ଇତିହାସ ସୃଷ୍ଟି କଲା ଉତ୍ତରାଖଣ୍ଡ । ଦେଶର ପ୍ରଥମ ରାଜ୍ୟ ଭାବେ ଲାଗୁ କଲା ୟୁନିଫର୍ମ ସିଭିଲ୍ କୋଡ୍ । ପ୍ରଧାନମନ୍ତ୍ରୀଙ୍କ ଗସ୍ତର ଅବ୍ୟବହିତ ପୂର୍ବରୁ UCC (Uniform Civil Code ) ପୋର୍ଟାଲର ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି । UCC ଉତ୍ତରାଖଣ୍ଡ ରାଜ୍ୟ ପାଇଁ ଲାଗୁ ହୋଇଛି । ଏଥି ସହିତ ରାଜ୍ୟ ବାହାରେ ରହୁଥିବା ଉତ୍ତରାଖଣ୍ଡର ବାସିନ୍ଦାଙ୍କ ପାଇଁ ମଧ୍ୟ ଏହା ଲାଗୁ ହେବେ । ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି କହିଛନ୍ତି, UCC ସଦଭାବନାପୂର୍ଣ୍ଣ ସମାଜର ମୂଳଦୁଆ ପକାଇବ । ଧର୍ମ, ଜାତି, ଲିଙ୍ଗ ଓ ସଂପ୍ରଦାୟକୁ ନେଇ ଭେଦଭାବ ରହିବ ନାହିଁ । ଉତ୍ତରାଖଣ୍ଡରେ ଏହା ଲାଗୁ ହେବ ବୋଲି ଗତ ମାସରେ ଘୋଷଣା କରିଥିଲେ ଧାମି । ଏ ନେଇ ପ୍ରସ୍ତୁତି ସରିଛି ଓ ଲାଗୁ କରିବା ପାଇଁ ଯାହା ଯାହା ଦରକାର, ତା ଉପରେ କାମ ହେଉଛି ବୋଲି ସେ କହିଥିଲେ ।
କ'ଣ ବ୍ୟବସ୍ଥା ରହିଛି UCCରେ
ସମ୍ପତ୍ତିରେ ପୁଅ ଝିଅଙ୍କ ସମାନ ଅଧିକାର: ଯିଏ ଯେକୌଣସି ବର୍ଗର ହୋଇଥାଆନ୍ତୁ ନା କାହିଁକି, ୟୁନିଫର୍ମ ସିଭିଲ୍ କୋଡରେ ସମ୍ପତ୍ତି ଉପରେ ଉଭୟ ପୁଅ ଓ ଝିଅଙ୍କର ସମାନ ଅଧିକାର ରହିବ ।
ବିବାହ ବ୍ୟବସ୍ଥା: ଏକାଧିକ ବିବାହ ଉପରେ କଟକଣା । ଏହି ଆଇନରେ ଜଣେ ଜଣକୁ ବିବାହ କରିବାର ବ୍ୟବସ୍ଥା ରହିଛି । ମାନସିକ ଭାବେ ସୁସ୍ଥ ଥିବା 21 ବର୍ଷର ଯୁବକ ଓ 18 ବର୍ଷର ଯୁବତୀ ବିବାହ ବନ୍ଧନରେ ବାନ୍ଧି ହୋଇପାରିବେ । ନିଜର ଧାର୍ମିକ ପରମ୍ପରାରେ ବିବାହ ହୋଇପାରେ, କିନ୍ତୁ ବିବାହ ପାଇଁ ପଞ୍ଜୀକରଣ ବାଧ୍ୟତାମୂଳକ ।
ଅବୈଧ ଓ ବୈଧ ସନ୍ତାନ ଦ୍ୱନ୍ଦ୍ୱ ଦୂର : ବୈଧ ଓ ଅବୈଧ ସନ୍ତାନଙ୍କ ମଧ୍ୟରେ ପାର୍ଥକ୍ୟ ରହିବନି । ସମ୍ପତ୍ତିରେ ସମାନ ଅଧିକାର ରହିବ । ସବୁ ସନ୍ତାନଙ୍କୁ ଜନ୍ମିତ ସନ୍ତାନଭାବେ ବିବେଚନା କରାଯିବ ।
ପୋଷ୍ୟ ସନ୍ତାନ ଓ ଜନ୍ମିତ ସନ୍ତାନ : ପୋଷ୍ୟ ଭାବେ ଗ୍ରହଣ କରାଯାଇଥିବା ସନ୍ତାନ, ସରୋଗେସୀ ମାଧ୍ୟମରେ ଜନ୍ମିତ ସନ୍ତାନ କିମ୍ୱା ବୈଷୟିକ ପଦ୍ଧିତିରେ ଗର୍ଭଧାରଣ ଦ୍ୱାରା ଜନ୍ମିତ ସନ୍ତାନଙ୍କୁ ସମାନ ଦୃଷ୍ଟିରେ ଦେଖାଯିବ ।
ମୃତ୍ୟୁ ପରେ ସମାନ ସମ୍ପତ୍ତି ଅଧିକାର : ଜଣଙ୍କ ମୃତ୍ୟୁ ପରେ ସ୍ୱାମୀ ବା ପତ୍ନୀ ଓ ପିଲାଛୁଆଙ୍କୁ ସମ୍ପତ୍ତି ଉପରେ ସମାନ ଅଧିକାର ମିଳିବ । ଏପରିକି ମୃତକଙ୍କ ବାପାମାଆଙ୍କୁ ମଧ୍ୟ ସମାନ ଅଧିକାର ମିଳିବ ।
ଅଧିକ ପଢ଼ନ୍ତୁ : ଅରବିନ୍ଦ କେଜ୍ରିୱାଲଙ୍କୁ କାହିଁକି ମିଛୁଆ କହିଲେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ
ଗତ ବର୍ଷ ଫେବ୍ରୁଆରୀ ମାସରେ ଉତ୍ତରାଖଣ୍ଡ ବିଧାନସଭାରେ ଏହି ଏକକ ନାଗରିକ ସଂହିତା ବିଲ୍ ଗୃହୀତ ହୋଇଥିଲା । ଗତ ବର୍ଷ ମାର୍ଚ୍ଚ ମାସରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହାକୁ ସ୍ୱୀକୃତି ପ୍ରଦାନ କରିଥିଲେ ।
ଏହି ନୂତନ ଆଇନ ଲାଗୁ ହେବା ଫଳରେ ବିବାହ, ବିଚ୍ଛେଦ, ଉତ୍ତରାଧିକାରୀ ଓ ଲିଭ୍-ଇନ୍ ରିଲେସନସିପକୁ ନେଇ ଥିବା ପୁରୁଣା ଆଇନ ଆପେ ଆପେ ଅକାମୀ ହୋଇଯାଇଛି ।
2022 ବିଧାନସଭା ନିର୍ବାଚନ ସମୟରେ ୟୁନିଫର୍ମ ସିଭିଲ୍ କୋଡ୍ ବା ଏକକ ନାଗରିକ ସଂହିତା ରାଜ୍ୟରେ ଲାଗୁ କରିବା ପାଇଁ ବିଜେପି ପ୍ରତିଶ୍ରୁତି ଦେଇଥିଲା । ସରକାର ଗଠନ ପରେ ଏହା ଲାଗୁ କରାଯିବା ଉପରେ ପ୍ରାଥମିକତା ଦିଆଯାଇଥିଲା । ଆମେ ଲୋକଙ୍କୁ ଦେଇଥିବା ଆମର ପ୍ରତିଶ୍ରୁତି ପୂରଣ କରୁଛୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଧର୍ମନିରପେକ୍ଷ ନାଗରିକ ସଂହିତା ଲାଗୁ କରାଯିବା ଦିଗରେ ସରକାର କାମ କରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକସଭାରେ କହିଥିଲେ ।