Advertisment

Modi Talked to Injureds: ଭୟଙ୍କର ପ୍ଲେନ୍ ଟ୍ରାଜେଡି, ଆହତଙ୍କ ସ୍ବାସ୍ଥ୍ୟବସ୍ଥା ବୁଝିଲେ ପିଏମ୍ ମୋଦି

ଭାରତରେ ଭୟାନକ ବିମାନ ଦୁର୍ଘଟଣା ଇତିହାସରେ ଆଉ ଏକ କଳା ଫର୍ଦ୍ଦ ଯୋଡ଼ିଥିବା ଅହମ୍ମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାକୁ ବିତିଛି ପ୍ରାୟ ୩୦ ଘଣ୍ଟା। ଏ ଭୟଙ୍କର ଦୁର୍ଘଟଣାରେ ଏବେ ସୁଦ୍ଧା ୨୬୫ ଜଣଙ୍କ ମୃତ୍ୟୁ ହୋଇଥିବା କଥା ସାମ୍ନାକୁ ଆସୁଛି। ଆଜି କ୍ରାସ ସ୍ପଟକୁ ଯାଇ ଦୁର୍ଘଟଣା ପରର ଛାତିଥରା ଦୃଶ୍ୟକୁ ଦେଖିବା ପରେ ଭାବବିହ୍ବଳ ହୋଇ ପଡ଼ିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

author-image
Saroj Kumar Jena
modi

modi

ଭାରତରେ ଭୟାନକ ବିମାନ ଦୁର୍ଘଟଣା ଇତିହାସରେ ଆଉ ଏକ କଳା ଫର୍ଦ୍ଦ ଯୋଡ଼ିଥିବା ଅହମ୍ମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାକୁ ବିତିଛି ପ୍ରାୟ ୩୦ ଘଣ୍ଟା। ଏ ଭୟଙ୍କର ଦୁର୍ଘଟଣାରେ ଏବେ ସୁଦ୍ଧା ୨୬୫ ଜଣଙ୍କ ମୃତ୍ୟୁ ହୋଇଥିବା କଥା ସାମ୍ନାକୁ ଆସୁଛି। ଆଜି କ୍ରାସ ସ୍ପଟକୁ ଯାଇ ଦୁର୍ଘଟଣା ପରର ଛାତିଥରା ଦୃଶ୍ୟକୁ ଦେଖିବା ପରେ ଭାବବିହ୍ବଳ ହୋଇ ପଡ଼ିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପରେ ମେଡିକାଲ ଯାଇ ଆହତଙ୍କ ସ୍ବାସ୍ଥ୍ୟବସ୍ଥା ବୁଝିଥିଲେ। ସେପଟେ ଦୁର୍ଘଟଣାରେ ମୃତକଙ୍କୁ ଚିହ୍ନଟ ସମ୍ଭବ ନଥିବାରୁ ସମ୍ପର୍କୀୟଙ୍କ ଡିଏନଏ ଟେଷ୍ଟ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଅନ୍ୟପଟେ ଦୁର୍ଘଟଣାସ୍ଥଳରେ କିଛି ସ୍ଥାନୀୟ ଲୋକ ନିଖୋଜ ଥିବାରୁ ମୃତ୍ୟୁସଂଖ୍ୟା ଆହରି ବଢ଼ିବା ନେଇ ଅନୁମାନ କରାଯାଉଛି।

Advertisment

ଅଧିକ ପଢ଼ନ୍ତୁ: ଲକି ନମ୍ବର ହିଁ ପାଲଟି ଗଲା ବିଜୟ ରୂପାନୀଙ୍କ ପାଇଁ ସବୁଠୁ ଅନଲକି, ଜାଣନ୍ତୁ କେମିତି...

ଅବିଶ୍ବାସନୀୟ, ଅବର୍ଣ୍ଣନୀୟ, କଳ୍ପନାତୀତ। ଅହମ୍ମଦାବାଦ ବିମାନ ଦୁର୍ଘଟଣା ପରର ଏ ବିଭତ୍ସ ଚିତ୍ର ଏମିତି ଯେ, ତାକୁ ଆଖି ଦେଖିବା ପରେ ଭାଷାରେ ବଖାଣିବା ସମ୍ଭବ ନା ଟିଭି ପରଦାରେ ଦେଖାଇବା ସହଜ। ଆଖି ପିଛୁଳାକେ ୨୬୫ରୁ ଅଧିକ ଲୋକଙ୍କ ସମାଧିସ୍ଥଳ ପାଲଟିଥିବା ଇଏ ସେହି ସ୍ଥାନ, ଗୁଜରାଟ ଅହମ୍ମଦାବାଦର ମେଘାନୀ ନଗର ଅଞ୍ଚଳ। ଗତକାଲି ଏୟାର ଇଣ୍ଡିଆର ବୋଇଂ ୭୮୭-୮ ବିମାନ ଏଇଠି କ୍ରାସ୍ ହେବା ପରେ ଆଜି ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କ୍ରାସ୍ ସ୍ପଟରେ ପହଞ୍ଚି ଦୁର୍ଘଟଣାର ଭୟବହତାକୁ ଅନୁଭବ କରିବା ପରେ ଏକପ୍ରକାର ହତବାକ ହୋଇପଡ଼ିଥିଲେ ପ୍ରଧାନମନ୍ତ୍ରୀ। ପରେ ଅହମ୍ମଦାବାଦର ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଅନ୍ତର୍ଜାତୀୟ ବିମାନ ବନ୍ଦର ଯାଇ, ସେଠାରେ ବରିଷ୍ଠ ଅଧିକାରୀଙ୍କ ସହ ସ୍ଥିତି ସମୀକ୍ଷା କରିଥିଲେ। ପରେ ପରେ ଏ ଭୟଙ୍କର ବିମାନ ଦୁର୍ଘଟଣାରୁ ଆଶ୍ଚର୍ଯ୍ୟଜନକ ଭାବେ ବର୍ତ୍ତିଯାଇଥିବା ଏକମାତ୍ର ଯାତ୍ରୀ ରମେଶ ବିଶ୍ବାସ କୁମାରଙ୍କୁ ସିଭିଲ ହସ୍ପିଟାଲରେ ଭେଟି ତାଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ। ସେହିଭଳି ଦୁର୍ଘଟଣାରେ ଅନ୍ୟ ଆହତଙ୍କୁ ଭେଟି ସେମାନଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ। ଗତକାଲିର ଏ ଭୟାନକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଗୁଜାରଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କ ଘରକୁ ଯାଇ ତାଙ୍କ ପରିବାରବର୍ଗଙ୍କୁ ସ୍ବାନ୍ତନା ଦେଇଥିଲେ ମୋଦି। ଆଜି କ୍ରାସ ସ୍ପଟ୍ ବୁଲିବା ପରେ ଏ ଛାତିଥରା ଦୁର୍ଘଟଣାକୁ ଶବ୍ଦ ଆଉ ଭାଷାରେ ବର୍ଣ୍ଣନା କରିବା ଯେ, ନିହାତି ଅସମ୍ଭବ ତାହା ନିଜ୍ ଏକ୍ସ ଆକାଉଣ୍ଟରେ ଉଲ୍ଲେଖ କରିଛନ୍ତି ପ୍ରଧାନମନ୍ତ୍ରୀ।

Advertisment

ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ଏବେସୁଦ୍ଧା ୨୬୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସେ ଭିତରୁ ବିମାନରେ ଥିବା ୨୩୦ ଯାତ୍ରୀ, ୨ ପାଇଲଟ ଆଉ ୧୦ କ୍ରିୟୁ ମେମ୍ବରଙ୍କ ମଧ୍ୟରୁ କେବଳ ଜଣେ ଯାତ୍ରୀଙ୍କୁ ବାଦ୍ ଦେଇ ଅନ୍ୟ ସମସ୍ତଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ଯେଉଁମାନଙ୍କ ମଧ୍ୟରେ ୧୬୯ ଭାରତୀୟ, ୫୩ ବ୍ରିଟିଶ୍, ୭ ପର୍ତ୍ତୁଗିଜ୍ ଓ ଜଣେ କାନାଡ଼ା ନାଗରିକ ମଧ୍ୟ ରହିଛନ୍ତି। ଅନ୍ୟପଟେ ଏ ବିଶାଳ ବୋଇଂ ବିମାନଟି ମେଘାନୀ ନଗରସ୍ଥିତ ବିଜେ ମେଡିକାଲ କଲେଜର ଏକାଧିକ ବହୁତଳ କୋଠା ଉପରେ ଖସିପଡ଼ିଥିବାରୁ ସେଠାରେ ଜଣେ ଡାକ୍ତରଙ୍କ ସହ ମେସରେ କାର୍ଯ୍ୟରତ ଅନ୍ୟ ୫ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ଆଶଙ୍କା କରାଯାଉଛି ଯେ, ଦୁର୍ଘଟଣାସ୍ଥଳର ଧ୍ବଂସସ୍ତୂପ ତଳେ ଆଉ କିଛି କେହି ଚାପି ହୋଇ ରହିଥାଇପାରନ୍ତି। କାରଣ ଏ ଦୁର୍ଘଟଣା ପରଠୁ ସ୍ଥାନୀୟ ରମଣୀ ନଗର ବସ୍ତିର କିଛି ଲୋକ ନିଖୋଜ ଥିବାରୁ, ଆଶା ଓ ଆଶଙ୍କା ଭିତରେ ଦିନ କାଟୁଛନ୍ତି ସେମାନଙ୍କ ପରିବାର ଓ ସମ୍ପର୍କୀୟ।

ଅହମ୍ମଦାବାଦ ଏୟାର କ୍ରାସରେ ସମ୍ପୂର୍ଣ୍ଣ ଅଗ୍ନିପିଣ୍ଡୁଳା ପାଲଟିଯାଇଥିବା ବିମାନରୁ ଆଉ ଯାତ୍ରୀଙ୍କ ମରଶରୀର ଚିହ୍ନଟ ସମ୍ଭବ ନଥିବାରୁ, ପରିବାର ଓ ସମ୍ପର୍କୀୟଙ୍କୁ ମୃତଦେହ ଫେରାଇବାକୁ ଡିଏନଏ ଟେଷ୍ଟର ସହାୟତା ନେଇଛି ସ୍ଥାନୀୟ ପ୍ରଶାସନ। ତେଣୁ ନିଜ ପ୍ରିୟ ଜନଙ୍କ ମରଶରୀର ସଂଗ୍ରହ ପାଇଁ ମେଡିକାଲ ବାହାରେ ଆତ୍ମୀୟ ସୋଦରଙ୍କ ଅସମ୍ଭବ ଭିଡ଼। ଏ ଦୁର୍ଘଟଣାର କାରଣ ଖୋଜା ତନାଘନା ଭିତରେ ଘଟଣାସ୍ଥଳରେ ଜାତୀୟ ତଦନ୍ତକାରୀ ସଂସ୍ଥା NIA ମଧ୍ୟ ପହଞ୍ଚିଛି। ଏନଡିଆରଏଫର ୩ଟି ଟିମ୍ ମଧ୍ୟ ଦୁର୍ଘଟଣାସ୍ଥଳରୁ ଉଦ୍ଧାର ଓ ଖୋଜ ଖବର କାର୍ଯ୍ୟ ଜାରି ରଖିଛି।

ଅଧିକ ପଢ଼ନ୍ତୁ: ପୁଣି ଭାରତ-ଚୀନ ମଧ୍ୟରେ ଉଡ଼ିବ ବିମାନ

Narendra Modi Ahmedabad Air India Plane Crash
Advertisment
Advertisment