Advertisment

Yoga Life: ଆପଣ ଯୋଗ କରୁଛନ୍ତି କି...ଜାଣନ୍ତୁ, କେଉଁ ଖାଦ୍ୟ ଆପଣଙ୍କ ପାଇଁ ଉପଯୁକ୍ତ

ମିତାହାର ନାମକ ଏକ ପୁସ୍ତକରେ ବର୍ଣ୍ଣନା ଅନୁଯାୟୀ ଯୋଗ ଅନୁକୂଳ ଖାଦ୍ୟରେ ଜଳୀୟ ଅଂଶ ଅଧିକ ରହିବା ସହ ସହଜରେ ହଜମ ହୋଇପାରୁଥିବା ଆବଶ୍ୟକ। ଏସବୁ ସାତ୍ତ୍ୱିକ ଡାଏଟ୍‌ରେ ହିଁ ଉପଲବ୍ଧ। ବିଭିନ୍ନ ଫଳମୂଳ, ପରିବା ଶରୀରକୁ ଆବଶ୍ୟକ ଫାଇବର୍, ମିନେରାଲ୍ସ ଯୋଗାଏ। ନଡ଼ିଆ, ଗୁଡ଼, ଖଜୁରୀ, ମହୁ ପରି ପ୍ରାକୃତିକ ଶର୍କରା ଉତ୍ସ ସେବନ କଲେ ରକ୍ତରେ ଶର୍କରା ବୃଦ୍ଧି ସୀମିତ ରୁହେ।

author-image
Jyotsna Mohapatra
ଅଦ୍ୟତନ ହୋଇଛି
ଯୋଗ ପାଇଁ ଖାଦ୍ୟ

ଯୋଗ ପାଇଁ ଖାଦ୍ୟ

ଆପଣ ଜାଣନ୍ତି, ବିଶ୍ୱକୁ ଭାରତ ଦ୍ୱାରା ପ୍ରଦତ୍ତ ଏକ ଉପାଦେୟ ପ୍ରସଙ୍ଗ ହେଉଛି ଯୋଗ। ପ୍ରାଚୀନ ସମୟରୁ ଆରମ୍ଭ କରି ବର୍ତ୍ତମାନ ନାନାଦି ପ୍ରକାର ରୋଗ ବ୍ୟାଧି ଉପଶମ କରିବାରେ ଯୋଗର ଭୂମିକାକୁ ଅଣଦେଖା କରାଯାଇନପାରେ। ନିୟମିତ ଯୋଗ କରିବା ଦ୍ୱାରା ଆମର ପାଚନ ତନ୍ତ୍ର ଠିକ୍ ରହିବା ସହ ଶରୀରର ସାଧାରଣ ମେଟାବଲିଜିମ୍ ମଧ୍ୟ ଠିକ୍ ଚାଲେ। ତେବେ ଆମେ ଖାଉଥିବା ଖାଦ୍ୟ ଉପଯୁକ୍ତ ହେଲେ ଯୋଗ କରିବାର ପ୍ରଭାବ ତ୍ୱରିତ ମିଳେ। ଆୟୁର୍ବେଦ ଅନୁସାରେ ଆପଣ ଯଦିସାତ୍ତ୍ୱିକ ଖାଦ୍ୟ ସେବନ କରନ୍ତି ତେବେ ଯୋଗର ପ୍ରଭାବ ଖୁବ୍ ସହଜରେ ଆରମ୍ଭ ହୁଏ। ତେବେ ଆସନ୍ତୁ ଆଜି ଯୋଗ ସହ ତାଳ ରଖୁଥିବା ଏବଂ ଆମ ଶରୀରକୁ ଶକ୍ତି ଯୋଗାଉଥିବା ଏକ ସନ୍ତୁଳିତ ଖାଦ୍ୟ ପ୍ରକ୍ରିୟା ବା ଡାଏଟ୍ ବିଷୟରେ ଜାଣିବା।

Advertisment

ଭାରତରେ ଯୋଗର ଦୁଇଟି ପ୍ରମୁଖ ପୁସ୍ତକ ରହିଛି- ହଟ ଯୋଗ ପ୍ରଦିପିକା ଓ ଘେରାଣ୍ଡା ସଂହିତା। ଏହି ଦୁଇ ବହି ଅନୁସାରେ ଖାଦ୍ୟକୁ ତିନି ଭାଗରେ ବିଭକ୍ତ କରାଯାଇଛି। ସାତ୍ତ୍ୱିକ, ରାଜସିକ ଓ ତାମସିକ। ସାତ୍ତ୍ୱିକ ଖାଦ୍ୟ ଦୁଗ୍ଧ, ଫଳମୂଳ, ଶାଗ ଇତ୍ୟାଦି ପରି ହାଲକା ଖାଦ୍ୟ ନେଇ ପ୍ରସ୍ତୁତ। ଏହା ଶରୀରକୁ ସୁସ୍ଥ ରଖିବା ସହ ମନକୁ ଶାନ୍ତ ରଖେ। ରାଜସିକ ଖାଦ୍ୟରେ ଲୁଣ ଓ ରାଗ ତଥା ମସଲା ପରିମାଣ ଅଧିକ ଥାଏ ଯାହା ମନରେ କ୍ରୋଧ, ଇର୍ଷା ପରି ଭାବନା ଜାଗ୍ରତ କରେ। ତାମସିକ ଖାଦ୍ୟ ଶରୀରକୁ ହାଲିଆ ଅନୁଭବ କରାଏ। ଶକ୍ତିହୀନ ଅନୁଭବ କରାଇ ଅତ୍ୟନ୍ତ ଅଳସୁଆ କରିପକାଏ। ପିଆଜ ରସୁଣ ଓ ଆମିଶ ମିଷା ଛଣାଖାଦ୍ୟ, ଅଧିକ ପ୍ରକ୍ଚିୟାକୃତ ଖାଦ୍ୟ ଏଥିରେ ଅନ୍ତର୍ଭୁକ୍ତ। ତେବେ ଯୋଗ ବିଜ୍ଞାନ ଅନୁସାରେ ଯୋଗ ଉପକୂଳ ଡାଏଟ୍ ହେଲା କେବଳ ସାତ୍ତ୍ୱିକ ଖାଦ୍ୟବ୍ୟବସ୍ଥା।

ମିତାହାର ନାମକ ଏକ ପୁସ୍ତକରେ ବର୍ଣ୍ଣନା ଅନୁଯାୟୀ ଯୋଗ ଅନୁକୂଳ ଖାଦ୍ୟରେ ଜଳୀୟ ଅଂଶ ଅଧିକ ରହିବା ସହ ସହଜରେ ହଜମ ହୋଇପାରୁଥିବା ଆବଶ୍ୟକ। ଏସବୁ ସାତ୍ତ୍ୱିକ ଡାଏଟ୍‌ରେ ହିଁ ଉପଲବ୍ଧ। ବିଭିନ୍ନ ଫଳମୂଳ, ପରିବା ଶରୀରକୁ ଆବଶ୍ୟକ ଫାଇବର୍, ମିନେରାଲ୍ସ ଯୋଗାଏ। ନଡ଼ିଆ, ଗୁଡ଼, ଖଜୁରୀ, ମହୁ ପରି ପ୍ରାକୃତିକ ଶର୍କରା ଉତ୍ସ ସେବନ କଲେ ରକ୍ତରେ ଶର୍କରା ବୃଦ୍ଧି ସୀମିତ ରୁହେ। ଯେହେତୁ ଆମେ ସେବନ କରୁଥିବା ଖାଦ୍ୟ ଆମର ସମସ୍ତ ସମ୍ବେଦନା ବା ସେନ୍ସକୁ ନିୟନ୍ତ୍ରିତ କରେ, ତେଣୁ ଆମିଷ ଖାଦ୍ୟ ଯେପରି ଅଣ୍ଡା, ମାଂସ ଆଦିରେ ରହୁଥିବା ମାତ୍ରାଧିକ ସୋଡ଼ିୟମ୍ ଓ ଔଷଧୀୟ ଉପାଦାନ ଆମର ଶରୀରକୁ ଅବଶ କରିଦିଏ। ଯାହା ଫଳରେ ଯୋଗ କରିବା ସମୟରେ ଆମେ ଅଳସୁଆ ଅନୁଭବ କରୁ। କୃତ୍ରିମ ରଙ୍ଗ, ମିଠା ଦିଆ ତଥା ଅଧିକ ପ୍ରକ୍ରିୟାକୃତ ଖାଦ୍ୟ ଯେତେ ସମ୍ଭବ ଦୂରେଇ ରଖନ୍ତୁ।

Advertisment

ତେବେ ଖାଦ୍ୟ ସହ ଜଡ଼ିତ ବିଭିନ୍ନ ମନୋଭାବନା ଯେପରିକି ଆନରେକ୍ସିଆ ନର୍ଭସା (ଖାଦ୍ୟ ନ ଖାଇବାର ପ୍ରବୃତ୍ତି), ବଲିମିଆ(ଅନିୟନ୍ତ୍ରିତ ଭାବେ ଅଧିକ ଖାଇବା) ଇତ୍ୟାଦି ଯଦି ଆପଣ କେବେ ଅନୁଭବ କରୁଛନ୍ତି ତେବେ ଯୋଗ କରିବା ଦ୍ୱାରା ଏସବୁ ସମସ୍ୟା କମ୍ ହେବାର ସମ୍ଭାବନା ରହିବ। ଡାଇବେଟିସ୍, ଗ୍ୟାଷ୍ଟ୍ରିକ୍ ପରି ସମସ୍ୟାରେ ଉପଯୁକ୍ତ ଖାଦ୍ୟ ଗ୍ରହଣ ସହ ଯୋଗ କରୁଥିବା ବ୍ୟକ୍ତିମାନେ ସମ୍ପୂର୍ଣ୍ଣ ଆରୋଗ୍ୟ ନ ହୋଇପାରିଲେ ମଧ୍ୟ ରୋଗର ଭୟାବହତା କମ୍ ହୋଇଛି। ଏଥିସହିତ ଆଉ ଏକ ଉପାଦେୟ କଥା ହେଲା ଶରୀରରେ କୌଣସି ନିର୍ଦ୍ଦିଷ୍ଟ ଉପାଦାନ ଯେପରିକି ଭିଟାମିନ୍ ତଥା ମିନେରାଲ୍ସର କମ୍ ବେଶୀ ହେଲେ ଯୋଗ କରିବା ଦ୍ୱାରା ଆପଣଙ୍କ ଶରୀର ସେହି ଅନୁସାରେ ଖାଦ୍ୟ ଚାହିଁଥାଏ। ଆପଣଙ୍କୁ ଫଳ, ପନିପରିବା ଆଦି ଅଧିକ ପରିମାଣରେ ନେବା ଉଚିତ୍ ଯାହା ଯୋଗ ପାଇଁ ଅତ୍ୟନ୍ତ ଅନୁକୁଳ ଖାଦ୍ୟ।

ବର୍ତ୍ତମାନ ବଜାରରେ ଅନେକ ଅର୍ଗାନିକ୍ ବା ଜୈବିକ ଖାଦ୍ୟ ସଂସ୍ଥା ଓ ସପ୍ଲିମେଣ୍ଟ ବନାଉଥିବା ସଂସ୍ଥା ମୁଣ୍ଡ ଟେକିଲାଣି ଯାହା ଆପଣଙ୍କୁ ଯୋଗ ଅନୁକୁଳ ସପ୍ଲିମେଣ୍ଟ ଦେଉଥିବାର ଦାବି କରେ। ହେଲେ ଏସବୁ ନେବା ଆଗରୁ ଏହାର ଗୁଣବତ୍ତା ପରିକ୍ଷଣ କରିବା ଆବଶ୍ୟକ। ପାଶ୍ଚାତ୍ୟ ଦେଶମାନଙ୍କରେ ଯୋଗ ଏକ ଫ୍ୟାସନ୍‌ରେ ପରିଣତ ହୋଇଥିବା ବେଳେ ଆମ ଭାରତରେ ଉପଯୁକ୍ତ ସଚେତନତା ଅଭାବରୁ ସାଧାରଣ ଲୋକଟିଏ ଯୋଗର ଉପକାରିତା ଜାଣିବାରେ ଅସୁବିଧା ହେଉଛି। ଯୋଗ ଶିଖାଉଥିବା ପ୍ରତିଟି ଅନୁଷ୍ଠାନ ଉପଯୁକ୍ତ ଡାଏଟ୍ ବିଷୟରେ ମଧ୍ୟ ସମ୍ୟକ୍ ଧାରଣା ରଖିବା ଉଚିତ୍ ଯାହା ଦ୍ୱାରା ଯୋଗର ପ୍ରଭାବ ତୁରନ୍ତ ଅନୁଭବ ହେବ। ଯୋଗ କେବଳ ଏକ ଆଧ୍ୟାତ୍ମିକ ପ୍ରକ୍ରିୟା ନ ହେଇ ଏକ ସୁସ୍ଥ ଜୀବନ ଗଠନର ଏକ ଅଂଶ ହେବା ଆବଶ୍ୟକ।

ଆମର ଶରୀରର ସମସ୍ତ ଚକ୍ରର ଜାଗରଣ ଏହି ଯୋଗ ଦ୍ୱାରା ହୋଇଥାଏ। ଆମର ପ୍ରାଣ ବା ଶ୍ୱାସର ଗତିବିଧିକୁ ନିୟନ୍ତ୍ରିତ କରି ବିଭିନ୍ନ ଆସନ କରିବା ଯୋଗର ମୁଖ୍ୟ ଅଂଶ। ଏଣୁ ସର୍ବଦା ଯୋଗ କରିବା ପରେ ମିଠା ପାନୀୟ, ଉଚ୍ଚ କ୍ୟାଲୋରୀ ଯୁକ୍ତ ଖାଦ୍ୟରୁ ଦୂରେଇ ରୁହନ୍ତୁ। ଏହା ଆମକୁ ସର୍ବଦା ଫ୍ରେସ୍ ଅନୁଭବ କରାଇବ। ଅନ୍ୟସମସ୍ତ ନିୟମ ମାନିବା ସହିତ ଖାଦ୍ୟ ସେବନର ଏହି ଜରୁରୀ କଥା ମନେରଖି ଯୋଗ କଲେ ଶରୀରକୁ ଅତ୍ୟନ୍ତ ଲାଭ ମିଳିବ।

Yogasana Health Benefits Of Yoga Dietary Supplements
Advertisment
Advertisment