Advertisment

Bahuda Yatra:ରାତି ପାହିଲେ ବାହୁଡ଼ା ଯାତ୍ରା,ଅପରାହ୍ନ ୪ଟାରେ ରଥ ଟଣା

ସାଢ଼େ ୨ଟାରୁ ସାଢ଼େ ୩ଟା ଭିତରେ ଛେରା ପହଁରା ଓ ଅପରାହ୍ନ ୪ଟାରେ ରଥଟଣା ପାଇଁ ନୀତି ନିର୍ଘଣ୍ଟ ହୋଇଛି। କାଲି ମାଉସୀ ମାଆ ମନ୍ଦିରରେ ପୋଡ଼ ପିଠା ଲାଗି ଓ ଶ୍ରୀନଅର ସମ୍ମୁଖରେ ଲକ୍ଷ୍ମୀ-ନାରାୟଣ ଭେଟ ଅଛି ।

author-image
Manasranjan Mohanty
Bahuda Yatra

Bahuda Yatra

ସରି ସରି ଆସୁଛି ଶ୍ରୀଜିଉଙ୍କ ଜନ୍ମବେଦୀ ଲୀଳା । ରାତି ପାହିଲେ ଭାଇ-ଭଉଣୀଙ୍କୁ ସାଙ୍ଗରେ ଧରି ରତ୍ନବେଦୀ ଅଭିମୁଖେ ବାହୁଡ଼ିବେ ଚକାଡୋଳା । ନବଦିନାତ୍ମକ ଯାତ୍ରା ଅବସରରେ ଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଥିବା ଚତୁର୍ଦ୍ଧା ମୂର୍ତ୍ତିଙ୍କର ଆସନ୍ତାକାଲି ବାହୁଡ଼ା ପର୍ବ। ସେଥିପାଇଁ ଦକ୍ଷିଣମୋଡ଼ ହୋଇ ଶରଧାବାଲିରେ ଶ୍ରୀଜିଉଙ୍କ ଅପେକ୍ଷାରେ ତିନି ରଥ।

Advertisment

ଏଣେ ସଅଳ ବାହୁଡ଼ା ନୀତି ପାଇଁ ଆଜି ସନ୍ଧ୍ୟା ୬ଟାରୁ ନବମୀ ଦର୍ଶନ ଶେଷ କରାଯିବା ସହ ଗୁଣ୍ଡିଚା ମନ୍ଦିରରେ ସରିଛି ଭକ୍ତ ଓ ଭଗବାନଙ୍କ ମିଳନ। ତେବେ ଜନ୍ମବେଦୀରେ ଜଗନ୍ନାଥଙ୍କ ବର୍ଷର ଶେଷ ସାନିଧ୍ୟ ପାଇଁ ଅନ୍ତିମ ଦିନରେ ଭୋର ୫ଟାରୁ ଜନସମୁଦ୍ର ପାଲଟିଥିଲା ଶରଧାବାଲି।

ଶ୍ରୀମୁଖ ଦର୍ଶନ ସହ ଆଡ଼ପ ଅବଢ଼ା ପାଇ କୃତ୍ୟ କୃତ୍ୟ ଭକ୍ତ ଭାବବିହ୍ବଳ ହୋଇ କହିଥିଲେ ବଞ୍ଚିଥିଲେ ପୁଣି ଆରବର୍ଷ ଭାବର ଠାକୁରଙ୍କ ସହ ହେବ ଏଇଠି ମିଳନ। ଏପଟେ ଗୁଣ୍ଡିଚା ମନ୍ଦିରରେ ଆରମ୍ଭ ହୋଇଯାଇଛି ଶ୍ରୀଜିଉଙ୍କ ବାହୁଡ଼ା ପ୍ରସ୍ତୁତି। ଆଜି ସନ୍ଧ୍ୟା ଦର୍ଶନ ସରିବା ପରେ ମନ୍ଦିର ଶୋଧ କରାଯାଇ ଚାଲିଛି ବାକି ନୀତିକାନ୍ତି।

Advertisment

ବଡ଼ ସିଂହାର ବେଶ ପରେ ଠାକୁରଙ୍କ ବାହୁଟ କଣ୍ଟ, ଚାରବନ୍ଧା ଓ କୁସୁମିଲାଗି ନୀତି କରାଯିବ। ତେଣେ ଶ୍ରୀମନ୍ଦିର ପ୍ରସାସନ ପକ୍ଷରୁ ନିର୍ଘଣ୍ଟ ବାହୁଡ଼ା ନୀତିକାନ୍ତି ଅନୁସାରେ-କାଲି ଭୋର ୪ଟାରେ ମଙ୍ଗଳ ଆଳତି ପରେ ୫ଟା ୪୫ରୁ ୬ଟା ୪୫ ମଧ୍ୟରେ ଖେଚୁଡ଼ି ଭୋଗ ଲାଗି ହେବ।

ତାପରେ ସକାଳ ୭ରୁ ସାଢ଼େ ୧୧ଟା ଭିତରେ ସେନାପଟା ଲାଗି କରାଯାଇ ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ସାଢ଼େ ୨ଟା ଭିତରେ ପହଣ୍ଡି ସଂପନ୍ନ ହେବ। ସାଢ଼େ ୨ଟାରୁ ସାଢ଼େ ୩ଟା ଭିତରେ ଛେରା ପହଁରା ଓ ଅପରାହ୍ନ ୪ଟାରେ ରଥଟଣା ପାଇଁ ନୀତି ନିର୍ଘଣ୍ଟ ହୋଇଛି। କାଲି ମାଉସୀ ମାଆ ମନ୍ଦିରରେ ପୋଡ଼ ପିଠା ଲାଗି ଓ ଶ୍ରୀନଅର ସମ୍ମୁଖରେ ଲକ୍ଷ୍ମୀ-ନାରାୟଣ ଭେଟ ଅଛି, ତେଣୁ ସଅଳ ପହଣ୍ଡି ପାଇଁ ସେବକମାନେ ପ୍ରସ୍ତୁତି ଚଳାଇଥିବା କହିଛନ୍ତି ବରିଷ୍ଠ ଦଇତାପତି ସେବକ ବିନାୟକ ଦାସ ମହାପାତ୍ର।

ସେପଟେ ରଥ ଭଳି ବାହୁଡ଼ା ଯାତ୍ରା ପାଇଁ ମଧ୍ୟ ହୋଇଛି ବ୍ୟାପକ ସୁରକ୍ଷା ବ୍ୟବସ୍ଥା। ବାହୁଡ଼ା ଲାଗି ୨ଶହ ପ୍ଲାଟୁନ ଫୋର୍ସ ସହ ଅଭିଜ୍ଞ ଅଫିସର ନିୟୋଜିତ ହୋଇଛନ୍ତି। ଆଜି ଗୁଣ୍ଡିଚା ମନ୍ଦିରକୁ ଯାଇ ନିଜେ ଡିଜିପି ୱାଇ ବି ଖୁରାନିଆ ସୁରକ୍ଷା ବ୍ୟବସ୍ଥା ପରଖିଥିବାବେଳେ ଶୃଙ୍ଖଳିତ ନୀତିକାନ୍ତି ନେଇ ସେବାୟତଙ୍କ ସହ ଆଲୋଚନା କରିଛନ୍ତି ଆଇନମନ୍ତ୍ରୀ।

କାଲି ଶନିବାର ଥିବାରୁ ବାହୁଡ଼ାଯାତ୍ରାରେ ପୁରୀକୁ ପୁଣି ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ। ତାସହ ପରଦିନ ରବିବାରରେ ସୁନାବେଶ ପଡୁଥିବାରୁ ଭିଡ଼ ଆହୁରି ବଢ଼ିବାର ସମ୍ଭାବନା ରହିଛି। ତେଣୁ ରଥଯାତ୍ରା ଅଘଟଣର ଯେପରି ବାହୁଡ଼ାରେ ନହୁଏ ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଟ୍ରାଫିକ୍ ନିୟନ୍ତ୍ରଣରୁ ଭକ୍ତଙ୍କ ସୁରକ୍ଷା ଯାଏଁ ସବୁ ଦିଗକୁ ଗୁରୁତ୍ବ ଦେଇଛି ପୋଲିସ୍ ଓ ପ୍ରଶାସନ।

Puri Srimandir Bahuda Yatra Ratha Yatra
Advertisment
Related Articles
Advertisment