• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ପୁଣି ଥରେ ଚର୍ଚ୍ଚାରେ ୟୁନିଫର୍ମ ସିଭିଲ କୋଡ୍ । ସମାନ ନାଗରିକ ସଂହିତା ନେଇ ଜନସାଧାରଣ ଓ ଧାର୍ମିକ ସଂଗଠନର ମତାମତ ଲୋଡ଼ିଛନ୍ତି ଲ’ କମିଶନ୍ । ଏହାପରେ ୟୁନିଫର୍ମ ସିଭିଲ କୋଡ୍‌କୁ ନେଇ ଆରମ୍ଭ ହୋଇଗଲାଣି ଧର୍ମଗତ ତର୍କ ବିତର୍କ । ହେଲେ ସାମାଜିକ କର୍ମୀଙ୍କ ମତ, ସମାଜରେ କ୍ରାନ୍ତିକାରୀ ପରିବର୍ତ୍ତନ ଆଣିବ ପ୍ରସ୍ତାବିତ ସମାନ ନାଗରିକ ସଂହିତା ।

ଦେଶରେ ପ୍ରଚଳନ ହେବ କି ସମାନ ନାଗରିକ ସଂହିତା ? କାରଣ ଦୀର୍ଘ ୩ ବର୍ଷ ପରେ ପୁଣିଥରେ ୟୁନିଫର୍ମ ସିଭିଲ କୋଡ୍ ବା ୟୁସିସି ନେଇ ଜନସାଧାରଣ ଓ ମାନ୍ୟତାପ୍ରାପ୍ତ ଧାର୍ମିକ ସଂଗଠନର ମତାମତ ଲୋଡ଼ିଛନ୍ତି ଲ’ କମିଶନ୍ । ମାସକ ମଧ୍ୟରେ ମତାମତ ଦେବାକୁ ଜାରି ହୋଇଛି ପବ୍ଲିକ୍ ନୋଟିସ୍ । ଏବେ ପ୍ରଶ୍ନ କ’ଣ ଏହି ୟୁନିଫର୍ମ ସିଭିଲ କୋଡ୍ ? କାହିଁକି ଏହାର ଆବଶ୍ୟକତା ରହିଛି ?

ଆଇନ ବିଶାରଦଙ୍କ ମତରେ, ଏବେ ବିବାହ, ଛାଡ଼ପତ୍ର, ପୋଷ୍ୟ ଗ୍ରହଣ, ଉତ୍ତରାଧିକାରୀ ଭଳି ବ୍ୟକ୍ତିଗତ ପ୍ରସଙ୍ଗ ନେଇ ଥିବା ଆଇନଗୁଡ଼ିକ ଧର୍ମ ଆଧାରରେ ପରିଚାଳିତ ହେଉଛି । କିନ୍ତୁ ଭାରତ ଭଳି ଏକ ଧର୍ମନିରପେକ୍ଷ ରାଷ୍ଟ୍ରରେ ଏସବୁ ବ୍ୟକ୍ତିଗତ ଆଇନ ସମାନ ରହିବା ଉଚିତ । ସେଥିପାଇଁ କେନ୍ଦ୍ର ସରକାର ୟୁନିଫର୍ମ ସିଭିଲ କୋଡ୍ ଆଣିବାକୁ ଲକ୍ଷ୍ୟ ରଖିଛନ୍ତି । ଦେଶର ଏକତାକୁ ଅକ୍ଷୁର୍ଣ୍ଣ ରଖିବା ଉଦ୍ଦେଶ୍ୟରେ ବିଭିନ୍ନ ଧର୍ମର ବ୍ୟକ୍ତିଗତ ଆଇନ ବଦଳରେ ଏକ ସମାନ କୋଡ୍ ଆସିବାର ଆବଶ୍ୟକତା ରହିଛି ବୋଲି ୮ ମାସ ତଳେ ସୁପ୍ରିମକୋର୍ଟଙ୍କୁ ଜଣାଇଥିଲେ କେନ୍ଦ୍ର ସରକାର ।

ଏପଟେ ୟୁନିଫର୍ମ ସିଭିଲ କୋଡ୍‌କୁ ନେଇ ଆରମ୍ଭ ହୋଇଯାଇଛି ଧର୍ମଭିତ୍ତିକ ଲଢ଼େଇ । ଓଡ଼ିଶା ମୁସଲିମ୍ ଉନ୍ନୟନ ପରିଷଦ କହିଛି, ବିଭିନ୍ନ ଧର୍ମରେ ବିବାହ, ଛାଡ଼ପତ୍ର, ଉତ୍ତରାଧିକାରୀ ଭଳି ପ୍ରସଙ୍ଗ ପାଇଁ ଭିନ୍ନ ଭିନ୍ନ ରୀତିନୀତି ଓ ବ୍ୟବସ୍ଥା ରହିଛି । ଏହାକୁ କିଭଳି ଗୋଟିଏ ପ୍ରକାର କରାଯାଇପାରିବ ? ସରକାର ବ୍ୟକ୍ତିଗତ ଆଇନଠାରୁ ଦୂରରେ ରହିବା ଦରକାର । ସେପଟେ ବିଶ୍ୱ ହିନ୍ଦୁ ପରିଷଦର କହିବା କଥା, ବହୁ ପୂର୍ବରୁ ୟୁସିସି ଲାଗୁ ହେବାର ଆବଶ୍ୟକତା ଥିଲା । ଏହାଫଳରେ ସବୁ ଭାରତୀୟଙ୍କ ପାଇଁ ସମାନ ଆଇନ ରହିବ । 

ସାମାଜିକ କର୍ମୀଙ୍କ ମତରେ, ଧର୍ମ ଆଧାରରେ ବିବାହ, ଛାଡ଼ପତ୍ର, ଉତ୍ତରାଧିକାରୀ ଭଳି ପ୍ରସଙ୍ଗରେ ଅଲଗା ଅଲଗା ଆଇନ ଥିବାରୁ ଅନେକ ସମସ୍ୟା ସୃଷ୍ଟି ହେଉଛି । ମହିଳାମାନେ ଅତ୍ୟାଚାରିତ ହେଉଛନ୍ତି । ମହିଳା ଚାଲାଣ, ବେଶ୍ୟାବୃତ୍ତି, ପରକୀୟା ପ୍ରୀତି ଭଳି ଅପରାଧ ବଢ଼ୁଛି । ୟୁନିଫର୍ମ ସିଭିଲ୍ କୋଡ୍ ଆସିବା ଦ୍ୱାରା ସମସ୍ତ ବିବାହ ପଞ୍ଜୀକୃତ ହେବ। ସବୁ ବ୍ୟକ୍ତିଗତ ପ୍ରସଙ୍ଗ ଏକ ଉଚିତ୍ ବ୍ୟବସ୍ଥା ମଧ୍ୟରେ ଯିବ । ସରକାରକୁ ଆସିଲେ ୟୁନିଫର୍ମ ସିଭିଲ କୋଡ୍ ଅଣାଯିବ ବୋଲି ନିଜ ନିର୍ବାଚନୀ ଇସ୍ତାହାରରେ ଘୋଷଣା କରିଥିଲା ବିଜେପି । ଆଗକୁ ୨୦୨୪ ସାଧାରଣ ନିର୍ବାଚନ। ତେଣୁ ଏହାକୁ ବିରୋଧୀ ମୁଖ୍ୟ ମୁଦ୍ଦା କରିପାରନ୍ତି ।

  • Reported by:
  • GAUTAM PANDA , RAMAKANTA NAYAK , BIRAJA DAS , KAPILENDRA PRADHAN