Advertisment

Mahabharat Story: ସାବିତ୍ରୀ ଓ ଯମରାଜଙ୍କ ଭେଟ କଥା

କେବେବି ଜଙ୍ଗଲ ଯାଉନଥିବା ସାବିତ୍ରୀ କାହିଁକି ସତ୍ୟବାନଙ୍କ ସହ ବାହାରିଲେ? କାହିଁକି ନିର୍ଜଳା ଉପବାସ ଥିଲେ ସାବିତ୍ରୀ? ସତ୍ୟବାନଙ୍କ ପ୍ରାଣ ନେଇଯାଉଥିବା ଯମରାଜଙ୍କୁ କାହିଁକି ଅନୁସରଣ କରୁଥିଲେ ସାବିତ୍ରୀ? ମହାଭାରତ ମହାକାବ୍ୟ ଭିତରେ ଥିବା ସତୀ ସାବିତ୍ରୀଙ୍କ କାହାଣୀ ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ ।

author-image
Ramakanta Samantaray
ଅଦ୍ୟତନ ହୋଇଛି
ମହାଭାରତ କଥା

ମହାଭାରତ କଥା

ସାବିତ୍ରୀ ଓ ସତ୍ୟବାନଙ୍କ ବିବାହ ପରେ ଆଶ୍ରମରେ ସମସ୍ତେ ଆନନ୍ଦରେ ଥାଆନ୍ତି। ଉପରକୁ ଖୁସି ଦିଶୁଥିଲେ ବି ସାବିତ୍ରୀଙ୍କ ମନରେ ଅହରହ କିନ୍ତୁ ନାରଦଙ୍କ କଥା ଚାଲିଥାଏ । ସମୟ ବିତୁଥାଏ । ଦିନ ଗଣୁଥାନ୍ତି ସାବିତ୍ରୀ। କାଳଦିନ ଧିରେ ଧିରେ ପାଖେଇ ଆସିଲା। ବର୍ଷେ ପୁରିବାକୁ ଆଉ ମାତ୍ର ଚାରିଦିନ ଥାଏ ସାବିତ୍ରୀ ତ୍ରିରାତ୍ର ବ୍ରତ ଆରମ୍ଭ କଲେ। ଏହି ବ୍ରତରେ ତିନି ଦିନ ତିନି ରାତି ସମ୍ପୂର୍ଣ୍ଣ ନିର୍ଜଳା ଉପବାସରେ ରହିବାକୁ ହୁଏ। ଦ୍ୟୁମତସେନ ବ୍ରତ କଥା ଜାଣିପାରି ସାବିତ୍ରୀଙ୍କୁ କହିଲେ, “ବୋହୂ, ତୁମେ ଏ କଠୋର ବ୍ରତ କାହିଁକି କରୁଛ? ତିନି ଦିନ ତିନି ରାତି ନିର୍ଜଳା ଉପବାସ କରିବା ବଡ଼ କଷ୍ଟ କାମ, ତୁମେ କ'ଣ ପାରିବ?” 

Advertisment

ସାବିତ୍ରୀ ହାତ ଯୋଡ଼ି କହିଲେ, “ମୁଁ ପାରିବି ବାପା । ଆପଣ ମୋ ପାଇଁ ଦୟାକରି ଚିନ୍ତା କରନ୍ତୁ ନାହିଁ ।” ସାବିତ୍ରୀ ବ୍ରତ ପାଳନ ଆରମ୍ଭ କଲେ। ହିସାବ ଅନୁସାରେ ଯେଉଁଦିନ ସତ୍ୟବାନଙ୍କର ମୃତ୍ୟୁ ହେବା କଥା ସେଦିନ ସାବିତ୍ରୀ ସକାଳୁ ସକାଳୁ ତାଙ୍କର ପୂଜା ଓ ହୋମ ସାରି ଆଶ୍ରମର ସମସ୍ତ ତପସ୍ୱୀ ଓ ଶାଶୁ ଶଶୁରଙ୍କୁ ପ୍ରଣାମ କଲେ। ସମସ୍ତେ ତାଙ୍କୁ ପତିବ୍ରତା ଓ ପତିସୁହାଗିନୀ ହେବାକୁ ଆଶୀର୍ବାଦ ଦେଲେ । ଦ୍ୟୁମତସେନ କହିଲେ, “ମାଆ ସାବିତ୍ରୀ ବ୍ରତ ଶେଷ ହେଇଛି। ଏବେ ତୁମେ କିଛି ଖାଦ୍ୟ ଗ୍ରହଣ କର । ଗଲା ତିନିଦିନ ଧରି କିଛିବି ନଖାଇ ନପିଇ ତୁମ ଶରୀର ଦୁର୍ବଳ ଦିଶୁଛି।” ସାବିତ୍ରୀ କହିଲେ, “ଆଜି ଚତୁର୍ଥ ଦିନ । ସୂର୍ଯ୍ୟାସ୍ତ ପରେ ହିଁ ମୋର ବ୍ରତ ସମାପନ ହେବ ଓ ମୁଁ ଖାଦ୍ୟ ଗ୍ରହଣ କରିବି ।” 

ସାବିତ୍ରୀ ମନ ଭିତରେ ଯେତିକି ଶାନ୍ତ ଥିଲେ ଭିତରେ ସେତିକି ବିବ୍ରତ ବି ଥିଲେ। ସମୟ ହାତ ମୁଠାରୁ ବାଲି ଖସିଗଲା ପରି ଖସି ଯାଉଥାଏ । ସତ୍ୟବାନ ନିଜର ମୃତ୍ୟୁ ବିଷୟରେ ସମ୍ପୂର୍ଣ୍ଣ ଅଜ୍ଞ ଥିବା ବେଳେ ସାବିତ୍ରୀ ପ୍ରତିଟି ମୁହୂର୍ତ୍ତକୁ ଅମୂଲ୍ୟ ମନେକରି ବ୍ୟାକୁଳ ହେଉଥା'ନ୍ତି । ସବୁଦିନ କାଠ ଓ ଫଳ ଆଣିବାକୁ ସତ୍ୟବାନ କୁରାଢ଼ୀ ଧରି ଜଙ୍ଗଲକୁ ଯାଆନ୍ତି । ସେଦିନ ବି ବାହାରିଲେ । ସାବିତ୍ରୀ କହିଲେ “ଆଜି ମୁଁ ବି ତୁମ ସାଙ୍ଗରେ ଜଙ୍ଗଲକୁ ଯିବି । ତୁମକୁ ଆଜି ଏକାକୀ ଜଙ୍ଗଲ ଯିବାକୁ ଦେବିନି।” ସାବିତ୍ରୀଙ୍କ କଥାରେ ସତ୍ୟବାନ ଆଶ୍ଚର୍ଯ୍ୟ ହେଇ କହିଲେ “ତୁମେ କେବେବି ମୋ ସାଙ୍ଗରେ ଜଙ୍ଗଲକୁ ବାହାରନି । ଆଜି କାହିଁକି? ସେଥିରେ ପୁଣି ବ୍ରତ ପାଳନ କରୁଛ । ଖାଦ୍ୟ ଓ ପାଣି ବିନା ତୁମ ଶରୀର ଦୁର୍ବଳ ଅଛି। ଜଙ୍ଗଲରେ ବାଟ ଚାଲିବା ସହଜ ନୁହେଁ ।” କିନ୍ତୁ ସାବିତ୍ରୀ କିଛି ଶୁଣିବାକୁ ପ୍ରସ୍ତୁତ ନଥିଲେ । ସେ କହିଲେ, “ମୋର ବହୁତ ଇଚ୍ଛା ହେଉଛି ତୁମ ସହ ଜଙ୍ଗଲକୁ ଯିବି । ମୋତେ ମନା କରନି ।” 

Advertisment

ତାପରେ ସତ୍ୟବାନଙ୍କ ସହ ଜଙ୍ଗଳକୁ ଯିବାକୁ ସାବିତ୍ରୀ ତାଙ୍କ ଶାଶୁ ଶ୍ୱଶୁରଙ୍କ ଅନୁମତି ନେଲେ । ସେ ବିବାହ ଠାରୁ ପୁରା ବର୍ଷ ଆଶ୍ରମ ବାହାରକୁ ଯାଇନଥିଲେ । ଘନ ଜଙ୍ଗଲରେ ପହଞ୍ଚି ସାବିତ୍ରୀ ଅନେକ ପ୍ରକାରର ଗଛ, ଫୁଲ, ଝରଣା ଓ ପଶୁପକ୍ଷୀଙ୍କୁ ଦେଖି ଚାଲିଥା'ନ୍ତି। କିନ୍ତୁ ଆଖି ଥାଏ ସତ୍ୟବାନଙ୍କ ଉପରେ ଓ ମନ ଥାଏ ନାରଦଙ୍କ ଭବିଷ୍ୟବାଣୀ ପାଖରେ । 

ସତ୍ୟବାନ ପ୍ରଥମେ କିଛି ଫଳ ସଂଗ୍ରହ କଲେ ଓ ତାପରେ ଶୁଖିଲା କାଠ କାଟିବାକୁ ଆରମ୍ଭ କଲେ । କାଠ କାଟିବାର ଅଳ୍ପ ସମୟ ଭିତରେ ସେ ଅତ୍ୟନ୍ତ ହାଲିଆ ଅନୁଭବ କଲେ। ଦେହରୁ ଅସ୍ୱାଭାବିକ ଭାବରେ ଝାଳ ବହିବାକୁ ଲାଗିଲା ଓ ମୁଣ୍ଡରେ ସେ ପିଡ଼ା ଅନୁଭବ କଲେ । ସେ ସାବିତ୍ରୀଙ୍କୁ କହିଲେ ମୋ ମୁଣ୍ଡରେ କିଏ ଯେପରି ଶୂଳରେ ଆଘାତ କରୁଛି। ସତ୍ୟବାନ ଆଉ ବେଶି ସମୟ ଠିଆ ହୋଇ ରହିପାରିଲେନି । ସାବିତ୍ରୀଙ୍କ କୋଳରେ ମୁଣ୍ଡ ରଖି ମାଟି ଉପରେ ଶୋଇ ପଡିଲେ । ସାବିତ୍ରୀ ଚୁପଚାପ୍ ସତ୍ୟବାନଙ୍କ ମୁଣ୍ଡରେ ହାତ ମାରି ନାରଦଙ୍କ ଭବିଷ୍ୟବାଣୀକୁ ଆତଙ୍କରେ ମନେ ପକାଇଲେ ।

ମହାଭାରତ କଥାମହାଭାରତ କଥା

ଅଳ୍ପ ସମୟ ପରେ ସାବିତ୍ରୀ ଦେଖିଲେ ଲାଲ ରଙ୍ଗର ପୋଷାକ ପିନ୍ଧି, ମୁଣ୍ଡରେ ମୁକୁଟ ଧରି ସୂର୍ଯ୍ୟଙ୍କ ପରି ତେଜବାନ ଜଣେ ପୁରୁଷ ତାଙ୍କ ଆଡକୁ ଆସୁଛନ୍ତି । ରଙ୍ଗ ତାଙ୍କର ଗାଢ କଳା, ଆଖି ଲାଲ ଓ ହାତରେ ପାସ ଧରି ସେ ବେଶ୍ ଭୟଙ୍କର ଦିଶୁଥା'ନ୍ତି। ସେ ପାଖରେ ପହଞ୍ଚି ସତ୍ୟବାନଙ୍କୁ ନିରୀକ୍ଷଣ କରିବାକୁ ଲାଗିଲେ । ସାବିତ୍ରୀ ତାଙ୍କ କୋଳରେ ଥିବା ସତ୍ୟବାନଙ୍କ ମୁଣ୍ଡକୁ ଧିରେ ତଳେ ରଖି ହାତ ଯୋଡି ଛିଡା ହେଲେ ଓ କମ୍ପିତ ସ୍ୱରରେ କହିଲେ, “ଆପଣଙ୍କ ଶରୀରରୁ ବୁଝାପଡୁଛି ଆପଣ ଦେବଲୋକରୁ ଆସିଛନ୍ତି। ଦୟାକରି ମୋତେ ପରିଚୟ ଦିଅନ୍ତୁ ଓ ଆସିବାର କାରଣ କୁହନ୍ତୁ।” 

ସେ ଦେବପୁରୁଷ ଜଣକ କହିଲେ, “ହେ ସାବିତ୍ରୀ, ତୁମେ ପତିବ୍ରତା ଓ ତପସ୍ୱିନୀ। ସେଇଥିପାଇଁ ତୁମ ସହ କଥା ହେଉଛି। ମୋର ପରିଚୟ ହେଲା ମୁଁ ଯମରାଜ। ତୁମ ପତିଙ୍କର ଆୟୁଷ ସରିଯାଇଛି। ସେଇଥିପାଇଁ ମୁଁ ତାଙ୍କ ପ୍ରାଣକୁ ପାସରେ ଧରି ଯମଲୋକକୁ ନେବାକୁ ଆସିଛି ।” ସାବିତ୍ରୀ କହିଲେ, “ମୁଁ ଶୁଣିଛି ପ୍ରାଣୀର ପ୍ରାଣ ନେବାକୁ ଯମଦୂତମାନେ ଆସନ୍ତି । କିନ୍ତୁ ଏଠାକୁ ଆପଣ ନିଜେ ଆସିଛନ୍ତି ଯେ?” ସାବିତ୍ରୀଙ୍କ ପ୍ରଶ୍ନ ଶୁଣି ଯମ କହିଲେ, ସତ୍ୟବାନ ସତ୍ୟନିଷ୍ଠ, ଧାର୍ମିକ ଓ ଅନେକ ସୁଗୁଣର ଅଧିକାରୀ । ସେଇଥିପାଇଁ ମୁଁ ଅନୁଚରଙ୍କୁ ନପଠାଇ ନିଜେ ଆସିଛି। ଏତିକି କହି ଯମରାଜ ସତ୍ୟବାନଙ୍କ ଦେହରୁ ପାସ ଲଗାଇ ଆଙ୍ଗୁଳିଏ ଆକାରର ଏକ ପୁରୁଷଙ୍କୁ ବଳପୂର୍ବକ ବାହାର କରି ଆଣି ଦକ୍ଷିଣ ଦିଗକୁ ଯାତ୍ରା କଲେ । 

ଶରୀରରୁ ପ୍ରାଣ ବାହାରିଗଲା ପରେ ସତ୍ୟବାନଙ୍କ ଶ୍ୱାସ ବନ୍ଦ ହେଇଗଲା ଓ ସେ ନିଶ୍ଚଳ ହୋଇ ପଡିରହିଲେ । ସାବିତ୍ରୀ ଥରେ ସତ୍ୟବାନଙ୍କ ନିଶ୍ଚଳ ଶରୀରକୁ ଚାହିଁଲେ ଓ ବୁଲିପଡି ଯମରାଜଙ୍କ ପଛେ ପଛେ ଚାଲିବାକୁ ଆରମ୍ଭ କଲେ । ସାବିତ୍ରୀ ତାଙ୍କୁ ଅନୁସରଣ କରୁଛନ୍ତି ଦେଖି ଯମ କହିଲେ, “ସାବିତ୍ରୀ! ତୁମେ ଏବେ ଆଶ୍ରମକୁ ଫେରିଯାଅ ଓ ତୁମ ପତିଙ୍କ ମୃତ୍ୟୁ ପରର କ୍ରିୟାକର୍ମ ସମ୍ପାଦନ କର । ତୁମେ ଯେତେ ସମୟ ତୁମ ପତିଙ୍କ ସହ ଥିଲ ତୁମର ଦାୟିତ୍ୱ ନିଷ୍ଠାର ସହ ପାଳନ କରିଛ । ଏବେ ତୁମେ ପତିସେବା ଋଣରୁ ସମ୍ପୂର୍ଣ୍ଣ ମୁକ୍ତ ।” 

ସାବିତ୍ରୀ କହିଲେ, “ହେ ଧର୍ମରାଜ! ମୁଁ ଜଣେ ପତିବ୍ରତା ନାରୀ । ତେଣୁ ପତିଙ୍କୁ ଛାଡି ଆଉ କୁଆଡେ ବା ଯିବି? ଆପଣ ମୋ ପତିଙ୍କୁ ଯୁଆଡ଼େ ନେଇ ଯାଉଛନ୍ତି ସିଆଡେ ମୁଁ ନିଶ୍ଚୟ ସାଙ୍ଗରେ ଯିବି । ପତିଙ୍କ ଛଡା ମୋର ଅନ୍ୟ ଗତି ନାହିଁ । ତପସ୍ୟା, ଗୁରୁଭକ୍ତି, ପତିସ୍ନେହ ଓ ପାତିବ୍ରତ୍ୟ ସହ ଆପଣଙ୍କ କୃପା ମୋ ସାଙ୍ଗରେ ଥିଲେ ମୁଁ ଯେତେଦୂର କହିବେ ସେତେ ଦୂର ବିନା କ୍ଲେଶରେ ଯାଇପାରିବି । ତତ୍ତ୍ୱଦର୍ଶୀ ପଣ୍ଡିତମାନେ କହିଛନ୍ତି ସାଙ୍ଗ ହୋଇ ସାତ ପାଦ ରାସ୍ତା ଚାଲିଲେ ଉଭୟେ ମିତ୍ର ହୁଅନ୍ତି । ଅତଏବ ଆପଣ ଏବେ ମୋର ମିତ୍ର । ସେଇ ମିତ୍ରତାର ଖାତିରରେ ଆପଣଙ୍କୁ କିଛି କଥା ମୁଁ କହିବି । ଜ୍ଞାନୀ ପଣ୍ଡିତମାନେ କହିଯାଇଛନ୍ତି ଜିତେନ୍ଦ୍ରୀୟ ପୁରୁଷ ଗୃହରେ ଥାଆନ୍ତୁ ଅବା ଅରଣ୍ୟରେ ଥାଆନ୍ତୁ, ଗୃହୀ ହେଇଥା'ନ୍ତୁ ଅବା ସନ୍ୟାସୀ ହୋଇଥା'ନ୍ତୁ, ସେମାନେ ଗୋଟିଏ ଆଶ୍ରମ ଧର୍ମକୁ ପାଳନ କରନ୍ତି । ଶ୍ରଦ୍ଧା ଓ ଭକ୍ତିରେ ଗୋଟିଏ ଧର୍ମକୁ ଆଶ୍ରୟ କଲେ ଜ୍ଞାନ ଲାଭ ହୁଏ । ସମସ୍ତ ପ୍ରକାରର ଆଶ୍ରମ ଧର୍ମର ଉଦ୍ଦେଶ୍ୟ ହେଲା ଜ୍ଞାନ ଲାଭ । କୁହାଯାଇଛି ସମସ୍ତ ପ୍ରକାରର ଧର୍ମାଚରଣ ମଧ୍ୟରେ ଗୃହସ୍ଥାଶ୍ରମ ଶ୍ରେଷ୍ଠ । ଅରଣ୍ୟରେ ରହି ଆମେ ସେଇ ଗୃହସ୍ଥ ଧର୍ମକୁ ଆଚରଣ କରୁଛୁ ।” 

ସାବିତ୍ରୀଙ୍କ କଥା ଶୁଣି ଯମରାଜ କହିଲେ, “ହେ ଅନିନ୍ଦିତେ! ତୁମେ ଯାହା କହୁଛ ତାହା ଯୁକ୍ତିଯୁକ୍ତ ଓ ସୁମଧୁର । ମୁଁ ତୁମ ଉପରେ ସନ୍ତୁଷ୍ଟ । ସତ୍ୟବାନଙ୍କ ଜୀବନ ଛଡା ତୁମେ ଅନ୍ୟ ଯାହା ବି ବର ଗୋଟେ ମୋତେ ମାଗି ପାର ।” ସାବିତ୍ରୀ କହିଲେ, “ହେ ଧର୍ମରାଜ ମୋ ଶ୍ୱଶୁର ଅନ୍ଧ । ଶତୃମାନେ ତାଙ୍କ ରାଜ୍ୟ ଛଡେଇନେଇ ତାଙ୍କୁ ରାଜ୍ୟରୁ ବିତାଡିତ କରିଛନ୍ତି । ସେଥିପାଇଁ ସେ ବନବାସରେ ଅଛନ୍ତି । ମୋର ପ୍ରାର୍ଥନା ତାଙ୍କର ଦୃଷ୍ଟିଶକ୍ତି ଫେରିଆସୁ ଓ ସେ ସୂର୍ଯ୍ୟ ଓ ଅଗ୍ନିଙ୍କ ପରି ତେଜସ୍ୱୀ ହୁଅନ୍ତୁ ।” 

ଯମ କହିଲେ, “ତଥାସ୍ତୁ । ତୁମେ ଯାହା ମାଗିଲ ତାହାହିଁ ହେବ । ଏବେ ଆଉ ଶ୍ରମକରି ଅଯଥାରେ ମୋ ପଛରେ ଆସନି । ଯାଅ ଆଶ୍ରମକୁ ଫେରିଯାଅ ।” 

ସାବିତ୍ରୀ କହିଲେ, “ପ୍ରଭୂ ସ୍ୱାମୀଙ୍କ ସାଙ୍ଗରେ ବାଟ ଚାଲିବା ଯୋଗୁଁ ମୋତେ କିଛିବି କଷ୍ଟ ହେଉନି । ମୋର ଇଚ୍ଛା ମୋ ସ୍ୱାମୀ ଯେଉଁଠି ରହିବେ ମୁଁ ବି ସେଇଠି ରହିବି । ଆପଣ ତାଙ୍କୁ ଯେଉଁଠିକି ନେଉଛନ୍ତି ମୁଁ ବି ସେଇଠିକି ଯିବି । ପଣ୍ଡିତମାନଙ୍କର କହିବା କଥା ସାଧୁଜନଙ୍କ ସାଙ୍ଗରେ ରହିବା ଉଚିତ । ସାଧୁସଙ୍ଗ କେବେବି ନିଷ୍ଫଳ ହୁଏ ନାହିଁ । ମୁଁ ଆପଣଙ୍କ ସାଙ୍ଗରେ ଅଛି । ଏହା ମୋ ପାଇଁ ବଡ଼ ସୌଭାଗ୍ୟର କଥା ।” ଯମ କହିଲେ, “ହେ ଭଦ୍ରେ! ତୁମେ ବେଶ୍ ବୁଦ୍ଧିମତୀ । ତୁମ କଥା ଶୁଣିଲେ ମନ ଆନନ୍ଦ ହେଉଛି। ସତ୍ୟବାନଙ୍କ ଜୀବନ ଛଡା ତୁମେ ଅନ୍ୟ ଏକ ବର କାମନା କରିପାର ।” ସାବିତ୍ରୀ କହିଲେ, “ପ୍ରଭୁ ମୋର ଶ୍ୱଶୁର ତାଙ୍କ ରାଜ୍ୟ ଫେରିପାଆନ୍ତୁ ଓ ଧର୍ମ ଏବଂ ନ୍ୟାୟର ପଥରେ ଆଉଥରେ ରାଜ୍ୟ ଶାସନ କରନ୍ତୁ ।” 

ଯମରାଜ କହିଲେ, “କଲ୍ୟାଣୀ! ତୁମର ଏହି ମନକାମନା ନିଶ୍ଚୟ ପୁରଣ ହେବ। ତେଣୁ ଆଉ କଷ୍ଟ ନକରି ଏବେ ଅନ୍ତଃତ ଆଶ୍ରମକୁ ଫେରିଯାଅ ।” ସାବିତ୍ରୀ କିନ୍ତୁ ତଥାପି ଯମରାଜଙ୍କ ପଛେ ପଛେ ଚାଲିଥା'ନ୍ତି। ଚାଲୁ ଚାଲୁ ସାବିତ୍ରୀ କହିଲେ, “ହେ ଧର୍ମରାଜ! ଆପଣ ନିଷ୍ଠାପର ଭାବରେ ନିୟମ ପାଳନ କରନ୍ତି । ଲୋକଙ୍କ କର୍ମ ଅନୁସାରେ ଫଳ ପ୍ରଦାନ କରନ୍ତି । ସେଇଥିପାଇଁ ଆପଣଙ୍କ ନାମ ଯମ । ଦୟାକରି ମୋ ନିବେଦନ ଶୁଣନ୍ତୁ । ସାଧୁମାନେ ସେମାନଙ୍କ କାୟମନୋବାକ୍ୟରେ ସମସ୍ତ ପ୍ରାଣୀଙ୍କ ହିତ ସାଧନ କରନ୍ତି । ଅନ୍ୟ ପ୍ରତି ଦ୍ରୋହ ଆଚରଣ କରନ୍ତିନି । ସତ୍ ପୁରୁଷମାନେ ସେମାନଙ୍କ ଶରଣାଗତ ଶତୃପ୍ରତି ବି ଦୟା ଆଚରଣ କରନ୍ତି ।”

ସାବିତ୍ରୀଙ୍କ କଥା ଶୁଣି ଯମ କହିଲେ, “ହେ ରାଜକୁମାରୀ! ତୁମ କଥା ମୋତେ ଶୋଷିଲା ଲୋକକୁ ଜଳଦାନ କଲା ପରି ଲାଗୁଛି । ସତ୍ୟବାନଙ୍କ ଜୀବନ ଛଡା ଆଉ ଯାହା ବର ମାଗୁଛ ମାଗ । ମୁଁ ନିଶ୍ଚୟ ପୁରଣ କରିବି ।” ସାବିତ୍ରୀ କହିଲେ, “ପ୍ରଭୁ ମୋ ବାପା ରାଜା ଅଶ୍ୱପତିଙ୍କର ଆଦୌ ପୁଅ ନାହିଁ । ତାଙ୍କ ବଂଶ ରକ୍ଷା ପାଇଁ ତାଙ୍କୁ ଶହେ ପୁତ୍ର ଦିଅନ୍ତୁ।” ଯମ କହିଲେ “ତଥାସ୍ତୁ, ତୁମ ବାପାଙ୍କର ଶହେ ପୁଅ ନିଶ୍ଚୟ ହେବେ । ମୁଁ ତୁମ କଥା ରଖିଲି ଏବେ ମୋ କଥା ରଖି ଆଶ୍ରମକୁ ଫେରିଯାଅ । ଏହା ଭିତରେ ତୁମେ ବହୁତ ଦୂର ଆସିସାରିଲଣି । ଆଉ ପଥ କଷ୍ଟ ଉଠାଅନି ।”

Mahabharat Mahabharat Story Savitri Brata
Advertisment
Advertisment