀଘ୍ର ଯେଉଁ ସ୍ଥାନରେ ସତ୍ୟବାନଙ୍କ ମର ନିଶ୍ଚଳ ଶରୀର ପଡିରହିଥିଲା ସେଠାକୁ ଫେରି ଆସିଲେ । ମୃତ୍ୟୁ ପୂର୍ବରୁ ସତ୍ୟବାନ ଯେପରି ତାଙ୍କ ମୁଣ୍ଡ ସାବିତ୍ରୀଙ୍କ କୋଳରେ ରଖି ଶୋଇଥିଲେ ସେମିତି ସାବିତ୍ରୀ ବସିରହିଲେ । ସାବିତ୍ରୀ ଏକ ଲୟରେ ସତ୍ୟବାନଙ୍କ ମୁହଁକୁ ଚାହିଁ ରହିଥା'ନ୍ତି କେତେବେଳେ ସେ ନିଶ୍ଚଳ ଶରୀର ଭିତରକୁ ପୁର୍ନବାର ପ୍ରାଣ ପ୍ରବେଶ କରିବ ଓ ସତ୍ୟବାନ ଆଖି ଖୋଲିବେ ।
ସାବିତ୍ରୀ ଓ ସତ୍ୟବାନ କିଛି ସମୟ ପରେ ସତ୍ୟବାନ ଆଖି ଖୋଲିଲେ । ତାଙ୍କୁ ଲାଗୁଥିଲା ସେ ଅନେକ ସମୟ ଧରି ଶୋଇ ପଡିଛନ୍ତି । ଶୋଇବା ଜାଗାରୁ ଉଠି ବସିଲେ ସତ୍ୟବାନ ଓ ସାବିତ୍ରୀଙ୍କୁ କହିଲେ, ତେବେ ବହୁ ସମୟ ଧରି ମୁଁ ଶୋଇ ପଡିଥିଲି । ମୋତେ ନିଦରୁ ଉଠେଇଲନି କାହିଁକି? ମୁଁ ନିଦରେ ଶୋଇ ଗୋଟେ ଭୟଙ୍କର ସ୍ୱପ୍ନ ଦେଖିଲି । କଳା ରଙ୍ଗର ଜଣେ ତେଜମୟ ଦେବ ପୁରୁଷ ମୋତେ କୁଆଡେ ଗୋଟେ ଟାଣି ଟାଣି ନେଉଥିଲେ । ଚାରି ପାଖରେ କଳା କଳା ଗାଢ ଅନ୍ଧାର । କ'ଣ ସେ ସ୍ୱପ୍ନର ଅର୍ଥ? ସାବିତ୍ରୀ କହିଲେ, ଏବେ ତ ଦିନ ସରି ରାତି ହେଇସାରିଲାଣି । ରାତି ସରୁ କାଲିକି ସବୁ କଥା ତୁମକୁ କହିବି । ଆଉ ଡେରି କରିବାନି ଚାଲ ଯଥାଶୀଘ୍ର ଆଶ୍ରମକୁ ଫେରିଯିବା । ରାତି ହୋଇ ସାରିଥିଲା । ଚାରି ପାଖରେ ଘନ ଅନ୍ଧାର । ସତ୍ୟବାନ କହିଲେ ଏ ଗାଢ ଅନ୍ଧାର ରାତିରେ ଭୟଙ୍କର ଜଙ୍ଗଲ ଭିତରେ ଯିବା କେମିତି? ରାସ୍ତା ଘାଟ ଜାଣିବା କେମିତି? ସାବିତ୍ରୀ କହିଲେ, ଜଙ୍ଗଲରେ ନିଆଁ ଲାଗିଥିଲା । ସେଥିରୁ କିଛି ଦରପୋଡା ଡାଳ ଚାଲ ସଂଗ୍ରହ କରି ଆଣିବା ଓ ଚାରି ପାଖରେ ରଖି ନିଆଁ ଲଗାଇ ରାତିଟା କାଟିଦେବା ।
ସତ୍ୟବାନ କିନ୍ତୁ ରାଜି ହେଲେନି । ସେ କହିଲେ, ନା ନା ମୋତେ ଟିକେ ସୁସ୍ଥ ଲାଗିଲାଣି । ତୁମକୁ ଧରି ଧରି ମୁଁ ଧିରେ ଧିରେ ଆଶ୍ରମ ପର୍ଯ୍ୟନ୍ତ ଯାଇପାରିବି । ପୂର୍ବରୁ ମୋର କେବେବି ବଣ ଭିତରେ ଏତେ ଡେରି ହୋଇନି । ସାମାନ୍ୟ ବିଳମ୍ବ ହେଲେ ବାପା ମା ବ୍ୟସ୍ତ ହୋଇ ପଡନ୍ତି । ଆଜି ତ ହେଇ ଏତେ ସମୟ ହେଇଗଲାଣି । ସେମାନେ ବଡ ବ୍ୟସ୍ତ ହେଉଥିବେ । ରାତି ଏଇଠି କଟେଇବା ଠିକ ହେବନି ।
ଏମିତି କହି ସତ୍ୟବାନ କାନ୍ଦିବାକୁ ଲାଗିଲେ । ସାବିତ୍ରୀ ତାଙ୍କ ଲୁହ ପୋଛି କହିଲେ, ମୁଁ ଯଦି ମୋ ଛୋଟିଆ ଜୀବନରେ ସତରେ କିଛି ପୂଣ୍ୟ କରିଥିବି, ତପସ୍ୟା, ଦାନ ଓ ଧର୍ମ ଅର୍ଜନ କରିଥିବି ଏବଂ ସର୍ବଦା ସତ୍ୟ ପଥରେ ବାଟ ଚାଲିଥିବି ତେବେ ତାର ପ୍ରଭାବ ଓ ଫଳ ଭାବରେ ମୋ ଶାଶୁ ଶଶୁର ଓ ସ୍ୱାମୀଙ୍କ ପାଇଁ ଆଜିର ରାତି ନିଶ୍ଚୟ ଶୁଭପ୍ରଦ ହେବ । ତାପରେ ସାବିତ୍ରୀ ତଳେ ବସିଥିବା ସତ୍ୟବାନଙ୍କୁ ଧିରେ ଉଠେଇଲେ । ସତ୍ୟବାନ ଛିଡା ହୋଇସାରି ସକାଳୁ ସଂଗ୍ରହ କରିଥିବା ଫଳ ଝୁଲାକୁ ଚାହିଁବାରୁ ସାବିତ୍ରୀ କହିଲେ ସେ ସବୁ ଏବେ ଏଇଠି ଥାଉ । ହାତପାହାନ୍ତି ଗଛ ଡାଳରେ ଫଳ ଝୁଲାକୁ ଝୁଲେଇଦେଇ ସାବିତ୍ରୀ କହିଲେ, କାଲି ସକାଳୁ ଆସି ନେବା ଏବେ ଚାଲ ଆଶ୍ରମକୁ ଯିବା । ସାବିତ୍ରୀ ସତ୍ୟବାନଙ୍କ କୁରାଢୀକୁ ଗୋଟେ କାନ୍ଧରେ ରଖିଲେ ଓ ସତ୍ୟବାନଙ୍କ ହାତକୁ ଅନ୍ୟ କାନ୍ଧରେ ରଖି ଧିରେ ଧିରେ ଚାଲିବା ଆରମ୍ଭ କଲେ । ଆକାଶରେ ଜହ୍ନ ଉଠିଲା ଓ ଅନ୍ଧାର ଜଙ୍ଗଲ ଆଲୋକିତ ହେବାରୁ ରାସ୍ତା ଖୋଜିବାରେ ଆଉ ଅସୁବିଧା ହେଲାନି।
ସେପଟେ ଆଶ୍ରମରେ ଯମରାଜଙ୍କ ବରରେ ଅନ୍ଧରାଜା ଦ୍ୟୁମତସେନଙ୍କ ଦୃଷ୍ଟି ଶକ୍ତି ଫେରିଆସିଲା ପରେ ସେ ଆଶ୍ରମରେ ସତ୍ୟବାନଙ୍କ ବିଳମ୍ବ କାରଣରୁ ବ୍ୟସ୍ତ ହୋଇ ଚାରିଆଡେ ଖୋଜିବୁଲୁଥାନ୍ତି । ସତ୍ୟବାନ ଓ ସାବିତ୍ରୀଙ୍କୁ ଆଶ୍ରମରେ ନପାଇ ସେ ବଡ ପାଟିରେ ସେ ଦୁହିଁକି ଡାକିବାରେ ଲାଗିଥାନ୍ତି । ଠିକ ସେତିକି ବେଳେ ସାବିତ୍ରୀ ସାଙ୍ଗରେ ସତ୍ୟବାନଙ୍କୁ ଧରି ଆଶ୍ରମରେ ପହଞ୍ଚିଲେ । ଦୁହେଁ ଭଲରେ ଫେରିଆସିବାର ଦେଖି ଆଶ୍ରମର ସମସ୍ତ ଅନ୍ତେବାସୀ ବଡ ଖୁସି ହେଲେ । କାହିଁକି ଆଜି ଏତେ ବିଳମ୍ବ ହେଲା ପଚାରିବାରୁ ସତ୍ୟବାନ କହିଲେ କାଠ କାଟିଥିବା ବେଳେ ହଠାତ ମୁଣ୍ଡରେ ଭୟଙ୍କର ପୀଡା ହେବାରୁ ସେ ଅନେକ ସମୟ ଶୋଇ ପଡିଥିଲେ ।
ଆଶ୍ରମରେ ଥିବା ଗୌତମ ନାମରେ ଜଣେ ଋଷି କହିଲେ, ସତ୍ୟବାନ ସବୁ କଥା ତୁମେ ଜାଣିନ । ଆଜି ହଠାତ୍ ତୁମ ବାପାଙ୍କର ଦୃଷ୍ଟି ଶକ୍ତି ବି ଫେରି ଆସିଛି । ତା'ର କାରଣ ସାବିତ୍ରୀ ନିଶ୍ଚୟ ଜାଣିଥିବେ । ସାବିତ୍ରୀଙ୍କୁ ପଚରା ଯିବାରୁ ସେ ମୂଳରୁ ଆରମ୍ଭ କରି ସବୁ କିଛି ଗୋଟି ଗୋଟି ବର୍ଣ୍ଣନା କରି କହିଚାଲିଲେ। ତାଙ୍କର ବର ଚୟନ, ନାରଦଙ୍କ ଭବିଷ୍ୟବାଣୀ, ବିବାହ, ସତ୍ୟବାନଙ୍କ ମରଣ ଓ ଯମଙ୍କ ସହ କଥାବାର୍ତ୍ତା ଏବଂ ବରଦାନ ଆଦି ସବୁ କହିଲେ । ଆଶ୍ରମରେ ଥିବା ତପସ୍ୱୀମାନେ କହିଲେ, ହେ ସାବିତ୍ରୀ ତୁମରି ଧର୍ମ ବଳରେ ଅସମ୍ଭବ ଆଜି ସମ୍ଭବ ହେଇଛି। ତୁମ ପରି ପତିବ୍ରତା, ସାଧ୍ୱୀ, ସୁଶୀଳା, ପୂଣ୍ୟବତୀ ନାରୀଙ୍କୁ ପାଖରେ ପାଇ ଆମେ ଧନ୍ୟ ହେଇଛୁ ।
ପରଦିନ ସକାଳୁ ଶାଲ୍ୱ ଦେଶର ପ୍ରଜାମାନେ ଆସି ଆଶ୍ରମରେ ପହଞ୍ଚି ଦ୍ୟୁମତସେନଙ୍କୁ କହିଲେ, ମହାରାଜ ଆପଣଙ୍କୁ ଦେଶରୁ ତଡିଥିବା ଆପଣଙ୍କର ଶତ୍ରୁମାନେ ଏବେ ନିହତ । ଏବେ ଆପଣ ଦୟାକରି ରାଜ୍ୟକୁ ଫେରିଚାଲନ୍ତୁ ଓ ସୁରୁଖୁରୁରେ ରାଜ୍ୟ ଶାସନ କରନ୍ତୁ । ସାରା ଦେଶ ଆପଣଙ୍କ ଫେରିବା ରାସ୍ତାକୁ ଚାହିଁ ବସିଛି। ଆଶ୍ରମରୁ ବିଦାୟ ନେଇ ରାଜା ଦ୍ୟୁମତସେନ ତାଙ୍କ ରାଣୀ, ସତ୍ୟବାନ ଓ ସାବିତ୍ରୀଙ୍କୁ ସାଙ୍ଗରେ ଧରି ନିଜ ପୁରୁଣା ରାଜପ୍ରାସାଦକୁ ଫେରିଆସିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)