/odishatv-khabar/media/post_attachments/uploadimage/library/16_9/16_9_0/Traffic_1754213420.jpg)
Traffic
ଅହମ୍ମଦାବାଦରେ ମହିଳାମାନଙ୍କୁ ଦୁଷ୍କର୍ମରୁ ବଞ୍ଚିବା ପାଇଁ ଘରେ ରହିବାକୁ ଅନୁରୋଧ କରାଯାଇଛି। ଅହମ୍ମଦାବାଦ ଟ୍ରାଫିକ୍ ପୋଲିସ ଦ୍ୱାରା ପୋଷ୍ଟର ମାଧ୍ୟମରେ କରାଯାଇଛି। ମହିଳାମାନଙ୍କ ସୁରକ୍ଷା ପାଇଁ ଏଭଳି ଅଭିଯାନକୁ ନେଇ ବିବାଦ ସୃଷ୍ଟି ହୋଇଛି।
ସହରର କେତେକ ଅଞ୍ଚଳରେ ଲଗାଯାଇଥିବା ଏହି ପୋଷ୍ଟରଗୁଡ଼ିକର ବିରୋଧୀ ଦଳ ସମାଲୋଚନା କରିଛି। ଏହି ପୋଷ୍ଟରଗୁଡ଼ିକ ସହରର କେତେକ ଅଞ୍ଚଳରେ ଲଗାଯାଇଥିଲା। ଯେଉଁଥିରେ ଲେଖାଯାଇଥିଲା, ‘ରାତିରେ ପାର୍ଟିକୁ ଯାଅନ୍ତୁ ନାହିଁ, ଆପଣଙ୍କ ସହ ଦୁଷ୍କର୍ମ କିମ୍ବା ଗଣ ଦୁଷ୍କର୍ମ ହୋଇପାରେ। ଆପଣଙ୍କ ବନ୍ଧୁଙ୍କ ସହ ଅନ୍ଧାର ଓ ନିର୍ଜନ ଅଞ୍ଚଳକୁ ଯାଅନ୍ତୁ ନାହିଁ, ଯଦି ତାଙ୍କ ସହ ଦୁଷ୍କର୍ମ କିମ୍ବା ଗଣ ଦୁଷ୍କର୍ମ ହୁଏ ତେବେ?’ ବୋଲି ଏହିପରି କିଛି ପୋଷ୍ଟରରେ ଲେଖା ଯାଇଥିଲା।
ଏହି ପୋଷ୍ଟରଗୁଡ଼ିକ ସୋଲା ଓ ଚାନ୍ଦଲୋଡ଼ିଆ ଅଞ୍ଚଳରେ ରାସ୍ତା ଡିଭାଇଡରରେ ଲଗାଯାଇଥିଲା, ଯାହାକୁ ଏବେ ହଟାଇ ଦିଆଯାଇଛି। ପୋଲିସ ଡେପୁଟି କମିଶନର (ପଶ୍ଚିମ ଟ୍ରାଫିକ୍) ନୀତା ଦେସାଇ ସ୍ପଷ୍ଟ କରିଛନ୍ତି ଯେ ଟ୍ରାଫିକ୍ ପୋଲିସ କେବଳ ରାସ୍ତା ସୁରକ୍ଷା ସହ ଜଡ଼ିତ ପୋଷ୍ଟରଗୁଡ଼ିକୁ ପ୍ରାୟୋଜିତ କରିଥିଲା, ମହିଳାମାନଙ୍କ ସୁରକ୍ଷା ସହ ଜଡ଼ିତ ପୋଷ୍ଟରଗୁଡ଼ିକୁ ନୁହେଁ।
ସେ ଦାବି କରିଛନ୍ତି ଯେ ‘ସତର୍କତା ଗ୍ରୁପ’ ନାମକ ଏକ ଏନଜିଓ ଟ୍ରାଫିକ୍ ପୋଲିସର ଅନୁମତି ବିନା ବିବାଦୀୟ ପୋଷ୍ଟର ତିଆରି କରି ଲଗାଇଥିଲା। ଦେସାଇ କହିଛନ୍ତି, ‘ଏନଜିଓ ଆମ ସହ ଯୋଗାଯୋଗ କରି କହିଥିଲେ ଯେ ସେମାନେ ସ୍କୁଲ ଓ କଲେଜଗୁଡ଼ିକରେ ଟ୍ରାଫିକ୍ ଜାଗରଣ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଚାହୁଁଛନ୍ତି ଏବଂ ଏଥିପାଇଁ ସେମାନେ ଆମ କର୍ମଚାରୀଙ୍କ ସହାୟତା ଚାହୁଁଛନ୍ତି। ସେମାନେ ଆମକୁ କେବଳ ଟ୍ରାଫିକ୍ ଜାଗରଣ ସହ ଜଡ଼ିତ ପୋଷ୍ଟର ଦେଖାଇଥିଲେ, ଏହି ବିବାଦୀୟ ପୋଷ୍ଟର ନୁହେଁ। ଏହା ଆମ ଅଜାଣତରେ ଲଗାଯାଇଥିଲା। ତେଣୁ ଆମେ ଜାଣିବା ମାତ୍ରେ ଏହାକୁ ତୁରନ୍ତ ହଟାଇ ଦେଇଥିଲୁ।’
ଏହି ମାମଲାକୁ ନେଇ ଆମ୍ ଆଦମୀ ପାର୍ଟି (ଆପ୍) ଭାରତୀୟ ଜନତା ପାର୍ଟି ସରକାରଙ୍କ ଉପରେ ନିଶାନା କରିଛି। ଆପ୍ ରାଜ୍ୟରେ ମହିଳାମାନଙ୍କ ସୁରକ୍ଷା ଉପରେ ପ୍ରଶ୍ନ ଉଠାଇଛି। ଆପ୍ ଏକ ବୟାନରେ କହିଛି, ‘ଗୁଜରାଟରେ ମହିଳା ସଶକ୍ତିକରଣର କଥା କହୁଥିବା ବିଜେପି ସରକାରଙ୍କ ବାସ୍ତବତା ଅଲଗା। ଗତ ତିନି ବର୍ଷରେ ରାଜ୍ୟରେ ୬,୫୦୦ରୁ ଅଧିକ ଦୁଷ୍କର୍ମ ଓ ୩୬ରୁ ଅଧିକ ଗଣ ଦୁଷ୍କର୍ମ ମାମଲା ପଞ୍ଜୀକୃତ ହୋଇଛି। ହାରାହାରି ପ୍ରତିଦିନ ପାଞ୍ଚରୁ ଅଧିକ ଦୁଷ୍କର୍ମ ହେଉଛି।’
ଆପ୍ ବୟାନରେ ଆହୁରି କହିଛି, ‘ମୁଖ୍ୟମନ୍ତ୍ରୀ ଓ ବିଜେପି ନେତାମାନେ ମହିଳା ସୁରକ୍ଷା ବିଷୟରେ କହୁଛନ୍ତି, କିନ୍ତୁ ଅହମଦାବାଦ ଭଳି ବଡ଼ ସହରରେ ଏଭଳି ପୋଷ୍ଟର ଗୁଜରାଟର ସତ୍ୟତାକୁ ବୟାନ କରୁଛି।’
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)