ଘୋଟାଲା । ତାପୁଣି ମହାମାରୀ ନାଁରେ । କୋଭିଡ୍ ପରିଚାଳନା ପାଇଁ ପୂର୍ବ ବିଜେଡି ସରକାର ଜିଲ୍ଲା କୋଭିଡ୍ ହସ୍ପିଟାଲକୁ ବେପରୁଆ ଭାବେ ଅର୍ଥ ଦେଇଥିଲେ । ତାପୁଣି ବିନା ବିଲ୍ ଯାଞ୍ଚ ପରତାଳରେ । ଯାହାକୁ ଧରିଛନ୍ତି ସିଏଜି । ରିପୋର୍ଟରେ ମୋଟ୍ ୧୪୪ କୋଟି ୮୮ ଲକ୍ଷ ଟଙ୍କାର ଅନିୟମିତତା କଥା କୁହାଯାଇଛି । ସେପଟେ ସିଏଜି ରିପୋର୍ଟ ଆସିବା ପରେ ରାଜନୀତି ତେଜିଛି ।
କୋଭିଡ୍ ପରିଚାଳାନାରେ ବ୍ୟାପକ ଅନିୟମିତତା । ବିଲ୍ ଯାଞ୍ଚ ନକରି କୋଭିଡ୍ ପରିଚାଳନା ଲାଗି ଘରୋଇ ହସ୍ପିଟାଲକୁ ଦିଆଯାଇଛି କୋଟି କୋଟି ଟଙ୍କା । ସିଏଜି ଧରିଲେ ଅନିୟମିତତା । ଖୋର୍ଦ୍ଧା ଓ କଟକ ଜିଲ୍ଲାର ୮ଟି ଘରୋଇ କୋଭିଡ୍ ହସ୍ପିଟାଲ୍ ବିଲ୍ରେ ଏହି ଅନିୟମିତତା ହୋଇଥିବା ଗତକାଲି ପ୍ରକାଶିତ ସିଏଜି ରିପୋର୍ଟରେ ଉଲ୍ଲେଖ ହୋଇଛି । ଭୁବନେଶ୍ୱରର ସମ୍ ହସ୍ପିଟାଲ୍, ହାଇଟେକ୍, ବ୍ଲୁ ହ୍ୱିଲ୍, କିଡସ୍ ହସ୍ପିଟାଲ୍, ସଞ୍ଜିବନୀ, ଆଦିତ୍ୟ ଅଶ୍ୱିନୀ ଏବଂ ସ୍ପର୍ଶ ହସ୍ପିଟାଲ୍ ସହ କଟକର ସନ୍ ହସ୍ପିଟାଲ୍ର କୋଭିଡ୍ ପରିଚାଳନା ବିଲ୍କୁ ନେଇ ପ୍ରଶ୍ନ ଉଠାଇଛନ୍ତି ସିଏଜି ।
Also Read
ଅଧିକ ପଢନ୍ତୁ: ରାଜଧାନୀର ଛାତି ଉପରେ କୋଟିଏ ଟଙ୍କାର ଟେଣ୍ଡର ଫିକ୍ସିଂ! ୩ ଗିରଫ, ଘାଣ୍ଟୁଛି ସିବିଆଇ
ମୋଟ୍ ୧୪୪ କୋଟି ୮୮ ଲକ୍ଷ ଟଙ୍କାର ଅନିୟମିତତା ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି । ବିନା ବିଲ୍ ଯାଞ୍ଚରେ ଏସବୁ କୋଭିଡ୍ ହସପିଟାଲଗୁଡିକର ବିଲ୍ ପାସ୍ କରିଥିଲେ ତତ୍କାଳୀନ ବିଜେଡି ସରକାର । ତେବେ ଏ ନେଇ ସଂପୃକ୍ତ ହସପିଟାଲ୍ କର୍ତ୍ତୃପକ୍ଷଙ୍କର ପ୍ରତିକ୍ରିୟା ମିଳିପାରି ନାହିଁ । କୋଭିଡ୍ ହସପିଟାଲ୍ ବିଲ୍ ପୈଠ ଅନିୟମିତତାକୁ ନେଇ ସିଏଜି ରିପୋର୍ଟ ଆସିବା ପରେ ବିଜେଡି ସରକାରର ଘରୋଇ ହସପିଟାଲ ପ୍ରତି ଅହେତୁକ ଅନୁକମ୍ପା ପଦାରେ ପଡିଛି ।
ପ୍ରଶ୍ନ ଉଠୁଛି କାହିଁକି ଏସବୁ ଘରୋଇ ହସ୍ପିଟାଲ୍ର କୋଭିଡ ପରିଚାଳନା ବିଲ୍ ଯାଞ୍ଚ ନକରି ପାସ୍ କରାଗଲା ? ଏହା ପଛରେ କି ଉଦ୍ଦେଶ୍ୟ ଥିଲା? ତାକୁ ନେଇ ବିଜେପି ପ୍ରଶ୍ନ ଉଠାଇଥିବା ବେଳେ ଦୋଷୀଙ୍କ ବିରୋଧରେ ମୋହନ ସରକାର ଦୃଢ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଦଳ କହିଛି । ସେପଟେ ବିଜେଡି କହିଛି କୋଭିଡ୍ ପରିଚାଳନାରେ ଆମେ ଆଗରେ ଥିଲୁ । ଏହା ତଥ୍ୟ ଆଧାରିତ ନୁହେଁ । ଏବେ ଦେଖିବାର କଥା ଦୁର୍ନୀତି ପାଇଁ ଶୂନ୍ୟ ସହନଶୀଳତା ନୀତି ଆପଣାଇଥିବା ମୋହନ ସରକାର ତତ୍କାଳୀନ ଅଧିକାରୀଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ।