ଇଏ ଆଖି ଖୋଲିଦେଲା ଭଳି ଏକ ଘଟଣା । ଆମେ ପନିପରିବାରେ ବା ଖାଦ୍ୟଶସ୍ୟର ସଂରକ୍ଷଣ କରିବାକୁ ବ୍ୟବହାର କରୁଥିବା କୀଟନାଶକ ମଣିଷ ଶରୀର ପାଇଁ ବହୁତ କ୍ଷତିକାରକ । ଏ କଥା ଆମେ ଅଳ୍ପେବହୁତେ ଜାଣିଛେ । କିନ୍ତୁ ଏହା ଯେ ଶୁଙ୍ଘିବା ମାତ୍ରେ ଜୀବନ ଚାଲି ଯାଇପାରେ ଏହା ସହଜରେ ବିଶ୍ୱାସ କରି ହେଉନାହିଁ । କିନ୍ତୁ ଏହା ସତ । କୀଟନାଶକ ଶୁଘିଂ ଦିଲ୍ଲୀରେ ଶହେରୁ ଅଧିକ ମାଙ୍କଡ଼ଙ୍କର ପ୍ରାଣହାନି ଘଟିଛି । ଫୁଡ୍ କର୍ପୋରେସନ ଅଫ୍ ଇଣ୍ଡିଆ ବା ଭାରତୀୟ ଖାଦ୍ୟ ନିଗମର ଗୋଦାମରେ ସ୍ପ୍ରେ କରାଯାଇଥିଲା କୀଟନାଶକ । ଉଦ୍ଦେଶ୍ୟ ଥିଲା, ଏହା ପକାଗଲେ ଏଥିରେ ଆଉ ପୋକ ଲାଗିବେ ନାହିଁ କି ଖାଦ୍ୟ ନଷ୍ଟ ହେବନାହିଁ । ଯେଉଁଠି ମାଙ୍କଡ଼ମାନଙ୍କ ଜୀବନ ଚାଲିଯାଉଛି, ସେଠି ମଣିଷ ଜୀବନ କେତେ ଦୂର ବୋଲି ପ୍ରଶ୍ନ ଉଠୁଛି ।
ଗୋଦାମରେ ପଶୁଥିବା ମାଙ୍କଡମାନେ ଏହି କୀଟନାଶକ ଶୁଙ୍ଘିବା ପରେ ଜଣକ ପରେ ଜଣେ ମରିଯାଇଥିଲେ । ଖାଦ୍ୟ ନିଗମର କର୍ମଚାରୀମାନେ ଏହି ଘଟଣାକୁ ଚତୁରତାର ସହ ଲୁଚେଇ ଦେବା ପାଇଁ ଚେଷ୍ଟା କରିଥିଲେ । ଗୋଦାମଠାରୁ ଅଳ୍ପ ଦୂରରେ ମଲା ମାଙ୍କଡ଼ମାନଙ୍କୁ ପୋତିଦେଇଥିଲେ । ଭାବିଥିଲେ, କେହି କିଛି ଜାଣିପାରିବେ ନାହିଁ । କିନ୍ତୁ ଏହି ଘଟଣା ଏବେ ଲୋକଲୋଚନକୁ ଆସିଛି । ପୋତା ଯାଇଥିବା ଖାତରୁ ମାଙ୍କଡ଼ଙ୍କ ମୃତଦେହ ଉଦ୍ଧାର କରାଯାଇଛି । ପଶୁଡାକ୍ତରମାନଙ୍କ ଦ୍ୱାରା ଏହି ମୃତଦେହଗୁଡିକର ପୋଷ୍ଟମର୍ଟମ କରାଯାଇଛି । ମାଙ୍କଡ଼ଙ୍କ ମୃତ୍ୟୁ ସଂପର୍କରେ ଗତ ବୁଧବାର ଦିନ ପ୍ରଥମେ ପୋଲିସ୍ ଖବର ପାଇଥିଲା । ପରେ ଛାନଭିନ୍ କରିଥିଲା ପୋଲିସ୍ । ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଥିଲା, ଘଟଣା ସତ । ତେଣୁ ସଂପୃକ୍ତ ଖାଦ୍ୟ ନିଗମ କର୍ମଚାରୀଙ୍କ ବିରୋଧରେ କେଶ୍ ରୁଜୁ କରାଯାଇଥିଲା । ଏହି କେଶ୍ ଆଧାରରେ ମାଟିତଳୁ ଖୋଳା ଯାଇଛି ମୃତଦେହ । ବ୍ୟବହାର କରାଯାଇଥିବା କୀଟନାଶକ ଆଲୁମିନିୟମ୍ ଫସଫାଇଡ୍ ବୋଲି ତଦନ୍ତରୁ ଜଣାପଡିଛି । ଗୋଦାମରେ ରଖାଯାଇଥିବା ଗହମ ବସ୍ତା ଉପରେ ଏହି କୀଟନାଶକ ଗତ ୭ ତାରିଖରେ ପ୍ରୟୋଗ କରାଯାଇଥିଲା ।
Also Read
ଅଧିକ ପଢନ୍ତୁ: ବବି ଦାସଙ୍କ ଭାଇ ଭବ ପ୍ରସାଦ ଦାସ ଗିରଫ; ବ୍ୟବସାୟୀଙ୍କୁ ଧମକ ନେଇ ହୋଇଥିଲା ଅଭିଯୋଗ
ନଭେମ୍ୱର ୯ର ସେଇ କାଳରାତି
ପୋଲିସର କହିବା ଅନୁଯାୟୀ, ଗୋଦାମର ଏକ ଭଙ୍ଗା ଝରକା ପଟେ ମାଙ୍କଡମାନେ ରାତିରେ ପଶିଥିଲେ । ଏହା ପରେ ସେମାନେ ଏହି ବିଷାକ୍ତ ଗ୍ୟାସ ଶୁଙ୍ଘି ସେହିଠାରେ ଟଳି ପଡିଥିଲେ । ପରଦିନ ସକାଳେ ଅର୍ଥାତ ନଭେମ୍ୱର ୯ ତାରିଖରେ ଗୋଦାମର କର୍ମଚାରୀମାନେ ଏହି ମୃତ ମାଙ୍କଡ଼ମାନଙ୍କୁ ଦେଖିଥିଲେ । ଏହି ଘଟଣାକୁ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟିକୁ ନଆଣି ଉପସ୍ଥିତ ଥିବା କର୍ମଚାରୀମାନେ ପୋତିଦେବାକୁ ନିଷ୍ପତ୍ତି ନେଇଥିଲେ । କାହାକୁ କିଛି ନଜଣାଇ ପୋତି ଦେଇଥିଲେ । ଘଟଣା କିନ୍ତୁ ଗୋଟିଏ କାନରୁ ଆଉ ଗୋଟିଏ କାନକୁ ବ୍ୟାପିଥିଲା । ତୁଣ୍ଡ ବାଇଦ ସହସ୍ର କୋଶ ପରି ଏହି କଥା ପହଞ୍ଚିଥିଲା ବିଶ୍ୱ ହିନ୍ଦୁ ପରିଷଦର କର୍ମକର୍ତ୍ତାଙ୍କ ପାଖରେ । ସେମାନେ ଏହି ଘଟଣାକୁ ପୋଲିସକୁ ଜଣାଇ ଘଟଣାର ତଦନ୍ତ ଦାବି କରିଥିଲେ ।
ପ୍ରାୟ ଶହେ ମାଙ୍କଡ଼ ମରିବା ଘଟଣା ଏଥର ପ୍ରଥମ ଥର ଦିଲ୍ଲୀରେ ଘଟିନାହିଁ । ଗତବର୍ଷ ତେଲଙ୍ଗାନାର ସିଡିପେଟ୍ ଜିଲ୍ଲାର ଏକ ଗାଁରେ ମଧ୍ୟ ଗୋଟିଏ ଦିନରେ ପ୍ରାୟ ଶହେ ମାଙ୍କଡ଼ଙ୍କ ମୃତ୍ୟୁ ଘଟିଥିଲା । ବିଷକ୍ରିୟାରୁ ସେତେବେଳେ ମାଙ୍କଡମାନଙ୍କ ମୃତ୍ୟୁ ଘଟିଥିବା ଜଣାପଡିଥିଲା । ପରେ ମୃତଦେହଗୁଡିକୁ ଏକତ୍ର ପୋତି ଦିଆଯାଇଥିଲା ।