Advertisment

RG Kar verdict: କୋଲକାତା କାଣ୍ଡ: ଦୋଷୀ ସଞ୍ଜୟ ରାୟ ବିରୋଧରେ ରାୟ, ମଲା ଯାଏଁ ସଜା କାଟିବ ଜେଲରେ

ସାରା ଦେଶର ମୁଣ୍ଡ ତଳକୁ ନୁଆଁଇ ଦେଇଥିବା, ଲଜ୍ଜିତ କରିଥିବା କୋଲକାତା RG କର ମେଡିକାଲ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଆସିଛି କୋର୍ଟଙ୍କ ରାୟ। ୫୭ ଦିନର ବିଚାର ପରେ ସଜା ଶୁଣାଇଛନ୍ତି ଅଦାଲତ ।

author-image
Santosh Kumar Sahoo
ସଞ୍ଜୟକୁ ମଲା ଯାଏଁ ଜେଲ୍‌

ସଞ୍ଜୟକୁ ମଲା ଯାଏଁ ଜେଲ୍‌

ଫାଶି ନୁହେଁ, ଆଜୀବନ ଜେଲରେ ରହିବ ସଂଜୟ । ମୃତ୍ୟୁ ଯାଏଁ ଜେଲରେ ସଜା କାଟିବ। ବହୁ ଚର୍ଚ୍ଚିତ କୋଲକାତା ଅଭୟା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଆଜି ଦଣ୍ଡାଦେଶ ଶୁଣାଇଛନ୍ତି ସିଆଲଦା କୋର୍ଟ । ବିଚାରପତି କହିଛନ୍ତି, ଏହା ବିରଳରୁ ବିରଳତମ ଘଟଣା ନୁହେଁ, ତେଣୁ ଦୋଷୀକୁ ଫାଶି ଦିଆଯାଇପାରିବ ନାହିଁ। ଏଥିସହିତ ପୀଡିତାଙ୍କ ପରିବାରକୁ ୧୭ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ କୋର୍ଟ ପଶ୍ଚିମବଙ୍ଗ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ କୋର୍ଟଙ୍କ ରାୟରେ ଅସନ୍ତୋଷ ପ୍ରକାଶ କରିବା ସହ ନ୍ୟାୟ ଦାବି କରିଛନ୍ତି ପୀଡ଼ିତାଙ୍କ ପରିବାର। ସେପଟେ ରାୟକୁ ନେଇ ରାଜନୀତି ବି ତେଜିଛି ।

Advertisment

ସାରା ଦେଶର ମୁଣ୍ଡ ତଳକୁ ନୁଆଁଇ ଦେଇଥିବା, ଲଜ୍ଜିତ କରିଥିବା କୋଲକାତା RG କର ମେଡିକାଲ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଆସିଛି କୋର୍ଟଙ୍କ ରାୟ। ୫୭ ଦିନର ବିଚାର ପରେ ସଜା ଶୁଣାଇଛନ୍ତି ଅଦାଲତ । ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟକୁ ହୋଇଛି ଆଜୀବନ ଜେଲ୍ ଦଣ୍ଡାଦେଶ। ଭାରତୀୟ ନ୍ୟାୟ ସଂହିତା BNS ଧାରା ୬୪( ଦୁଷ୍କର୍ମ), ଧାରା ୬୬ (କଜିଂ ଡେଥ୍ ଅର୍ଥାତ ମୃତ୍ୟୁ ହେବାର କାରଣ) ଏବଂ ଧାରା ୧୦୩-ହତ୍ୟା ଆଧାରରେ ଦୋଷୀ ସାବ୍ୟସ୍ତ ହୋଇଥିବା ସଂଜୟ ମୃତ୍ୟୁ ଯାଏ ଜେଲରେ ରହିବ । ୫୦ ହଜାର ଟଙ୍କା ଜରିମାନା ସହ ପୀଡ଼ିତାଙ୍କ ପରିବାରକୁ ୧୭ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ସିଆଲଦା କୋର୍ଟ ପଶ୍ଚିମବଙ୍ଗ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଅଧିକ ପଢ଼ନ୍ତୁ: ପ୍ରେମିକକୁ ବିଷ ଦେଇ ହତ୍ୟା, ପ୍ରେମିକାକୁ ଫଶୀ ଦଣ୍ଡ ଶୁଣାଇଲେ କୋର୍ଟ

ସେପଟେ ଆଜି ଦଣ୍ଡାଦେଶ ବେଳେ ଅଭିଯୁକ୍ତ ସଞ୍ଜୟ କହିଥିଲା, ମୁଁ ନିର୍ଦ୍ଦୋଷ । ମୁଁ କିଛି କରିନାହିଁ, ନା ଦୁଷ୍କର୍ମ ନା କୌଣସି ହତ୍ୟା । ମୋତେ ଫସାଯାଇଛି । ସେମାନେ ଚାହୁଁଥିବା ମୁତାବକ ମୋଠାରୁ ଜୋର ଜବରଦସ୍ତ ସାଇନ୍ କରି ନିଆଯାଇଛି । ତେବେ ସିବିଆଇ ଓକିଲ କହିଥିଲେ, ଜଣେ ଡାକ୍ତରଙ୍କୁ ଦୁଷ୍କର୍ମ କରି ନୃଶଂସ ଭାବେ ହତ୍ୟା କରାଯାଇଛି । ଏହା ଏକ ବିରଳରୁ ବିରଳତମ ଘଟଣା । ଭାରତୀୟ ନ୍ୟାୟିକ ବ୍ୟବସ୍ଥା ଉପରେ ଲୋକଙ୍କ ବିଶ୍ବାସ ରଖିବାକୁ ହେଲେ ଦୋଷୀକୁ କଠୋରରୁ କଠୋର ଦଣ୍ଡ ଦେବା ଆବଶ୍ୟକ । ଜବାବରେ ସଂଜୟର ଓକିଲ କହିଥିଲେ, ସଂଜୟ ବିରୋଧରେ ପର୍ଯ୍ୟାପ୍ତ ପ୍ରମାଣ ନାହିଁ । ଫାଶି ଦେଇ ଜୀବନ ନେବା ବଦଳରେ ତାକୁ ସୁଧୁରିବାକୁ ସୁଯୋଗ ଦିଆଯିବା ଉଚିତ । ଉଭୟ ପକ୍ଷର ଜବାବ ସୁଆଲ ଶୁଣି ବିଚାରପତି ଅନିର୍ବାଣ ଦାସ କହିଥିଲେ, ଏହା ବିରଳରୁ ବିରଳତମ ମାମଲା ନୁହେଁ । ଏହି ମାମଲା ଜଘନ୍ୟ ଅପରାଧ ଶ୍ରେଣୀରେ ଯାଉନି । ତେଣୁ ଦୋଷୀକୁ ମୃତ୍ୟୁ ଦଣ୍ଡ ଦେବାର ଆବଶ୍ୟକତା ନାହିଁ । ଅନ୍ୟ ପକ୍ଷରେ ଅଭୟାଙ୍କ ପରିବାର କହିଛନ୍ତି, କ୍ଷତିପୂରଣ ନୁହେଁ, ଆମକୁ ନ୍ୟାୟ ଦରକାର । ନ୍ୟାୟ ମିଳିବା ଯାଏ ଲଢ଼େଇ ଜାରି ରହିବ କହିଛନ୍ତି ଅଭୟାଙ୍କ ବାପା । ଏହାରି ଭିତରେ ସିଆଲଦା କୋର୍ଟ ବାହାରେ ଧାରଣା ଦେଇଥିଲେ ଶତାଧିକ ଜୁନିୟର ଡାକ୍ତର । ଅଭିଯୁକ୍ତ ସଂଜୟକୁ କଠୋର ତଥା ଦୃଷ୍ଟାନ୍ତମୂଳକ ଶାସ୍ତି ଦେବାକୁ ଦାବି କରିଥିଲେ ।

Advertisment

ଅଭୟା କାଣ୍ଡକୁ ନେଇ ତେଜିଥିବା ରାଜନୀତି ମାମଲାର ଶୁଣାଣି ପରେ ଆହୁରି ସରଗରମ ହୋଇଛି । କୋର୍ଟଙ୍କ ରାୟକୁ ନେଇ ସନ୍ତୁଷ୍ଟ ନଥିବା କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । କେନ୍ଦ୍ର ଉପରେ ଦୋଷ ଲଦି ଦିଦି କହିଛନ୍ତି, ଆମେ ତଦନ୍ତ କରିଥିଲେ ଫାଶି ଦେଇ ସାରିଥାନ୍ତୁ । ଜାଣିଶୁଣି ଆମ ହାତରୁ କେସ୍ ଛଡ଼ାଇ ନେଇଥିଲେ । ସେପଟେ ପଶ୍ଚିମବଙ୍ଗ ବିଜେପି ବି କହିଛି, ସଂଜୟକୁ ଆଜୀବନ ନୁହେଁ, ଫାଶି ଦିଆଯାଇଥିଲେ ଉଚିତ ହୋଇଥାନ୍ତା ।

୯ ଅଗଷ୍ଟ ୨୦୨୪ । RG କର ମେଡିକାଲ କଲେଜର ଜୁନିଅର ଡାକ୍ତରଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଥିଲା । ଏହାର ୨୪ ଘଣ୍ଟା ଭିତରେ ଗିରଫ ହୋଇଥିଲା ସଂଜୟ ରାୟ । ୧୩ ଅଗଷ୍ଟ । ପଶ୍ଚିମବଙ୍ଗ ପୋଲିସର ତଦନ୍ତକୁ ନେଇ ଅସନ୍ତୋଷ ପରେ ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ କୋଲକାତା ହାଇକୋର୍ଟ । ୨୦ ଅଗଷ୍ଟ । ସୁପ୍ରିମକୋର୍ଟରେ ଆରମ୍ଭ ହୋଇଥିଲା ଅଭୟା ମାମଲାର ଶୁଣାଣି । ୪ ନଭେମ୍ବରରେ ଅଭିଯୁକ୍ତ ବିରୋଧରେ ଚାର୍ଜଫ୍ରେମ୍ ପ୍ରସ୍ତୁତ ହେବା ସହ ୧୧ ନଭେମ୍ବରରେ ସିବିଆଇ ସ୍ପେଶାଲ କୋର୍ଟରେ ମାମଲାର ଶୁଣାଣି ଆରମ୍ଭ ହୋଇଥିଲା । ୧୮ ଜାନୁଆରୀରେ କୋର୍ଟରେ ଶୁଣାଣି ଶେଷ ହେବା ସହ ଦୋଷୀ ସାବ୍ୟସ୍ତ ହୋଇଥିଲା ସଂଜୟ ରାୟ। ଆଜି ସଂଜୟକୁ କୋର୍ଟ ଆଜୀବନ ସଜା ଶୁଣାଇଥିବା ବେଳେ ଆହୁରି କଠୋର ଦଣ୍ଡ ଦେବାକୁ ଉଠିଛି ଦାବି।

ଅଧିକ ପଢ଼ନ୍ତୁ: ସଞ୍ଜୟ ରାୟ ଦଣ୍ଡାଦେଶ: ଆମଠୁ କେସ ଛଡାଇନେଲେ, ନହେଲେ ମୃତ୍ୟୁଦଣ୍ଡ ମିଳିଥାନ୍ତା

Mamata Banerjee Kolkata
Advertisment
Advertisment